Unknown

 

 

 

 

 

 

 

 

 

ନୀତି ପ୍ରବନ୍ଧ

ଶ୍ରୀ ରାଜକିଶୋର ମହାନ୍ତି

 

ଆଧୁନିକ ଛାତ୍ର

 

ଆମ୍ଭେମାନେ ପ୍ରାଚୀନ ଛାତ୍ରଜୀବନ ସଙ୍ଗେ ଆଧୁନିକ ଛାତ୍ରଜୀବନକୁ ତୁଳନା କଲେ ବହୁତ ପ୍ରଭେଦ ଅନୁଭବ କରୁଅଛୁଁ । ତାହାର କାରଣ ଅନୁସନ୍ଧାନ କରିବା ସହଜସାଧ୍ୟ ନୁହେ । ତଥାପି ତତ୍‌ସମ୍ୱନ୍ଧେ କେତେ ଗୋଟି କଥା ମନରେ ଉଦିତ ହେଉଅଛି । ବିଦ୍ୟାକ୍ଷେତ୍ର ଛାତ୍ରମାନଙ୍କର ନିବାସଭୂମି । ସେହି କ୍ଷେତ୍ରର ଅବସ୍ଥା ପରିବର୍ତ୍ତିତ ହେବା ଯୋଗୁଁ ବୋଧହୁଏ ଛାତ୍ରଜୀବନରେ ବହୁ ପରିବର୍ତ୍ତନ ଘଟୁଅଛି । ପାର୍ବତୀୟ ପ୍ରଦେଶବାସୀ ପିଲାମାନଙ୍କ ସଙ୍ଗେ ସମତଳବାସୀ ପିଲାମାନଙ୍କୁ ତୁଳନା କଲେ ଦେଖାଯାଏ, ପ୍ରଥମୋକ୍ତ ପିଲାମାନେ କଷ୍ଟସହିଷ୍ଣୁ, ସାହସୀ ଓ ନିର୍ଭୀକ ଅଟନ୍ତି; କିନ୍ତୁ ଶେଷୋକ୍ତ ପିଲାମାନେ ଭୋଗବାସନାର ବଶବର୍ତ୍ତୀ ହୁଅନ୍ତି । କ୍ଷେତ୍ରର ଅବସ୍ଥା ଅନୁସାରେ ମନୁଷ୍ୟର ଚରିତ୍ର ଗଠିତ ହୁଏ । ବର୍ତ୍ତମାନ ବିଦ୍ୟାକ୍ଷେତ୍ରର ଅବସ୍ଥା ପରିବର୍ତ୍ତିତ ହୋଇଅଛି ବୋଲି କିପରି ଜଣାଯିବ, ତାହା ଆଲୋଚନା କରାଯାଉ । ପ୍ରଥମତଃ ବିଦ୍ୟା ଶବ୍ଦର ଅର୍ଥ ନିରୂପଣ କଲେ ଦେଖାଯାଉଅଛି, ବିଦ୍‌ ଧାତୁର ଅର୍ଥ ଜାଣିବା । ଜଗତରେ ମନୁଷ୍ୟ ପ୍ରକୃତି ପ୍ରଧାନର ବିଷୟ ଜାଣିବାକୁ ଚାହେଁ । କଦାପି ଅପ୍ରଧାନ ଅର୍ଥାତ୍‌ ନୀଚର ବିଷୟ ଜାଣିବାକୁ ପ୍ରାର୍ଥୀ ହୁଏ ନାହିଁ । ଯେ ନିତ୍ୟ ଏକଭାବରେ ବିରାଜିତ, ସର୍ବଶକ୍ତିସମ୍ପନ୍ନ ଓ ଯାହାଙ୍କୁ ଆଶ୍ରୟ କଲେ ଆଶ୍ରିତ ଲୋକ ଅନନ୍ତ କାଳ ଅବିଚଳିତ ଭାବରେ ରହି ପାରିବ, ତାହାଙ୍କୁ ପ୍ରଧାନ ବୋଲାଯାଏ । ଧନବଳ, ଜନବଳ ଓ ଯୌବନବଳ ପ୍ରଭୃତି କ୍ଷଣସ୍ଥାୟୀ, ସେମାନଙ୍କୁ ଆଶ୍ରୟ କଲେ ଲୋକ କଦାପି ନିରାପଦ ହୋଇ ନ ପାରେ, ସେମାନଙ୍କର ପରିବର୍ତ୍ତନ ସଙ୍ଗେ ନିଜେ ମଧ୍ୟ ପରିବର୍ତ୍ତିତ ହେବ । ଅତଏବ ଦ୍ୱିତୀୟ ଶ୍ରେଣୀ ଅପ୍ରଧାନ ମଧ୍ୟରେ ପରିଗଣିତ । ସୁତରାଂ ବିଦ୍ୟାର ଅର୍ଥରୁ ଆମ୍ଭେମାନେ ବୁଝିପାରୁଅଛୁଁ, ଯେ ଜଗଦୀଶ୍ୱରଙ୍କୁ ଜାଣିବା ପାଇଁ ପଥ ଦେଖାଏ ଅର୍ଥାତ୍‌ ସତ୍‌ପଥରେ ମନୁଷ୍ୟକୁ ଚଳାଏ, ସେ ବିଦ୍ୟା । ସେହି ହେତୁରୁ ଜଣେ କବି କହିଅଛନ୍ତି, ‘‘ସା ବିଦ୍ୟା, ଯା ତୁ ଦର୍ଶିତେଶ୍ୱରା ।’’ ଅର୍ଥାତ୍‌ ଯେ ଈଶ୍ୱରଙ୍କୁ ଦେଖାଏ, ସେ ବିଦ୍ୟା । ତଦ୍‌ବ୍ୟତୀତ ମନୁଷ୍ୟମନରେ ଯେ ଅଚିର ବିଷୟବାସନାକୁ ଉତ୍ତେଜିତ କରେ ଅର୍ଥାତ୍‌ ମନୁଷ୍ୟକୁ ବିପଥଗାମୀ କରେ ସେ ଅବିଦ୍ୟା । ପୂର୍ବେ ବିଦ୍ୟା ପ୍ରକୃତ ଅର୍ଥରେ ବ୍ୟବହୃତ ହେଉଥିଲା । ଅତଏବ ସେ କ୍ଷେତ୍ରରେ ଯେଉଁ ଛାତ୍ର ବାସ କରୁଥିଲେ ସେମାନଙ୍କର ସ୍ୱଭାବ କଷ୍ଟସହିଷ୍ଣୁ, ସଂଯତ ଓ ନମ୍ର ହୋଇଥିବା ସମ୍ପୂର୍ଣ୍ଣ ସମ୍ଭବ । ବର୍ତ୍ତମାନ ବିଦ୍ୟାର ଅର୍ଥ ବିଷୟ-ବିଜ୍ଞାନରେ ପର୍ଯ୍ୟବସିତ । ସୁତରାଂ ଦ୍ୱିତୀୟ କ୍ଷେତ୍ର ପ୍ରଥମ କ୍ଷେତ୍ରଠାରୁ ପୃଥକ୍‌ ହେବା ସ୍ୱାଭାବିକ । କ୍ଷେତ୍ରର ପରିବର୍ତ୍ତନ ସଙ୍ଗେ ଛାତ୍ରଜୀବନର ପରିବର୍ତ୍ତନ ହେବା ଅବଶ୍ୟମ୍ଭାବୀ । ପୂର୍ବେ ଯେ ବିଷୟଚର୍ଚ୍ଚା ନ ଥିଲା ତାହା କୁହା ଯାଇ ନ ପାରେ । ସେତେବେଳେ ବିଦ୍ୟା ପ୍ରଧାନ ଲକ୍ଷ୍ୟ ଥିଲା, ଅବିଦ୍ୟା ତାହାର ଅଙ୍ଗରୂପେ ଆବଶ୍ୟକ ପରିମାଣରେ ଗୃହୀତ ହେଉଥିଲା । ସମ୍ପ୍ରତି ତାହାର ସମ୍ପୂର୍ଣ୍ଣ ବିପର୍ଯ୍ୟୟ ଘଟିଅଛି । ଅବିଦ୍ୟା ପ୍ରଧାନ ଲକ୍ଷ୍ୟ, ବିଦ୍ୟା ତାହାର ଅଙ୍ଗରୂପେ କିଞ୍ଚିତ୍‌ : ଗୃହୀତ ହେଉଅଛି । ସେଥି ସଙ୍ଗେ ଛାତ୍ରଜୀବନ କ୍ରମେ କ୍ରମେ ପରିବର୍ତ୍ତିତ ହେଉଅଛି ।

ଯେପରି ପାର୍ବତୀୟ ପିଲାମାନେ କଷ୍ଟସହିଷ୍ଣୁ ଓ ସାହସୀ ହେବାପାଇଁ ପିତାମାତାଙ୍କ ସଙ୍ଗେ ଅନୁକ୍ଷଣ ବନେ ବନେ ବୁଲୁଥାନ୍ତି, ସେହିପରି ପ୍ରାଚୀନ ଛାତ୍ରମାନେ ସୁକଠିନ ଗୁଣମାନ ଅଭ୍ୟାସ କରିବା ନିମନ୍ତେ ଦିବାରାତ୍ରି ଗୁରୁଙ୍କ ସହିତ ବାସକରି ତାହାଙ୍କୁ ଅନୁକରଣ କରନ୍ତି । ପୂର୍ବେ ଗୁରୁମାନେ ଅତି ନମ୍ର, କଷ୍ଟସହିଷ୍ଣୁ, ନିର୍ଭୀକ, ଜିତେନ୍ଦ୍ରିୟ ଓ ତୃଷ୍ଣାହୀନ ଥିଲେ । ସୁତରାଂ ଅଳ୍ପବୟସ୍କ ଛାତ୍ରମାନେ ତାହାଙ୍କୁ ଅନୁକରଣ କରି ଉକ୍ତ କ୍ଷେତ୍ରରେ କାଳଯାପନ କରିବାକୁ ସମର୍ଥ ହେଉଥିଲେ । ୠଷିମାନେ ଛାତ୍ରମାନଙ୍କୁ ବ୍ରହ୍ମଚାରୀ ନାମ ଦେଇଅଛନ୍ତି । ବ୍ରହ୍ମଚର୍ଯ୍ୟର ଅଭ୍ୟାସପାଇଁ କେତେଗୁଡ଼ିଏ ନିୟମ ବାନ୍ଧି ଅଛନ୍ତି । ସେହି ନିୟମ ପାଳନକଲେ ପ୍ରକୃତ ବ୍ରହ୍ମଚର୍ଯ୍ୟ ଲାଭ କରାଯାଏ । ପ୍ରକୃତ ବ୍ରହ୍ମଚର୍ଯ୍ୟ ନ ପାଇଲେ ବିଦ୍ୟାର ଯଥାର୍ଥ ଅର୍ଥ ସିଦ୍ଧ ହୁଏ ନାହିଁ । ସେହି ହେତୁରୁ ଗୀତାରେ ଉଲ୍ଲେଖ ଅଛି, ‘‘ଯଦିଚ୍ଛନ୍ତୋ ବ୍ରହ୍ମଚର୍ଯ୍ୟଂ ଚରନ୍ତି’’ । ଯେଉଁମାନେ ନିତ୍ୟ ବିଦ୍ୟାକ୍ଷେତ୍ରରେ ବାସ କରୁଅଛନ୍ତି, ସେମାନେ ଗୃହୀ ହେଲେ ମଧ୍ୟ ବ୍ରହ୍ମଚର୍ଯ୍ୟ ବିଧି ଲଙ୍ଘନ କରିବା ଉଚିତ ନୁହେ । ପୂର୍ବେ ଗୁରୁମାନେ ଗୃହୀ ହେଲେହେଁ ଛାତ୍ରମାନଙ୍କର ଅନୁକରଣପାଇଁ ବ୍ରହ୍ମଚର୍ଯ୍ୟ ସହିତ ଗୃହଧର୍ମ ପାଳନ କରୁଥିଲେ । ବର୍ତ୍ତମାନ ଗୁରୁ ଓ ଶିଷ୍ୟ ଉଭୟେ ତହିଁରୁ ସମ୍ପୂର୍ଣ୍ଣ ବଞ୍ଚିତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏପରି କି ବ୍ରହ୍ମଚର୍ଯ୍ୟର ନାମ କହିଲେ ଆଧୁନିକ ଶିକ୍ଷିତ ବ୍ୟକ୍ତିମାନେ କହିବେ ଯେ ତାହା କେବଳ ୠଷିମାନଙ୍କର କପୋଳକଳ୍ପିତ କଥା । କୌଣସି କାଳେ ଲୋକେ ଉତ୍ତମରୂପେ ବ୍ରହ୍ମଚର୍ଯ୍ୟ ବିଧି ପାଳୁ ନ ଥିଲେ । ଏପରି ସ୍ଥଳେ ଆମ୍ଭେମାନେ ପଚାରିପାରୁଁ, ଚକ୍ଷୁହୀନ ଲୋକ ଦିନରେ ସୂର୍ଯ୍ୟଙ୍କୁ ଦେଖିବାକୁ ଅକ୍ଷମ ହୋଇ ଯଦି କହିବ; ପୃଥିବୀ ଅହରହ ଅନ୍ଧକାରମୟୀ, ସୂର୍ଯ୍ୟ ନାମ କେବଳ କପୋଳକଳ୍ପିତ, ତାହା କି ଚକ୍ଷୁଷ୍ମାନ୍‌ ବ୍ୟକ୍ତି ସ୍ୱୀକାର କରିବେ ? ସେହିପରି ଅତି ଅକ୍ଷମ ଆମ୍ଭମାନଙ୍କର ବ୍ରହ୍ମଚର୍ଯ୍ୟ ପ୍ରତି ଅବିଶ୍ୱାସ କିପରି ସତ୍ୟ ବୋଲି ପ୍ରତୀତ ହେବ ? ତେବେ କାହିଁକି ଆମ୍ଭେମାନେ ବ୍ରହ୍ମଚର୍ଯ୍ୟ ବିଧି ଲଙ୍ଘନ କରି ଏପରି ଅଧୋଗତି ହେଲୁଁ ? ତାହାର ଉତ୍ତର ହୋଇପାରେ ଆମ୍ଭେମାନେ କିମ୍ୱା ଆମ୍ଭମାନଙ୍କର ପିତୃପିତାମହ ପ୍ରଭୃତିଙ୍କର ମନ କଠିନ ପଥରେ ଚାଲିବାକୁ ପ୍ରବୃତ୍ତ ହେଲାନାହିଁ । କେବଳ ସରଳ ଭୋଗମାର୍ଗକୁ ଅନୁସରଣ କଲା । ଏପରି ସ୍ଥଳେ ୠଷିମାନଙ୍କର ଦୋଷ ଦେଇ ନିଜେ ସାଧୁ ହେବା କଦାପି ଉଚିତ ବୋଧ ହେଉ ନାହିଁ । ଭିନ୍ନ ଭିନ୍ନ ଋଷିଙ୍କର ଭିନ୍ନ ଭିନ୍ନ ମତ ହେଲେହେଁ ସମସ୍ତଙ୍କର ଲକ୍ଷ୍ୟସ୍ଥଳ ଗୋଟିଏ । ଅନେକେ ଭିନ୍ନ ଭିନ୍ନ ପଥ ଦେଖାଇଅଛନ୍ତି ସତ୍ୟ, ମାତ୍ର ଲକ୍ଷ୍ୟ ସ୍ଥାନକୁ ପୃଥ୍‌କ କରି ନାହାନ୍ତି । କୌଣସି ଋଷି କହି ନାହାନ୍ତି ଯେ, ବିଦ୍ୟାର ଅର୍ଥ ଇନ୍ଦ୍ରିୟମାନଙ୍କୁ ଯଥାରୁଚି ବ୍ୟବହାର କରିବା ଓ ବିଳାସ ବାସନାକୁ ଉତ୍ତେଜିତ କରିବା-। ସମସ୍ତଙ୍କର ମତ ବିଦ୍ୟାରଅର୍ଥ ଜଗଦୀଶ୍ୱରଙ୍କୁ ଜାଣିବା ଓ ପ୍ରକୃତ ମନୁଷ୍ୟପଣ ଅର୍ଜ୍ଜନ କରିବା । ଦ୍ୱିତୀୟ ଅର୍ଥକୁ ପାଳନ କରିବାକୁ ହେଲେ ତତ୍‌ପ୍ରଦର୍ଶିତ ନିୟମରେ ଚଳିବାକୁ ହେବ । ପଥଭ୍ରଷ୍ଟ ହେଲେ ଲକ୍ଷ୍ୟ ଚ୍ୟୁତ ହୋଇ ଅବିଦ୍ୟାକୁ ଆଶ୍ରୟ କରାଯିବ । ତେଣୁ ମନର ଗତି କଦାପି ପରିବର୍ତ୍ତିତ ହେବ ନାହିଁ । ବର୍ତ୍ତମାନ ଏପରି ପ୍ରଶ୍ନ ଉଠିପାରେ, ଯଦି ବ୍ରହ୍ମଚର୍ଯ୍ୟ ମନୁଷ୍ୟର ପ୍ରକୃତ ଅଭ୍ୟୁଦୟର କାରଣ, ତେବେ ଜଣେ ଦୁଇଜଣ ନୁହେ, ପ୍ରାୟ ସମସ୍ତ ଛାତ୍ର କାହିଁକି ସେଥିରୁ ବଞ୍ଚିତ ହେଉଅଛନ୍ତି ? ଜଣେ ମାତ୍ର ଛାତ୍ରର ମନ ତତ୍‌ପ୍ରତି ଆକୃଷ୍ଟ ନ ହେବାର ହେତୁ କଣ ? ଉତ୍ତରରେ ଲୋକେ କହି ପାରନ୍ତି, କେହି କେତେବେଳେ ଉକ୍ତ ନିୟମ ପାଳନ କରି ନାହାନ୍ତି କିମ୍ୱା ତାହାର ନିୟମଗୁଡ଼ିକ ଏପରି ଗୋଳମାଳିଆ ଯେ ଲୋକେ ତାହାକୁ ବୁଝି ପାରୁ ନାହାନ୍ତି । ସେଗୁଡ଼ିକ ସରଳଭାବରେ ବର୍ଣ୍ଣିତ ହେବା ଉଚିତ ଥିଲା । ଏ କ୍ଷେତ୍ରରେ ନିୟମକର୍ତ୍ତାମାନେ ସମ୍ପୂର୍ଣ୍ଣ ଅପରାଧୀ । ଆମ୍ଭମାନଙ୍କର ମତ ଏହି, ଛାତ୍ରଜୀବନର ପରିବର୍ତ୍ତନ ବିଷୟରେ ପ୍ରଧାନତଃ ତିନିଜଣ ପୂର୍ଣ୍ଣ ଦାୟୀ । ଯଥା–ପିତା, ମାତା ଓ ଶିକ୍ଷକ । ସେହି ତିନିଜଣଙ୍କ ସଙ୍ଗେ ଛାତ୍ରର ସମ୍ୱନ୍ଧ ଅତି ଘନିଷ୍ଠ । ସେମାନଙ୍କର ବ୍ୟବହାରଦ୍ୱାରା ଛାତ୍ର ଭବିଷ୍ୟତରେ ମନୁଷ୍ୟଜନ୍ମ ସାର୍ଥକ କରିପାରେ କିମ୍ୱା ପଶୁତୁଲ୍ୟ ସଦସଦ୍‌ବିଚାରଶୂନ୍ୟ ହୋଇପାରେ । ସୁତରାଂ ଉକ୍ତ ତିନିଜଣଙ୍କର କାର୍ଯ୍ୟ କିପରି ହେବା ଉଚିତ, ତାହା ଆଲୋଚନା କରାଯାଉ । ତାହାହେଲେ ବ୍ରହ୍ମଚର୍ଯ୍ୟ ପ୍ରତି କାହିଁକି ଅଶ୍ରଦ୍ଧା ଜନ୍ମିଲା, ତାହା ବୁଝାଯିବ ।

ଆଧୁନିକ ପିତା ଓ ମାତା ପ୍ରଭୃତି ଉଲ୍ଲିଖିତ ନିୟମମାନ ଲଙ୍ଘନ କରିବାରୁ ଆମ୍ଭେମାନେ ତାହା ଛାଡ଼ିବାକୁ ବାଧ୍ୟ ହୋଇଅଛୁଁ । ନିୟମକର୍ତ୍ତାଙ୍କର ଦୋଷ ଦେଇ ନ ପାରୁଁ । କାରଣ ସେମାନେ ଉତ୍ତମ ବିଧି ସୃଷ୍ଟିକଲେ, ବିଧାତା ତାହାର ସତ୍ୟତା ପ୍ରତିପାଦନ ବିଷୟରେ ବୁଦ୍ଧ ଓ ଶଙ୍କରାଚାର୍ଯ୍ୟ ପ୍ରଭୃତି ମହାତ୍ମାମାନଙ୍କୁ ଭୂମଣ୍ଡଳକୁ ପଠାଇଲେ । ତଥାପି ଆମ୍ଭେମାନେ ତାହାକୁ ଅତି କଷ୍ଟ ସାଧ୍ୟ ମନେ କରି ସରଳ ପଥକୁ ତ୍ୟାଗ କଲୁଁ ନାହିଁ । ସୁତରାଂ ଦୁର୍ଦ୍ଦଶାଗ୍ରସ୍ତ ହେଲୁଁ । ବିଧାତା ମାନବଶରୀର ଗଠନ କରିବା ସମୟରେ ତହିଁରେ ବୃକ୍ଷପ୍ରକୃତି, ପଶୁପ୍ରକୃତି ଓ ମନୁଷ୍ୟପ୍ରକୃତି ଏହି ତିନି ଗୋଟିକୁ ସ୍ଥାପନ କରିଅଛନ୍ତି । ମନୁଷ୍ୟ ଯତ୍ନକଲେ ବୃକ୍ଷବତ୍‌ ସହିଷ୍ଣୁ ଓ ଅନିଷ୍ଟକାରୀର ଉପକାର କରିପାରେ । ମନୁଷ୍ୟ ପଶୁପ୍ରକୃତିର ବଶବର୍ତ୍ତୀ ହେଲେ ପଶୁତୁଲ୍ୟ ବିପଥଗାମୀ, ଅଜ୍ଞାନୀ ଓ ଅବିବେକୀ ହୋଇ ପାରେ । ମନୁଷ୍ୟ ସାଧନାଦ୍ୱାରା ପ୍ରକୃତ ମନୁଷ୍ୟତ୍ୱ ଲାଭ କରିପାରେ । ସମ୍ପ୍ରତି କାହିଁକି ପ୍ରକୃତିର ବ୍ୟତିକ୍ରମ ଘଟୁଅଛି, ତହିଁରୁ କିଞ୍ଚିତ୍‌ ଆଲୋଚନା କରାଯାଉ । ବର୍ତ୍ତମାନ ଆମ୍ଭେମାନେ ଦେଖୁଅଛୁଁ, ଅନେକ ଧନିଲୋକ ନିଃସନ୍ତାନ ହେଉଅଛନ୍ତି । ଯେଉଁମାନେ ପୁତ୍ରଲାଭ କରୁଅଛନ୍ତି, ସେମାନେ କେବଳ ମନୁଷ୍ୟର ରୂପ ମାତ୍ର ଦେଖୁଅଛନ୍ତି । ପ୍ରକୃତ ପୁତ୍ରରୁ ବଞ୍ଚିତ ହେବାକୁ ପଡ଼ୁ ଅଛି । ତାହାର କାରଣ ବୁଝିବାକୁ ଗଲେ କେତେଗୁଡ଼ିଏ କଥା ଭାବିବାକୁ ହେବ । ଶ୍ରୁତିର ମତ ଏହି ‘ଆତ୍ମା ବୈ ପୁତ୍ର ନାମାସି’ ଅର୍ଥାତ୍‌ ପିତାଙ୍କର ଆତ୍ମା ପୁତ୍ରରୂପେ ଜନ୍ମେ । ପିତା ଓ ପୁତ୍ରର ପ୍ରଭେଦ ପ୍ରାୟ ନାହିଁ । ପିତା ଯେପରି ଗୁଣବିଶିଷ୍ଟ ଓ ଯେପରି ରୋଗୀ ହେବେ ପୁତ୍ର ଅବିକଳ ସେହିପରି ହେବ । ଏପରି ସ୍ଥଳେ ମନୁଷ୍ୟ ପିତୃସ୍ଥାନ ପାଇବା ଆଗରୁ ଉପଯୁକ୍ତ ମନୁଷ୍ୟ ହେବା ଆବଶ୍ୟକ । ତାହା ହେଲେ ମନୁଷ୍ୟପୁତ୍ର ଲାଭ ହେବ । ଯେଉଁ ବ୍ୟକ୍ତି ନିଜର ପଶୁପ୍ରକୃତିଦ୍ୱାରା ଅହରହ ପରିଚାଳିତ ହୋଇ ଆତ୍ମାକୁ ସମ୍ପୂର୍ଣ୍ଣରୂପେ ପଶୁତ୍ୱରେ ଦୂଷିତ କରିଅଛନ୍ତି, ତାହାଙ୍କର ଆତ୍ମା କଦାପି ମନୁଷ୍ୟ ସମାଜରେ ଜନ୍ମି ନ ପାରେ । ସେହି ହେତୁରୁ ଗୀତାରେ ଉଲ୍ଲେଖ ଅଛି, ‘ପ୍ରଲୀନସ୍ତମସି ମୂଢ଼ଯୋନିଷୁ ଜାୟତେ’’ ଅର୍ଥାତ୍‌ ତମୋଗୁଣ ପ୍ରଧାନ ଲୋକର ଆତ୍ମା ପଶୁ କୁଳରେ ଜନ୍ମଗ୍ରହଣ କରେ । ମନୁଷ୍ୟସମାଜରେ ତାହାର ସ୍ଥାନ ନାହିଁ । ସୁତରାଂ ସମ୍ପୂର୍ଣ୍ଣ ପଶୁପ୍ରକୃତିକ ଲୋକମାନେ ପୁତ୍ରଲାଭରୁ ବଞ୍ଚିତ ହୋଇ କର୍ମ୍ମର ଦୋଷ ଦିଅନ୍ତି । କର୍ମ୍ମର ଅର୍ଥ ନିଜକୃତ ବ୍ୟବସାୟ, ଅନ୍ୟ କିଛି ନୁହେଁ । ଯେଉଁମାନେ ଅବା ପୁତ୍ର ପାଉଁଅଛନ୍ତି, ସେମାନେ ଉପଯୁକ୍ତ ମନୁଷ୍ୟ ହୋଇ ନ ଥିବାରୁ ପ୍ରକୃତ ପୁତ୍ରଲାଭରୁ ବଞ୍ଚିତ ହେଉଅଛନ୍ତି । ସେ-ପୁତ୍ରମାନେ ସମ୍ୟକ୍‌ ମନୁଷ୍ୟ ହୋଇ ପାରୁ ନାହାନ୍ତି କିମ୍ୱା ମନୁଷ୍ୟର କାର୍ଯ୍ୟ କରିବାକୁ ପ୍ରବୃତ୍ତ ହେଉ ନାହାନ୍ତି । ସେମାନଙ୍କ ଉପାଦାନରେ ପଶୁଭାବ ପ୍ରବଳ ଥିବାରୁ ସେମାନେ ପରିଶେଷରେ ସମ୍ପୂର୍ଣ୍ଣ ପଶୁତୁଲ୍ୟ କାର୍ଯ୍ୟ କରି ଜଗତରୁ ଅନ୍ତର୍ହିତ ହେଉଅଛନ୍ତି । କ୍ରମେ କ୍ରମେ ବହୁକାଳ ବ୍ୟାପୀ ଏହିପରି ଚଳିବାରୁ ଆମ୍ଭମାନଙ୍କର ଚକ୍ଷୁ ଏପରି ବିକୃତ ହୋଇଅଛି ଯେ ପୂର୍ବ ସତ୍ୟମାନଙ୍କୁ ଅସାର ଓ କପୋଳକଳ୍ପିତ ବୋଲି ଭାବିବାକୁ ବାଧ୍ୟ ହେଉଅଛୁଁ । ଯେପରି ତିକ୍ତସଂଯୋଗରେ ବିକୃତ ରସନା ସୁମିଷ୍ଟ ପଦାର୍ଥକୁ ବିପରୀତ ରସବିଶିଷ୍ଟ ମଣେ, ଆମ୍ଭେମାନେ ସେହିପରି ବିକୃତ ହୋଇ ସତ୍ୟକୁ ଅସତ୍ୟ ମଣୁଅଛୁଁ । ଉଦାହରଣ ସ୍ୱରୂପ କେତେଗୋଟି ବିଷୟ ଦେଖାଯାଉ । ଭଗବାନ୍‌ ଶ୍ରୀକୃଷ୍ଣ ଘୋର ଅନ୍ଧକାରମୟ ଘୃଣ୍ୟ କଂସର ବନ୍ଦୀଘରେ ଦେବକୀଙ୍କର ଅଙ୍କ ଅଳଙ୍କୃତ କରିଥିଲେ । ମହାତ୍ମା ଚୈତନ୍ୟ ଦେବ ନବଦ୍ୱୀପରେ ଦରିଦ୍ର ବ୍ରାହ୍ମଣ ଘରେ ଆବିର୍ଭୂତ ହୋଇଥିଲେ । ସଦାଶୟ ବିଦ୍ୟାସାଗର ମହାଶୟ ହୁଗୁଳି ଜିଲ୍ଲାରେ ଦରିଦ୍ର ବ୍ରାହ୍ମଣ ପଣ୍ଡିତଙ୍କ ଘରକୁ ପସନ୍ଦ କଲେ, ଏ କଥାମାନଙ୍କରେ କି କିଛି ଅର୍ଥ ନାହିଁ ? ଆମ୍ଭେମାନେ ଯେତେ ମହାପୁରୁଷଙ୍କର ଜୀବନଚରିତ ପାଠ କରୁଅଛୁଁ, ସେମାନଙ୍କ ମଧ୍ୟରୁ ବହୁତ ସଂଖ୍ୟା ଦରିଦ୍ରକୁଟୀରକୁ ବିଭୂଷିତ କରିଅଛନ୍ତି କାହିଁକି ? ଶ୍ରୀକୃଷ୍ଣ କଂସ କିମ୍ୱା ଜରାସନ୍ଧ ପ୍ରଭୃତି ପ୍ରତାପଶାଳୀ ରାଜାମାନଙ୍କ ଘରେ କି ଜନ୍ମି ପାରି ନ ଥାନ୍ତେ ? ଚୈତନ୍ୟପ୍ରଭୃତି ରାଜା କିମ୍ୱା ଜମିଦାର ପ୍ରଭୃତିଙ୍କ ଘରେ ଜନ୍ମିଥିଲେ କି କିଛି କ୍ଷତି ହୋଇ ଥାନ୍ତା ? ତାହା ନ ହେବାର କାରଣ କଣ-? ଏଥିରୁ ଜଣା ଯାଉଅଛି, ସମସ୍ତ ପିତା ସୁପୁତ୍ରର ଅଧିକାରୀ ନୁହନ୍ତି । ସର୍ବତଃ ପାଣିପାଦ ସର୍ବତୋଽକ୍ଷିଶିରୋମୁଖ ବିଧାତା ଅହରହ ମନୁଷ୍ୟର କାର୍ଯ୍ୟର ଫଳକୁ ସୁବିଚାର କରି ଯାହାର ଆତ୍ମାକୁ ପ୍ରକୃତ ମନୁଷ୍ୟ ମନେ କରୁଅଛନ୍ତି, ତାହାଙ୍କୁ ମନୁଷ୍ୟ ପୁତ୍ତ, ଦେଉଅଛନ୍ତି । ତାହାଙ୍କର ବିଚାର ଭୂମିରେ ଧନୀ ଦରିଦ୍ରର ପ୍ରଭେଦ ନାହିଁ, ବନ୍ଦୀଘର ଓ ରାଜଭବନର ପ୍ରଭେଦ ନାହିଁ । ଏପରି ସ୍ଥଳେ ପ୍ରାଚୀନ ମହାତ୍ମାମାନଙ୍କ ଉପରେ ସବୁ ଦୋଷ ଆରୋପ କରି ନିଜେ ନିଜେ ନିର୍ଦ୍ଦୋଷ ହେବା ଯୁକ୍ତିସଙ୍ଗତ ବୋଧ ହେଉନାହିଁ । ଆମ୍ଭେମାନେ ଯେବେ ଯଥାର୍ଥ ମନୁଷ୍ୟ ହେବା ତେବେ ସଦୁକ୍ତିମାନ କଦାପି ମିଥ୍ୟା ବୋଲି ବିଶ୍ୱାସ ହେବ ନାହିଁ । ବିଜ୍ଞାନର ସ୍ଥାନାବରୋଧକତା ନିୟମାନୁସାରେ ଯେଉଁ ହୃଦୟରେ ବିଷୟବାସନା ପୂର୍ଣ୍ଣ ଅଧିକାର କରିଅଛି, ସେଠାରେ ସାଧୁଭାବ କଦାପି ସ୍ଥାନ ପାଇ ପାରେ ନାହିଁ । ସେହି ହେତୁରୁ ଜଣେ ମହାତ୍ମା କହିଅଛନ୍ତି, ଏକ ମନୁଷ୍ୟ ଦୁଇ ପ୍ରଭୁର ଦାସତ୍ୱ କରି ନ ପାରେ । ପୂର୍ବେ ଲୋକମାନଙ୍କର ବିଷୟତୃଷ୍ଣା ନିତାନ୍ତ ଅଳ୍ପ ଥିଲା । ଇତିହାସରୁ ପ୍ରମାଣ ମିଳୁଅଛି, ପୂର୍ବକାଳରେ ଲୋକେ ଚାବି ପ୍ରଭୃତି ବ୍ୟବହାର କରୁ ନ ଥିଲେ । ସୁତରାଂ ସେମାନେ ବିଷୟ ପ୍ରତି ଅନାସକ୍ତ ଥିଲେ ସନ୍ଦେହ ନାହିଁ । ସେମାନଙ୍କର ହୃଦୟ ସାଧୁଭାବର କ୍ଷେତ୍ର ଥିବା ବିଚିତ୍ର ନୁହେ । ବର୍ତ୍ତମାନ ଆମ୍ଭେମାନେ ଲୁହା ସିନ୍ଦୁକରେ ବହୁତ ମଜବୁତ ଚାବି ଲଗାଇଲେ ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ହୋଇ ପାରୁ ନାହୁଁ । ଏହି ଘଟନାରୁ ଦେଖା ଯାଉଅଛି, ଅତୀତ ଓ ବର୍ତ୍ତମାନ ମଧ୍ୟରେ କେତେ ପ୍ରଭେଦ ପହଞ୍ଚିଲାଣି । ସୁତରାଂ ଛାତ୍ରଜୀବନରେ ପ୍ରଭେଦ ଘଟିବା ଅସମ୍ଭବ କାହିଁକି କୁହାଯିବ ? ଅତୀତର ସତ୍ୟତା ପ୍ରତିପାଦନ ବିଷୟରେ ପ୍ରଥମତଃ ସୁପିତା ଆବଶ୍ୟକ । ଆମ୍ଭେମାନେ ଉପଯୁକ୍ତ ପିତୃସ୍ଥାନ ନ ପାଇଲେ କଦାପି ଉପଯୁକ୍ତ ପୁତ୍ର ପାଇ ପାରିବା ନାହିଁ । ପଣ୍ଡିତ ବିଷ୍ଣୁଶର୍ମା କହିଅଛନ୍ତି, ‘ପିତୃ ଦୋଷେଣ ମୂର୍ଖତା’ ମୂର୍ଖତାର ଅର୍ଥ ପଶୁତ୍ୱ । ପୁତ୍ତ୍ରମାନେ କେବଳ ପିତୃ ଦୋଷରେ ପଶୁତୁଲ୍ୟ ଆଚରଣ କରୁଅଛନ୍ତି । ଛାତ୍ରର ଜୀବନକୁ ସଂଶୋଧନ କରିବା ଆଗରୁ ପିତୃଜୀବନ ସଂଶୋଧନ କରିବା ସର୍ବୋଦୌ ବିଧେୟ । ତାହାହେଲେ ଅତୀତ ଭାବ ପୂର୍ଣ୍ଣମାତ୍ରାରେ ହୃଦୟରେ ସ୍ଥାନ ଲାଭ କରିବ ଓ ଅତୀତ ନିୟମ ଧ୍ରୁବ ସତ୍ୟ ବୋଲି ପ୍ରତିଭାତ ହେବ ।

ପୁତ୍ତ୍ରର ଜୀବନ ଉପରେ ପିତାଙ୍କର କର୍ତ୍ତୃତ୍ୱ ଯେପରି ମାତାଙ୍କର ମଧ୍ୟ ସେହିପରି । ମାତାଙ୍କ ସମ୍ୱନ୍ଧରେ କିଛି ଆଲୋଚନା କରିବା ଉଚିତ । ପୂର୍ବେ ଲୋକମାନେ ବ୍ରହ୍ମଚର୍ଯ୍ୟରୁ ବାହାରି ଅର୍ଥାତ୍‌ ପ୍ରକୃତ ମନୁଷ୍ୟତ୍ୱ ଲାଭ କରି ଗୃହସ୍ଥାଶ୍ରମରେ ପ୍ରବେଶ କରୁଥିଲେ । ଯେଉଁ କନ୍ୟାକୁ ସହଧର୍ମିଣୀ କରିବାର ପ୍ରସ୍ତାବ ଚାଲୁଥିଲା, ବରର ଅଭିଭାବକମାନେ ସେହି କନ୍ୟାର ମୌଳିକ ମର୍ଯ୍ୟାଦା ଓ ସ୍ୱଭାବ ପ୍ରଭୃତି ଉତ୍ତମ ପର୍ଯ୍ୟବେକ୍ଷଣ କରୁଥିଲେ । କନ୍ୟାକର୍ତ୍ତାମାନେ ମଧ୍ୟ ବରର ସେହି ସମସ୍ତ ଗୁଣ ଉତ୍ତମରୂପେ ବୁଝୁଥିଲେ । ସେହିହେତୁରୁ ପ୍ରାଚୀନ ଉକ୍ତି ଅଛି–

‘‘କନ୍ୟା ବରୟତେ ରୂପଂ ମାତା ବିତ୍ତଂ ପିତା ଶ୍ରୁତଂ,

ବାନ୍ଧବାଃ କୁଳମିଚ୍ଛନ୍ତି ମିଷ୍ଟାନ୍ନମିତରେ ଜନାଃ ।’’

 

ଆବଶ୍ୟକ ଗୁଣଗୁଡ଼ିକ ଆଲୋଚନାପୂର୍ବକ ପରିଣୟ କାର୍ଯ୍ୟ ସମ୍ପନ୍ନ ହେଉଥିବାରୁ ଗୃହଧର୍ମ୍ମ ଅତି ପବିତ୍ର ହେଉଥିଲା । କନ୍ୟା ସହଧର୍ମିଣୀ ନାମ ସାର୍ଥକ କରୁଥିଲା । ଦମ୍ପତି ମଧ୍ୟରେ କେତେବେଳେ ମନୋମାଳିନ୍ୟ ଦେଖା ଯାଉ ନ ଥିଲା । ଗୃହ ଦେବଭୂମି ତୁଲ୍ୟ ଚିର ଆନନ୍ଦମୟ ଥିଲା । ସୁତରାଂ ସନ୍ତାନମାନେ ଅତି ଶୈଶବରୁ ଉତ୍ତମ ଗୁଣମାନ ଅନୁକରଣ କରି କାଳକ୍ରମେ ପ୍ରକୃତ ମନୁଷ୍ୟ ହେବାକୁ ସମର୍ଥ ହେଉଥିଲେ । ଯେଉଦିନଠାରୁ ପୂର୍ବଭାବ ଲୋପ ପ୍ରାପ୍ତ ହେଲା, କେବଳ ଜନ୍ମପତ୍ରିକା ଓ ଅର୍ଥ ସାହାଯ୍ୟରେ ବିବାହକୃତ୍ୟ ସମ୍ପନ୍ନ ହେଲା, ସେହିଦିନୁଁ ସ୍ୱାମୀ ଓ ସ୍ତ୍ରୀର ପବିତ୍ର ବନ୍ଧନ ଶିଥିଳ ହେଲା । ସ୍ୱାମୀ ସ୍ତ୍ରୀକୁ ଓ ସ୍ତ୍ରୀ ସ୍ୱାମୀକୁ କେବଳ ବିଳାସର ପୁତ୍ତଳୀ କରିବାକୁ ନିରନ୍ତର ବ୍ୟସ୍ତ ରହିଲେ । ଅଭାବରୁ ହେଉ କିମ୍ୱା ଅନ୍ୟ କୌଣସି କାରଣରୁ ହେଉ ସ୍ତ୍ରୀର ଇଚ୍ଛା ହଠାତ୍‌ ଫଳବତୀ ନ ହେଲେ ସେ ରାକ୍ଷସୀର ପ୍ରତିମୂର୍ତ୍ତି ଧାରଣ କରି ସ୍ୱାମୀର ହୃଦୟରେ ଘୋର ଅଶାନ୍ତି ଜନ୍ମାଇଲେ । କ୍ରମେ କ୍ରମେ ଘର ପିଶାଚର ଭୂମିରେ ପରିଣତ ହେଲା । ସୁତରାଂ କ୍ଷୁଦ୍ର ଶିଶୁମାନଙ୍କର ପ୍ରକୃତି ବିପରୀତ ପଥରେ ଚାଲିବାକୁ ଅନୁକରଣ କଲା । ପରିଶେଷରେ ଶିଶୁ ସମାଜରେ ନିତାନ୍ତ ଅମନୁଷ୍ୟ ହେବାକୁ ବାଧ୍ୟ ହେଲା । ଏପରି ପରିବର୍ତ୍ତନ କାହିଁକି ହେଲା ? ତାହାର ପ୍ରକୃତ ତଥ୍ୟ ନିରୂପଣ କରିବା ସହଜସାଧ୍ୟ ନୁହେ । ଏତିକି ମାତ୍ର କୁହାଯାଇ ପାରେ ଯେ, ସୃଷ୍ଟିରେ ପରିବର୍ତ୍ତନ ଅନିବାର୍ଯ୍ୟ । ଅବନତି କିମ୍ୱା ବିପଦର ସମୟ ଉପସ୍ଥିତ ହେଲେ ପ୍ରକୃତି ନିଜେ ନିଜେ ବଦଳି ଯାଏ । ସେହି କାରଣରୁ ଲେଖାଅଛି–

 

‘‘ପ୍ରାୟଃ ସମାସନ୍ନ ବିପତ୍ତିକାଳେ

ଧିୟୋଽପି ପୁଂସାଂ ମଳିନା ଭବନ୍ତି’’

 

ଅତି ସାଧୁ ଯୁବକ ବୟସ ପରିଣତ ହେଲେ ମଧ୍ୟ ଅସାଧୁତା ଆଶ୍ରୟ କରୁଅଛନ୍ତି । ଅତି ଅସାଧୁ ଯୁବକ ବୃଦ୍ଧ ବୟସକୁ ସମ୍ପୂର୍ଣ୍ଣ ସାଧୁ ହୋଇ ଜଗତକୁ ବହୁତ ଉଦାହରଣ ଦେଖାଉଅଛନ୍ତି । କାଳଚକ୍ରର ପରିବର୍ତ୍ତନ ନିୟମରେ ଆମ୍ଭମାନଙ୍କର ଗୃହସ୍ଥାଶ୍ରମ ପରିବର୍ତ୍ତିତ ହେବା ସ୍ୱାଭାବିକ । ସମ୍ପ୍ରତି ଆମ୍ଭେମାନେ ଅହରହ ଘୋର ଅନ୍ଧକାରରେ ରହିଥିବାରୁ ଆଲୋକ ମିଥ୍ୟା ବୋଲି ପ୍ରତୀତ ହେଉଅଛି । ଯେତେବେଳେ ଆମ୍ଭମାନଙ୍କର ହୃଦୟରେ ପୁନରପି ଜାଗ୍ରତ ହେବ ଯେ ବିବାହ ସମ୍ୱନ୍ଧ କେବଳ ଆମୋଦପାଇଁ ନୁହେ, ଉପଯୁକ୍ତ ମନୁଷ୍ୟର ସଂଖ୍ୟା ବଢ଼ାଇବାପାଇଁ ଅଭିପ୍ରେତ, ସେତେବେଳେ ଆମ୍ଭମାନଙ୍କର ନୟନପଥରୁ ନିବିଡ଼ ଅନ୍ଧକାର ଅପସୃତ ହେବ । ଆମ୍ଭେମାନେ ଆଲୋକ ସାହାଯ୍ୟରେ ଗନ୍ତବ୍ୟ ପଥରେ ଗତି କରିବାକୁ ସମର୍ଥ ହେବା ସନ୍ଦେହ ନାହିଁ । ପୂର୍ବ୍ବେ କେବଳ ଗୁଣର ଆଦର ଯୋଗୁଁ ରାଜାମାନେ ତପସ୍ୱୀ କନ୍ୟାକୁ ବିବାହ କରୁଥିଲେ ଓ ରାଜକନ୍ୟାମାନେ ତପସ୍ୱୀମାନଙ୍କୁ ବିବାହ କରୁଥିଲେ । ଗୁଣର ଆଦର ବୃଦ୍ଧି ହେଲେ ସମସ୍ତ ପରିବର୍ତ୍ତିତ ହେବ । ଅତଏବ ଛାତ୍ରମାନଙ୍କର ସ୍ୱଭାବ ପରିବର୍ତ୍ତନ କରିବାକୁ ଯତ୍ନ କରିବା ଆଗରୁ ପିତା, ମାତା ଓ ଶିକ୍ଷକଙ୍କର ସ୍ୱଭାବ ପରିବର୍ତ୍ତନ କରିବା ସର୍ବତୋଭାବେ ଉଚିତ । ଯେଉଁଦିନ ଶିଶୁମାନେ ଘରେ ପିତା ଓ ମାତାଙ୍କଠାରୁ ଦେବୋପମ ଗୁଣମାନ ଅନୁକରଣ କରିବେ ଓ ବିଦ୍ୟାଳୟରେ ଶିକ୍ଷକମାନେ ପ୍ରାଚୀନ ଭାବକୁ ଅନୁସରଣପୂର୍ବ୍ବକ ପୋଷାକ, ପରିଚ୍ଛଦ ଓ ବିଷୟ ଲାଳସାରେ ନ ଭୁଲି ବିଦ୍ୟାର ପ୍ରକୃତ ଅର୍ଥକୁ କାୟମନୋବାକ୍ୟରେ ପ୍ରତିପାଳନ କରିବେ ଏବଂ ଛାତ୍ରମାନଙ୍କ ହୃଦୟରେ ତାହା ଦୃଢ଼ୀଭୂତ କରାଇବେ, ସେହି ଦିନୁଁ ଛାତ୍ର ଜୀବନ ପୂର୍ଣ୍ଣଭାବରେ ପରିବର୍ତ୍ତିତ ହୋଇ ବିସ୍ମୟ ଉତ୍ପାଦନ କରିବ ସନ୍ଦେହ ନାହିଁ ।

 

ଆମ୍ଭେମାନେ ବ୍ରହ୍ମଚର୍ଯ୍ୟର ନାମ ବହୁତ ଉଲ୍ଲେଖ କଲୁଁ ଓ ତାହାର ଭୂୟସୀ ପ୍ରଶଂସା ମଧ୍ୟ କଲୁଁ । ସମ୍ପ୍ରତି ବ୍ରହ୍ମଚର୍ଯ୍ୟର ଅର୍ଥ ଦେଖିବା ଉଚିତ । ବ୍ରହ୍ମଚର୍ଯ୍ୟର ପ୍ରକୃତ ଅର୍ଥ ବିଦ୍ୟାଚର୍ଚ୍ଚା । ବର୍ତ୍ତମାନ ମଧ୍ୟ ବିଦ୍ୟାଚର୍ଚ୍ଚା ହେଉଅଛି । ତଥାପି ଛାତ୍ରସ୍ୱଭାବ ବଦଳୁ ନାହିଁ କାହିଁକି ? ପୂର୍ବେ ଋଷିମାନେ ବ୍ରହ୍ମଚର୍ଯ୍ୟ ପାଇଁ କେତେଗୁଡ଼ିଏ ବିଧି ବନ୍ଧନ କରିଅଛନ୍ତି । ଯଥା-ଗୁରୁସହବାସ, ଗୁରୁଙ୍କର କାର୍ଯ୍ୟକୁ ଅନୁକରଣ, ବିଳାସ ବସ୍ତୁର ଅଭାବ, ପଠନରେ ଅଭିନିବେଶ, ଗୁରୁସେବା, ଦୁଷ୍ଟସଙ୍ଗ ପରିତ୍ୟାଗ, ଇନ୍ଦ୍ରିୟ ସଂଯମ ଓ ସତ୍ୟ ପ୍ରତି ଆଦର । ପ୍ରକୃତ ବ୍ରହ୍ମଚର୍ଯ୍ୟପାଇଁ ଉକ୍ତ ନିୟମ ଗୁଡ଼ିକ ଅତି ଆବଶ୍ୟକ-। ବର୍ତ୍ତମାନ ଗୁରୁସହ ବାସ କରିବାର ବିଧାନ ଅଛି–ତାହାର ନାମ ବୋଡ଼ିଂ ଓ ମେସ୍‌, ତେବେ ସୁଦ୍ଧା ଛାତ୍ରଜୀବନରେ ପରିବର୍ତ୍ତନ ନ ଘଟିବାର କାରଣ ଉଲ୍ଲିଖିତ ୩, ୬, ୭ ଓ ୮ ବିଧିର ପାଳନପାଇ ଅନୁକରଣ ଅଭାବ ଘଟୁଅଛି । ଛାତ୍ରମାନେ ଅତି ପିଲାସମୟରୁ ପିତା ମାତା ପ୍ରଭୃତିଙ୍କୁ ବିଳାସୀ, ଅସତ୍ୟବାଦୀ, ଦୁର୍ଜ୍ଜନ ଓ ଅସଂଯତ ଦେଖିଲେ; ପରେ ବିଦ୍ୟାଳୟରେ ଶିକ୍ଷକଙ୍କୁ ମଧ୍ୟ ତଦ୍ରୂପ ଦେଖିଲେ, ବିଦ୍ୟାକୁ ପ୍ରକୃତ ଅର୍ଥରେ ଚର୍ଚ୍ଚା କଲେନାହିଁ । ସୁତରାଂ ନୈତିକ ଜୀବନଶୂନ୍ୟ ହୋଇ କାଳକ୍ରମେ ମନୁଷ୍ୟତ୍ୱ ହରାଇଲେ । ଆମ୍ଭେମାନେ ମଧ୍ୟ ପୂର୍ବ ରୀତିକୁ ଦୋଷଯୁକ୍ତ ଭାବି ନିୟମକର୍ତ୍ତାଙ୍କଠାରେ ଦୋଷାରୋପ କରି ପରିତୃଷ୍ଟ ହେଲୁଁ । ସଂଶୋଧନ ହେବ କିପରି ? ସମସ୍ତ ତ୍ରୁଟି ବର୍ତ୍ତମାନର, ସେଥିରେ ଅତୀତର କିଛି ସମ୍ୱନ୍ଧ ନାହିଁ ।

 

ଭିନ୍ନ ଭିନ୍ନ ଭାଷା ଓ ଭିନ୍ନ ଭିନ୍ନ ବିଷୟ ଅଧ୍ୟୟନ କଦାପି ଅଶୁଭ ଫଳପ୍ରଦ ନୁହେ । ତେବେ ଆଧୁନିକ ଛାତ୍ରମାନେ କାହିଁକି ବିପଥଗାମୀ ହେଉଅଛନ୍ତି ? ଏହାର ଉତ୍ତରରେ ଆମ୍ଭେମାନେ କହିପାରୁଁ, ପ୍ରଥମତଃ ସମାଜରେ ଉତ୍ତମ ଉଦାହରଣ ଆଦୌ ନାହିଁ । ଯାହା ଅଛି ସେ କେବଳ ପୁସ୍ତକଗତ ଅର୍ଥାତ୍‌ ପରୋକ୍ଷ । ଉଦାହରଣ ପ୍ରତ୍ୟକ୍ଷ ନ ହେଲେ ଶୁଭଫଳ ଦେଇ ନ ପାରେ-। ପରୀକ୍ଷାଦ୍ୱାରା ସିଦ୍ଧ ନ ହେଲେ ଲୋକେ ବିଜ୍ଞାନକୁ ମାନନ୍ତେ ନାହି । ଦ୍ୱିତୀୟତଃ ଶିକ୍ଷା ସମ୍ୟକ୍‌ ପକ୍ୱ ଅବସ୍ଥାକୁ ଯାଉନାହିଁ । ନାନାବିଧ ପ୍ରତିବନ୍ଧକଦ୍ୱାରା ବାଟ ଦୁର୍ଗମ ହେଉଅଛି । ଶିକ୍ଷା ପୂର୍ଣ୍ଣ ଅବସ୍ଥାକୁ ନ ଗଲେ ଅତି ବିଷମୟ ହୁଏ । ‘‘ବିଦ୍ୟା ଦଦାତି ବିନୟଂ ବିନୟାତ୍‌ ଯାତି ପାତ୍ରତାଂ’’ ଇତ୍ୟାଦି ଆର୍ଷବଚନ ଆଦୌ ସଫଳ ହୁଏନାହିଁ । ଅଳ୍ପବିଦ୍ୟା ଲୋକ ନିତାନ୍ତ ଅହମ୍ମତିପୂର୍ଣ୍ଣ ହୋଇ ପଶୁ ତୁଲ୍ୟ ଉଦ୍ଧତ, ଅନମ୍ର ଓ ହିଂସ୍ରସ୍ୱଭାବ ହୁଏ । ବର୍ତ୍ତମାନ ଏହି ଭାବ ଅଧିକ ଦେଖା ଯାଉଅଛି । ସମାଜର ସଂସ୍କାର ବା ପରିବର୍ତ୍ତନ ବାଞ୍ଛନୀୟ । ଯେବେ ପରିବର୍ତ୍ତନ ଅଭିପ୍ରେତ, ତେବେ ଉଚ୍ଚସୋପାନକୁ ଉଠିବା ଭଲ । ନିମ୍ନସ୍ତରକୁ ଆସିବା ଉନ୍ନତି ନୁହେ । ବିଦ୍ୟାଳୟରେ କିମ୍ୱା କର୍ମକ୍ଷେତ୍ରରେ କେହି ନିମ୍ନଶ୍ରେଣୀକୁ ଆସିବାକୁ ଇଚ୍ଛା କରନ୍ତି ନାହିଁ । ଆମ୍ଭେମାନେ ଦେଖୁଅଛୁଁ ସମାଜ ଯାହା ପରିବର୍ତ୍ତିତ ହେଉଅଛି, ତାହା ମନୁଷ୍ୟତାଦ୍ୱାରା ସାଧିତ ହେଉନାହିଁ । କେବଳ ବହୁ ଅର୍ଥ ଉପାର୍ଜ୍ଜନ ଓ ସଞ୍ଚୟ ପୂର୍ବକ ନାନାବିଧ ବିଳାସ ଉପଭୋଗ କରି ଦ୍ୱିତଳ ତ୍ରିତଳ ପ୍ରାସାଦରେ ବାସ କଲେ ସମାଜ ପରିବର୍ତ୍ତିତ ହେଲା ବୋଲି ବୋଲାଯାଇ ନ ପାରେ । ତାହା ବହିଃସ୍ଥ ଉନ୍ନତି । ସେଥି ସଙ୍ଗେ ଆଭ୍ୟନ୍ତରୀଣ ଉନ୍ନତି ଅତି ଆବଶ୍ୟକ । ବହିଃସ୍ଥ ଉନ୍ନତି ନଶ୍ୱର । ବହିଃସ୍ଥ ଓ ଆଭ୍ୟନ୍ତରୀଣ ଉନ୍ନତିର ସଂଯୋଗରେ ଯେଉଁ ପରିବର୍ତ୍ତନ ହୁଏ, ତାହା ପ୍ରକୃତ ପରିବର୍ତ୍ତନ । ଉପଯୁକ୍ତ ମନୁଷ୍ୟ ହେବାପାଇଁ ଘରେ ଶିଶୁକୁ ଉତ୍ତମ ଆଦର୍ଶ ଦେଖାଇବା ଉଚିତ । ସମାଜର ଉନ୍ନତିପାଇଁ ଛାତ୍ରର ଜୀବନକୁ ଯଥାବିଧି ଜଗିବା ଆବଶ୍ୟକ । ସମ୍ପ୍ରତି ଯେଉଁମାନଙ୍କ ଦ୍ୱାରା ଆମ୍ଭେମାନେ ଶ୍ଳାଘାନ୍ୱିତ ହେଉଅଛୁଁ, ସେମାନଙ୍କର ବାଲ୍ୟଜୀବନ ଚର୍ଚ୍ଚା କଲେ ଦେଖାଯିବ, ସେମାନେ ଉତ୍ତମ ଆଦର୍ଶର ଅନୁକରଣରେ ନିଜର ଜୀବନ ଗଠନ କରିଅଛନ୍ତି । ଛାତ୍ର ପଥଭ୍ରଷ୍ଟ ହେଲେ ସମାଜରେ କଦାପି ମଙ୍ଗଳ ହୋଇ ନ ପାରେ । ଛୋଟ ବାଉଁଶକୁ ବହୁ ପରିଶ୍ରମଦ୍ୱାରା ବାନ୍ଧି ଯତ୍ନପୂର୍ବକ ପ୍ରସ୍ତୁତ ନ କଲେ ଆମ୍ଭେମାନେ ପାଲିଙ୍କି ବାଉଁଶ କଦାପି ଦେଖନ୍ତେ ନାହିଁ । ସୁତରାଂ ସର୍ବାଙ୍ଗୀନ ଉନ୍ନତିପାଇଁ ମୂଳରୁ ସାବଧାନ ହେବା ଉଚିତ । ବର୍ତ୍ତମାନ ସରକାର ବାହାଦୂର ଛାତ୍ରମାନଙ୍କର ନୈତିକ ଜୀବନରେ ଦୋଷ ଦେଖି ନୀତିଶିକ୍ଷା ବିଧାନର ପ୍ରସ୍ତାବ କରିଅଛନ୍ତି । ଜଗଦୀଶ୍ୱରଙ୍କ କୃପାରୁ ସଦାଶୟ ସରକାର ବାହାଦୂରଙ୍କ ସୁଦୃଷ୍ଟି ତତ୍‌ପ୍ରତି ପୂର୍ଣ୍ଣଭାବରେ ଆକୃଷ୍ଟ ହେଉ, ଅଚିରେ ସମସ୍ତ ପରିବର୍ତ୍ତିତ ହେବ । ଘରେ ଘରେ ଉତ୍ତମ ଆଦର୍ଶ ସୁଲଭ ହେଉ, ପ୍ରାଚୀନ ଛାତ୍ର ଜୀବନ ସତ୍ୟ ବୋଲି ସମସ୍ତଙ୍କ ହୃଦୟରେ ଜାଗ୍ରତ ହେଉ, ଆଧୁନିକ ଛାତ୍ରମାନେ ଉପଯୁକ୍ତରୂପେ ବ୍ରହ୍ମଚର୍ଯ୍ୟର ବିଧି ପାଳନ କରି ସମାଜର ହିତ ସାଧନ କରନ୍ତୁ, ପିତା ମାତା ପ୍ରଭୃତିଙ୍କ କାର୍ଯ୍ୟ ନୀତିମୟ ହେଉ, ଜଗଦୀଶ୍ୱରଙ୍କ ଶ୍ରୀଚରଣରେ ଏତିକି ପ୍ରାର୍ଥନା ।

Image

 

ଗୁରୁଦକ୍ଷିଣା *

 

ପୂର୍ବେ ଅଧ୍ୟାପକଗଣ ଛାତ୍ରମାନଙ୍କ ପ୍ରତି ଏବଂ ଛାତ୍ରବର୍ଗ ଅଧ୍ୟାପକମାନଙ୍କ ପ୍ରତି କୀଦୃଶ ବ୍ୟବହାର କରୁଥିଲେ, ତାହା ଦେଖାଇବା ଏହି ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ । ଆଧୁନିକ ଅଧ୍ୟାପକ ଓ ଛାତ୍ରମାନଙ୍କ ସମ୍ୱନ୍ଧରେ କୌଣସି କଥା କହିବା ଉଦ୍ଦେଶ୍ୟ ନୁହେ ।

 

*

ଏହି ଗଳ୍ପଟି ଗୋଟିଏ ପୌରାଣିକ ଘଟନା ଅବଲମ୍ୱନରେ ଲିଖିତ ।

 

ମହାଭାରତୀୟ ଯୁଗରେ ଅବନ୍ତୀନଗରରେ ସାନ୍ଦୀପନି ନାମକ ଜଣେ ତପସ୍ୱୀ ଥିଲେ । ଉକ୍ତ ମୁନି ଗୃହସ୍ଥାଶ୍ରମର ସମ୍ପୂର୍ଣ୍ଣ ପକ୍ଷପାତୀ ଥିଲେ, କାରଣ ସେ ନିଜେ ଗୃହୀ ଥିଲେ । ପ୍ରକୃତରେ ଗୃହସ୍ଥାଶ୍ରମ ଅତି ପବିତ୍ର ଓ ଅନ୍ୟାନ୍ୟ ଆଶ୍ରମର ଉପକାରୀ । ଏହି ଉକ୍ତିର ଯଥାର୍ଥ୍ୟ ପ୍ରତିପାଦନ ନିମିତ୍ତ ଦୁଇ ଗୋଟି ମହାଜନୋକ୍ତି ନିମ୍ନରେ ଉଦ୍ଧାର କଲି । ସତୀ ସାବିତ୍ରୀ ଦେବୀ କହିଅଛନ୍ତି, ‘‘ତସ୍ମାତ୍‌ ସନ୍ତୋ ଧର୍ମମାହୁଃ ପ୍ରଧାନଂ’’ । ଧର୍ମ୍ମର ଅର୍ଥ ଗୃହସ୍ଥ ବିଧି । ମହର୍ଷି ମନୁ କହିଅଛନ୍ତି–

 

‘‘ଯଥା ମାତରମାଶ୍ରିତ୍ୟ ସର୍ବେ ଜୀବନ୍ତି ଜନ୍ତବଃ ।

ବର୍ତ୍ତନ୍ତେ ଗୃହିଣସ୍ତଦ୍ବଦାଶ୍ରିତ୍ୟେତର ଆଶ୍ରମାଃ’’ ।

 

ଅର୍ଥାତ୍‌ ଅନ୍ୟାନ୍ୟ ଆଶ୍ରମ ଗୃହସ୍ଥାଶ୍ରମକୁ ଆଶ୍ରୟ କରିଅଛନ୍ତି । ଉକ୍ତ ମୁନି ଗୃହସ୍ଥାଶ୍ରମ କେତେ ଦିନ ଭୋଗ କଲା ଉତ୍ତାରେ ତାହାଙ୍କର ମଧୁମଙ୍ଗଳ ନାମକ ଗୋଟିଏ ପୁତ୍ର ଜାତ ହେଲେ । କିନ୍ତୁ ବିଧାତାଙ୍କର ଶାସନାନୁସାରେ ଉକ୍ତ ଋଷିପୁତ୍ରଟି କେତେକ ଦିନ ପରେ ଶଙ୍ଖାସୁର କବଳରେ ପଡ଼ି ଇହ ଜଗତ୍‌ ପରିତ୍ୟାଗ କଲେ । ସୁତରାଂ ଗୃହସ୍ଥଜନୋଚିତ ମୋହଦ୍ୱାରା ମୁନି ଓ ମୁନିପତ୍ନୀ ପୁତ୍ରଶୋକରେ କିଞ୍ଚିନ୍ମାତ୍ର ବ୍ୟାକୁଳ ହୋଇ ପରେ ସଂଯମ ବଳରେ ସ୍ୱକର୍ମରେ ପ୍ରବୃତ୍ତ ହେଲେ । ଉକ୍ତ ମୁନିଙ୍କୁ ଗୁରୁପଦରେ ବରଣ କରି କେତେକ ଜଣ ଛାତ୍ର ବିଦ୍ୟାଧ୍ୟୟନ କରୁଥିଲେ । କିଛି କାଳ ଗତ ହେବା ପରେ ଦେବକୀନନ୍ଦନ କୃଷ୍ଣ ଓ ତଦୀୟ ଭ୍ରାତା ବଳରାମ ପିତାମାତାଙ୍କର ଆଦେଶ ଅନୁସାରେ ଉକ୍ତ ମୁନିଙ୍କୁ ଗୁରୁପଦରେ ବରଣ କଲେ । ସେହି ବାଳକଦ୍ୱୟ ଶିଷ୍ୟ ହେବା ପୂର୍ବରୁ ଗୁରୁ ଓ ଗୁରୁପତ୍ନୀ ତାହାଙ୍କର ଶରୀର-ଲାବଣ୍ୟ ଓ ତେଜସ୍ୱିତା ଦେଖି ମୋହିତ ହୋଇ ଅତି ଆଦର ସହିତ ତାହାଙ୍କୁ ଶିଷ୍ୟଭାବରେ ଗ୍ରହଣ କଲେ ।

 

ଗୁରୁ ଓ ଛାତ୍ରଙ୍କର ଅବତାରଣା କରାଗଲା । କେଉଁମାନଙ୍କୁ ଛାତ୍ର ବୋଲାଯାଏ, ତାହାର କିଞ୍ଚିତ୍‌ ନିଦର୍ଶନ ଦେବା ଉଚିତ । ପରମହଂସ ଶଙ୍କରାଚାର୍ଯ୍ୟ ପ୍ରଶ୍ନୋତ୍ତର ମାଳିକାରେ ଦେଖାଇ ଅଛନ୍ତି, ‘‘ଶିଷ୍ୟସ୍ତୁ କୋ ଯୋ ଗୁରୁଭକ୍ତ ଏବ’’ ଅର୍ଥାତ୍‌ ଯେ ଗୁରୁଙ୍କର ପ୍ରଧାନଭକ୍ତ ତାହାଙ୍କୁ ଶିଷ୍ୟ ବୋଲାଯାଏ । ପ୍ରାଚୀନ ଋଷିମାନେ ଶିଷ୍ୟର ପ୍ରତିଶବ୍ଦରେ ଛାତ୍ର ଶବ୍ଦଟି ବ୍ୟବହାର କରିଅଛନ୍ତି । ସେହି ଶବ୍ଦଟି ଛଦ୍‌ ଧାତୁରୁ ଉତ୍ପନ୍ନ । ସେହି ଧାତୁର ଅର୍ଥ ପ୍ରଚ୍ଛନ୍ନ ଭାବରେ ରଖିବା । ଯେ ଗୁରୁଙ୍କର ଦୋଷ ସକଳ ପ୍ରଚ୍ଛନ୍ନଭାବରେ ରଖନ୍ତି, ତାହାଙ୍କୁ ଛାତ୍ର ବୋଲାଯାଏ । ଏହାର ପ୍ରକୃତ ପ୍ରମାଣ ଉକ୍ତ ବାଳକଦ୍ୱୟ ଅସାଧାରଣଭାବରେ ଦେଖାଇଥିଲେ ।

 

ଗୁରୁ ଶିଷ୍ୟମାନଙ୍କର ଅଧ୍ୟାପନା କର୍ମ୍ମରେ ଲିପ୍ତ ହେଲେ । ଶିଷ୍ୟମାନଙ୍କ ମଧ୍ୟରେ କୃଷ୍ଣ ଓ ବଳରାମଙ୍କର ବାଳକୋଚିତ ଚପଳତାର ଅଭାବ, ପ୍ରତିଭା ଓ ମନସ୍ୱିତା ଦେଖି ଗୁରୁ ଅତି ବିସ୍ମିୟ ହେଲେ । ଉକ୍ତ ବାଳକଦ୍ୱୟ ଅତି ଅଳ୍ପ ଦିନ ମଧ୍ୟରେ ବହୁ ଶିକ୍ଷା ଲାଭ କଲେ । ଯାହା ପଢ଼ିବାକୁ ଆରମ୍ଭ କରୁଥିଲେ ତାହା ଏପରି ଅଭିନିବେଶ ସହିତ ପଢ଼ୁଥିଲେ ଯେ, ସମସ୍ତ ପାଠ ସେମାନଙ୍କର ହୃଦୟପଟରେ ଦୃଢ଼ଭାବରେ ଅଙ୍କିତ ହେଉଥିଲା । କ୍ରମେ କ୍ରମେ ସମଗ୍ର ବିଦ୍ୟା ଅଧ୍ୟୟନ କରି ସେମାନେ ତହିଁରେ ସମ୍ୟକ୍‌ କୃତିତ୍ୱ ଲାଭ କଲେ ।

 

ଏକଦା ଗୁରୁ କୌଣସି କାର୍ଯ୍ୟାନୁରୋଧରେ ସ୍ଥାନାନ୍ତରକୁ ଗମନ କଲେ । ଗୁରୁପତ୍ନୀ ଗୃହରେ କାଷ୍ଠର ଅଭାବ ଦେଖି ଶିଷ୍ୟମାନଙ୍କର ଆନ୍ତରିକ ଭାବ କଳିବାପାଇଁ ସେମାନଙ୍କୁ ଡାକି କହିଲେ, ବତ୍ସ ! ତୁମ୍ଭେମାନେ ବନକୁ ଯାଇ କିଛି କାଷ୍ଠ ସଂଗ୍ରହ କର, ନୋହିଲେ ତୁମ୍ଭର ଗୁରୁଦେବ ଓ ଆମ୍ଭେମାନେ ସମସ୍ତେ ଉପବାସ ରହିବା । ଆମ୍ଭମାନଙ୍କର ଏପରି ଅର୍ଥ ବଳ ନାହିଁ ଯେ, କାଷ୍ଠ କିଣି ପାରିବା । ଯେପରି ତୁମ୍ଭମାନଙ୍କର ଅଭିରୁଚି ହୁଏ ସେହିପରି କର । ଉକ୍ତ ଆଦେଶ ପାଇବା ମାତ୍ରକେ କୃଷ୍ଣ ଓ ବଳରାମ କାଷ୍ଠ ଆଣିବାପାଇଁ ପ୍ରଥମତଃ ଅଗ୍ରସର ହେଲେ । କ୍ରମେ ସମସ୍ତ ଶିଷ୍ୟ ତାହାଙ୍କୁ ଅନୁସରଣ କଲେ । ବାଳକମାନେ ଯାଉଁ ଯାଉଁ ବିଜନ ଅରଣ୍ୟ ମଧ୍ୟରେ ପହଞ୍ଚିଲେ । ସେଠାରେ ଫଳ ମୂଳ ପ୍ରଭୃତି ଭୋଜନ ଏବଂ ନିର୍ଝର ଜଳ ପାନ କରି କ୍ଷୁଧା ତୃଷ୍ଣା ନିବାରଣ କଲେ । ତହିଁଉତ୍ତାରୁ ମାତୃକଳ୍ପ ଗୁରୁପତ୍ନୀଙ୍କର ଆଦେଶକୁ ସ୍ମରଣ କରି କୃଷ୍ଣବଳରାମପ୍ରମୁଖ ଛାତ୍ରଗଣ ଅତି ଆନନ୍ଦରେ କାଷ୍ଠ ସଂଗ୍ରହ କଲେ । ତାହାସବୁ ମସ୍ତକରେ ବହନ କରି ଅତିପ୍ରଫୁଲ୍ଲମନରେ ଆଶ୍ରମକୁ ପ୍ରତ୍ୟାବୃତ୍ତ ହେଲେ । ସେତେବେଳେ ଦିନ ଶେଷ ପ୍ରାୟ, ସୂର୍ଯ୍ୟକିରଣ କେତେକ ପରିମାଣରେ ସୁଖପ୍ରଦ ହୋଇଅଛି । ଏହି ସମୟରେ ଜଳଦ ଅକସ୍ମାତ୍‌ ଜଳ ବିନ୍ଦୁ ପାତନ କଲେ । ପବନ ଅତି ଭୀଷଣ ବେଗରେ ପ୍ରବାହିତ ହେଲା । ତଦ୍ଦ୍ୱାରା ବାଳକମାନେ କିଞ୍ଚିନ୍ମାତ୍ର ବିମୃଷ୍ଟ ନ ହୋଇ ଅନାୟସରେ ସଂକଟରୁ ଉଦ୍ଧାରପାଇଁ ଏକ ବାକ୍ୟରେ ‘‘ଗୁରୁଦେବ ! ଉଦ୍ଧାର କର’’ ଏହା ଉଚ୍ଚାରଣ କଲେ କାରଣ ସେମାନଙ୍କ ମନରେ ଏପରି ଭାବ ପୂର୍ବରୁ ଦୃଢ଼ୀଭୂତ ହୋଇଥିଲା ଯେ, ଗୁରୁ ସାକ୍ଷାତ୍‌ ଈଶ୍ୱର । ପୁତ୍ରମାନଙ୍କର ପିତା ମାତା ଯେପରି, ଶିଷ୍ୟମାନଙ୍କର ଗୁରୁ ସେହିପରି ଦେବକଳ୍ପ । କୌଣସି ବିପଦରୁ ଉଦ୍ଧାର ଲାଭ କରିବାପାଇଁ ଶିଷ୍ୟମାନଙ୍କର ଗୁରୁଦେବ ବିନା ଅନ୍ୟ ଦେବତାଙ୍କୁ ପ୍ରାର୍ଥନା କରିବା ନିଷ୍ପ୍ରୟୋଜନ । ତାହାର କିଛିକ୍ଷଣ ପରେ ମେଘମାଳା ଅଜ୍ଞାତ ଅଚିନ୍ତ୍ୟ ସ୍ଥାନରେ ପ୍ରବେଶ କଲେ । ଆକାଶ ଅତି ନିର୍ମଳ ହେଲା । ଚନ୍ଦ୍ର କିରଣ ଅଧିକତର ମନୋହର ହେଲା । ଉକ୍ତ ବନରେ ହିଂସ୍ର ଜନ୍ତୁମାନେ ତପଃ ପ୍ରଭାବରେ ସୁଶାନ୍ତି ଲାଭ କରିଥିବାରୁ ବନ ନିରୁପଦ୍ରବ ହୋଇଥିଲା । ସୁତରାଂ ବାଳକମାନେ ରାତ୍ରିଟି ଉକ୍ତ ବନରେ ଯାପନ କଲେ ।

 

ସମ୍ପ୍ରତି ଗୁରୁଦେବଙ୍କର ଆଶ୍ରମର ଘଟନା କିଛି କହିବା ଉଚିତ । ମୁନି କାର୍ଯ୍ୟ ସମାପନ କରି ଆଶ୍ରମରେ ଉପସ୍ଥିତ ହୋଇ ଦେଖିଲେ ଯେ, ଚତୁଷ୍ପାଠୀ ଗୃହ ଶିଷ୍ୟଶୂନ୍ୟ ହୋଇଅଛି । ସହଧର୍ମିଣୀ ସ୍ୱାମୀଙ୍କୁ ସମସ୍ତ ବିଷୟ ନିବେଦନ କଲେ । ମୁନି କିଞ୍ଚିନ୍ମାତ୍ର ଚିନ୍ତାକୁଳ ହୋଇ ମନେ କଲେ, ଯେବେ ଶିଷ୍ୟମାନଙ୍କର ଗୁରୁଙ୍କ ପ୍ରତି ଅଚଳା ଭକ୍ତି ଥିବ ତେବେ ସେମାନେ ସମସ୍ତ ବିପଦରୁ ଉଦ୍ଧାର ଲାଭ କରିଥିବେ ସନ୍ଦେହ ନାହିଁ ।

 

ରାତ୍ରି ପ୍ରଭାତ ହେଲା, ପକ୍ଷୀମାନେ ଉଡ଼ି ଉଡ଼ି ବିଧାତାଙ୍କର ସୁଚାରୁ ବିଧାନର ମହତ୍ତ୍ୱ କୀର୍ତ୍ତନ କରିବାକୁ ଆରମ୍ଭ କଲେ । ମୁନି ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ଉକ୍ତ କୀର୍ତ୍ତନକୁ ସମ୍ୟକ୍‌ ପରିପୃଷ୍ଟ କଲେ । ତହିଁ ଉତ୍ତାରେ ନିତ୍ୟକର୍ମ ସମାପନ କରି ଶିଷ୍ୟମାନଙ୍କର ଅନୁସନ୍ଧାନରେ ଆଶ୍ରମରୁ ନିଷ୍କ୍ରାନ୍ତ ହେଲେ । ଗୁରୁ କିଛି ଦୂର ଯାଇ ଦେଖିଲେ ଯେ, ଶିଷ୍ୟମାନେ କାଷ୍ଠଭାର ମସ୍ତକରେ ବହନ କରି ଅତି ପ୍ରଫୁଲ୍ଲ ମନରେ ଆଶ୍ରମାଭିମୁଖରେ ଆସୁଅଛନ୍ତି । ଶିଷ୍ୟଗଣ ଗୁରୁଦେବଙ୍କୁ ଦର୍ଶନ କରିବା ମାତ୍ରକେ ସୁପ୍ରଭାତ ବୋଲି ମନେ କରି ନିଜ ନିଜ ମସ୍ତକରୁ କାଷ୍ଠଭାର ଭୂମି ଉପରେ ରଖି ମୁନିଙ୍କର ଶ୍ରୀପାଦପଦ୍ମରେ ଭୂମିଷ୍ଠ ପ୍ରଣାମ କଲେ । ଗୁରୁଙ୍କର ଆଶୀର୍ବାଦ ଗ୍ରହଣାନନ୍ତର ଉଠି କାଷ୍ଠଭାର ସ୍ୱ ସ୍ୱ ମସ୍ତକରେ ପୁନରପି ଅକୁଣ୍ଠିତ ଭାବରେ ବହନ କଲେ । ଏହି ସମସ୍ତ କର୍ମ୍ମରେ କୃଷ୍ଣ–ବଳରାମଦ୍ୱୟ ଅଗ୍ରସର । କାରଣ ସେ ଦୁହେଁ ଚତୁଷ୍ପାଠୀରେ ବଡ଼ଚାଟ ଥିଲେ-। ସୁତରାଂ ଅନ୍ୟାନ୍ୟ ଛାତ୍ରଙ୍କର ଆଦର୍ଶସ୍ୱରୂପ ହୋଇଥିଲେ । ସଶିଷ୍ୟ ଗୁରୁଦେବ ଆଶ୍ରମରେ ଉପସ୍ଥିତ ହୁଅନ୍ତେ, ବାଳକମାନେ ଗୁରୁପତ୍ନୀଙ୍କୁ ଭୂମିଷ୍ଠ ପ୍ରଣାମ କରି ସ୍ୱସ୍ତ୍ୟୟନ ଗ୍ରହଣ କଲେ । ମାତୃକଳ୍ପ ଗୁରୁପତ୍ନୀ ଶିଷ୍ୟମାନଙ୍କ ଦେହରୁ ଧୂଳି ଝାଡ଼ି ଦେଲେ ଏବଂ ଆଲିଙ୍ଗନ କରି ନାନାପ୍ରକାର ମଧୁର ବାକ୍ୟ କହିଲେ । ଗୁରୁପତ୍ନୀଙ୍କର କାର୍ଯ୍ୟାବଳୀ ଦେଖି ଓ ମଧୁର ବଚନ ଶୁଣି ଶିଷ୍ୟମାନେ ନିଜ ନିଜ ଜନନୀଙ୍କର ସ୍ନେହ ବିସ୍ମରଣ କରିଥିଲେ । ଗୁରୁ, ଗୁରୁପତ୍ନୀ ଏବଂ ଶିଷ୍ୟଗଣ ଆଶ୍ରମରେ କେତେକ ଦିନ ଅତି ଆନନ୍ଦରେ ଯାପନ କଲେ । ଅନେକ ଘଟନାରେ ଶିଷ୍ୟମାନେ ଗୁରୁଙ୍କୁ ଭକ୍ତିର ପରୀକ୍ଷା ଦେଇଥିଲେ ।

 

କୃଷ୍ଣ–ବଳରାମଙ୍କର ଆଗମନ ଦିନଠାରୁ ମୁନି ତାହାଙ୍କର ସହଧର୍ମିଣୀଙ୍କୁ କହୁଥିଲେ ଯେ, କୃଷ୍ଣ ଓ ବଳରାମଙ୍କର ଅଲୌକିକ ବ୍ୟବହାର ଓ କ୍ଷମତା ଦେଖି ମୋର ମନରେ ଜନ୍ମିଅଛି, ସେ ଦୁହେଁ ସାଧାରଣ ମନୁଷ୍ୟ ନୁହନ୍ତି । କାମରୂପୀ ମନୁଷ୍ୟ ରୂପଧାରୀ ଦେବତା ବିଶେଷ ଅଟନ୍ତି । ନୋହିଲେ ଏତାଦୃଶ ସାମର୍ଥ ମନୁଷ୍ୟଠାରେ ଦେଖା ଯାଆନ୍ତା ନାହିଁ । ମନେ ହେଉଅଛି, ବର୍ତ୍ତମାନ ମୁଁ ବିଶ୍ୱାମିତ୍ର ସଦୃଶ । କାରଣ ବିଶ୍ୱାମିତ୍ର ଯେପରି ରାମରୂପୀ ଭଗବାନଙ୍କର ଗୁରୁ ଥିଲେ, ମୁଁ ସେହିପରି କୃଷ୍ଣଙ୍କର ଗୁରୁ ହୋଇଅଛି । ଏହା ଆମ୍ଭମାନଙ୍କର ତପସ୍ୟାର ପ୍ରଭାବ, ନୋହିଲେ ଅସମ୍ଭବ କିପରି ସମ୍ଭବ ହୁଅନ୍ତା । ଦକ୍ଷିଣା ଦେବାକୁ ସେ ଦୁହେଁ ପ୍ରକାଶ କଲେ ସାବଧାନ ହୋଇ ମାଗିବା । ଦେଖିବା ସେମାନଙ୍କର କିପରି ଗୁରୁଭକ୍ତ ଅଛି ଓ ସେମାନେ କିପରି ଗୁରୁଙ୍କ ନିମିତ୍ତ କଷ୍ଟ ସହି ପାରନ୍ତି ।

 

କ୍ରମେ କ୍ରମେ ଦୁଇ ତିନି ମାସ ଗତ ହେଲା । ଶରତ୍‌କାଳର ପୂର୍ଣ୍ଣିମା ରଜନୀ, ଚନ୍ଦ୍ରକିରଣ ଅତି ସ୍ୱଚ୍ଛ ହୋଇଅଛି । ଆଶ୍ରମ ତପୋବନରୁ ଚକ୍ରବାକ ପ୍ରଭୃତି ପକ୍ଷୀଦଳ ସ୍ୱଚ୍ଛ ଚନ୍ଦ୍ରିକା ଦେଖି ମୁଗ୍‌ଧ ହୋଇ ରାବି ରାବି ଉଡ଼ୁଅଛନ୍ତି । ମୃଗମାନେ ତପୋବେଦିକା ପାର୍ଶ୍ୱରେ ନିର୍ଭୟମନରେ ବିଶ୍ରାମ କରିଅଛନ୍ତି । କୃଷ୍ଣ ବଳରାମ ପ୍ରଭୃତି ବାଳକମାନେ ଏହି ସବୁ ଦେଖି ଦେଖି ଅତି ସୁଖରେ କୁଶାସନରେ ବିଶ୍ରାମ କଲେ । ନିଦ୍ରାଦେବୀ ଧୀରେ ଧୀରେ ବାଳକମାନଙ୍କର ବାହ୍ୟଜ୍ଞାନ ଅପହରଣ କରି ସମସ୍ତ ଶାନ୍ତି ଦୂର କଲେ । କୃଷ୍ଣ ସେହି ରାତ୍ରିରେ ଗୋଟିଏ ସ୍ୱପ୍ନ ଦେଖି ଅଧୀର ହୃଦୟ ହେଲେ-। ସେହି ସ୍ୱପ୍ନ ଏହି, ଦେବକୀ ବନ୍ଦି-ଭବନରୁ ଆସି ସେମାନଙ୍କର ଆସନରେ ବସି ଏବଂ ତାହାଙ୍କୁ କୋଳରେ ଧରି ମୁଖ ଚୁମ୍ୱନ ପୂର୍ବକ କହୁଅଛନ୍ତି, ଧନ ! ବହୁ ଦିନ ପରେ ଚକ୍ଷୁ ଫିଟିଲା, ଚିର ଦରିଦ୍ର ଅକସ୍ମାତ୍‌ ନିଧି ଲାଭ କଲା । ବତ୍ସ ! ଆଜିଯାଏ ମାତାକୁ ଛାଡ଼ି ବିଦେଶରେ ରହିଅଛୁ । ପିତା ମାତା କି ବନ୍ଦିଗୃହରେ କଷ୍ଟ ଭୋଗ କରୁଥିବେ ? ବନ୍ଦି-ଯନ୍ତ୍ରଣା ନିରନ୍ତର ଭୋଗ କରିବାକୁ କି ବିଧାତା ଆମ୍ଭ କପାଳରେ ଲେଖିଅଛନ୍ତି ? ବାବୁ, ଆଉ ବିଳମ୍ୱ କରିବା ଉଚିତ ନୁହେ । ‘‘ତୁମ୍ଭମାନଙ୍କୁ ଦେଖୁଥିଲେ ବନ୍ଦିଭବନ ଆମ୍ଭମାନଙ୍କ ପକ୍ଷରେ ସ୍ୱର୍ଗର ନନ୍ଦନକାନନ ହେବ ।’’ ଶ୍ରୀକୃଷ୍ଣ ତତ୍‌କ୍ଷଣାତ୍‌ ଉଠି ଅତି ବ୍ୟାକୁଳ ଭାବରେ ‘ମା’ ‘ମା’ ବୋଲି ବାରମ୍ୱାର ଡାକିଲେ, କିନ୍ତୁ କେହି ଶୁଣିଲେ ନାହିଁ । ତହୁଁ କୃଷ୍ଣ ବଳରାମଙ୍କୁ କହିଲେ, ଭାଇ ! ମାତା ଆମ୍ଭମାନଙ୍କୁ ଯିବାପାଇଁ କହିଗଲେଣି ଏବଂ ଆମ୍ଭମାନଙ୍କର ପଢ଼ା ଶେଷ ହେଲାଣି, ବିଦ୍ୟାର ମୂଲ୍ୟ ସ୍ୱରୂପ ଦକ୍ଷିଣା ନେବାକୁ ଗୁରୁଦେବଙ୍କୁ କାଲି ପ୍ରାର୍ଥନା କରିବା ଏବଂ ମଥୁରା ଯିବାକୁ ଅନୁମତି ମାଗିବା ।

 

ବଳରାମ କୃଷ୍ଣଙ୍କୁ କହିଲେ, ଯାହା କହିଲ ତାହା ସତ୍ୟ । ଗୁରୁଦେବ ଯାହା ମାଗିବେ, ସେଥିପାଇଁ ବରଂ ପ୍ରାଣ ଯିବ ତାହା ଦେବାକୁ ହେବ । ନୋହିଲେ ଆମ୍ଭମାନଙ୍କର ବିଦ୍ୟାଧ୍ୟୟନ ନିରର୍ଥକ ହେବ, ଏବଂ ଶେଷରେ ଆମ୍ଭମାନଙ୍କର ଅଧୋଗତି ହେବ । ମୁଁ ଶୁଣିଅଛି, ପୂର୍ବେ କୌତ୍ସ ନାମକ ଜଣେ ଋଷିକୁମାର ବରତନ୍ତୁ ମୁନିଙ୍କଠାରୁ ବିଦ୍ୟା ଅଧ୍ୟୟନ କରି ଗୁରୁଙ୍କୁ ଦକ୍ଷିଣା ନେବାକୁ ବାରମ୍ୱାର ଅନୁରୋଧ କରିବାରୁ ଗୁରୁ କ୍ରୋଧରେ ଶିଷ୍ୟର ଧନ ବିଚାର ନ କରି ବିଦ୍ୟାର ମୂଲ୍ୟପାଇଁ ଚତୁର୍ଦ୍ଦଶ କୋଟି ସୁବର୍ଣ୍ଣ ମୁଦ୍ରା ମାଗିଲେ । କୌତ୍ସଙ୍କର ଅସାମାନ୍ୟ ଗୁରୁ ଭକ୍ତି ଥିବାରୁ ଗୁରୁଦେବ ତାହାଙ୍କୁ କୋଶଳେଶ୍ୱର ବଦାନ୍ୟବର ରଘୁଙ୍କଦ୍ୱାରା ରଣମୁକ୍ତ କରାଇଲେ । ଯେବେ ଶିଷ୍ୟ ଗୁରୁଭକ୍ତକୁ ଦୃଢ଼ଭାବରେ ହୃଦୟରେ ପୋଷଣ କରେ ତେବେ ବିଧାତା ଅତି କଠିନ କର୍ମ୍ମ ମଧ୍ୟ ନିଜ ସାହାଯ୍ୟରେ ସମାଧାନ କରନ୍ତି । ଏହିପରି ବହୁତ ଉଦାହରଣ ଅଛି । କୃଷ୍ଣ ସମସ୍ତ କଥା ଶୁଣି ଭ୍ରାତାଙ୍କ କଥାରେ ସ୍ୱୀକୃତ ହେଲେ ।

 

ରାତ୍ରି ପ୍ରଭାତ ହେଲା । ମୁନି ନିତ୍ୟକର୍ମ୍ମ ସମାପନ କରି ଚତୁଷ୍ପାଠୀରେ ଉପବେଶନ କଲେ । ଛାତ୍ରମାନେ ମଧ୍ୟ ପୂର୍ବ ଦିନମାନଙ୍କପରି ସେ ଦିନ ବ୍ରହ୍ମଚର୍ଯ୍ୟ ନିୟମାନୁସାରେ ବ୍ରାହ୍ମ ମୁହୂର୍ତ୍ତରେ ନିତ୍ୟକର୍ମ ଶେଷ କରି ଚତୁଷ୍ପାଠୀରେ ଗୁରୁଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ଓ ପଦରେଣୁ ମସ୍ତକରେ ଧାରଣ କଲେ । କୃଷ୍ଣ ଓ ବଳରାମ କୃତାଞ୍ଜଳିପୁଟରେ ଦ୍ୱାରଦେଶରେ ଠିଆ ହୋଇ ନିବେଦନ କଲେ, ଗୁରୋ ! ଆପଣଙ୍କ କୃପାରୁ ସମସ୍ତ ବିଦ୍ୟା ଶିକ୍ଷା କଲୁଁ । ଗତ ରାତ୍ରିରେ ସ୍ୱପ୍ନ ଦେଖିଅଛୁଁ ଯେ, ମାତା ଆମ୍ଭମାନଙ୍କୁ ଡାକୁଅଛନ୍ତି । ଅତଏବ ବିଦ୍ୟାର ମୂଲ୍ୟ ପାଇଁ ଦକ୍ଷିଣା ନେବାକୁ ନିବେଦନ କରୁଅଛୁଁ ଏବଂ ମଥୁରା ଯିବାପାଇଁ ଅନୁମତି ପ୍ରାର୍ଥନା କରୁଅଛୁଁ । ଯାହା ନେବାକୁ ଆଦେଶ କରିବେ, ପ୍ରାଣପଣରେ ତାହା ଦେବାକୁ ସତ୍ୟ କରୁଅଛୁଁ । ଭ୍ରାତୃକଳ୍ପ ସମସ୍ତ ସହପାଠୀଙ୍କୁ ଜଣାଉଅଛୁଁ ଯେ, ସମସ୍ତେ କୃପା କରି ଆମ୍ଭ ଦୁହିଙ୍କୁ ସ୍ମରଣ ରଖିଥିବେ । ଦୈବାତ୍‌ ଘଟିତ ଦୋଷମାନ ମାର୍ଜନା କରିବେ । ଏହି କଥା ଶୁଣି ସମଦୁଃଖ-ସୁଖ ନିର୍ବିକାର ଗୁରୁଙ୍କର ନୟନଯୁଗଳ ସହସା ସଜଳ ହୋଇଗଲା । କାରଣ ପୂର୍ବେ ଗୁରୁମାନେ ଶିଷ୍ୟଗତପ୍ରାଣ ଥିଲେ ଓ ଶିଷ୍ୟମାନେ ଗୁରୁଙ୍କର ପ୍ରଧାନ ଭକ୍ତ ଥିଲେ ।

 

ମୁନି ସହଧର୍ମ୍ମିଣୀଙ୍କ ସଙ୍ଗରେ ପରାମର୍ଶପୂର୍ବକ ସ୍ୱୀୟ ଆତ୍ମଜ ମଧୁମଙ୍ଗଳର ପୁନର୍ଜୀବନ ଦକ୍ଷିଣା ମାଗିଲେ ଏବଂ ଶୀଘ୍ର ଦେବାପାଇଁ ଆଦେଶ କଲେ । କୃଷ୍ଣ ଓ ବଳରାମ ଗୁରୁଙ୍କର ଆଦେଶ ଶିରୋଧାର୍ଯ୍ୟ କରି ଗୁରୁ ଓ ଗୁରୁପତ୍ନୀଙ୍କୁ ପ୍ରଣାମପୂର୍ବକ ଆଶୀର୍ବାଦକୁ ଅଗ୍ରସର କରି ମଧୁମଙ୍ଗଳର ଉଦ୍ଧାରପାଇଁ ଆଶ୍ରମରୁ ବହିର୍ଗତ ହେଲେ । ମନରେ ଭାବିଲେ ଯେବେ ଗୁରୁଭକ୍ତି ଅନନ୍ୟନିଷ୍ଠା ହୋଇଥିବ ତେବେ ବିଧାତା ମଧୁମଙ୍ଗଳକୁ ଚଞ୍ଚଳ ପ୍ରଦାନ କରିବେ । ତହୁଁ ‘‘ଗୁରୁଦେବ ! ସାହାଯ୍ୟ କର’’ ଏହା ସ୍ମରଣ କରି ଗନ୍ତବ୍ୟ ପଥରେ ଚାଲିଲେ । ଖଣ୍ଡଦୂର ପଥରେ ଅଶରୀର ବାଣୀ ଶୁଣାଗଲା, ହେ ବାଳକଦ୍ୱୟ ! ଗୁରୁଙ୍କ ଆଦେଶ ପାଳନ ପାଇଁ ଅନନ୍ୟମନା ହୋଇ ଦୃଢ଼ଭକ୍ତି ହୃଦୟରେ ପୋଷଣପୂର୍ବକ ଯେଉଁମାର୍ଗରେ ଯାଉଅଛ, ସେହି ମାର୍ଗରେ ଯାଅ । କିଛି ଦୂରରେ କାଳଭବନ ଦେଖିବ । ସେହିଠାରେ ମଧୁମଙ୍ଗଳ ବାସ କରେ । ସେ ସ୍ଥାନର ପରିଚୟ ସଂକ୍ଷେପରେ ଶୁଣ, ‘‘ପହଞ୍ଚିବାର ଅଲକ୍ଷଣ ପୂର୍ବରୁ ଅତି ହାହାକାର ଧ୍ୱନି ଶୁଣାଯିବ । ଦଣ୍ଡବିଧାନପାଇଁ ପ୍ରସ୍ତୁତ ବହୁ ଭୀଷଣ ସ୍ଥାନ ଦେଖିବ । ସେ ସ୍ଥାନବାସିମାନେ ଭୀମ ମୂର୍ତ୍ତି ଧରି ଦଣ୍ଡହସ୍ତରେ ନାନାସ୍ଥାନରେ ବୁଲୁଥିବାର ଦେଖିବ । ‘‘ତୁମ୍ଭମାନଙ୍କର ପ୍ରବଳ ଗୁରୁଭକ୍ତି ଦେଖି ଆମ୍ଭେ ମାର୍ଗ ଦେଖାଇଲୁଁ, ପ୍ରସନ୍ନ ମନରେ ସେହି ବାଟରେ ଯାଅ । ତହୁଁ କୃଷ୍ଣ–ବଳରାମ ଦ୍ୱିଗୁଣ ବେଗରେ ଚାଲିଲେ । ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି କାଳଦ୍ୱାରା ସମାଦୃତ ହୋଇ ମଧୁମଙ୍ଗଳକୁ ସଙ୍ଗରେ ଆଣି ଗୁରୁଦେବଙ୍କର ଆଦେଶ ପାଳନ କଲେ । ମଥୁରା ଯିବା ନିମିତ୍ତ ତାହାଙ୍କଠାରୁ ଅନୁମତି ଗ୍ରହଣ କଲେ ।

 

ଉପସଂହାର ସ୍ଥଳରେ ଏତିକି ମାତ୍ର କହୁଅଛି ଯେ, ପ୍ରାଚୀନ କାଳର ଗୁରୁ ଓ ଶିଷ୍ୟମାନଙ୍କର ସମ୍ୱନ୍ଧ ଅଳ୍ପ ମାତ୍ର ଦେଖାଇଲି । ପ୍ରକୃତରେ ପ୍ରାଚୀନ ଗୁରୁ ଶିଷ୍ୟ ସମ୍ୱନ୍ଧର ପବିତ୍ରତ୍ୱ ଅକଥନୀୟ । ବର୍ତ୍ତମାନ ଗୁରୁଶିଷ୍ୟମାନଙ୍କ ସମ୍ୱନ୍ଧରେ ସ୍ଥୂଳତଃ ଏତିକି ମାତ୍ର କୁହାଯାଇପାରେ ଯେ, ଆଧୁନିକ ବିଦ୍ୟାଳୟ ଏକ ଦୋକାନ ବିଶେଷ । ଅଧ୍ୟାପକ ବିଦ୍ୟାବସ୍ତୁର ବିକ୍ରେତା ଓ ଛାତ୍ରଗଣ କ୍ରେତୃ ସ୍ଥାନୀୟ । ସେମାନଙ୍କ ଅନ୍ତରରେ ପୂର୍ବ ପରି ସ୍ନେହ, ଭକ୍ତି ଓ ପ୍ରେମ ପରିବର୍ତ୍ତରେ ଅର୍ଥଲୋଭ ବିଶେଷ ପରିମାଣରେ ବିଦ୍ୟମାନ ଥିବାର ଦେଖାଯାଏ । ଆଉ ବିଶେଷ କହିବା ନିଷ୍ପ୍ରୟୋଜନ ।

 

‘‘ଅଙ୍କାନତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଳାକୟା ।

ଚକ୍ଷ ରୁନ୍ମୀଳିତଂ ଯେନ ତସ୍ମୈ ଶ୍ରୀଗୁରବେ ନମଃ ।’’

Image

 

ଜ୍ଞାନ ଓ ସଂଯମ

 

ଆମ୍ଭେମାନେ ପ୍ରାଚୀନ ଗ୍ରନ୍ଥମାନଙ୍କରୁ ଜ୍ଞାନର ଭୂୟସୀ ପ୍ରଶଂସା ପାଠ କରୁଅଛୁଁ, ଜ୍ଞାନହୀନ ମାନବକୁ ପଶୁ ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରୁଅଛୁଁ, କିନ୍ତୁ ଜ୍ଞାନ କି ପଦାର୍ଥ, ତାହା ପ୍ରତ୍ୟେକ ମାନବ ଜାଣିବା ସମ୍ଭବପର ନୁହେ । ସୁତରାଂ ତତ୍‌ସମ୍ୱନ୍ଧରେ କିଛି ଆଲୋଚନା କରାଯାଉ । ବ୍ୟାକରଣ ନିୟମାନୁସାରେ ଦେଖିଲେ ଜ୍ଞାନ ଜ୍ଞା ଧାତୁରୁ ଉତ୍ପନ୍ନ । ଜ୍ଞା ଧାତୁର ଅର୍ଥ ଜାଣିବା । ମନୁଷ୍ୟ ଯାହାଦ୍ୱାରା ପରମାତ୍ମା ଓ ଆତ୍ମାର ସମ୍ୱନ୍ଧ ଜାଣିପାରେ, ତାହାର ନାମ ଜ୍ଞାନ । ଜ୍ଞାନ ଜଗତରେ ପରମ ଉଚ୍ଚ ପଦାର୍ଥ, ତାହା ମାନବ ଜାତିର ଅଭିଳଷିତ ବସ୍ତୁ । କେବଳ ଜ୍ଞାନଦ୍ୱାରା ମାନବସୃଷ୍ଟି ଅପର ସୃଷ୍ଟିଠାରୁ ଉଚ୍ଚତର ସ୍ଥାନ ଅଧିକାର କରିଅଛି । ମନୁଷ୍ୟ ଜ୍ଞାନହୀନ ହୋଇ କେବଳ ଅଜ୍ଞାନଦ୍ୱାରା ପରିଚାଳିତ ହେବା ଅତି ନିନ୍ଦନୀୟ ଅଟେ । ମାନବସମାଜର ସୁବିଧାପାଇଁ ପ୍ରାଚୀନ ମନୀଷିଗଣ ଜ୍ଞାନ ସମ୍ୱନ୍ଧରେ ବହୁ ତତ୍ତ୍ୱ ପ୍ରକାଶ କରିଅଛନ୍ତି । ଭଗବଦ୍‌ଗୀତାରେ ଜ୍ଞାନବିଷୟକ ବହୁ ତତ୍ତ୍ୱ ଆଲୋଚିତ ହୋଇଅଛି । ତାହାକୁ ପାଠକଲେ ଆମ୍ଭେମାନେ ଜ୍ଞାନକୁ ଜାଣି ପାରିବା ।
 

‘‘ଅମାନିତ୍ୱମଦମ୍ଭିତ୍ୱମହିଂସାକ୍ଷାନ୍ତିରାର୍ଜ୍ଜବଂ ।

ଆଚାର୍ଯ୍ୟୋପାସନଂ ଶୌଚଂ ସ୍ଥୈର୍ଯ୍ୟମାତ୍ମବିନିଗ୍ରହଃ ।

ଇନ୍ଦ୍ରିୟାର୍ଥେଷୁ ବୈରାଗ୍ୟମନହଂକାର ଏବ ଚ ।

ଜନ୍ମମୃତ୍ୟୁଜରାବ୍ୟାଧିଦୁଃଖଦୋଷାନୁଦର୍ଶନଂ ।

ଅସକ୍ତିରନଭିଷ୍ୱଙ୍ଗଃ ପୁତ୍ରଦାର ଗୃହାଦିଷୁ ।

ନିତ୍ୟଂ ଚ ସମଚିତ୍ତତ୍ୱମିଷ୍ଟାନିଷ୍ଟୋପପତ୍ତିଷୁ ।

ମୟି ଚାନନ୍ୟଯୋଗେନ ଭକ୍ତିରବ୍ୟଭିଚାରିଣୀ ।

ବିବିକ୍ତଦେଶସେବିତ୍ୱମରତିର୍ଜନସଂସଦି ।

ଅଧ୍ୟାତ୍ମଜ୍ଞାନନିତ୍ୟତ୍ୱଂ ତତ୍ତ୍ୱଜ୍ଞାନାର୍ଥଦର୍ଶନଂ ।

ଏତତ୍ତ ଜ୍ଞାନମତି ପ୍ରୋକ୍ତମଜ୍ଞାନଂ ଯଦତୋଽନ୍ୟଥା ।।’’

 

ଅର୍ଥାତ୍‌ ଆତ୍ମଶ୍ଳାଘାରାହିତ୍ୟ, ଦମ୍ଭହୀନତା, ଅହିଂସା, କ୍ଷମା, ନିଷ୍କପଟତା, ଗୁରୁସେବା, ଶରୀର ଓ ମନର ପୂତତା, ଧୀରତା, ଆତ୍ମସଂଯମ, ବିଷୟ ବୈରାଗ୍ୟ, ଗର୍ବହୀନତା, ଜନ୍ମ, ମରଣ, ବାର୍ଦ୍ଧକ୍ୟ ଓ ବ୍ୟାଧିର ଯନ୍ତ୍ରଣା ଏବଂ ଦୋଷ ସକଳ ଚିନ୍ତା କରିବା, ପ୍ରୀତିଶୂନ୍ୟତା, ପୁତ୍ର, ସ୍ତ୍ରୀ ଓ ଗୃହ ପ୍ରଭୃତିରେ ଅନାସକ୍ତ, ଇଷ୍ଟ ଓ ଅନିଷ୍ଟ ଲାଭରେ ନିର୍ବିକାରତା, ଜଗଦୀଶ୍ୱରଙ୍କ ପ୍ରତି ଏକାନ୍ତ, ଭକ୍ତି, ବିରଳରେ ବାସ, ଜନ ସମାଜରେ ଅଶ୍ରଦ୍ଧା, ଅଧ୍ୟାତ୍ମଭାବରେ ଲିପ୍ତ ହେବା ଓ ତତ୍ତ୍ୱଜ୍ଞାନକୁ ଚିନ୍ତା କରିବା ଏହି କୋଡ଼ିଏଟି ଜ୍ଞାନର ଅନ୍ତର୍ଗତ । ଏହା ବ୍ୟତୀତ ଆଉ ସମସ୍ତଙ୍କୁ ଅଜ୍ଞାନ ବୋଲାଯାଏ । ଉଲ୍ଲିଖିତ ଗୁଣଗୁଡ଼ିକୁ ଆୟତ୍ତ କରିବାକୁ ଯତ୍ନକଲେ ମାନବର ଅଭ୍ୟୁଦୟ ଅନିବାର୍ଯ୍ୟ । ମାତ୍ର ତାହା ପ୍ରତିପାଳନ କରିବା ଅତୀବ କଷ୍ଟସାଧ୍ୟ । ଇହ ଜଗତରେ ରିପୁମାନେ ଅତି ପ୍ରବଳ । ସେମାନେ ମନୁଷ୍ୟକୁ ମୁହୁର୍ମୁହୁଃ ବିପଥକୁ ଆକର୍ଷଣ କରୁଅଛନ୍ତି । ସେମାନଙ୍କର ଆକ୍ରମଣରୁ ଉଦ୍ଧାର ପାଇବା ସାଧାରଣ କାର୍ଯ୍ୟ ନୁହେଁ । ସେଥିପାଇଁ ଅତି ଦୃଢ଼ତା ଆବଶ୍ୟକ ।

 

ପାର୍ଥିବ ପଦାର୍ଥର ଆରମ୍ଭ ଓ ସମାପ୍ତି ନିରୂପଣ କରାଯାଇ ପାରେ । ଆମ୍ଭେମାନେ ଯାହାର ଆରମ୍ଭ ଓ ସମାପ୍ତି ନିର୍ଣ୍ଣୟ କରି ନ ପାରୁଁ, ତାହାଙ୍କୁ ଅନାଦି ଓ ଅନନ୍ତ ବୋଲି କହୁଁ । ଏ ଉକ୍ତି କେବଳ ଜଗଦୀଶ୍ୱରଙ୍କଠାରେ ପ୍ରଯୁଜ୍ୟ, ତାହା ଅନ୍ୟ କୁତ୍ରାପି ଖଟି ନ ପାରେ । ଆମ୍ଭେମାନେ ଯେଉଁ କର୍ମ କରୁଅଛୁଁ, ତାହାର ମଧ୍ୟ ଆରମ୍ଭ ଓ ସମାପ୍ତି ଅଛି । କର୍ମର ସମାପ୍ତିପାଇଁ ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ର ଅଛି । କର୍ମ ନଦୀତୁଲ୍ୟ ନିତ୍ୟ ବହମାନ । ଯେଉଁ ନଦୀ ନିତ୍ୟ କଳକଳ ନାଦ କରି ଗଭୀର ଉଦ୍‌ବେଗ ହୃଦୟରେ ପୋଷଣପୂର୍ବକ ନିର୍ଦ୍ଦିଷ୍ଟ କ୍ଷେତ୍ର ସାଗରରେ ମିଳିତ ହୁଏ, ତାହାକୁ ଆମ୍ଭେମାନେ ନଦୀ ବୋଲି କହୁଁ । ଯେଉଁ ନଦୀ ଲକ୍ଷ୍ୟଭ୍ରଷ୍ଟ ହୋଇ ଉଚିତ କ୍ଷେତ୍ରରେ ପ୍ରବିଷ୍ଟ ହୋଇ ନ ପାରେ, ତାହାକୁ ଆମ୍ଭେମାନେ ନଦୀ ବୋଲି କହୁ ନାହିଁ, ସେମାନଙ୍କୁ ଉପନଦୀ ଓ ଶାଖାନଦୀ ନାମ ଦେଇଅଛୁଁ । ସେହିପରି ଯେଉଁ କର୍ମ ଉପଯୁକ୍ତ ଭାବରେ ଆରବ୍ଧ ହୋଇ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରବିଷ୍ଟ ନ ହୁଏ, ପ୍ରାଚୀନ ମହାପୁରୁଷଗଣ ତାହାକୁ କର୍ମ ବୋଲି କହନ୍ତି ନାହିଁ । ସେଥିପାଇଁ ସେମାନେ ଲକ୍ଷ୍ୟଚ୍ୟୁତ କର୍ମକୁ ବିକର୍ମ ଓ ଅକର୍ମ ନାମ ଦେଇଅଛନ୍ତି । କର୍ମର ନିର୍ଦ୍ଦିଷ୍ଟ କ୍ଷେତ୍ର ଜ୍ଞାନ, ତାହା ଜ୍ଞାନରେ ପରିସମାପ୍ତ ହୁଏ । ସେହିହେତୁରୁ ଭଗବାନ୍‌ ଶ୍ରୀକୃଷ୍ଣ କହିଅଛନ୍ତି, ‘‘ସର୍ବଂ କର୍ମାଖିଳଂ ପାର୍ଥଜ୍ଞାନେ ପରିସମାପ୍ୟତେ’’ ଅର୍ଥାତ୍‌ ସମସ୍ତ କର୍ମ ଜ୍ଞାନରେ ପରିସମାପ୍ତ ହୁଏ । ଜ୍ଞାନ କର୍ମର ଶେଷସୀମା । ମାନବ ଜୀବନର ଚରମ ଲକ୍ଷ୍ୟ ଜ୍ଞାନ, ଯାହାର କର୍ମ ଜ୍ଞାନ ପର୍ଯ୍ୟନ୍ତ ଯାଇ ନ ପାରେ, ତାହାକୁ ଲକ୍ଷ୍ୟଭ୍ରଷ୍ଟ ମାନବ କୁହାଯାଏ । ଆମ୍ଭମାନଙ୍କୁ ଅତି ସାବଧାନ ହୋଇ କର୍ମ କରିବାକୁ ହେବ-। ନଚେତ୍‌ ଆମ୍ଭେମାନେ ଲକ୍ଷ୍ୟସ୍ଥଳକୁ ଭୁଲି ଅବାଟରେ ଚାଲିବା । ଶେଷରେ ପଦେ ପଦେ ଆଘାତ ପାଇ ଆର୍ତ୍ତ ହାହାକାର କରିବା । ଜ୍ଞାନୀମାନଙ୍କର ସ୍ଥାନ ମାନବସମାଜରେ ଅତି ଉଚ୍ଚ । ନକ୍ଷତ୍ର ମଣ୍ଡଳୀରେ ଚନ୍ଦ୍ର ଯେପରି ରଜନୀର ଅନ୍ଧକାର ନାଶ କରିବାକୁ ସମର୍ଥ, ସେହିପରି ମାନବ-ଜାତିରେ ଜ୍ଞାନୀ ପାପାନ୍ଧକାର ନାଶ କରିବାକୁ କ୍ଷମ ଅଟନ୍ତି । ଜ୍ଞାନୀମାନେ ଜଗଦୀଶ୍ୱରଙ୍କ ଅଂଶ । ଶ୍ରୀକୃଷ୍ଣ କହିଅଛନ୍ତି, ‘‘ଜ୍ଞାନୀ ତ୍ୱାତ୍ମୈବ ମେ ମତଂ’’ ଅର୍ଥାତ୍‌ ଜ୍ଞାନୀ ବ୍ୟକ୍ତି ଜଗଦୀଶ୍ୱରଙ୍କର ଆତ୍ମାସ୍ୱରୂପ । ଏହି ଉକ୍ତିରୁ ଆମ୍ଭେମାନେ ଦେଖୁଅଛୁଁ, ଜ୍ଞାନୀ ବ୍ୟକ୍ତିଙ୍କର ସ୍ଥାନ ଅତି ଉଚ୍ଚ ପ୍ରଦେଶରେ-। ବିଧାତା ମନୁଷ୍ୟକୁ ନିଜ ପ୍ରତିମୂର୍ତ୍ତିରେ ଗଢ଼ି ଅଛନ୍ତି ଓ ନିଜର କ୍ଷମତା ମଧ୍ୟ ଦେଇଅଛନ୍ତି । ମନୁଷ୍ୟ ଯତ୍ନ କଲେ ବିଧାତାଙ୍କପରି ଗୁଣ ଅର୍ଜନ କରିପାରନ୍ତି । ଆମ୍ଭେମାନେ ପୁରାଣରେ ଦେଖୁଅଛୁଁ, ମହର୍ଷି ବିଶ୍ୱାମିତ୍ର କଠୋର ସାଧନା ପ୍ରଭାବରେ ବିଧାତାଙ୍କ ପରି ସୃଷ୍ଟି କରିବାକୁ କ୍ଷମ ହୋଇଥିଲେ । ମାନବ କେବଳ ରିପୁପରତନ୍ତ୍ର ହେବାରୁ କସ୍ତୁରୀ ମୃଗର ତୁଲ୍ୟ ନିଜର ଆତ୍ମଗତ ଶକ୍ତିକୁ ଚିହ୍ନି ପାରୁ ନାହିଁ । ନିଜକୁ ନିଜେ ନ ଚିହ୍ନିବା ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ପୂର୍ବୋକ୍ତ ଯେଉଁ କୋଡ଼ିଏଟି ଗୁଣକୁ ଜ୍ଞାନ ଆଖ୍ୟା ଦିଆଗଲା, ସେଗୁଡ଼ିକ ଏକ ସ୍ଥାନରେ ଅବସ୍ଥିତ । ସେମାନଙ୍କୁ ପାଇବାପାଇଁ ଗୋଟିଏ ପନ୍ଥା ଅଛି । ସେହି ପନ୍ଥାରୁ କେତେଗୁଡ଼ିଏ ଶାଖାମାର୍ଗ ବାହାରିଅଛି । ବାଟ ବାଉଳା ହୋଇ ଶାଖାମାର୍ଗରେ ଚାଲିଲେ ପଥିକ ଲକ୍ଷ୍ୟଭ୍ରଷ୍ଟ ହେବ-। ସେଥିପାଇଁ ପଥିକକୁ ଉତ୍ତମ ବିଚାର କରି ଚାଲିବା ଉଚିତ । ସେହି ପଥରେ ସ୍ଥାନେ ସ୍ଥାନେ ପ୍ରହରୀମାନେ ଦଣ୍ଡାୟମାନ । ତନ୍ମଧ୍ୟରୁ କେତେଗୁଡ଼ିଏ ଶତ୍ରୁ ଓ କେତେଗୁଡ଼ିଏ ମିତ୍ର । ଶତ୍ରୁ ପ୍ରହରୀମାନଙ୍କୁ ରିପୁ ବୋଲାଯାଏ । ସେମାନଙ୍କୁ ପଚାରି କାର୍ଯ୍ୟ କଲେ ନିଶ୍ଚୟ ବାଟ ବଣା ହେବ । ମିତ୍ର ପ୍ରହରୀଙ୍କର ନାମ ସଂଯମ ଓ ବିବେକ । ପଥିକ ଯେବେ ସର୍ବାଦୌ ସଂଯମକୁ ଆପଣାର କରି ବିବେକ ସାହାଯ୍ୟରେ ଗନ୍ତବ୍ୟ ପଥରେ ଚାଲେ, ତେବେ ତାହାର କର୍ମ୍ମ ଅଚିରେ ଜ୍ଞାନର ପରିସମାପ୍ତ ହେବ । ଅନ୍ୟଥା କର୍ମ୍ମ ଅକର୍ମ୍ମରେ ପରିଣତ ହେବ । ସଂଯମ ସଙ୍ଗେ ଜ୍ଞାନର ସମ୍ୱନ୍ଧ ଅତି ଘନିଷ୍ଠ । ମାନବ ସଂଯମକୁ ବିସର୍ଜନ କରି କେବଳ ସ୍ୱେଚ୍ଛାଚାରୀ ହୋଇ କାର୍ଯ୍ୟ କଲେ କେବେହେଁ ଜ୍ଞାନ ଲାଭ ହେବ ନାହିଁ । ସମସ୍ତ କର୍ମ ପଣ୍ଡଶ୍ରମରେ ପର୍ଯ୍ୟବସିତ ହେବ । ଯେପରି ଦେହୀ ଦେହକୁ ପରିତ୍ୟାଗ କଲେ ଏକ ଅଜ୍ଞାତ ଅଦୃଷ୍ଟ ଭୂମିରେ ବାସ କରେ, ସେହିପରି ସଂଯମକୁ ପରିତ୍ୟାଗ କଲେ ଜ୍ଞାନ ଏକ ଅଜ୍ଞାତ ଅଦୃଷ୍ଟ କ୍ଷେତ୍ରରେ ବାସ କରେ । ମାନବ ତାହାକୁ ଜାଣିବାକୁ ସମ୍ପୂର୍ଣ୍ଣରୂପେ ଅପାରଗ ହୁଏ । ସେହି ହେତୁରୁ ଭଗବାନ୍‌ ଶ୍ରୀକୃଷ୍ଣ ଜଗତରେ ପ୍ରଚାର କରିଅଛନ୍ତି, ‘‘ଶ୍ରଦ୍ଧାବାନ୍‌ ଲଭତେ ଜ୍ଞାନଂ ତତ୍‌ପରଃ ସଂଯତେନ୍ଦ୍ରିୟଃ’’ ଅର୍ଥାତ୍‌ ଯେଉଁ ବ୍ୟକ୍ତି ଶ୍ରଦ୍ଧାର ସହିତ କର୍ମ୍ମ କରିବେ, ଇନ୍ଦ୍ରିୟମାନଙ୍କୁ ଦମନ କରିବେ ଓ ଜଗଦୀଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଆସକ୍ତ ହେବେ, ସେ ଜ୍ଞାନ ଲାଭ କରିବେ । ନଚେତ୍‌ ଜ୍ଞାନ ଅର୍ଜନ ଅସମ୍ଭବ । ଏଥିରୁ ଆମ୍ଭେମାନେ ଦେଖୁଅଛୁଁ ଯେ, ଜ୍ଞାନଲାଭପାଇଁ ଏକାନ୍ତ ଶ୍ରଦ୍ଧା ପୋଷଣ କରି ସଂଯମ ବିଧି ପାଳନପୂର୍ବକ ଜଗଦୀଶ୍ୱରଙ୍କଠାରେ ମନୋନିବେଶ କରିବାକୁ ହେବ । ଜ୍ଞାନ ସଙ୍ଗେ ସଂଯମ ଅତି ଦୃଢ଼ଭାବରେ ସମ୍ୱଦ୍ଧ । ଜ୍ଞାନ କଦାଚିତ୍‌ ସଂଯମକୁ ଛାଡ଼ି ରହି ନ ପାରେ । ବର୍ତ୍ତମାନ ସଂଯମ ସମ୍ୱନ୍ଧରେ କିଛି ଆଲୋଚନା କରାଯାଉ ।

ଆମ୍ଭମାନଙ୍କର ପ୍ରାଚୀନ ପୁରୁଷମାନଙ୍କ ସଙ୍ଗେ ଆମ୍ଭମାନଙ୍କୁ ତୁଳନା କଲେ ସମ୍ପ୍ରତି ବହୁ ପାର୍ଥକ୍ୟ ପରିଲକ୍ଷିତ ହେଉଅଛି । ପୂର୍ବେ ସେମାନେ ବୀର୍ଯ୍ୟ, ବୁଦ୍ଧି ଓ ସ୍ୱାସ୍ଥ୍ୟ ପ୍ରଭୃତିରେ ସର୍ବୋଚ୍ଚ ସୋପାନରେ ଅଧିରୂଢ଼ ହୋଇଥିଲେ । ସେମାନେ କଠୋର ସାଧନାଦ୍ୱାରା ଯେଉଁ ନିଗୂଢ଼ ତତ୍ତ୍ୱମାନ ନିରୂପଣ କରିଅଛନ୍ତି, ତାହାକୁ ପାଠ କରି ଆଜି ସମଗ୍ର ଜଗତ୍‌ ବିସ୍ମିତ ହେଉଅଛି । ସେମାନଙ୍କର ଦୋର୍ଦ୍ଦଣ୍ଡ-ପ୍ରତାପର ବିବରଣ ପାଠ କରି କାହାର ହୃଦୟ ଚମତ୍‌କୃତ ନ ହୁଏ ? ପ୍ରାଚୀନ ସ୍ତ୍ରୀମାନେ ଯେପରି ସତୀତ୍ୱ ଓ ବୀରତ୍ୱ ପ୍ରଭୃତି ସର୍ବବିଧ ବିଷୟରେ ସମ୍ୟକ୍‌ ଉନ୍ନତି ଲାଭ କରିଥିଲେ, ତାହା ବର୍ତ୍ତମାନ କେବଳ ପୁସ୍ତକଗତ ପାଠ ହୋଇଅଛି । ଆମ୍ଭେମାନେ ସେହିମାନଙ୍କର ବଂଶଧର ହୋଇ କାହିଁକି ଏପରି ଅଧୋଗତ ହେଲୁଁ ? ଆମ୍ଭମାନଙ୍କର କାର୍ଯ୍ୟକଳାପ ଦେଖି ଅଧୁନାତନ ମନୀଷିଗଣ ଅସ୍ମଦ୍ଦେଶର ପ୍ରାଚୀନ ଗ୍ରନ୍ଥମାନଙ୍କୁ ସମ୍ପୂର୍ଣ୍ଣ କପୋଳକଳ୍ପିତ ବୋଲି ଭାବୁଅଛନ୍ତି କାହିଁକି ? ଏପରି ଅସ୍ୱାଭାବିକ ପରିବର୍ତ୍ତନ କାହିଁକି ଘଟିଅଛି ? ଏହାର ଉତ୍ତରରେ ଆମ୍ଭେମାନେ କହିପାରୁଁ ଯେ, କେବଳ ସଂଯମର ଅଭାବ ଉଲ୍ଲିଖିତ ପରିବର୍ତ୍ତନର କାରଣ । ଆମ୍ଭେମାନେ ସଂଯମକୁ ପରିବର୍ଜନ କରି ଏବମ୍ଭୂତ ଦୁର୍ଦ୍ଦଶାଗ୍ରସ୍ତ ହୋଇଅଛୁଁ ଓ ନିଜେ ନିଜେ ଆମ୍ଭ ପ୍ରାଚୀନ ପୁରୁଷମାନଙ୍କର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଅମୂଳକ ବୋଲି ଭାବିବାକୁ ବାଧ୍ୟ ହେଉଅଛୁଁ । ଜଗତରେ ପ୍ରତି ସଦନୁଷ୍ଠାନ ମୂଳରେ ସଂଯମ ବିଦ୍ୟମାନ । ସୁବିଧାପାଇଁ ମହର୍ଷିଗଣ ମାନବର ଅବସ୍ଥାକୁ ଚାରି ଶ୍ରେଣୀରେ ଭାଗ କରି ପ୍ରଥମ ଭାଗକୁ ବ୍ରହ୍ମଚର୍ଯ୍ୟ ନାମ ଦେଇଅଛନ୍ତି । ବ୍ରହ୍ମଚର୍ଯ୍ୟର ଅର୍ଥ ସଂଯମ ପାଳନ । ପୁନରପି ସଂଯମ ପାଳନ ନ କଲେ ଆମ୍ଭମାନଙ୍କର ଶାରିରୀକ ଓ ମାନସିକ ଅଭ୍ୟୁଦୟ ଏକାନ୍ତ ଅସମ୍ଭବ । ସମ୍ପ୍ରତି ସଂଯମର ପ୍ରକୃତ ମର୍ମ ନିରୂପଣ କରାଯାଉ । ସଂଯମର ଅର୍ଥ ମନ ଓ ଇନ୍ଦ୍ରିୟମାନଙ୍କୁ ନିଜର ବଶୀଭୂତ କରିବା ଓ ମାନବୀୟ ବିଧିକୁ ସର୍ବତୋଭାବରେ ପ୍ରତିପାଳନ କରିବା । ମାନବ ଶରୀରରେ ମନ ଓ ଇନ୍ଦ୍ରିୟଗଣ ନିତାନ୍ତ ଉଚ୍ଛୃଙ୍ଖଳ । ସେମାନେ ସର୍ବଦା ମନୁଷ୍ୟକୁ ବିପଥଗାମୀ କରୁଅଛନ୍ତି । ସେମାନଙ୍କ ମୋହରେ ଭୁଲି ମନୁଷ୍ୟ ନିଜର ପ୍ରାଧାନ୍ୟକୁ ସମ୍ପୂର୍ଣ୍ଣ ବିସ୍ମରଣ କରୁଅଛି । ସେମାନଙ୍କୁ ସ୍ୱାୟତ୍ତ ନ କରି ସେମାନଙ୍କ ଆଜ୍ଞା ପାଳନ କଲେ କେବେହେଁ ଉନ୍ନତି ହେବ ନାହିଁ । ସେଥିପାଇଁ ସୁଧିଗଣ ସଂଯମକୁ ସମସ୍ତ ଗୁଣ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଦେଇ ଅଛନ୍ତି । ଯେପରି ଗୃହସ୍ଥାଶ୍ରମକୁ ଅନ୍ୟାନ୍ୟ ସବୁ ଆଶ୍ରମ ଆଶ୍ରୟ କରିଅଛନ୍ତି, ସେହିପରି ମାନବର ସମସ୍ତ ଗୁଣ ସଂଯମକୁ ଅବଲମ୍ୱନ କରିଅଛନ୍ତି । ସଂଯମର ଅଭାବ ହେଲେ ଅନ୍ୟ କୌଣସି ଗୁଣ ସମ୍ୟକ୍‌ ଫଳ ଲାଭ କରି ପାରିବ ନାହିଁ । ଜଗତରେ ମାନବଜନ୍ମ ସଫଳ କରିବାକୁ ହେଲେ, ମନ ଓ ଇନ୍ଦ୍ରିୟମାନଙ୍କୁ ସର୍ବାଦୌ ନିଜର ବଶୀଭୂତ କରିବା ଉଚିତ । ନଚେତ୍‌ ଅଭ୍ୟୁଦୟ ସୁଦୂରବର୍ତ୍ତୀ । ସଂଯମକୁ ଅବଲମ୍ୱନ କଲେ ମାନବ ଧନ୍ୟ ହୁଏ ଓ ନିଜର କୁଳକୁ ମଧ୍ୟ ଗୌରବାନ୍ୱିତ କରେ । ସେଥିପାଇଁ ପୂର୍ବେ ସୂର୍ଯ୍ୟବଂଶ ନୃପତିମାନେ କାୟମନୋବାକ୍ୟରେ ସଂଯମକୁ ପାଳନ କରୁଥିଲେ । ସୂର୍ଯ୍ୟବଂଶ ରାଜା କୁଶ ସଂଯମର ଯେଉଁ ଉଦାହରଣ ଦେଖାଇଅଛନ୍ତି, ତାହାକୁ ପାଠକଲେ କାହାର ହୃଦୟ ଚମତ୍କୃତ ନ ହେବ ? ତଦ୍ଦ୍ୱାରା ସେ ନୃପତି-ସମାଜରେ କେଉଁ ସ୍ଥାନ ଅଧିକାର କରିଅଛନ୍ତି, ତାହା ସହଜରେ ଅନୁମେୟ । ଯେତେବେଳେ ଅଯୋଧ୍ୟାରାଜଲକ୍ଷ୍ମୀ ବିରହିଣୀ ଯୁବତୀ ନାରୀ ବେଶ ଧରି ଯୁବକ କୁଶଙ୍କର ଶୟନ କକ୍ଷରେ ନିଶୀଥ ସମୟରେ ଏକାକିନୀ ଉପସ୍ଥିତ ହେଲେ, ସେତେବେଳେ ସାଧୁ ନୃପତି କୁଶ ତାଙ୍କୁ କହିଲେ–

‘‘କା ତ୍ୱଂ ଶୁଭେ ! କସ୍ୟ ପରିଗ୍ରହୋ ବା,

କିଂବା ମଦଭ୍ୟାଗମକାରଣଂ ତେ;

ଆଚକ୍ଷ୍ୱ ମତ୍ୱାଂ ବଶିନାଂ ରଘୂଣାଂ,

ମନଃ ପରସ୍ତ୍ରୀ-ବିମୁଖ-ପ୍ରବୃତ୍ତି ।’’

 

ଅର୍ଥାତ୍‌ ହେ ସୁନ୍ଦରି ! ତୁମ୍ଭେ କିଏ, କାହାର ସ୍ତ୍ରୀ, ମୋ ପାଖକୁ କି ଉଦ୍ଦେଶ୍ୟରେ ଆସିଅଛ-? ଜିତେନ୍ଦ୍ରିୟ ରଘୁନୃପମାନଙ୍କର ମନ ସର୍ବଦା ପରନାରୀ ପ୍ରତି ବିମୁଖ ଅଟେ । କୁଶ ଯୌବନ, ପ୍ରଭୂତ ରାଜସମ୍ପଦ ଓ ଅଦମ୍ୟ ଶକ୍ତି ଏକ ସମୟରେ ଲାଭ କଲେ ମଧ୍ୟ ସଂଯମକୁ କାୟମନୋବାକ୍ୟରେ ପ୍ରତିପାଳନ କରୁଥିଲେ । ପ୍ରାଚୀନ ଗ୍ରନ୍ଥ ମହାଭାରତ ପ୍ରଭୃତିରୁ ସଂଯମର ଅଦ୍‌ଭୁତ କ୍ଷମତା ବିଶଦରୂପେ ପ୍ରମାଣିତ ହୁଏ । ଆମ୍ଭେମାନେ ମହାରଥୀ ଭୀଷ୍ମଙ୍କର କାର୍ଯ୍ୟକଳାପ ଆଲୋଚନା କଲେ ଦେଖୁଅଛୁଁ ଯେ, ସେ କେବଳ ସଂଯମର ପ୍ରଭାବରେ ମରଣକୁ ନିଜର ଆୟତ୍ତ କରିଥିଲେ । ତାହାଙ୍କର ମରିବାକୁ ଇଚ୍ଛା ନ ହେଲେ ତାଙ୍କୁ ମାରିବାକୁ କାହାରି କ୍ଷମତା ନ ଥିଲା । ରାମାୟଣରୁ ଦେଖାଯାଏ, ଲକ୍ଷ୍ମଣ କେବଳ ସଂଯମକୁ ଅବଲମ୍ୱନ କରି ତ୍ରିଲୋକବିଖ୍ୟାତ ବୀର ଇନ୍ଦ୍ରଜିତକୁ ମାରିବାକୁ ସମର୍ଥ ହୋଇଥିଲେ । ଏହିପରି ବହୁ ଉଦାହରଣ ଆମ୍ଭମାନଙ୍କ ପାଇଁ ପୂର୍ବପୁରୁଷମାନେ ସମ୍ପାଦି ଅଛନ୍ତି । ସଂଯମର କ୍ଷମତା କିପରି ବଳବତୀ, ତାହା ସହଜରେ ବୁଝି ହେବ । ଭଗବଦ୍‌ଗୀତାରୁ ଆମ୍ଭେମାନେ ଦେଖୁଅଛୁଁ, ଶୁଭାନୁଷ୍ଠାନରେ ସଂଯମ ଅଗ୍ରଗଣ୍ୟ । ଭଗବାନ୍‌ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସର୍ବତ୍ର ବୁଝାଇଅଛନ୍ତି ଯେ, ମାନବକୁ ପରମସୁଖ ଦେବାପାଇଁ ସଂଯମ ପାଳନ ଅଦ୍ୱିତୀୟ ପନ୍ଥା । ଯଥା–

 

 

‘‘ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ବିଗତକଳୁଷଃ;

ସୁଖେନ ବ୍ରହ୍ମସଂ ସ୍ପର୍ଶମତ୍ୟନ୍ତ ସୁଖମଶ୍ନୁ ତେ ।’’

 

ଅର୍ଥାତ୍‌ ଯେଉଁ ବ୍ୟକ୍ତି ମନକୁ ସଂଯତ କରି ନିଷ୍ପାପ ଭାବରେ ଯୋଗ ଆଶ୍ରୟ କରନ୍ତି, ସେ ଅନାୟାସରେ ବ୍ରହ୍ମ ସାକ୍ଷାତ୍‌ ଲାଭ କରି ପରମ ସୁଖ ଭୋଗ କରନ୍ତି । ନିଜର ମଙ୍ଗଳ କାମନା କଲେ ସଂଯମକୁ ଦୃଢ଼ଭାବରେ ଅନୁସରଣ କରିବା ଏକାନ୍ତ ବାଞ୍ଛନୀୟ । ଅସଂଯତ ମନୁଷ୍ୟ ସମାଜର କଳଙ୍କ ଓ ମନୁଷ୍ୟ ନାମର ଅଯୋଗ୍ୟ । ପ୍ରଥମତଃ ମନର ସଂଯମ ଆବଶ୍ୟକ । ମନ ସଂଯତ ନ ହେଲେ ଇନ୍ଦ୍ରିୟମାନଙ୍କୁ କଦାପି ବଶୀଭୂତ କରାଯାଇ ନ ପାରେ । ମନକୁ ସଂଯତ କରିବା ଅତି କଷ୍ଟସାଧ୍ୟ । ତାହା କେବଳ ଇଚ୍ଛାମାତ୍ରେ ସାଧିତ ହୋଇ ନ ପାରେ । ମନର ଗତି ଅତି ଚଞ୍ଚଳ । ବାୟୁର ଗତିରୋଧ ଯେପରି ଅସମ୍ଭବ, ସେହିପରି ମନର ଗତିରୋଧ ଅସମ୍ଭବ । ତାହାକୁ ବଶୀଭୂତ କରିବା ପାଇଁ ପ୍ରଥମତଃ ବହୁକାଳ ଅଭ୍ୟାସ ଓ ବୈରାଗ୍ୟ ଅବଲମ୍ୱନୀୟ । ସଂସାରରେ ଅତ୍ୟନ୍ତ ଆସକ୍ତ ହୋଇ ମାନବ କଦାପି ମନକୁ ସ୍ୱାୟତ୍ତ କରି ନ ପାରେ । ଆସକ୍ତିପରାୟଣ ମନୁଷ୍ୟର ମନ ଉନ୍ମତ୍ତ ଗଜସଦୃଶ ଇତସ୍ତତଃ ପ୍ରଧାବିତ ହୁଏ । ମହାତ୍ମାଗଣ ବୈରାଗ୍ୟକୁ ଅତି ମୂଲ୍ୟବାନ୍‌ ଗୁଣ ବୋଲି ପ୍ରକାଶ କରିଅଛନ୍ତି । ବୈରାଗ୍ୟର ଅର୍ଥ ସଂସାରର ଇନ୍ଦ୍ରଜାଲ ଖେଳରେ ବିରକ୍ତି । ସଂସାର ସମ୍ୱନ୍ଧ ପରିତ୍ୟାଗ କରି ବନରେ ବାସ କରିବାକୁ ବୈରାଗ୍ୟ ବୋଲାଯାଏ ନାହିଁ । ବନରେ ରହି ମନରେ ଅନୁକ୍ଷଣ ବିଷୟତୃଷ୍ଣା ରଖି ଅନୁତପ୍ତ ହେଲେ ମାନବ ବିରାଗୀ ହୁଏ ନାହିଁ, ତାହା କେବଳ ଛଳନା ମାତ୍ର । ଶରୀରରେ ଆତ୍ମା ଯେପରି ନିର୍ଲିପ୍ତଭାବରେ ଅଛି, ଆକାଶରେ ପବନ ଯେପରି ନିର୍ଲିପ୍ତଭାବରେ ଅଛି, ସେହିପରି ସଂସାରରେ ମନୁଷ୍ୟ ନିର୍ଲିପ୍ତଭାବରେ ରହିବା ଉଚିତ । ସଂସାରୀ ବ୍ୟକ୍ତି ମନକୁ ସ୍ଥିର କରି ଶତ୍ରୁ, ମିତ୍ର, ମାନ, ଅପମାନ, ନିନ୍ଦା, ପ୍ରଶଂସା, ସୁଖ ଓ ଦୁଃଖକୁ ସମାନ ଜ୍ଞାନ କରିବ, ତାହାହେଲେ ଇନ୍ଦ୍ରିୟ ସକଳ ଉଚ୍ଛୃଙ୍ଖଳ ହୋଇ ପଥିକକୁ ବିପଥରେ ଚଳାଇବାକୁ ସୁବିଧା ପାଇବେ ନାହିଁ । ସେହି ଭାବର ନାମ ବୈରାଗ୍ୟ । ସଂସାରରେ ସମ୍ୱନ୍ଧ ରଖିଲେହେଁ ମନୁଷ୍ୟ ଅଭ୍ୟାସଦ୍ୱାରା ବୈରାଗ୍ୟ ଅବଲମ୍ୱନ କରି ପାରେ । ବୈରାଗ୍ୟ ଶିକ୍ଷା ନ କଲେ କଦାପି ଇନ୍ଦ୍ରିୟମାନଙ୍କୁ ସଂଯତ କରି ହେବ ନାହିଁ । ଦୁର୍ଲଭ ମାନବଜନ୍ମ ଲାଭ କରି କୁକର୍ମ୍ମପରାୟଣ ହେଲେ ନିରନ୍ତର ଅସୁସ୍ଥ, ଦୁର୍ବଳ ଓ ଶ୍ରୀହୀନ ହୋଇ ଶେଷରେ ଅଧୋଗତ ହେବ । ମନକୁ ସଂଯତ କରିବାକୁ ହେଲେ ତାହାର ଆନୁସଙ୍ଗିକ ବହୁତ ସଂଯମ ଆବଶ୍ୟକ । ଯଥା–ବାକ୍ୟର ସଂଯମ, ଆହାରର ସଂଯମ, ନିଦ୍ରାର ସଂଯମ ଓ କର୍ମ୍ମର ସଂଯମ ଇତ୍ୟାଦି । ମନ ସଙ୍ଗେ ଆହାର ପ୍ରଭୃତିର ସମ୍ୱନ୍ଧ ଅତି ନିକଟବର୍ତ୍ତୀ । ସେ ସମସ୍ତ ବିଷୟରେ କିଛି ଆଲୋଚନା କରିବା ବାଞ୍ଛନୀୟ । ମନର ସ୍ୱଚ୍ଛତା ପାଇଁ ପୂର୍ବେ ମହାତ୍ମାମାନେ ମୌନବ୍ରତ ପାଳନ କରୁଥିଲେ । ବାକ୍ୟକୁ ନିୟମିତ ନ କରି ସର୍ବଦା ଅସତ୍ୟ ଓ ଅପ୍ରିୟ ବଚନ ବ୍ୟବହାର କଲେ ମନ କଦାପି ନିର୍ମଳ ହୋଇ ନ ପାରେ । ବଚନ ସଂଯତ ହେଲେ ମନ ଅନେକ ପରିମାଣରେ ଶୃଙ୍ଖଳାବଦ୍ଧ ହୁଏ । ଆହାର ସଙ୍ଗେ ମନର ମଧ୍ୟ ସମ୍ୱନ୍ଧ ଅତି ଦୃଢ଼ । ଯେଉଁ ଲୋକ ମାଂସ ପ୍ରଭୃତି ଅମେଧ୍ୟ ଭୋଜନପାଇଁ ନିରନ୍ତର ଉଦ୍‌ବିଗ୍ନ, ତାହାର ମନ କେତେବେଳେ ସାଧୁ ହୋଇ ନ ପାରେ । ମାଂସାଶୀ ମନୁଷ୍ୟର ମନ ନିଶ୍ଚୟ କର୍କଶ ହେବ ସନ୍ଦେହ ନାହିଁ । ସେଥିପାଇଁ ଗୁଣାନୁଯାୟୀ ଆହାରର ବିଭାଗ ହୋଇଅଛି । ‘‘ଆୟୂଃସତ୍ତ୍ୱବଳାରୋଗ୍ୟସୁଖପ୍ରୀତିବିବର୍ଦ୍ଧନାଃ, ରସ୍ୟାଃ ସ୍ନିଗ୍‌ଧାଃ ସ୍ଥିରା ହୃଦ୍ୟା ଆହାରାଃ ସାତ୍ତ୍ୱିକ ପ୍ରିୟାଃ’’ ଇତ୍ୟାଦି; ସାତ୍ତ୍ୱିକ ବ୍ୟକ୍ତିମାନେ ଏପରି ରସମୟ, ମନୋହର ପଦାର୍ଥ ଆହାର କରନ୍ତି, ଯହିଁରେ ଆୟୁ, ସୁଖ, ସ୍ୱାସ୍ଥ୍ୟ ପ୍ରଭୃତି କ୍ରମଶଃ ବର୍ଦ୍ଧିତ ହୁଏ । ସେହିପରି ରାଜସ ବ୍ୟକ୍ତିମାନେ ଦୁଃଖଶୋକ ଯନ୍ତ୍ରଣାପ୍ରଦ ଅତି କଟୁ, ଅତି ତୀକ୍ଷ୍ଣ, ଅତି ଅମ୍ଳ ପଦାର୍ଥମାନ ଭୋଜନ କରନ୍ତି । ତାମସ ଲୋକମାନେ ରସହୀନ ଗନ୍ଧମୟ ଅମେଧ୍ୟ ଜିନିସମାନ ଆହାର କରନ୍ତି । ଯେଉଁ ମାନେ ଯେପରି ଆହାର କରନ୍ତି, ସେମାନଙ୍କର ମନ ସେହିପରି ଗଠିତ ହୁଏ । ସେଥିପାଇଁ ତପସ୍ୱୀମାନେ ବନରେ ବାସ କରି ଫଳ ମୂଳ ବ୍ୟତୀତ ଅନ୍ୟ କିଛି ଗ୍ରହଣ କରୁ ନ ଥିଲେ । ମନର ସଂଯମପାଇଁ ଆହାରର ନିୟମରକ୍ଷା ଅତି ଆବଶ୍ୟକ । କର୍ମ୍ମରେ ମଧ୍ୟ ସତର୍କ ହେବା ଉଚିତ । ଶାସ୍ତ୍ରବିଧି ଲଙ୍ଘନ କରି ସ୍ୱେଚ୍ଛାଚାରୀ ହୋଇ କାର୍ଯ୍ୟ କଲେ ମନ ନିଶ୍ଚୟ କଳୁଷିତ ହେବ ଓ କେବେହେଁ ସିଦ୍ଧି ଲାଭ ହେବ ନାହିଁ । ଯେବେ କୌଣସି ଅସତ୍‌ କାର୍ଯ୍ୟରେ ପ୍ରବୃତ୍ତି ଜନ୍ମେ, ତେବେ ତାହାକୁ ସହସା ପ୍ରତିପାଳନ ନ କରି ଧୀରଭାବରେ ବସି କିଛିକ୍ଷଣ ଚିନ୍ତା କରିବା ଉଚିତ । ଶେଷରେ ନିବୃତ୍ତି ଆସିବ । ଆଲୋକ ସଙ୍ଗେ ଅନ୍ଧକାର ପରି ପ୍ରବୃତ୍ତି ସଙ୍ଗେ ନିବୃତ୍ତି ଅଟଳ ଭାବରେ ସମ୍ୱଦ୍ଧ । ଆମ୍ଭେମାନେ ମାନବ ପ୍ରକୃତିକୁ ଅନୁଶୀଳନ କଲେ ଦେଖୁଅଛୁଁ ଯେ ମନ ସଙ୍ଗେ ବହୁତ ଜିନିସର ସମ୍ୱନ୍ଧ ଅଛି । ସମସ୍ତଙ୍କୁ ନ ଜଗିଲେ କଦାପି ମନକୁ ଜଗି ହେବ ନାହିଁ । ସେହି କାରଣରୁ ଗୀତାରେ ଲେଖାଅଛି ଯୁକ୍ତାହାର ବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମ୍ମସୁ; ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା’’ ସଂଯମର ଅପର ନାମ ଯୋଗ । ଯେଉଁବ୍ୟକ୍ତି ଯୋଗ ସାଧନ କରିବେ, ସେ ଆହାର, ବିହାର, ନିଦ୍ରା, ଜାଗରଣ ଓ କର୍ମ୍ମରେ ନିୟମ ପାଳନ କରିବେ । ତାହା ନ ହେଲେ ସାଧନା ଫଳବତୀ ହେବ ନାହିଁ । ପ୍ରତ୍ୟେକ ବିଷୟ ନିୟମରୁ ବହିର୍ଭୁତ ହେଲେ ଅନିଷ୍ଟ ସାଧନ କରେ । ଆହାର ଜୀବନର ବନ୍ଧୁ ଅଟେ । କିନ୍ତୁ ତାହାର ପରିମାଣ ଅଧିକ ହେଲେ କିମ୍ୱା ଅନିୟମିତ ହେଲେ ତାହା ଜୀବନର ପରମ ବୈରୀ ହୁଏ । ସେହିପରି ନିଦ୍ରାର ପରିମାଣ ଅଧିକ ହେଲେ କିମ୍ୱା ଜାଗରଣ ମାତ୍ରା ଅଧିକ ହେଲେ ମନୁଷ୍ୟ କଦାପି ପ୍ରଫୁଲ୍ଲତା ଅନୁଭବ କରି ନ ପାରେ । ଶରୀରର ବିଷାଦ ସଙ୍ଗେ ମନ ମଧ୍ୟ ବିଷଣ୍ଣ ହୁଏ । ଅତଏବ ପ୍ରତି କାର୍ଯ୍ୟରେ ନିୟମରକ୍ଷା ଅତି ଆବଶ୍ୟକ । ରିପୁମାନେ ଅତି ପ୍ରବଳ ଥିବାରୁ ମନୁଷ୍ୟ ଅକ୍ଳେଶରେ ଦୁଷ୍ଟ ହୋଇ ପାରେ । କିନ୍ତୁ ଶିଷ୍ଟତା ପାଳନ ଅତି କଷ୍ଟସାଧ୍ୟ । ବହୁ କଷ୍ଟ ସହି ଉପାର୍ଜନ କରାଯାଏ, ତାହା ଉତ୍ତମ ଫଳ ପ୍ରଦାନ କରେ । ଅନାୟାସ-ଲବ୍‌ଧ ପଦାର୍ଥ ସୁଫଳପ୍ରଦ ନୁହେ । ଯେଉଁ ଲୋକ ଅଗାଧ ସିନ୍ଧୁ ଗର୍ଭରେ ବୁଡ଼ି ରତ୍ନ ସଂଗ୍ରହ କରେ ତାହାର ମୂଲ୍ୟ ଅତି ଅଧିକ । କେବଳ ବେଳା ପ୍ରଦେଶରେ ବୁଲି ଅକ୍ଳେଶରେ ଗୁଡ଼ିଏ ଧଳା ପଥର ଖଣ୍ଡ ସଂଗ୍ରହ କଲେ କାମନା ପୂରିବ ନାହିଁ । ସେହିପରି ଆମ୍ଭମାନଙ୍କୁ ଭବସାଗରର ଅଗାଧ ଗର୍ଭରେ ବୁଡ଼ି ବହୁପରିଶ୍ରମପୂର୍ବକ ରତ୍ନ ସଂଗ୍ରହ କରିବାକୁ ହେବ । କେବଳ ବେଳାରେ ବୁଲି ପଥର ଗୋଟାଇଲେ ଚଳିବ ନାହିଁ । ଯେଉଁ ରତ୍ନ ସଂଗ୍ରହ କଲେ ଆମ୍ଭେମାନେ ଧନ୍ୟ ହେବା, ତାହାର ନାମ ସଂଯମ । ତାହା ଭବସିନ୍ଧୁର ଗଭୀର ଗର୍ଭରେ ଅଛି । କାମ, କ୍ରୋଧ ପ୍ରଭୃତି ଜଳଜନ୍ତୁ ମାନଙ୍କୁ ଭୟ କଲେ ଚଳିବ ନାହିଁ । ସେମାନଙ୍କୁ ଅତିକ୍ରମ କରି ସାଗର ଗର୍ଭରେ ବୁଡ଼ିବାକୁ ହେବ । ତାହାହେଲେ ଅନନ୍ତଶାୟୀ ଭଗବାନଙ୍କ କୃପାରୁ ନିଶ୍ଚୟ ସୁଫଳ ଲାଭ ହେବ ଓ ଆଶା ପୂର୍ଣ୍ଣ ହେବ । ଜ୍ଞାନ ଅର୍ଜନ କରି ମାନବଜନ୍ମ ସଫଳ ହେବ । ‘‘ନହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ।’’ ଏ ଉକ୍ତି ଧ୍ରୁବ ସତ୍ୟ । ଜ୍ଞାନ ଉପାର୍ଜନ କରି ପବିତ୍ର ହେବା ମାନବ ଜାତିର ଅବଶ୍ୟ କର୍ତ୍ତବ୍ୟ ।

Image

 

ରାଜଭକ୍ତି

 

ପୂଜନୀୟ ବ୍ୟକ୍ତିମାନଙ୍କୁ ଭକ୍ତି ପ୍ରଦର୍ଶନ କରିବା ମନୁଷ୍ୟତାର ପରିଚାୟକ, ଏହା ସମସ୍ତ ମନୀଷୀ ସ୍ୱୀକାର କରନ୍ତି । ସେହି ହେତୁରୁ ଅତି ପ୍ରାଚୀନ କାଳରୁ ପୁତ୍ରମାନେ ପିତା ମାତା ପ୍ରଭୃତିଙ୍କୁ ଓ ଶିଷ୍ୟମାନେ ଗୁରୁଙ୍କୁ ଯଥାବିଧି ଭକ୍ତି ପ୍ରକାଶ କରିବାର ସୁବ୍ୟବସ୍ଥା ହୋଇଅଛି । ପିତା ମାତା ପ୍ରଭୃତି ଯଥାର୍ଥରେ ଗୁରୁସ୍ଥାନୀୟ । କାରଣ ପ୍ରତିମନୁଷ୍ୟ ପିତାମାତାଙ୍କ ଦ୍ୱାରା ଜଗତରେ ଉପନୀତ ହୋଇ ସ୍ୱକର୍ତ୍ତବ୍ୟ ପ୍ରତିପାଳନ କରୁଅଛନ୍ତି । କିନ୍ତୁ ପିତା ମାତା ମନୁଷ୍ୟର ରୂପ ମାତ୍ର ଧରଣୀରେ ଉପସ୍ଥାପିତ କରନ୍ତି । ଗୁରୁ ସେହି ରୂପ ମଧ୍ୟରେ ଲୁକ୍କାୟିତ ଥିବା ମନୁଷ୍ୟତ୍ୱକୁ ବିକଶିତ କରନ୍ତି । ଗୁରୁଙ୍କ କୃପା ନ ହେଲେ ମନୁଷ୍ୟ କେବଳ ନାମମାତ୍ରରେ ପର୍ଯ୍ୟବସିତ ହେବ । ସୁତରାଂ ପିତା ମାତା ଓ ଗୁରୁ ନିଶ୍ଚୟ ପୂଜାସ୍ପଦ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଆଉ ଏକ ବ୍ୟକ୍ତି ଅଛନ୍ତି, ସେ ଏମାନଙ୍କ ଅପେକ୍ଷା ମନୁଷ୍ୟ ସମାଜରେ ଅତି ଉଚ୍ଚ ସୋପାନରେ ବିଦ୍ୟମାନ । ବହୁସଂଖ୍ୟକ ପରିବାର ତାହାଙ୍କର କରୁଣାକୁ ନିତ୍ୟ ଅପେକ୍ଷା କରିଅଛନ୍ତି । ତାହାଙ୍କର ପ୍ରସାଦରୁ ବଞ୍ଚିତ ହେଲେ ସମସ୍ତ ପରିବାର ଘୋର ଯନ୍ତ୍ରଣା-ଗ୍ରସ୍ତ ହେବେ, ଏହା ନିଃସନ୍ଦେହ । ତାହାଙ୍କର ନାମ ରାଜା । ପିତାମାତାଙ୍କ ଦ୍ୱାରା ଆଗତ ମନୁଷ୍ୟ ଗୁରୁଙ୍କ କୃପାରୁ ପ୍ରକୃତ ମନୁଷ୍ୟତ୍ୱ ଅର୍ଜନ କରେ ସତ୍ୟ, କିନ୍ତୁ ତାହାକୁ ନିରାପଦ କରିବାପାଇଁ ରାଜା ପରମ ସହାୟ । ଜଣେ କୃତବିଦ୍ୟ ବ୍ୟକ୍ତି ଯେବେ ଏକଦଳ ଦସ୍ୟୁଙ୍କ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ତେବେ ତାହାଙ୍କର ସମସ୍ତ ମନୁଷ୍ୟତ୍ୱ ଅକାଳରେ ବିଲୁପ୍ତ ହେବ । ସୁତରାଂ ପିତା ମାତା ଓ ଗୁରୁଙ୍କର ସକଳ କରୁଣା ସର୍ବତୋଭାବରେ ଚୂର୍ଣ୍ଣୀଭୂତ ହେବ । ଉକ୍ତ ତିନି ଜଣଙ୍କର ପ୍ରସାଦକୁ ନିରାପଦ କରିବାପାଇଁ ରାଜା ଏକମାତ୍ର ସାହାଯ୍ୟକାରୀ ଅଟନ୍ତି । ପିତା ମାତା ନିଜର ସନ୍ତାନମାନଙ୍କୁ ନିରାପଦ କରିବାପାଇଁ ନିଜେ ଯେପରି ବହୁବାର ବିପଦ୍‌ଗ୍ରସ୍ତ ହେବାକୁ ଭୀତ ହୁଅନ୍ତି ନାହିଁ, ରାଜା ସେହିପରି ରାଜ୍ୟର ସମସ୍ତ ବିପଦକୁ ଅକୁଣ୍ଠିତଚିତ୍ତରେ ନିଜ ମସ୍ତକରେ ବହନ କରି ପ୍ରଜାପୁଞ୍ଜଙ୍କୁ ନିରାପଦ କରନ୍ତି । ଯେଉଁ ଦେଶରେ ରାଜା ନାହାନ୍ତି, ସେହି ଅରାଜକ ଦେଶ ନିତାନ୍ତ ଘୃଣ୍ୟ ଅଟେ । ସେଥିପାଇଁ ନୀତି ଅଛି ‘‘ରାଜ୍ୟଂ ନିନ୍ଦ୍ୟମରାଜକଂ’’ ଅର୍ଥାତ୍‌ ଅରାଜକ ରାଜ୍ୟ ନିନ୍ଦନୀୟ ଅଟେ । ସେପରି ଦେଶରେ ବାସ କରିବା ବହୁ ନିନ୍ଦନୀୟ ଅଟେ । ସେପରି ଦେଶରେ ବାସ କରିବା ବହୁ ଦୁଷ୍କୃତର ଫଳ ବୋଲି ପ୍ରାଚୀନ ଶାସ୍ତ୍ରକାରମାନେ କହନ୍ତି । ସେନାପତି ଅଭାବରେ ସୈନ୍ୟମାନଙ୍କର ଯେପରି ଘୋର ଦୁର୍ଦ୍ଦଶା ଉପସ୍ଥିତ ହୁଏ, କର୍ଣ୍ଣଧାର ଅଭାବରେ ନୌକାରୋହୀମାନଙ୍କର ଯେପରି ଯନ୍ତ୍ରଣାର ସୀମା ରହେ ନାହିଁ, ସେହିପରି ଶାସନକର୍ତ୍ତାଙ୍କର ଅଭାବରେ ରାଜ୍ୟର ଅର୍ଥାତ୍‌ ବହୁସଂଖ୍ୟକ ପରିବାରଙ୍କର ଦୁଃଖର ଇୟତ୍ତା ରହେ ନାହିଁ । ରାଜା କେଉଁ ଉନ୍ନତ ସୋପାନରେ ଅଧିରୂଢ଼ ଓ ତାହାଙ୍କର କର୍ତ୍ତୃତ୍ୱ କିପରି ମହତ୍ତର, ତାହା ସହଜରେ ଅନୁମେୟ । ରାଜାଙ୍କ ପ୍ରତି ଉପଯୁକ୍ତ ଭକ୍ତି ପ୍ରଦର୍ଶନ କରିବା ପ୍ରତ୍ୟେକ ପ୍ରଜାର ପ୍ରଧାନ କର୍ତ୍ତବ୍ୟ, ଏହା କହିବା ପୁନରୁକ୍ତି ମାତ୍ର । ସେହିହେତୁରୁ ପ୍ରାଚୀନ ଶାସ୍ତ୍ରକାରଗଣ ରାଜାଙ୍କୁ ସାଧାରଣ ମାନବ ବୋଲି ସ୍ୱୀକାର କରି ନାହାନ୍ତି । ସେମାନେ କହନ୍ତି, ରାଜା ଏକ ଦେବତାବିଶେଷ । ମହର୍ଷି ମନୁ କହି ଅଛନ୍ତି, ‘‘ମହତୀ ଦେବତା ହ୍ୟେଷା ନରରୂପେଣ ତିଷ୍ଠତି’’ । ଅର୍ଥାତ୍‌ ଏକ ପ୍ରଧାନ ଦେବତା ନରରୂପରେ ଜଗତରେ ଉପସ୍ଥିତ ହୋଇଅଛନ୍ତି । ଜଗବାନ୍‌ ଶ୍ରୀକୃଷ୍ଣ ପ୍ରଚାର କରିଅଛନ୍ତି, ‘‘ନରାଣାଂ ଚ ନରାଧିପଂ’’ ଅର୍ଥାତ୍‌ ସ୍ୱୟଂ ଜଗଦୀଶ୍ୱର ରାଜା ରୂପରେ ମନୁଷ୍ୟସମାଜରେ ଉପସ୍ଥିତ ହୁଅନ୍ତି । ଉଲ୍ଲିଖିତ ଉକ୍ତିମାନଙ୍କରୁ ପ୍ରମାଣ ମିଳୁଅଛି ଯେ, ରାଜା ପ୍ରତ୍ୟେକ ପ୍ରଜାର ସର୍ବତୋଭାବରେ ପୂଜାର୍ହ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

ରାଜାମାନଙ୍କ ମଧ୍ୟରେ ଶ୍ରେଣୀଭାଗ ଅଛି । ଅନେକ ରାଜା ପ୍ରଜାମାନଙ୍କର ସମ୍ପୂର୍ଣ୍ଣ ଶୁଭାକାଂକ୍ଷୀ ଓ ଉତ୍କୃଷ୍ଟଶାସନକର୍ତ୍ତା ଅଟନ୍ତି । ଅନ୍ୟ ଏକ ଶ୍ରେଣୀ ରାଜା ଅଛନ୍ତି, ସେମାନେ ପ୍ରାପ୍ତ ଅଧିକାରର ସଦ୍‌ବ୍ୟବହାର କରି ଜାଣନ୍ତି ନାହିଁ । ସୁତରାଂ ଦୁର୍ଜନ ଓ ସ୍ୱେଚ୍ଛାଚାରୀ ରାଜା ବୋଲି ପରିଚିତ ହୁଅନ୍ତି । ସେମାନଙ୍କର କୁଶାସନରେ ପ୍ରଜାମାନେ ଅତ୍ୟନ୍ତ ଉତ୍ପୀଡ଼ିତ ହୋଇ ନାନାପ୍ରକାର ଭାବରେ ବିଦ୍ରୋହାଚରଣ କରିବାକୁ ବାଧ୍ୟ ହୁଅନ୍ତି । ଫଳତଃ ରାଜା ଶାନ୍ତିର ସହିତ କାଳାତିପାତ କରିପାରନ୍ତି ନାହିଁ । ରାଜ୍ୟରେ ନାନାବିଧ ଛିଦ୍ରର ଉଦ୍ଭବ ହୁଏ । ସୁତରାଂ ଶତ୍ରୁଗଣ ରାଜ୍ୟ ଆକ୍ରମଣ କରି ରାଜ୍ୟେଶ୍ୱରଙ୍କୁ ଅତୀବ ଉତ୍ପୀଡ଼ିତ କରନ୍ତି । ସେହି ହେତୁରୁ ଉକ୍ତି ଅଛି ‘‘ଛିଦ୍ରେଷ୍ୱନର୍ଥା ବହୁଳୀଭବନ୍ତି’’ ଅର୍ଥାତ୍‌ ଛିଦ୍ର ପାଇଲେ ଅନର୍ଥ ବହୁଳ ପରିମାଣରେ ବଢ଼େ । ପରିଶେଷରେ ରାଜା ପୁନଃ ପୁନଃ ଆକ୍ରାନ୍ତ ହୋଇ ରାଜଶ୍ରୀଚ୍ୟୁତ ହେବାକୁ ବାଧ୍ୟ ହୁଅନ୍ତି । ଏହାର ସତ୍ୟତା ଇତିହାସ ମୁକ୍ତକଣ୍ଠରେ ଗାନ କରୁଅଛି । ପ୍ରଜାପାଳକ ସୁରାଜାସମୂହ ସୁକୌଶଳରେ ସମସ୍ତ ପ୍ରଜାଙ୍କୁ ବଶୀଭୂତ କରି ରାଜ୍ୟର ଛିଦ୍ରକୁ ଦୃଢ଼ଭାବରେ ବନ୍ଦ କରନ୍ତି । ସୁତରାଂ ଶତ୍ରୁମାନେ ପ୍ରବେଶପଥ ନ ପାଇ ହୃଦୟରେ ଦୁରଭିସନ୍ଧି ପୋଷଣ କରିବାକୁ ସାହସୀ ହୁଅନ୍ତି ନାହିଁ । ଅତଏବ ସୁରାଜା ନିଷ୍କଣ୍ଟକଭାବରେ ରାଜଲକ୍ଷ୍ମୀଙ୍କୁ ବହୁକାଳ ସମ୍ଭୋଗ କରନ୍ତି । ଉଦାହରଣସ୍ୱରୂପ ଆମ୍ଭମାନଙ୍କର ବର୍ତ୍ତମାନ ସମ୍ରାଟଙ୍କୁ ଗ୍ରହଣ କରାଯାଇ ପାରେ । ସମ୍ରାଟ୍‌ ସୁଶାସନ ପ୍ରଭାବରେ ସୁରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠସ୍ଥାନ ଅଧିକାର କରିଅଛନ୍ତି । ସୁତରାଂ ଭାରତଲକ୍ଷ୍ମୀ ତାହାଙ୍କୁ ସମ୍ପୂର୍ଣ୍ଣ ଅନୁକୂଳା ହୋଇଅଛନ୍ତି ଓ ବହୁକାଳ ହୋଇଥିବେ । ତାହାଙ୍କର ସୁଶାସନରେ ଭାରତର କିପରି ଶ୍ରୀବୃଦ୍ଧି ସାଧିତ ହୋଇଅଛି ଓ ବର୍ତ୍ତମାନ ମଧ୍ୟ ହେଉଅଛି, ସେ ବିଷୟରେ ଇତିହାସ ଗମ୍ଭୀରସ୍ୱରରେ ସାକ୍ଷ ଦେଉଅଛି । ସୁତରାଂ ତାହାର ପୁନରୁକ୍ତି କରିବା ନିଷ୍ପ୍ରୟୋଜନ ଅଟେ । ଅତଏବ ତାହାଙ୍କୁ ନିରନ୍ତର ଭକ୍ତି ପ୍ରଦର୍ଶନ କରିବା ଓ କାୟମନୋବାକ୍ୟରେ ତାହାଙ୍କର ମଙ୍ଗଳ କାମନା କରିବା ସର୍ବତୋଭାବରେ ବିଧେୟ । ଶିଶୁମାନଙ୍କର ସୁକୋମଳ ହୃଦୟରେ ରାଜଭକ୍ତି ଦୃଢ଼ଭାବରେ ଅଙ୍କିତ ହେବା ବାଞ୍ଛନୀୟ । କାରଣ ଶିଶୁ ଅବସ୍ଥାରୁ ସମ୍ୟକ୍‌ ଯତ୍ନ ନ କଲେ କୌଣସି କାର୍ଯ୍ୟ ସୁଫଳପ୍ରଦ ହୁଏ ନାହିଁ । ଶିକ୍ଷକ ବିଦ୍ୟାଳୟରେ ଓ ପିତା ମାତା ଗୃହରେ ଶିଶୁମାନଙ୍କୁ ରାଜଭକ୍ତି ଶିକ୍ଷା ଦେବାପାଇଁ ଉତ୍ତମ ଯତ୍ନ କରନ୍ତୁ ଏତିକି ନିବେଦନ ।

 

(ଜୟ) ରାଜରାଜେଶ୍ୱର ଭାରତ-ଈଶ୍ୱର

ଜୟ ମା ଭାରତେଶ୍ୱରୀ ।

ରାଜଲକ୍ଷ୍ମୀ ସହ ରାଜ ଅହରହ

କରନ୍ତୁ କୃପା ଶଙ୍କରୀ ।

Image

 

ଇନ୍ଦ୍ରଜାଲ

 

ମାନବ ନିରନ୍ତର ଭ୍ରାନ୍ତ । ସେ ଅତୀତ କାର୍ଯ୍ୟରେ ସନ୍ଦେହାକୁଳ ହେବାକୁ ଅନୁକ୍ଷଣ ବ୍ୟସ୍ତ-। ଶାଶ୍ୱତ ବସ୍ତୁକୁ ନଶ୍ୱର ଓ ନଶ୍ୱର ବସ୍ତୁକୁ ଶାଶ୍ୱତ ବୋଲି ନିରୂପଣ କରିବା ତାହାର ପ୍ରକୃତି । ସେ ସ୍ୱକୀୟ ଭାବକୁ ଅତି ପଛରେ ରଖି ପରକୀୟ ପ୍ରକୃତି ସାହାଯ୍ୟରେ ସଂସାରକାର୍ଯ୍ୟ କରିବାକୁ ସତତ ଶ୍ରଦ୍ଧାନ୍ୱିତ । ଏପରି ବିକୃତି କାହିଁକି ଜନ୍ମି ଅଛି ? ଜଗତରେ ମାନବ ଶ୍ରେଷ୍ଠତମ ଜୀବ ହୋଇ କାହିଁକି ନିଜର ସ୍ୱାଭାବିକ ଶ୍ରେଷ୍ଠତାକୁ ସର୍ବତୋଭାବରେ ବିସ୍ମରଣ କରୁଅଛି ? ଏହିପରି ପ୍ରଶ୍ନର ଉତ୍ତରରେ ଆମ୍ଭେମାନେ କହିପାରୁଁ ଇନ୍ଦ୍ରଜାଲ ବିଦ୍ୟା ସମସ୍ତ ବିକାରର ହେତୁ । ଇନ୍ଦ୍ରଜାଲବିଦ୍ୟା ମାନବକୁ ଏପରି ଘନିଷ୍ଠଭାବରେ ବିମୋହିତ କରିଅଛି ଯେ, ତଦ୍ଦ୍ୱାରା ସେ ସମ୍ପୂର୍ଣ୍ଣ ହିତାହିତଜ୍ଞାନହୀନ ହୋଇ ପ୍ରକୃତକୁ ଅପ୍ରକୃତ ଓ ଅପ୍ରକୃତକୁ ପ୍ରକୃତ ବୋଲି ମଣିବାକୁ ବାଧ୍ୟ ହୋଇଅଛି । ତାହାହେଲେ ଇନ୍ଦ୍ରଜାଲର ପ୍ରକୃତ ଅର୍ଥ ନିରୂପଣ କରାଯାଉ । ଆମ୍ଭେମାନେ ସ୍ଥୂଳଦୃଷ୍ଟିରେ ଏହି ଅର୍ଥ ଦେଖୁଅଛୁଁ ଯେ, ଇନ୍ଦ୍ରଜାଲର ଅର୍ଥ ଇନ୍ଦ୍ରଙ୍କର ଜାଲ ଅର୍ଥାତ୍ ମାନବ-ସୃଷ୍ଟିକୁ ମୋହାଚ୍ଛନ୍ନ କରିବାପାଇଁ ଦେବଗଣ ନିଜର ଶକ୍ତିଦ୍ୱାରା ଏକ ଜାଲ ସୃଷ୍ଟିକରି ତନ୍ମଧ୍ୟରେ ମନୁଷ୍ୟକୁ ରଖିଅଛନ୍ତି । ସେହି ଜାଲକୁ ଭେଦ କରିବାକୁ ଅକ୍ଷମ ହୋଇ ମାନବ ପ୍ରତିପଦାର୍ଥର ଯଥାର୍ଥ ଅର୍ଥ ନିରୂପଣ କରିପାରୁ ନାହିଁ । ମନେ ହୁଏ ଦେବଗଣ ଏପରି କରିବାର କାରଣ ଏହି ଯେ, ସଂସାର ଏକ ଶିକ୍ଷା କ୍ଷେତ୍ର । ମାନବ କେବଳ ଆମୋଦ ପ୍ରମୋଦପାଇଁ ଏଠାକୁ ଆସି ନାହିଁ । ମନୁଷ୍ୟକୁ ଦିନରାତି ବହୁବିଧ ବିଷୟରେ ପରୀକ୍ଷା କରାଯାଉ ଅଛି । ଯେଉଁମାନେ ଉନ୍ନତ ସ୍ଥାନରେ ଅଛନ୍ତି, ସେମାନେ ପରୀକ୍ଷକ ହେବା ଉପଯୁକ୍ତ । ସୁତରାଂ ମାନବକୁ ପରୀକ୍ଷା କରିବାପାଇଁ ଦେବଗଣ ସମ୍ପୂର୍ଣ୍ଣ ଯୋଗ୍ୟ ସନ୍ଦେହ ନାହିଁ । ସେହି ପରୀକ୍ଷାପାଇ କେବଳ ଇନ୍ଦ୍ରଜାଲବିଦ୍ୟା ସୃଷ୍ଟ ହୋଇଅଛି । ପରୀକ୍ଷାରେ ଯେଉଁମାନେ ସେହି ଜାଲକୁ ଭେଦ ନ କରି ଅକୃତକାର୍ଯ୍ୟ ହୁଅନ୍ତି, ସେମାନେ ମନୁଷ୍ୟ ନାମର ଅଯୋଗ୍ୟ । ଯେପରି ବିଦ୍ୟାଳୟରେ ଅନେକ ଛାତ୍ର ଅଧ୍ୟୟନ କରନ୍ତି, ଏକ ଶିକ୍ଷକ ଏକ ସ୍ଥାନରେ ସମସ୍ତ ଛାତ୍ରଙ୍କୁ ନାନାପ୍ରକାର ଉପଦେଶ ଦେଉଅଛନ୍ତି, ତଥାପି ପରୀକ୍ଷା ସମୟରେ ଏପରି ଏକ ଶକ୍ତି ଗୂଢ଼ଭାବରେ କାର୍ଯ୍ୟ କରେ ଯେ ତଦ୍ଦ୍ୱାରା ଅଧୀତ ବିଷୟରେ ମଧ୍ୟ ବହୁତ ଲକ୍ଷ୍ୟଭ୍ରଷ୍ଟ ଛାତ୍ର ଭ୍ରାନ୍ତ ହୋଇ ବିଫଳମନୋରଥ ହୁଅନ୍ତି ଓ କେତେକ ଛାତ୍ର କୃତକାର୍ଯ୍ୟ ହୋଇ ଉତ୍ତରୋତ୍ତର ଉନ୍ନତି ଲାଭ କରୁଅଛନ୍ତି । ସେହିପରି ପ୍ରତି ମାନବ ହୃଦୟରେ ବିଧାତା ସ୍ନେହ, ଦୟା ଓ ତିତିକ୍ଷା ପ୍ରଭୃତି ମାନବୀୟ ଭାବ ସଙ୍ଗେ ଅହଙ୍କାର ଓ କ୍ରୂରତା ପ୍ରଭୃତି ଆସୁର ଭାବମାନ ସଂଯୁକ୍ତ କରି ନିତ୍ୟ ବହୁ ଖେଳ ଦେଖାଉଅଛନ୍ତି । ଯେଉଁ ମାନବ ନିଜର ଭାବଦ୍ୱାରା ପରିଚାଳିତ ହେଉଅଛନ୍ତି ସେ ଅଭ୍ରାନ୍ତଭାବରେ କାର୍ଯ୍ୟ କରି ଇନ୍ଦ୍ରଜାଲ ଶକ୍ତିକୁ ଅତିକ୍ରମ କରୁଅଛନ୍ତି ଏବଂ ଯେଉଁମାନେ ଅସୁରଭାବରେ ଚଳୁଅଛନ୍ତି, ସେମାନେ ସର୍ବଦା ଉକ୍ତ ଜାଲରେ ଆବଦ୍ଧ ହୋଇ ଶେଷରେ ସମ୍ପୂର୍ଣ୍ଣ ଅଧୋଗତ ହେଉଅଛନ୍ତି ।

 

ଇନ୍ଦ୍ରଜାଲବିଦ୍ୟାର ଅପର ନାମ କୁହକ ବିଦ୍ୟା । ଆମ୍ଭେମାନେ ଅନେକ ସ୍ଥଳରେ କୁହକ କ୍ରୀଡ଼ା ଦେଖି ଚମତ୍କୃତ ହେଉଅଛୁଁ ଏବଂ ଅସତ୍ୟ ପଦାର୍ଥକୁ ସତ୍ୟ ବୋଲି ମାନିବାକୁ ବାଧ୍ୟ ହେଉଅଛୁଁ-। ଐନ୍ଦ୍ରଜାଲିକ ବାଜୀକର ତାହାର ସେହି ଗୂଢ଼ ଶକ୍ତିଦ୍ୱାରା ଅଦ୍ଭୁତ ଖେଳମାନ ପ୍ରଦର୍ଶନପୂର୍ବକ ଦର୍ଶକକୁ ଅତ୍ୟନ୍ତ ମୋହିତ କରୁଅଛି । ନିଜର ଗଳାରେ ତୀକ୍ଷ୍ଣଛୁରିକା ବିଦ୍ଧ କରି ମୃତକଳ୍ପ ହେଉଅଛି ଓ କିଛିକ୍ଷଣ ପରେ ପୁନରପି ଜୀବିତ ହେଉଅଛି । ଦର୍ଶକମଣ୍ଡଳୀ ତାହା ଦେଖି ବିସ୍ମୟାନ୍ୱିତ ହୁଅନ୍ତି ସତ୍ୟ, ମାତ୍ର କାରଣ ନିର୍ଣ୍ଣୟ କରିବାକୁ ଯତ୍ନ କରନ୍ତି ନାହିଁ । ଶେଷରେ ବାଜୀକରକୁ ଉତ୍ତମ ଶକ୍ତିସମ୍ପନ୍ନ ବୋଲି ବହୁ ପ୍ରଶଂସା କରି ପରିତୁଷ୍ଟ ହୁଅନ୍ତି । ସେପରି ଦର୍ଶକ ଯଥାର୍ଥ ଭାବରେ କ୍ରୀଡ଼ା ଦେଖନ୍ତି ନାହିଁ । ସେମାନେ କେବଳ ଉପରର ତାମସାକୁ ଦେଖି ମତ ପ୍ରକାଶ କରନ୍ତି । ଆଉ ଏକ ଶ୍ରେଣୀର ଦର୍ଶକ ଅଛନ୍ତି ସେମାନେ କ୍ରୀଡ଼ାର ପ୍ରକୃତ ମୂଳ ନିରୂପଣ ନ କରି କେବଳ ବାଜୀକରକୁ ପ୍ରଶଂସା କରି ଆଶ୍ୱସ୍ତ ହୁଅନ୍ତି ନାହିଁ । ସେମାନେ ବହୁ ପରିଶ୍ରମ କରି ବାଜୀକରର ଶକ୍ତିକୁ ପାଇବାକୁ ଦୃଢ଼ସଂକଳ୍ପ ହୁଅନ୍ତି । ଦ୍ୱିତୀୟ ଶ୍ରେଣୀର ଦର୍ଶକ ପ୍ରକୃତ ଦର୍ଶକ ନାମରେ ଅଭିହିତ ଓ ସେହିମାନେ ମହାତ୍ମା । ସେହିମାନଙ୍କର ସାଧନା ବଳରେ ଆମ୍ଭେମାନେ ସମ୍ପ୍ରତି ଇନ୍ଦ୍ରଜାଲଶକ୍ତିକୁ ବୁଝୁଅଛୁଁ । ଯଥାର୍ଥରେ ସେହି ଶକ୍ତିଦ୍ୱାରା ଦର୍ଶକର ନୟନ ବିକାରଗ୍ରସ୍ତ ହୋଇ ଅପ୍ରକୃତକୁ ପ୍ରକୃତ ବୋଲି ଭାବି ବିସ୍ମିତ ହେଉଅଛି । କିପରି ଅବସ୍ଥାରେ ଲୋକ ପ୍ରକୃତ ଦର୍ଶକ ବୋଲି କଥିତ ହେବ, ତାହା ଦେଖାଯାଉ । କୌଣସି ରଙ୍ଗମଞ୍ଚରେ ‘‘ବିଲ୍ୱମଙ୍ଗଳ ନାଟକ’’ ଅଭିନୀତ ହେଉଅଛି । ଦର୍ଶକମାନେ ଅଭିନେତାଙ୍କର ବେଶ ଓ ବ୍ୟବହାର ଦେଖି ଘଟନାକୁ ସମ୍ପୂର୍ଣ୍ଣ ପ୍ରତ୍ୟକ୍ଷସମ୍ଭୂତ ବୋଲି ମନେ କରନ୍ତି । ତଦ୍ଦ୍ୱାରା ସେମାନେ ସାତ୍ତ୍ୱିକ ଲକ୍ଷଣାକ୍ରାନ୍ତ ହୋଇ ମଧ୍ୟେ ମଧ୍ୟେ ହସନ୍ତି, ମଧ୍ୟେ ମଧ୍ୟେ କାନ୍ଦନ୍ତି ଓ ମଧ୍ୟେ ମଧ୍ୟେ ପୁଲକିତ ହୁଅନ୍ତି । ସୁତରାଂ ଏହା କି କୁହାଯାଇ ପାରେ ଯେ ବିଲ୍ୱମଙ୍ଗଳ ପ୍ରଭୃତି ମହାତ୍ମାମାନେ ଯଥାର୍ଥରେ ସେହି ରଙ୍ଗମଞ୍ଚରେ କ୍ରୀଡ଼ା କରୁଅଛନ୍ତି ? ତାହା କଦାପି ନୁହେ । ଦର୍ଶକ ଅଭିନୟ ଦେଖି ତନ୍ମୟ ହୋଇ ଅଭିନେତାମାନଙ୍କୁ ପ୍ରକୃତ ବିଲ୍ୱମଙ୍ଗଳ ଓ ଶ୍ରୀକୃଷ୍ଣ ବୋଲି ଭାବି ହସିବା, କାନ୍ଦିବା ପ୍ରଭୃତି ଉପସର୍ଗଗୁଡ଼ିକ ପ୍ରକାଶ କରୁଅଛି । ସେହି ଦର୍ଶକ ମଣ୍ଡଳୀରୁ କେହି ଯେବେ କୌଶଳରେ ରଙ୍ଗମଞ୍ଚର ଅଧ୍ୟକ୍ଷଙ୍କୁ ସ୍ୱାୟତ୍ତ କରି ବେଶରଚନା ମନ୍ଦିରରେ ବସି ଅଭିନେତାମାନଙ୍କର ସମସ୍ତ କାର୍ଯ୍ୟ ଉତ୍ତମରୂପେ ପର୍ଯ୍ୟବେକ୍ଷଣ କରେ, ତେବେ ସେ କଦାପି ଅଭିନେତାମାନଙ୍କୁ ପ୍ରକୃତ ବିଲ୍ୱମଙ୍ଗଳ ଭାବି ବାହାରେ ସାତ୍ତ୍ୱିକ ଲକ୍ଷଣ ପ୍ରକାଶପୂର୍ବକ ଅଭିନୟ ପରେ ପୁନରପି ଭାବାନ୍ତରଜଡ଼ିତ ହେବ ନାହିଁ । ସେ ଦର୍ଶକ ଜଣେ ଲୋକର ବହୁବିଧ ମୂର୍ତ୍ତି ଦେଖି ବୈରାଗ୍ୟଦ୍ୱାରା ହୃଦୟକୁ ପରିବର୍ତ୍ତନ କରିବ । ପରିଶେଷରେ ଇନ୍ଦ୍ରଜାଲରୁ ମଧ୍ୟ ମୁକ୍ତି ଲାଭ କରିବ । ରଙ୍ଗମଞ୍ଚର ଅଧ୍ୟକ୍ଷଙ୍କ ନିକଟରେ ବସି ଅଭିନୟ ଦେଖିବାଲୋକ ପ୍ରକୃତ ଦର୍ଶକ । ଯେଉଁମାନେ ରଙ୍ଗମଞ୍ଚରେ ବସି ଅଭିନୟ ଦେଖନ୍ତି, ସେମାନେ ଇନ୍ଦ୍ରଜାଲ ଦ୍ୱାରା ଆବଦ୍ଧ ହୋଇ ଅପ୍ରକୃତରେ ପ୍ରକୃତତ୍ୱ ଆରୋପ କରିବାକୁ ବାଧ୍ୟ ହୁଅନ୍ତି । ସେହିପରି ଯେଉଁ ଦର୍ଶକ ସାଧନାଦ୍ୱାରା ଐନ୍ଦ୍ରଜାଲିକ ବାଜୀକରର ଶକ୍ତି ଅର୍ଜନ କରି ପାରିବେ, ସେ କଦାପି ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହେବେ ନାହିଁ । କୁହୁକ କ୍ରୀଡ଼ା ଦେଖିବା ସମୟରେ ବାଜୀକର ଦୃଷ୍ଟରେ ଦେଖିଲେ ସମସ୍ତ ସନ୍ଦେହ ଦୂରୀଭୂତ ହେବ ଓ ପ୍ରକୃତ ତଥ୍ୟ ନିରୂପଣ କରି ହେବ । ଶେଷରେ ହୃଦୟରେ ଏହି ଭାବ ଜାଗ୍ରତ ହେବ ଯେ, ଇନ୍ଦ୍ରଜାଲ ଶକ୍ତି କେବଳ ଅସତ୍ୟଦ୍ୱାରା ପରିଚାଳିତ । ତାହା କଦାପି ସତ୍ୟ ଉପରେ ପ୍ରତିଷ୍ଠିତ ନୁହେ-

 

ସଂସାର ଏକ ରଙ୍ଗଭୂମି । ଇନ୍ଦ୍ରଜାଲ ଶକ୍ତିର ରୂପାନ୍ତର ମାୟା । ମାନବ ମାୟାବଦ୍ଧ ହୋଇ ସାରକୁ ଅସାର ଓ ଅସାରକୁ ସାର ବୋଲି ମଣୁଅଛି । ଜଗଦୀଶ୍ୱର ନିଜର ଇନ୍ଦ୍ରଜାଲଶକ୍ତି ଅର୍ଥାତ୍‌ ମାୟାଦ୍ୱାରା ଏହି ଜଗତରେ ଅହରହ ନାନାପ୍ରକାର ଅଭିନୟ ପ୍ରଦର୍ଶନ କରୁଅଛନ୍ତି । ସେହିହେତୁରୁ ଗୀତାରେ ଉଲ୍ଲେଖଅଛି–

 

‘‘ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି,

ଭାମୟନ୍‌ ସର୍ବଭୂତାନି ଯନ୍ତ୍ରାରୂଢ଼ାନି ମାୟୟା ।’’

 

ଯେଉଁ ଦର୍ଶକ ସେହି ମାୟା ଆବରଣ ମଧ୍ୟରେ ଅର୍ଥାତ୍‌ ସଂସାର ରଙ୍ଗମଞ୍ଚରେ ବସି ଅଭିନୟ ଦେଖୁଅଛନ୍ତି, ସେ ଭ୍ରାନ୍ତିଗ୍ରସ୍ତ ହୋଇ ନଶ୍ୱର ବସ୍ତୁକୁ ଶାଶ୍ୱତ ଓ ନିତ୍ୟ ବୋଲି ମନେ କରି ଅତ୍ୟନ୍ତ ଆସକ୍ତ ହେଉଅଛନ୍ତି, କିନ୍ତୁ ଯେଉଁ ବ୍ୟକ୍ତି ପ୍ରକୃତ ପଥରେ ଚାଲି ମାୟାର ବାହାରେ ଅର୍ଥାତ୍‌ ସଂସାର ରଙ୍ଗମଞ୍ଚର ଅଧ୍ୟକ୍ଷଙ୍କ ନିକଟରେ ବସି ଅଭିନୟ ଦେଖିବେ, ସେ ଇନ୍ଦ୍ରଜାଲରୁ ମୁକ୍ତ ହୋଇ ଯଥାର୍ଥ ତତ୍ତ୍ୱ ନିରୂପଣ କରି ହୃଦୟରେ ଅକ୍ଷୟ ଶାନ୍ତି ଉପଲବ୍‌ଧି କରିବେ ସନ୍ଦେହ ନାହିଁ । ସଂସାର ଅଧ୍ୟକ୍ଷଙ୍କ ସମୀପରେ ଆସନ ଗ୍ରହଣ କରିବାକୁ ସଂସାରୀ ମାନବ କ୍ଷମ ନୁହେ ବୋଲି ହଠାତ୍‌ ମନେ ହୁଏ । ଗୀତାରେ ମଧ୍ୟ ଲେଖାଅଛି ‘‘ଯୋଗୀ ପରଂ ସ୍ଥାନ ମୁପୈତିଚାଦ୍ୟଂ’’ ଅର୍ଥାତ୍‌ ପରମ ଧାମ ଲାଭ କରିବାକୁ କେବଳ ଯୋଗୀ ସମର୍ଥ, ଅନ୍ୟ କେହି ନୁହନ୍ତି । ଏପରି ସ୍ଥଳେ ମନରେ ଜନ୍ମୁଅଛି ସଂସାର ସମ୍ୱନ୍ଧ ପରିତ୍ୟାଗ କରି ବନରେ ରହି ଯୋଗ ସାଧନ କରିବା ଉଚିତ । ସଂସାରରେ ସମ୍ୱଦ୍ଧ ହେଲେ କଦାପି ଆଶା ପୂରିବ ନାହିଁ ଓ ଇନ୍ଦ୍ରଜାଲ ଶକ୍ତିରୁ ମୁକ୍ତ ହୋଇ ପ୍ରକୃତ କଥା ନିରୂପଣ କରି ହେବ ନାହିଁ । ଆମ୍ଭେମାନେ କହୁଁ ସଂସାର କି ଜଗଦୀଶ୍ୱରଙ୍କର ଲୀଳାଭୂମି ନୁହେ, କେବଳ ପିଶାଚମାନଙ୍କର କ୍ରୀଡ଼ାକ୍ଷେତ୍ର ଅଟେ ? ତାହା ତ ନୁହେ ! ବନ ଓ ଭବନ ସର୍ବତ୍ର ସର୍ବବ୍ୟାପୀ ହରିଙ୍କର ରାଜ୍ୟ ଅଟେ । କୁତ୍ରାପି ପିଶାଚର କ୍ରୀଡ଼ା ନାହିଁ । ସର୍ବସ୍ଥଳରେ ପ୍ରକୃତ ତତ୍ତ୍ୱ ନିର୍ଣ୍ଣୟ କରାଯାଇ ପାରେ । ସଂସାର ପ୍ରତି ବିରକ୍ତି ଦେଖାଇବା ଉଚିତ ନୁହେ । ସଂସାର ଛାଡ଼ିବାର ଅର୍ଥ ସଂସାର ପ୍ରତି ଆସକ୍ତିକୁ ଛାଡ଼ିବା । ଯେଉଁ ବ୍ୟକ୍ତି ନିତ୍ୟ ସମ୍ପୂର୍ଣ୍ଣ ଅନାସକ୍ତ ଭାବରେ ସଂସାର କାର୍ଯ୍ୟ କରିବେ, ସେ ନିଶ୍ଚୟ ଦିନେ ଶାନ୍ତି ଲାଭ କରିବେ । ଏହି ଉପଲକ୍ଷରେ ଭଗବାନ୍‌ ଶ୍ରୀକୃଷ୍ଣ ଜଗତକୁ ଜଣାଇ ଅଛନ୍ତି, ମାନବର କେବଳ କର୍ମ୍ମ କରିବାପାଇଁ ଅଧିକାର ଅଛି, ମାତ୍ର ଫଳରେ ଅଧିକାର ନାହିଁ । ସମ୍ପୂର୍ଣ୍ଣ ଆସକ୍ତି-ଶୂନ୍ୟ ହୋଇ କର୍ତ୍ତବ୍ୟପାଳନ କରିବା ମାନବର ଧର୍ମ, ଅନ୍ୟଥା ପିଶାଚର କ୍ରୀଡ଼ା । ଆମ୍ଭେମାନେ ସେ ନିୟମ ପ୍ରତିପାଳନ ନ କରି ମନୁଷ୍ୟତ୍ୱ ହରାଉଅଛୁଁ ଏବଂ ଇନ୍ଦ୍ରଜାଲ ଶକ୍ତିରେ ମୁଗ୍ଧ ହୋଇ କେବଳ ଅସତ୍ୟ ଭୂମରେ ବିଚରଣ କରୁଅଛୁଁ ।

 

ଯେଉଁ ଯେଉଁ ନିୟମରେ କାର୍ଯ୍ୟ କଲେ ସଂସାରୀ ମାନବ ଇନ୍ଦ୍ରଜାଲରୁ ମୁକ୍ତ ହୋଇ ସତ୍ୟ ଭୂମିରେ ଦଣ୍ଡାୟମାନ ହେବ, ତତ୍‌ସମ୍ୱନ୍ଧରେ ମହର୍ଷି ବଶିଷ୍ଠ ଶ୍ରୀରାମଚନ୍ଦ୍ରଙ୍କୁ କେତେଗୋଟି ଉପଦେଶ ଦେଇଅଛନ୍ତି । ସେହି ଉପଦେଶ ପାଳନ କଲେ ମାନବ ସାର୍ଥକନାମା ହେବ ସନ୍ଦେହ ନାହିଁ । ଯଥା–

 

 

‘‘ଅନ୍ତଃ ସନ୍ତ୍ୟକ୍ତସର୍ବାଶୋ ବୀତରାଗୋ ବିବାସନଃ,

ବହିଃ ସର୍ବସମାଚାରୋ ଲୋଳେ ବିହର ରାଘବ ।

ବହିଃ କୃତ୍ରିମ ସଂରମ୍ଭୋ ହୃଦି ସଂରମ୍ଭ ବର୍ଜିତଃ,

କର୍ତ୍ତା ବହିରକର୍ତ୍ତାନ୍ତ ର୍ଲୋକେ ବିହର ରାଘବ ।।

ତ୍ୟକ୍ତ୍ୱାହଂ କୃତିମାଶ୍ୱସ୍ତମତିରାକାଶଶୋଭନଃ,

ଅଗୃହୀତକଳଙ୍କାଙ୍କୋ ଲୋକେ ବିହର ରାଘବ ।’’

 

ଅର୍ଥାତ୍‌ ହେ ରାଘବ ! ମନ ମଧ୍ୟରୁ ସମସ୍ତ ଆଶା, ଆସକ୍ତି ଓ କାମନା ପରିତ୍ୟାଗ କରି ବାହାରେ ସମୁଦାୟ କାର୍ଯ୍ୟ କର । ମନମଧ୍ୟରେ ରୋଷଶୂନ୍ୟ ହୋଇ ବାହାରେ କୃତ୍ରିମ ରୋଷ ପ୍ରକାଶ କରି କର୍ତ୍ତାଭାବରେ ସବୁ କାର୍ଯ୍ୟ କର, କିନ୍ତୁ ହୃଦୟରେ ନିଜକୁ ସମ୍ପୂର୍ଣ୍ଣ ଅକର୍ତ୍ତା ବୋଲି ଭାବୁଥାଅ । ଅହଙ୍କାର ପରିତ୍ୟାଗ କରି ନିତ୍ୟ ପ୍ରଶାନ୍ତମନରେ ସଂସାରର ତାବତୀୟ କାର୍ଯ୍ୟ କର, ମାତ୍ର ଅନ୍ତଃକରଣକୁ କଳଙ୍କିତ କର ନାହିଁ । ଉକ୍ତ ଉପଦେଶ ଗୁଡ଼ିକ ବିଧିମତ ପ୍ରତିପାଳିତ ହେଲେ ସଂସାର-ତରୁ ଦିନେ ସୁଧାମୟ ଫଳ ପ୍ରଦାନ କରି ମାନବ ମନରେ ଅପୂର୍ବ ତୃପ୍ତିବିଧାନ କରିବ, ଏହା ନିଃସନ୍ଦେହ । କିନ୍ତୁ ଆମ୍ଭେମାନେ ପ୍ରକୃତ ପଥ ଭୁଲି ଇନ୍ଦ୍ରଜାଲରେ ବଦ୍ଧ ହୋଇ ଭବସିନ୍ଧୁର ଉତ୍ତାଳ ତରଙ୍ଗରେ ଉଜାଣି ଭାସୁଅଛୁଁ । ସୁତରାଂ ପଦେ ପଦେ ପ୍ରତିହତ ହୋଇ ଜୀବନକୁ ଅସାର ବୋଲି ଭାବି ହାହାକାର କରୁଅଛୁଁ । ମାନବଜୀବନ କଦାପି ଅସାର ନୁହେ, ତାହା ପରି ସାରମୟ ଜୀବନ ଜଗତରେ ଦ୍ୱିତୀୟ ନାହିଁ । ଆମ୍ଭେମାନେ ହତାଶ ହେବା କଦାପି ସଙ୍ଗତ ନୁହେ । ଆଶାର ଆଲୋକଦ୍ୱାରା ହୃଦୟରୁ ନୈରାଶ୍ୟ ତାମସକୁ ଦୂରୀଭୂତ କରିବା ଉଚିତ । ମହାତ୍ମାମାନଙ୍କୁ ଉଦାହରଣ ସ୍ୱରୂପ ଗ୍ରହଣ କରି ଇନ୍ଦ୍ରଜାଲର ଅଧିକାରରୁ ମୁକ୍ତି ଲାଭ କରିବା ଆବଶ୍ୟକ । ହୃଦୟକୁ ପ୍ରବୋଧ ଦେଇ କବି ଗାଇ ଅଛନ୍ତି; –

 

‘‘ରେ ହୃଦୟ ନ ହୁଅ କାତର,

 

ସଂସାରର ବିଡ଼ମ୍ୱନା ପାପସନ୍ତାପ ଯାତନା ଇତ୍ୟାଦି । ସମ୍ପ୍ରତି ପ୍ରକୃତ ପଥ ଅବଲମ୍ୱନୀୟ । ମାୟାର କବଳରୁ ଉଦ୍ଧାର ଲାଭ କରିବାକୁ ମାୟାବହିର୍ଭୂତ ଶ୍ରୀହରିଙ୍କୁ ଆଶ୍ରୟ କରିବା ଏକାନ୍ତ ବିଧେୟ । ମାନବର ହତାଶ ମନରେ ଆଶା ସଞ୍ଚାର କରିବା ପାଇଁ ଭଗବାନ୍‌ ଶ୍ରୀକୃଷ୍ଣ କହିଅଛନ୍ତି–‘‘ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ’’ ଅର୍ଥାତ୍‌ ମୋତେ ଯେ ହୃଦୟର ସହିତ ଆଶ୍ରୟ କରିବେ, ସେ ଏହି ମାୟାରୁ ଉଦ୍ଧାର ପାଇବେ । ହେ ମାନବ ! ସର୍ବଦା ଜଗଦୀଶ୍ୱରଙ୍କ ପ୍ରତି ଏକନିଷ୍ଠ ହୁଅ, ପ୍ରାଚୀନ ଋଷିମାନଙ୍କର ପଥ ଅନୁସରଣ କର, ତେବେ ସ୍ଥିରଭାବରେ ବୁଝିବ ଯେ, ଜଗତର ଲୀଳା କେବଳ ଇନ୍ଦ୍ରଜାଲ ଶକ୍ତିରେ ପରିଚାଳିତ । ତାହା କଦାପି ସତ୍ୟ ଭିତ୍ତି ଉପରେ ଦଣ୍ଡାୟମାନ ନୁହେ । ଅସତ୍ୟ ଭିତ୍ତି ଶୂନ୍ୟରେ ନିର୍ମିତ ମନ୍ଦିର ପରି ସମ୍ପୂର୍ଣ୍ଣ କାଳ୍ପନିକ । ସୁତରାଂ ଅତି ଅସାର ଓ ଅତି ତୁଚ୍ଛ ।

Image

 

Unknown

ଭାଗ୍ୟ ଓ କର୍ମ

 

ସବୁ ସମୟରେ ଓ ସବୁ ସ୍ଥାନରେ ଜୀବସମାଜରେ ବହୁ ପ୍ରଭେଦ ପରିଲକ୍ଷିତ ହେଉଅଛି-। ମାନବସମାଜରେ କେହି କେହି ରାଜପ୍ରାସାଦରେ ବାସକରି ଅହରହ ନାନାବିଧ ଆମୋଦ ପ୍ରମୋଦରେ ମାତୁଅଛନ୍ତି ଓ ଅନ୍ୟ କେହି ନିରନ୍ନଭାବରେ ଜୀବନ ଯାପନ କରି ହାହାକାର ଧ୍ୱନିରେ ବଦାନ୍ୟ ବ୍ୟକ୍ତିଙ୍କର ହୃଦୟ କନ୍ଦରକୁ ପ୍ରତିଧ୍ୱନିତ କରୁଅଛନ୍ତି । ଇତର ଜୀବସମାଜରେ ମଧ୍ୟ କୌଣସି କୌଣସି ଜୀବ ନିଜ ପ୍ରାକୃତିକ କ୍ଷେତ୍ରରେ ସ୍ୱାଧୀନ ଭାବରେ ବିଚରଣ କରି ମନରେ ଅପୂର୍ବ ଶାନ୍ତି ଅନୁଭବ କରୁଅଛନ୍ତି ଓ ଅନ୍ୟ କେତେକ ମନୁଷ୍ୟହସ୍ତରେ ଆବଦ୍ଧ ରହି ସମସ୍ତ ସ୍ୱଚ୍ଛନ୍ଦତା ହରାଇଅଛନ୍ତି ଏବଂ କ୍ରୀଡ଼ନକଭାବରେ କାର୍ଯ୍ୟ କରି ନିତ୍ୟ ପରାନ୍ନ-ଭୋଜନରେ ମ୍ରିୟମାଣ ହେଉଅଛନ୍ତି । ଏପରି ପରିବର୍ତ୍ତନ କାହିଁକି ପରିଲକ୍ଷିତ ହେଉଅଛି ? ଏହାର ଉତ୍ତରରେ ବିଜ୍ଞବ୍ୟକ୍ତିଗଣ କହିଅଛନ୍ତି ଯେ, ମାନବଶରୀର ଏକ ଉପାଦାନରେ ଗଠିତ । ଶରୀରକୁ ବିଶ୍ଳେଷଣ କଲେ ଦେଖାଯାଏ, ରକ୍ତ, ମାଂସ ଓ ଶିରା ପ୍ରଭୃତି ଉପକରଣମାନ ତହିଁରେ ଏକଭାବରେ ସନ୍ନିବିଷ୍ଟ-। କିନ୍ତୁ ପ୍ରତି ଶରୀରରେ ବିଭିନ୍ନ ଶକ୍ତି ବିଶିଷ୍ଟ ଗୋଟିଏ ଅପାର୍ଥିବ ପଦାର୍ଥ ପ୍ରଚ୍ଛନ୍ନଭାବରେ ରହି ନାନାପ୍ରକାର ତାରତମ୍ୟ ଜନ୍ମାଉଅଛି । ସେହି ଅପାର୍ଥିବ ପଦାର୍ଥର ନାମ ଭାଗ୍ୟ-। ଭାଗ୍ୟ ପୃଥକ୍‌ ନ ହେଲେ ଏକ ଉପାଦାନବିଶିଷ୍ଟ ଜୀବ କଦାପି ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ସ୍ୱାସ୍ଥ୍ୟ ପ୍ରଭୃତିରେ ପରିବର୍ତ୍ତନ ଭୋଗ କରନ୍ତେ ନାହିଁ । ସଂସାରରେ ସମସ୍ତେ ଏକ ଭାବରେ ନିଜ ନିଜ କର୍ତ୍ତବ୍ୟ ପାଳନ କରନ୍ତେ । ଜୀବ ଉପରେ ଭାଗ୍ୟର କର୍ତ୍ତୃତ୍ୱ ଅତି ଅଧିକ ଅଟେ । ସମ୍ପ୍ରତି ଭାଗ୍ୟର ପ୍ରକୃତ ମର୍ମ୍ମ ନିରୂପଣ କରାଯାଉ । ମହାତ୍ମାବର୍ଗ ପ୍ରକାଶ କରିଅଛନ୍ତି ଯେ, ଭାଗ୍ୟର ଅର୍ଥ ଜନ୍ମାନ୍ତରୀଣ କର୍ମ, ଅର୍ଥାତ୍‌ ଜୀବଗଣ ଏହି ଭୂମଣ୍ଡଳକୁ ଆସିବା ପୂର୍ବରୁ ଯେଉଁ କାର୍ଯ୍ୟମାନ କରୁଥିଲେ, ତାହାର ଫଳ ଭାଗ୍ୟରୂପରେ ଉପସ୍ଥିତ ଦେହରେ କାର୍ଯ୍ୟ କରୁଅଛି । ଇହ ଜଗତରେ ଜୀବ ଯେଉଁ କାର୍ଯ୍ୟ କରୁଅଛି, ତାହାର ଫଳ ପର ସଂସାରରେ ଅର୍ଥାତ୍‌ ମୃତ୍ୟୁର ପରବର୍ତ୍ତୀ ଅବସ୍ଥାରେ ଭାଗ୍ୟରୂପରେ ଭାବିଜୀବନକୁ ପରିଚାଳିତ କରିବ । ସେହିହେତୁରୁ ପ୍ରବାଦ ଅଛି, ‘‘ଦଇବ ଦଉଡ଼ି ମନୁଷ୍ୟ ଗାଈ, ଯେଣିକି ଟାଣିବ ତେଣିକି ଯାଇ-।’’ ଭାଗ୍ୟ ଯେଉଁ ଦିଗକୁ ଟାଣୁଅଛି, ମାନବ ସେହି ଦିଗକୁ ଯିବାପାଇଁ ବାଧ୍ୟ ହେଉଅଛି । ଭାଗ୍ୟର ବଳାବଳ ଉପରେ ମନୁଷ୍ୟର ସର୍ବବିଧ ସୁଖ, ଦୁଃଖ ନିର୍ଭର କରେ । ଭାଗ୍ୟବଳ ନ ଥିଲେ ମନୁଷ୍ୟର ସୁଖ-ଆଶା ବିଡ଼ମ୍ୱନା ମାତ୍ର । ଜ୍ୟୋତିଷ ଗ୍ରନ୍ଥରେ ଗର୍ଗ ଆଦି ମହର୍ଷିଗଣ ପ୍ରଚାର କରିଅଛନ୍ତି, ‘‘ପୁଣ୍ୟାଧିପଃ ପୁଣ୍ୟନିଧାନସଂ ସ୍ଥଃ ରତ୍ନାଞ୍ଜଳିଃ ସ୍ୟାନ୍‌ ନୃପ ଏଷ ଯୋଗଃ’’ ଇତ୍ୟାଦି, ଅର୍ଥାତ୍‌ ଶିଶୁର ଜନ୍ମ ସମୟରେ ଧର୍ମ୍ମୋଧିପତି ନିଜକ୍ଷେତ୍ରରେ ରହିଲେ ରତ୍ନାଞ୍ଜଳି ନାମକ ରାଜଯୋଗ ହୁଏ । ତଦ୍ଦ୍ୱାରା ମାନବ ବହୁଭୋଗୀ, ଦୀର୍ଘାୟୁ, ଐଶ୍ୱର୍ଯ୍ୟଶାଳୀ, ଉତ୍ତମ ଭୃତ୍ୟସମ୍ପନ୍ନ ଓ ବିଖ୍ୟାତ ହୁଏ । ଭାଗ୍ୟକୁ ଧର୍ମ୍ମ ନାମରେ ପ୍ରାଚୀନ ଋଷିମାନେ ପ୍ରକାଶ କରିଅଛନ୍ତି । ଉକ୍ତ ଆର୍ଷ ବଚନରୁ ଆମ୍ଭେମାନେ ଜାଣୁଅଛୁଁ ଯେ, ମାନବଜୀବନରେ ଭାଗ୍ୟ ଅତି ପ୍ରବଳ ଭାବରେ କାର୍ଯ୍ୟ କରୁଅଛି । ଭାଗ୍ୟ ଦୁର୍ବଳ ହେଲେ ମାନବ କଦାପି ସୁଖ ଶାନ୍ତିରେ କାଳ ଯାପନ କରି ନ ପାରେ । ସେ ସମ୍ୱନ୍ଧରେ ସର୍ବାର୍ଥଚିନ୍ତାମଣି ନାମକ ଜ୍ୟୋତିଷ ଗ୍ରନ୍ଥରେ ଲେଖାଅଛି, ଶିଶୁର ଜନ୍ମ ସମୟରେ ଭାଗ୍ୟାଧିପତି ଶତ୍ରୁଗୃହରେ କିମ୍ୱା ନୀଚ କ୍ଷେତ୍ର ପ୍ରଭୃତିରେ ରହି ଶତ୍ରୁଗ୍ରହ ଓ ନୀଚ ଗ୍ରହଦ୍ୱାରା ଦୃଷ୍ଟ ହେଲେ ଲୋକ ଭାଗ୍ୟହୀନ ହୁଏ । ସୁତରାଂ ବୁଝା ଯାଉଅଛି, ଭାଗ୍ୟର ବଳ ହ୍ରାସ ହେଲେ ମନୁଷ୍ୟ କଦାପି ସୁଖ ଓ ସ୍ୱାସ୍ଥ୍ୟ ପ୍ରଭୃତି ପାଇ ନ ପାରେ ।

 

ଅତି ପ୍ରାଚୀନ କାଳରୁ ମହାତ୍ମାମାନେ ଭାଗ୍ୟର ବଳକୁ ସ୍ୱୀକାର କରୁଅଛନ୍ତି । ତତ୍‌ସମ୍ୱନ୍ଧରେ କେତେ ଗୋଟି ଉଦାହରଣ ଦେଖାଯାଉ । ନୀତି ପୁସ୍ତକରେ ଅଛି, ‘‘ଭାଗ୍ୟଂ ଫଳତି ସର୍ବତ୍ର ନ ବିଦ୍ୟା ନ ଚ ପୌରୁଷଂ ।’’ ଅର୍ଥାତ୍‌ ମନୁଷ୍ୟର ଭାଗ୍ୟ ସବୁ କାର୍ଯ୍ୟରେ ଅଗ୍ରସର ଅଟେ । ଭାଗ୍ୟ ଦୁର୍ବଳ ହେଲେ ବିଦ୍ୟା ଓ ପୁରୁଷପଣ କଦାପି ପୂର୍ଣ୍ଣ ସଫଳତା ଲାଭ କରେ ନାହିଁ । ମହର୍ଷି କଣ୍ୱ ନିଜ କନ୍ୟା ବିଷୟରେ ରାଜର୍ଷି ଦୁଷ୍ମନ୍ତଙ୍କୁ ସମ୍ୱାଦ ଦେଇ କହୁଅଛନ୍ତି;–

 

‘‘ସାମାନ୍ୟପ୍ରତିପତ୍ତିପୂର୍ବକମିୟଂ ଦାରେଷୁ ଦୃଶ୍ୟା ତ୍ୱୟା,

ଭାଗ୍ୟାଧୀନମତଃପରଂ ନ ଖଳୁ ତତ୍‌ ସ୍ତ୍ରୀବନ୍ଧୁଭିର୍ଯ୍ୟାଚ୍ୟତେ ।’’

 

ଅର୍ଥାତ୍‌ ହେ ରାଜନ୍‌ ! ତୁମ୍ଭେ ଶକୁନ୍ତଳାକୁ ତୁମ୍ଭର ଅନ୍ୟାନ୍ୟ ସ୍ତ୍ରୀମାନଙ୍କ ପରି ଆଦର କରିବ । ତୁମ୍ଭଠାରୁ ଅଧିକ ସମାଦର ଲାଭ କରିବା ତାହାର ଭାଗ୍ୟର ଅଧୀନ ଅଟେ । ସେ ବିଷୟରେ ଅନୁରୋଧ କରିବା ଆମ୍ଭମାନଙ୍କର ଉଚିତ ନୁହେ । ଇତ୍ୟାଦି ଉଦାହରଣରୁ ଆମ୍ଭେମାନେ ଦେଖୁଅଛୁଁ ଯେ, ସବୁ କାଳରେ ଭାଗ୍ୟକୁ ପ୍ରବଳ ସ୍ଥାନରେ ରଖା ହୋଇଅଛି । ଭାଗ୍ୟ ମାନବ ଶରୀରରେ ଅପରିହାର୍ଯ୍ୟଶକ୍ତିରୂପେ ବିଦ୍ୟମାନ । ମାନବ ଯାବଜ୍ଜୀବନ ଭାଗ୍ୟର ଅଧୀନତା ସ୍ୱୀକାର କରିବାକୁ ବାଧ୍ୟ ଅଟେ । ଏହା ବୋଲି କେବଳ ଭାଗ୍ୟ ଉପରେ ନିର୍ଭର କରି ଚେଷ୍ଟାହୀନ ହୋଇ ବସି ରହିବା ଉଚିତ ନୁହେ । କେହି କେହି ମନେ କରି ପାରନ୍ତି, ବୃଥା ପରିଶ୍ରମ କରିବା ଅନୁଚିତ । ଯେବେ ଭାଗ୍ୟ ପ୍ରବଳ ହୋଇଥିବ, ତେବେ ବିଦ୍ୟା, ଧନ ଓ ମାନ ପ୍ରଭୃତି ନିଜେ ନିଜେ ଆସି ପହଞ୍ଚିବ, ଯତ୍ନ କରିବା ଅନାବଶ୍ୟକ । ଏପରି ସ୍ଥଳରେ ଆମ୍ଭେମାନେ କହି ପାରୁଁ, ଭାଗ୍ୟର ଅପର ନାମ ଅଦୃଷ୍ଟ । ଭାଗ୍ୟକୁ କେହି କେବେ ଦେଖି ନାହାନ୍ତି କିମ୍ୱା ଦେଖି ପାରିବେ ନାହିଁ । ତାହା ମାନବଶରୀରରେ ଅତିଗୁପ୍ତଭାବରେ ବିରାଜିତ । କେବଳ କାର୍ଯ୍ୟଦ୍ୱାରା ଭାଗ୍ୟର ଶକ୍ତି ପ୍ରକାଶିତ ହୁଏ । ଅତଏବ ଘୋର ଅନ୍ଧକାର ମଧ୍ୟରେ ରହି ମାନବ ବାଳକ ଅବସ୍ଥାରୁ କର୍ତ୍ତବ୍ୟ ପାଳନରେ ବ୍ରତୀ ନ ହେଲେ କେବେହେଁ ଉପଯୁକ୍ତ ମନୁଷ୍ୟ ହୋଇ ନ ପାରେ । ସର୍ବଦା ଚେଷ୍ଟାହୀନ ହେଲେ ଭାଗ୍ୟର ଫଳ କଦାପି ପରିଜ୍ଞାତ ହେବ ନାହିଁ । ଆମ୍ଭମାନେ ଜାଣୁଁ ଯେ, ଶିଶୁକୁ ରୀତିମତ ଆହାର ନ ଯୋଗାଇଲେ ସେ ନିଜେ ଆହାର୍ଯ୍ୟ ପଦାର୍ଥ ନେଇ ନ ପାରି ବୃଦ୍ଧି ଲାଭ କରି ପାରିବ ନାହିଁ ଓ ତାହାର ଭାଗ୍ୟ କିପରି ଶକ୍ତିସମ୍ପନ୍ନ ତାହା ଜଣାଯିବ ନାହିଁ । ଯେବେ ଲୋକେ କହନ୍ତି, ଶିଶୁର ଭାଗ୍ୟରେ ଥିଲେ ସେ ନିଜେ ନିଜେ ଖାଇବ, ଆମ୍ଭେମାନେ କାହିଁକି ଆହାର ଯୋଗାଇବୁଁ । ସେ ଶ୍ରେଣୀର ଲୋକେ ବିକାରଗ୍ରସ୍ତ ବୋଲି କଥିତ ହେବେ । କାରଣ ଭାଗ୍ୟ ଗୋଟିଏ ଅବଲମ୍ୱନକୁ ନ ଧରିଲେ କଦାପି ତାହାର ଶକ୍ତି ପ୍ରକାଶ କରି ପାରିବ ନାହିଁ । ଯେବେ ଶିଶୁକୁ ଆହାର୍ଯ୍ୟ ପଦାର୍ଥ ଦିଆ ନ ଯାଏ, ତେବେ ତାହାର ଭାଗ୍ୟ କୌଣସି ଫଳ ପ୍ରକାଶ କରିବାକୁ ସୁବିଧା ନ ପାଇ ଶେଷରେ ମୃତ୍ୟୁକୁ ଧାବିତ ହେବ । ସେହିପରି ଆମ୍ଭେମାନେ ଯେବେ ଭାଗ୍ୟ ଉପରେ ଏକାନ୍ତ ନିର୍ଭର କରି ସମ୍ପୂର୍ଣ୍ଣ ନିଶ୍ଚେଷ୍ଟ ହେଉଁ, ଭାଗ୍ୟ ଅଜ୍ଞାତ ଭାବରେ ରହି ପରିଶେଷରେ ମୃତ୍ୟୁକୁ ଧାବିତ ହେବ । ଅଦୃଷ୍ଟକୁ ଜଗତରେ ପରିଦୃଷ୍ଟ କରିବା ପାଇଁ ସତତ କର୍ତ୍ତବ୍ୟ ପଥରେ ଚାଲିବା ଉଚିତ । ସେଥିପାଇଁ ନୀତିଶାସ୍ତ୍ରରେ ଲେଖାଅଛି, ‘‘ଉଦ୍‌ଯୋଗିନଂ ପୁରୁଷସିଂହମୁପୈତି ଲକ୍ଷ୍ମୀଃ, ଦୈବେନଦେୟମତି କାପୁରୁଷା ବଦନ୍ତି ।’’ ଯେଉଁ ଲୋକ ପ୍ରାଣପଣେ ଯତ୍ନ କରିବ, ସେ ନିଶ୍ଚେ ଲକ୍ଷ୍ମୀ ଲାଭ କରିବ । ଯେଉଁମାନେ ନିଶ୍ଚେଷ୍ଟ ଭାବରେ ରହି କହନ୍ତି, ଭାଗ୍ୟରେ ଥିଲେ ସୁଖ ପ୍ରଭୃତି ଲବ୍‌ଧ ହେବ, ଯତ୍ନ କରିବା ଅନାବଶ୍ୟକ; ସେମାନେ କାପୁରୁଷ ଅଟନ୍ତି । ଏହି ଉକ୍ତି ଧ୍ରୁବ ସତ୍ୟ । ଭାଗ୍ୟକୁ ବୁଝି ନ ପାରି ତାହା ଉପରେ ନିର୍ଭର କରି ଜଡ଼ୀଭୂତ ହେବା ଯୁକ୍ତି ସଙ୍ଗତ ନୁହେ । ଲୋକର କୁଳ ଶୀଳ ପ୍ରଭୃତି ନ ଜାଣି ତାହା ଉପରେ ବିଶ୍ୱାସ ସ୍ଥାପନ କରିବା ନିଶ୍ଚୟ ଆପଦର ଲକ୍ଷଣ । ନିଜର କର୍ତ୍ତବ୍ୟ ପାଳନରେ ଯଥାବିଧି ଯତ୍ନ କରି ଭାଗ୍ୟର ଫଳକୁ ପରୀକ୍ଷା କରିବା ସର୍ବତୋଭାବରେ ଉପଯୁକ୍ତ । ତାହା ପ୍ରକୃତ ମନୁଷ୍ୟତାର ପରିଚାୟକ ।

 

ଜନ୍ମାନ୍ତର ସଙ୍ଗେ ଭାଗ୍ୟର ସମ୍ୱନ୍ଧ ଅତି ଘନିଷ୍ଠ । ସୁତରାଂ ଭାଗ୍ୟକୁ ସ୍ୱୀକାର କରିବାକୁ ହେଲେ ଜନ୍ମାନ୍ତରକୁ ମଧ୍ୟ ମାନିବାକୁ ହେବ । ଯେଉଁ ଲୋକ କେବେ ମିଷ୍ଟରସ ଅନୁଭବ କରି ନାହିଁ, ସେ ଯେବେ ଶାସ୍ତ୍ରବିଧି ଅନୁସାରେ ଅଥବା ପ୍ରସିଦ୍ଧ ବ୍ୟକ୍ତିଙ୍କର କଥାନୁସାରେ ମିଷ୍ଟରସକୁ ସ୍ୱୀକାର କରେ, ତେବେ ମିଷ୍ଟ ପଦାର୍ଥ ଅଛି ବୋଲି ତାକୁ ନିଶ୍ଚୟ ସ୍ୱୀକାର କରିବାକୁ ହେବ । ସବୁ ସମାଜରେ ଭାଗ୍ୟର ନାମକରଣ ହୋଇଅଛି । ମୁସଲମାନଗଣ ଭାଗ୍ୟକୁ ‘ତଗଦିର’ ନାମ ଦେଇଅଛନ୍ତି । ଇଙ୍ଗ୍ରାଜୀରେ ଭାଗ୍ୟକୁ (fate) ବୋଲି କହନ୍ତି । ଜିନିସର କାରବାର ନ ଥିଲେ ତାହାର ନାମ ଭାଷାରେ କଦାପି ଦେଖାଯାନ୍ତା ନାହିଁ । ଭାଗ୍ୟ ସଙ୍ଗେ ଦୃଢ଼ସଂବଦ୍ଧ ବୋଲି ମହର୍ଷିଗଣ ଜନ୍ମାନ୍ତର ସମ୍ୱନ୍ଧରେ ବହୁତ ମତ ପ୍ରକାଶ କରିଅଛନ୍ତି । ପରମହଂସ ଶଙ୍କରାଚାର୍ଯ୍ୟ କହି ଅଛନ୍ତି, ଜୀବ ମରଣ ପରେ ପୁନରପି ମାତୃଗର୍ଭରେ ସ୍ଥାନ ପାଏ । ଭଗବଦ୍‌ଗୀତାରେ ଶ୍ରୀକୃଷ୍ଣ କହିଅଛନ୍ତି, ‘‘ଜାତସ୍ୟହି ଧ୍ରୁବୋମୃତ୍ୟୁଃ, ଧ୍ରୁବଂ ଜନ୍ମ ମୃତସ୍ୟ ଚ’’ ଅର୍ଥାତ୍‌ ଜୀବର ମୃତ୍ୟୁ ନିଶ୍ଚିତ ଓ ମୃତ ଲୋକର ଜନ୍ମ ନିଶ୍ଚିତ-। ମାନବ ଯେପରି ଶିଶୁ ଅବସ୍ଥାରୁ କ୍ରମେ କ୍ରମେ ଯୌବନ ଓ ଜରାବସ୍ଥା ଲାଭ କରେ, ସେହିପରି ଦେହାନ୍ତର ମଧ୍ୟ ପାଏ । ଉପସ୍ଥିତ ଦେହ ପରିତ୍ୟାଗ କଲେ ପୁନରପି ନୂତନ ଦେହ ଆଶ୍ରୟ କରେ । ପ୍ରତିଭାନ୍ୱିତ କବି କାଳିଦାସ ଲେଖିଅଛନ୍ତି, ‘‘ମନୋହି ଜନ୍ମାନ୍ତର ସଙ୍ଗତିଜ୍ଞଂ’’ ଅର୍ଥାତ୍‌ ମନୁଷ୍ୟର ମନ ଜନ୍ମାନ୍ତରୀଣ ମିଳନ ବୁଝିପାରେ । ଆମ୍ଭେମାନେ କେବେ କେବେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ଦେଖିଥିଲା ପରି ହଠାତ୍‌ ମନେକରୁଁ । ଜଣେ ଜଣେ ଲୋକଙ୍କ ମଧ୍ୟରେ ଏପରି ସଦ୍‌ଭାବ ଜନ୍ମେ ଯେ, ବହୁବିଘ୍ନ ସତ୍ତ୍ୱେ ତାହା ବିଦୂରିତ ହେବା ଅସମ୍ଭବ ହୁଏ । ଏପରି ସ୍ଥଳେ ଜନ୍ମାନ୍ତର ସମ୍ୱନ୍ଧ ବ୍ୟତୀତ ଅନ୍ୟ କାରଣ ନିରୂପଣ କରା ଯାଇ ନ ପାରେ । ସମ୍ପ୍ରତି ଆମ୍ଭେମାନେ କେବଳ ଅବିଦ୍ୟାଗ୍ରସ୍ତ ହୋଇ ଜନ୍ମାନ୍ତରକୁ ଅବିଶ୍ୱାସ କରିବାକୁ ବାଧ୍ୟ ହେଉଅଛୁଁ । ଅଧୁନାତନ ଚାରିବର୍ଷବ୍ୟାପୀ ସମରକୁ ଇତିହାସରେ ପାଠକଲେ ଆମ୍ଭମାନଙ୍କର ଏକଶତ ବର୍ଷ ପରବର୍ତ୍ତୀ ଲୋକେ ତାହାକୁ ସମ୍ପୂର୍ଣ୍ଣ କପୋଳକଳ୍ପିତ ବୋଲି ମନେ କରିବା କଦାପି ଅସମ୍ଭବ ନୁହେ । ନିରନ୍ତର ଚାରିବର୍ଷ ଯୁଦ୍ଧ ଚଳିବା ସତ୍ୟ ବୋଲି କେତେବେଳେ ମନରେ ଜନ୍ମିବ ନାହିଁ । ଏହା ବୋଲି କି ଆମ୍ଭେମାନେ ତାହାକୁ ମିଥ୍ୟା ବୋଲି କହିପାରୁଁ ? କଦାପି ନୁହେ । ବର୍ତ୍ତମାନ ପ୍ରମାଣ ଅଭାବରେ ଆମ୍ଭେମାନେ ଯାହାକୁ ଅସତ୍ୟ ବୋଲି ମଣୁଅଛୁଁ, ଅତି ପ୍ରାଚୀନ କାଳରେ ସିଦ୍ଧ ମହାତ୍ମାମାନେ କଠୋର ସାଧନାଦ୍ୱାରା ତାହାକୁ ଅବଧାରଣ କରିଥିବା କେଭେଁ ବିଚିତ୍ର ନୁହେ । ଜନ୍ମାନ୍ତର-ବିଶ୍ୱାସ ମାନବକୁ ସୁପଥରେ ପଥିକ କରେ ଓ ତାହାକୁ ସ୍ୱେଚ୍ଛାଚାରୀ ହେବାକୁ ପଦେ ପଦେ ନିଷେଧ କରେ-। ତାହା ସଦ୍‌ଜ୍ଞାନ ଅର୍ଜନ କରିବାର ଉତ୍ତମ ପନ୍ଥା ଅଟେ । ତହିଁରେ ଅବିଶ୍ୱାସୀ ହେବା ଜ୍ଞାନୀ ବ୍ୟକ୍ତିଙ୍କର ଉଚିତ ବୋଲି ବୋଧ ହେଉ ନାହିଁ । ସାଙ୍ଖ୍ୟାଚାର୍ଯ୍ୟ ପରଲୋକ ଅର୍ଥାତ୍‌ ଜନ୍ମାନ୍ତର ଅବିଶ୍ୱାସୀ ଜନଙ୍କୁ ଲକ୍ଷ୍ୟ କରି କହିଅଛନ୍ତି–

 

‘‘ପରଲୋକେଽପି ସନ୍ଦେହେ କୁର୍ଯ୍ୟୂଃ କର୍ମାଦି ମାନବାଃ,

ନାସ୍ତିଚେତ୍‌ ନ ହି ନୋ ହାନିରସ୍ତ ଚେତ୍‌ ନାସ୍ତିକୋ ହତଃ ।’’

 

ଅର୍ଥାତ୍‌ ପରଲୋକରେ ସନ୍ଦେହ ହେଲେ ମଧ୍ୟ ଇହଲୋକରେ ପାରଲୌକିକ କର୍ମ୍ମ କରିବା ଉଚିତ । ପରଲୋକ ନ ଥିଲେ କ୍ଷତି ନାହିଁ । ଯଦି ଥିବ ତେବେ ନିଶ୍ଚୟ ଫଳ ଲାଭ ହେବ । କିନ୍ତୁ ଯେଉଁ ଲୋକ ପରଲୋକ ନାହିଁ ବୋଲି ମନେ କରି ସ୍ୱେଚ୍ଛାଚାରୀ ହେବେ, ପରଲୋକ ଥିଲେ ସେମାନଙ୍କର ବିଶେଷ କ୍ଷତି ଓ କଷ୍ଟ ଜନ୍ମିବ ।

 

କାହିଁକି ଭାଗ୍ୟର ପରିବର୍ତ୍ତନ ଘଟୁଅଛି; ତତ୍‌ସମ୍ୱନ୍ଧରେ କିଛି ଆଲୋଚନା କରିବା ଉଚିତ-। ମହାତ୍ମାଗଣ ପ୍ରକାଶ କରିଅଛନ୍ତି, ଭାଗ୍ୟ କର୍ମ୍ମଦ୍ୱାରା ଗଠିତ । ଯେଉଁ ମାନେ ଯେପରି କର୍ମ୍ମ କରୁଅଛନ୍ତି, ସେମାନଙ୍କର ଭାଗ୍ୟ ସେହିପରି ଗଢ଼ା ହେଉଅଛି । ବର୍ତ୍ତମାନ ଭାଗ୍ୟକୁ କର୍ମ୍ମ ନାମରେ ଲୋକେ ବ୍ୟବହାର କରୁଅଛନ୍ତି । ଜଗତରେ ଭାଗ୍ୟ ଅପରିବର୍ତ୍ତନୀୟ ଓ କର୍ମ୍ମ ପରିବର୍ତ୍ତନୀୟ । ମନୁଷ୍ୟ ସୁବିଧା ପାଇଲେ ସମୟରେ କର୍ମକୁ ବଦଳାଇ ପାରନ୍ତି । କୌଣସି ଅସାଧୁ ଲୋକ ସତ୍‌ସଙ୍ଗ ପାଇଲେ ନିଜର କର୍ମକୁ ପରିବର୍ତ୍ତନ କରି ସାଧୁ ହୋଇ ପାରନ୍ତି, ସାଧୁଲୋକ ମଧ୍ୟ ଅସାଧୁ ହୋଇ ପାରନ୍ତି । କିନ୍ତୁ ଜୀବନବ୍ୟାପୀ ଭାଗ୍ୟକୁ ପରିବର୍ତ୍ତନ କରାଯାଇ ନ ପାରେ । ସମ୍ପ୍ରତି କର୍ମ୍ମ ସମ୍ୱନ୍ଧରେ କିଛି ଆଲୋଚନା କରାଯାଉ । ଭଗବାନ୍‌ ଶ୍ରୀକୃଷ୍ଣ କର୍ମ୍ମକୁ ତିନି ଶ୍ରେଣୀରେ ବିଭାଗ କରି ଜଗତକୁ ଜଣାଇ ଅଛନ୍ତି, ‘‘ଗହନା କର୍ମ୍ମଣୋ ଗତିଃ’’ । କର୍ମ୍ମର ବିଧି ବୁଝିବା ଅତି ଦୁଷ୍କର । କର୍ମ୍ମର ଭାଗ ଅନୁସାରେ ଫଳର ମଧ୍ୟ ଭାଗ ହୋଇଅଛି । ଯଥା ‘‘ଅନିଷ୍ଟମିଷ୍ଟଂ ମିଶ୍ରଂ ଚତ୍ରିବିଧଂ କର୍ମ୍ମଣଃ ଫଳଂ’’ ଅର୍ଥାତ୍‌ କର୍ମ୍ମରେ ଅନିଷ୍ଟଫଳ, ଇଷ୍ଟଫଳ ଓ ମିଶ୍ରଫଳ ଏହି ତିନିପ୍ରକାର ଫଳ ଭୋଗ କରିବାକୁ ହୁଏ । ସୁତରାଂ ଦେଖା ଯାଉଅଛି ଯେ କର୍ମ୍ମର ଫଳ ଇଷ୍ଟ, ବିକର୍ମ୍ମର ଫଳ ମିଶ୍ର ଓ ଅକର୍ମ୍ମର ଫଳ ଅନିଷ୍ଟ । ସାତ୍ତ୍ୱିକଭାବରେ ପରିଚାଳିତ ହୋଇ ଯେଉଁ କାର୍ଯ୍ୟମାନ କରାଯାଏ ତାହା କର୍ମ୍ମ, ରାଜସଭାରେ ଚଳି କାର୍ଯ୍ୟ କଲେ ତାହା ବିକର୍ମ୍ମ ଓ ତାମସଭାବରେ ବିହ୍ୱଳ ହୋଇ ଯେଉଁ କାର୍ଯ୍ୟ କରାଯାଏ ତାହା ଅକର୍ମ୍ମ ନାମରେ କଥିତ ହୁଏ । କର୍ମ୍ମଫଳରେ ପ୍ରଭେଦ ଥିବାରୁ ଭାଗ୍ୟର ପରିବର୍ତ୍ତନ ହେବା କଦାପି ବିଚିତ୍ର ନୁହେ । ଲୋକେ ମନେ କରି ପାରନ୍ତି, ରିପୁମାନଙ୍କଦ୍ୱାରା ନିରନ୍ତର ଭମାକୁଳ ହୋଇ ସାବଧାନଭାବରେ କାର୍ଯ୍ୟ କରିବା କେତେବେଳେ ସମ୍ଭବ ନୁହେ । ସୁତରାଂ ସବୁ ପରିତ୍ୟାଗ କରି ନିର୍ଜନ ଭୂମିରେ ନିଶ୍ଚେଷ୍ଟଭାବରେ ରହିଲେ ସବୁ ଗୋଳମାଳ ନିଷ୍ପତ୍ତି ହୋଇଯିବ । ନଚେତ୍‌ ଭାଗ୍ୟକୁ ଉତ୍ତମ ଉପାଦାନରେ ଗଢ଼ିବା ସଂପୂର୍ଣ୍ଣ ଅସମ୍ଭବ । କିନ୍ତୁ ମହାତ୍ମାଗଣ କହିଅଛନ୍ତି, ମାନବ କଦାପି କର୍ମ୍ମ ପରିତ୍ୟାଗ କରି ରହି ପାରିବ ନାହିଁ । ମନୁଷ୍ୟ ସତ୍ତ୍ୱ, ରଜ, ତମ ଏହି ତିନି ରଜ୍ଜୁ ଦ୍ୱାରା ଆବଦ୍ଧ । ବନ୍ଧନରୁ ମୁକ୍ତ ନ ହେଲେ ମନୁଷ୍ୟ କର୍ମ୍ମ ପରିତ୍ୟାଗ କରି ନ ପାରେ । କର୍ମ୍ମ ବ୍ରହ୍ମରୁ ଉତ୍ପନ୍ନ, ସୁତରାଂ ଅତି ଉଚ୍ଚ ବସ୍ତୁ । ତାହା କଦାପି ପରିତ୍ୟାଜ୍ୟ ନୁହେ । ଯେଉଁ ପ୍ରଣାଳୀ ଅବଲମ୍ୱନ କରି ମାନବଗଣ ନିଜର ଜୀବନକୁ ଧନ୍ୟ କରିଅଛନ୍ତି, ତନ୍ମଧ୍ୟରେ କର୍ମ୍ମଯୋଗ ଗୋଟିଏ । ପ୍ରକୃତ ନିୟମରେ କର୍ମ୍ମଯୋଗକୁ ଆଶ୍ରୟ କଲେ ମନୁଷ୍ୟ ନିଶ୍ଚୟ ସିଦ୍ଧି ଲାଭ କରିବ ସନ୍ଦେହ ନାହିଁ । ଗୀତାରେ ଉଲ୍ଲେଖ ଅଛି, ‘‘କର୍ମଣୈବ ହି ସଂସିଦ୍ଧି ମାସ୍ଥି ତା ଜନକାଦୟଃ’’ । ଜନକ ପ୍ରଭୃତି ନୃପତିମାନେ ଗୃହୀ ହୋଇ କେବଳ କର୍ମ୍ମଯୋଗକୁ ଆଶ୍ରୟ କରି ପରମ ତତ୍ତ୍ୱ ଲାଭ କରିଅଛନ୍ତି । କର୍ମ୍ମ ବିନା କେହି କେବେ ମନୁଷ୍ୟତ୍ୱ ପାଇ ପାରିବେ ନାହିଁ । କର୍ମ୍ମର ଦୁଇଗୋଟି ପଥ । ନିଷ୍କାମ ଓ ସକାମ । ସକାମ ପଥ ନିକୃଷ୍ଟ । ନିକୃଷ୍ଟ ପଥରେ ଚାଲୁ ଚାଲୁ ଉତ୍କୃଷ୍ଟ ପଥ ଦେଖାଯାଏ । ପ୍ରଥମତଃ ବାରମ୍ୱାର ପଡ଼ିଗଲେ ମଧ୍ୟ ଶିଶୁ ଚାଲିବା କାର୍ଯ୍ୟରୁ ବିରତ ହୁଏ ନାହିଁ । ଶିଶୁର ପତନ ଦେଖି ଦର୍ଶକ ଭୀତ ଓ କାତର ହୋଇ ପାରନ୍ତି, ମାତ୍ର ଶିଶୁର ତତ୍‌ପ୍ରତି ଲବମାତ୍ର ଭ୍ରୂକ୍ଷେପ ନ ଥାଏ । ସେ ତତ୍‌କ୍ଷଣାତ୍‌ ଉଠି ପୁନରପି ଚାଲିବାକୁ ଯତ୍ନ କରେ, ପୁନଃ ପୁନଃ ଚେଷ୍ଟାରେ ସେ ଦିନେ ଉତ୍ତମରୂପେ ଚାଲିବାକୁ ସମର୍ଥ ହୁଏ । ଆମ୍ଭେମାନେ ନିକୃଷ୍ଟ ପଥରେ ବାରମ୍ୱାର ଆଘାତ ପାଇଲେହେଁ କାତର ନ ହୋଇ ପୁନଃ ପୁନଃ ଚେଷ୍ଟା କଲେ ଦିନେ ବିଘ୍ନନାଶନ ହରିଙ୍କର କୃପା ଲାଭ କରି ଉତ୍କୃଷ୍ଟ ପଥରେ ପହଞ୍ଚି ପାରିବା, ଏହା ନିଃସନ୍ଦେହ । ଭଗବାନ୍‌ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବାରମ୍ୱାର କହିଅଛନ୍ତି ‘‘ନୟତଂ କୁରୁ କର୍ମ୍ମ ତ୍ୱଂ’’ ତୁମ୍ଭେ ସବୁବେଳେ କର୍ମ୍ମ କର । କର୍ମ୍ମ ବିନା ମୁହୂର୍ତ୍ତେ ଚଳିବା ଅସମ୍ଭବ । କର୍ମ୍ମରେ ସତତ ଆସକ୍ତ ହୋଇ ତଦୁତ୍ପନ୍ନ ଫଳରେ ଅନାସକ୍ତ ହେବା ବିଜ୍ଞ ଲୋକର କାର୍ଯ୍ୟ । ହେ ମାନବ ! ଯେବେ ପରଲୋକରେ ସୁଖ ସ୍ୱାଚ୍ଛନ୍ଦ୍ୟ ଭୋଗ କରିବାକୁ ବାଞ୍ଛା କର, ତେବେ ଏହି ଦିନୁଁ ସାବଧାନ ହୋଇ କାର୍ଯ୍ୟ କର । ଜଗତ କର୍ମ୍ମମୟ, କେହି କେବେ କର୍ମ୍ମ ପରିତ୍ୟାଗ କରି ରହି ନ ପାରେ । କର୍ମ୍ମର ଫଳ ନିଶ୍ଚୟ ଦିନେ ଭୋଗିବାକୁ ହେବ । ଶାସ୍ତ୍ରର ମତ;–

 

‘‘ଭାଗ୍ୟାନି ପୂର୍ବତପସା ଖଳୁ ସଞ୍ଚିତାନି,

କାଳେ ଫଳନ୍ତି ପୁରୁଷସ୍ୟ ଯଥୈବ ବୃକ୍ଷାଃ ।’’

 

ବୃକ୍ଷମାନେ ଯେପରି ସମୟରେ ଫଳ ପ୍ରସବ କରନ୍ତି, ସେହିପରି ଜନ୍ମାନ୍ତରୀଣ ତପସ୍ୟାଦ୍ୱାରା ସଞ୍ଚିତ ହେଉଥିବା ଭାଗ୍ୟ ଦିନେ ଅବଶ୍ୟ ଫଳିବ । ଇହଜଗତରେ କେହି କେବେ ଚିର ହୋଇ ରହି ନାହିଁ । ଭବିଷ୍ୟତ୍‌ ପାଇଁ ସୁଖର ପନ୍ଥା ନିଷ୍କଣ୍ଟକ କର, ଉତ୍ତମ ଭାଗ୍ୟ ସଞ୍ଚୟ କର, ନୋହିଲେ ଅବନତି ଅନିବାର୍ଯ୍ୟ । ପରିଶେଷରେ ଏହି ଶ୍ଳୋକଟି ଉଦ୍ଧାର କରି ପ୍ରବନ୍ଧର ଉପସଂହାର କଲି ।

 

‘‘ଆଗତବାଂସ୍ତ୍ୱଂ ମାନବ ଯାଦୃକ୍‌,

ଗଚ୍ଛ ଭବାତ୍‌ ପରଲୋକଂ ତାଦୃକ୍‌;

ଶିରସି ନୟ ନଚେତ୍‌ ଶ୍ରେୟୋଭାରଂ,

କିନ୍ତ୍ୱଘବହନଂ କଷ୍ଟମପାରଂ ।’’

 

ହେ ମାନବ, ଯେପରି ଶୂନ୍ୟ ହସ୍ତରେ ଏହି ସଂସାରକୁ ଆସିଅଛ, ସେହିପରି ଶୂନ୍ୟ ହସ୍ତରେ ପରଲୋକକୁ ଫେରିଯାଅ । ଯଦି କର୍ମ୍ମକ୍ଷେତ୍ରରୁ କିଛି ନେବାପାଇଁ ଇଚ୍ଛା କର, ତେବେ ପୁଣ୍ୟର ଭାର ନେଇଯାଅ, କିନ୍ତୁ ପାପଭାର ବହନ କରିବା ଅତୀବ କଷ୍ଟପ୍ରଦ ଅଟେ ।

Image

 

ବିଷୟ ଓ ସଂସାର

 

ବର୍ତ୍ତମାନ ପୃଥିବୀରେ ପ୍ରାୟ ସମସ୍ତ ମନୁଷ୍ୟ ବିଷୟ ଲାଭପାଇଁ ନିତାନ୍ତ ଅଭିଳାଷୀ ଏବଂ ସେଥି ନିମିତ୍ତ ସମ୍ୟକ୍‌ ଉତ୍କଣ୍ଠିତ ହୋଇ ପଥ ଅପଥ ଚିହ୍ନିବାକୁ ଲବମାତ୍ର ସମୟ ପାଉ ନାହାନ୍ତି । ବିଷୟଲାଳସା ହୃଦୟରେ ଅତିରିକ୍ତ ମାତ୍ରାରେ ଜାଗ୍ରତ ରହି ମାନବକୁ ଦାନବ ଭାବରେ ପରିଚାଳିତ କରୁଅଛି । ତାହା କି ବସ୍ତୁ ? ତହିଁରେ ଆସକ୍ତ ହେଲେ ପରିମାଣରେ କି ଫଳ ଲାଭ ହେବ ? ଇତ୍ୟାଦି ବିଷୟରେ ସମ୍ପ୍ରତି କିଛି ଆଲୋଚନା କରାଯାଉ । ପ୍ରଥମତଃ ବ୍ୟାକରଣ ନିୟମାନୁଯାୟୀ ଅର୍ଥ କଲେ ଦେଖାଯାଉଅଛି ଯେ, ବିଷୟ ବି ଉପସର୍ଗ ସି ଧାତୁରୁ ଉତ୍ପନ୍ନ । ବି ଉପସର୍ଗର ଅର୍ଥ ବିଶେଷ ଭାବରେ ଓ ସି ଧାତୁର ଅର୍ଥ ବନ୍ଧନ କରିବା । ଯେଉଁ ବସ୍ତୁ ମନୁଷ୍ୟକୁ ବିଶେଷଭାବରେ ବାନ୍ଧି ପକାଏ ଅର୍ଥାତ୍ ମନୁଷ୍ୟର ସ୍ୱାଧୀନତା ସର୍ବତୋଭାବରେ ଅପହରଣ କରେ ତାହାକୁ ବିଷୟ କହନ୍ତି । ଯଥାର୍ଥରେ ଯେତେ ଦିନ ପର୍ଯ୍ୟନ୍ତ ହୃଦୟରେ ବିଷୟବାସନା ଉତ୍ତେଜିତ ହୋଇ ନ ଥାଏ, ସେତେଦିନ ମାନବ ଅପାର୍ଥିବ ଭାବରେ ଅନୁପ୍ରାଣିତ ହୋଇ ପରମ ଆନନ୍ଦରେ କାଳ ଯାପନ କରେ-। ବିଷୟ ସଙ୍ଗେ ପରିଚୟ ଜନ୍ମିଲାକ୍ଷଣି ମନ ଅତି ଅପ୍ରଶସ୍ତ ଓ ସଂକୁଚିତ ହୋଇ ମନୁଷ୍ୟକୁ ଘୋର କଣ୍ଟକମୟ ପଥରେ ପଥିକ କରିବାକୁ ସତତ ପ୍ରୟାସୀ ହୁଏ । ଆମ୍ଭେମାନେ ଅନୁଭବ କରୁଅଛୁଁ ଯେ, ମନୁଷ୍ୟର ଶିଶୁ ଅବସ୍ଥା ଓ ଯୌବନ ଅବସ୍ଥା ମଧ୍ୟରେ ସ୍ୱର୍ଗ ନରକ ପ୍ରଭେଦ ଦେଖାଯାଏ । ଶିଶୁ ସର୍ବତ୍ର ସମଦର୍ଶୀ ହୋଇ ବହୁବିଧ ଆମୋଦ ପ୍ରମୋଦରେ କାଳାତିପାତ କରେ-। ମାତ୍ର ଶୈଶବାବସ୍ଥା ଯୌବନରେ ପରିଣତ ହେଲାକ୍ଷଣି ଅର୍ଥାତ୍‌ ବିଷୟ ସଙ୍ଗେ ସମ୍ୱନ୍ଧ ଜନ୍ମିଲାକ୍ଷଣି ଏପରି ଏକ ପରିବର୍ତ୍ତନ ହୁଏ ଯେ, ସହସା ପ୍ରଶସ୍ତ ନୟନ ସଂକୁଚିତ ହୋଇଯାଏ ଓ ଦିବ୍ୟ ଆଲୋକ ନିର୍ବାପିତ ହେବାରୁ ମନ ନିବିଡ଼ ଅନ୍ଧକାରାଚ୍ଛନ୍ନ ହୁଏ । ସୁତରାଂ ଯେଉଁ ରିପୁଗଣ ଦିବ୍ୟ ତେଜ ଦର୍ଶନ କରି ଭୟରେ ଲୁଚି ରହିଥିଲେ ସେମାନେ ଯୁଗପତ୍‍ ଆକ୍ରମଣ କରି ମନୁଷ୍ୟକୁ ନାନା ଆପଦରେ ନିକ୍ଷେପ କରନ୍ତି । ଶିଶୁ ଅବସ୍ଥା ପ୍ରକୃତରେ ମାନବ ସମାଜର ଅଭୀପୃତ ବସ୍ତୁ । କେବଳ ଶିଶୁ ଭାବକୁ ଜୀବନରେ ଚିରସ୍ଥାୟୀ କରିବାପାଇଁ ମନୁଷ୍ୟମାନେ ବିଜନ ଅରଣ୍ୟରେ କଠୋର ସାଧନା କରି ତପସ୍ୱୀ ନାମ ଧାରଣ କରିଅଛନ୍ତି । ବିଧାତା ସର୍ବାଦେ ଶିଶୁ ଅବସ୍ଥା ପ୍ରକାଶ କରି ଜଣାଉଅଛନ୍ତି ଯେ, ସେହି ଅବସ୍ଥାରେ ପ୍ରକୃତ ମନୁଷ୍ୟତ୍ୱ ନିହିତ ଅଛି । ତାହାର ବିରୁଦ୍ଧାଚରଣ କଲେ ମନୁଷ୍ୟ ନିଜସ୍ୱକୁ ହରାଇ ପଶୁତୁଲ୍ୟ ଅଜ୍ଞାନ ହେଲା ବୋଲି କୁହାଯାଏ । ଶିଶୁମାନେ ମଳମୂତ୍ର ପ୍ରଭୃତିକୁ ଘୃଣା ନ କରି ନିର୍ବିକାରଭାବରେ ତାହାକୁ ନିଜ ନିଜ ଅଙ୍ଗରେ ଲେପିବା ଦେଖି ଲୋକେ ମନେ କରି ପାରନ୍ତି ଯେ, ଶିଶୁ ଅବସ୍ଥା ନିତାନ୍ତ ହୀନ ଅଟେ । ତାହା ଅତି ନିନ୍ଦନୀୟ ଅବସ୍ଥା । ଯାହା ଜ୍ଞାନହୀନ ନିନ୍ଦନୀୟ ଅବସ୍ଥା ବୋଲି ସାଧାରଣ ଚକ୍ଷୁରେ ପରିଦୃଷ୍ଟ ହୁଏ, ଜ୍ଞାନୀବ୍ୟକ୍ତି କହନ୍ତି, ତହିଁରେ ନିର୍ମଳ ଜ୍ଞାନ ଅତିପ୍ରଚ୍ଛନ୍ନଭାବରେ ବିଦ୍ୟମାନ ଅଛି । ଗଭୀର ଦୁଃଖ ମଧ୍ୟରେ ବିମଳ ସୁଖ ଲୁକ୍କାୟିତ ହୋଇ ରହିଅଛି । ଜଗତରେ ପରସ୍ପର ବିରୋଧୀ ବସ୍ତୁ ପରସ୍ପରର କାରଣ ହୋଇଅଛନ୍ତି-। ଶ୍ରୁତିର ମତ ‘‘ଆକାଶଦ୍‌ ବାୟୁ ର୍ବାୟୋରଗ୍ନି ରଗ୍ନେ ର୍ଜଳଂ ଅଭ୍ୟଃ ପୃଥିବୀ ଜାୟତେ-।’’ ଅର୍ଥାତ୍‌ ଆକାଶରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ ଓ ଜଳରୁ ପୃଥିବୀର ଉତ୍ପତ୍ତି ହେଲା-। ଆମ୍ଭେମାନେ ବର୍ତ୍ତମାନ ଦେଖୁଅଛୁଁ, ଅଗ୍ନି ଜଳର ଓ ଜଳ ସ୍ଥଳର ବିରୋଧୀ-ଗୁଣ-ସମ୍ପନ୍ନ ଅଟେ । କିନ୍ତୁ ବିଧାତାଙ୍କ ନିୟମରେ ସେମାନେ ପରସ୍ପରର ଉତ୍ପତ୍ତିର ହେତୁ ଅଟନ୍ତି । ସୁତରାଂ ଶୈଶବାବସ୍ଥାରେ ଜ୍ଞାନର ସତ୍ତା ଲୁଚି ରହିଅଛି, ଏହା କଦାପି ବିଚିତ୍ର ନୁହେ । କୌଣସି ସିଦ୍ଧ ପୁରୁଷଙ୍କର ଜୀବନଚରିତ ଚର୍ଚ୍ଚା କଲେ ଦେଖାଯାଏ ଯେ, ଶିଶୁଅବସ୍ଥାରୁ ଜ୍ଞାନର ଉଦୟ ଓ ଜ୍ଞାନ ପରିପକ୍ୱ ହେଲେ ଶେଷରେ ଶିଶୁତ୍ୱରେ ପର୍ଯ୍ୟବସିତ ହୁଏ । ସେହି ଶିଶୁଅବସ୍ଥା ଯଥାର୍ଥରେ ଅପାର୍ଥିବଭାବପୂର୍ଣ୍ଣ ଆଦରଣୀୟ ଅବସ୍ଥା । କାରଣ ତାହା ସଙ୍ଗେ ବିଷୟର ଲବମାତ୍ର ସଂଶ୍ରବ ଆସି ନ ଥାଏ । ବିଷୟ ନିତାନ୍ତ ଅସ୍ୱଚ୍ଛ ପଦାର୍ଥ । ତାହା ସଙ୍ଗେ ସ୍ୱଚ୍ଛ ଜିନିସ ମିଶ୍ରିତ ହେଲେ ଅତି ଅନିର୍ମଳ ହୋଇ ଜ୍ଞାନୀ ନେତ୍ରରେ ଘୃଣାର ଯୋଗ୍ୟ ହୁଏ । ବୃଷ୍ଟି ଜଳ ସମସ୍ତଙ୍କର ଆଦରର ବସ୍ତୁ; ମାତ୍ର ତାହା ଧରଣୀରେ ପଡ଼ି କଳୁଷିତ ହେଲେ ସ୍ୱାସ୍ଥ୍ୟତତ୍ତ୍ୱବିତ୍‌ ବ୍ୟକ୍ତିମାନଙ୍କ ଦୃଷ୍ଟିରେ ଅନାଦରଣୀୟ ହୁଏ । ବିଷୟ ଅତିଶୟ ଘୃଣ୍ୟ ବସ୍ତୁ, ତହିଁରେ ଆସକ୍ତ ହେଲେ ମାନବର ବିନାଶ ଅନିବାର୍ଯ୍ୟ । ମନରେ ବିଷୟ ଲାଳସା ଜାଗ୍ରତ ହେଲେ ରିପୁକୁଳ ଏକେ ଏକେ ଉପସ୍ଥିତ ହୋଇ ନାନାବିଧ ପ୍ରଲୋଭନରେ ଭୁଲାଇ ମନୁଷ୍ୟକୁ ଆନନ୍ଦମୟ ଧାମରୁ ନେଇ ଭୟଙ୍କର ମରୁ ପ୍ରଦେଶରେ ନିକ୍ଷେପ କରନ୍ତି । ପରିଶେଷରେ ମାନବ ବହୁ ଯନ୍ତ୍ରଣାଗ୍ରସ୍ତ ହୋଇ ମର୍ମ୍ମଭେଦୀ ହାହାକାର କରିବାକୁ ବାଧ୍ୟ ହୁଏ । ଯାହାର ପରିଣାମ ଏପରି ଦୁଃଖଜନକ ସେଥି ପ୍ରତି ଆସକ୍ତ ହେବା ମାନବଜାତିର ପାଷଣ୍ଡତାର ଲକ୍ଷଣ ସନ୍ଦେହ ନାହିଁ । ଏ ସମ୍ୱନ୍ଧରେ ଭଗବାନ୍‌ ଶ୍ରୀକୃଷ୍ଣଙ୍କର ଉକ୍ତି ପାଠ କଲେ ସହଜରେ ମୀମାଂସା କରି ହେବ–

 

‘‘ଧ୍ୟାୟତୋ ବିଷୟାନ୍‌ ପୁଂସଃ, ସଙ୍ଗସ୍ତେଷୂପଜାୟତେ,

ସଙ୍ଗାତ୍‌ ସଂଜାୟତେ କାମଃ, କାମାତ୍‌ କ୍ରୋଧୋଽଭିଜାୟତେ,

କ୍ରୋଧାଦ୍‌ ଭବତି ସମ୍ମୋହଃ, ସମ୍ମୋହାତ୍‌ ସ୍ମୃତିବିଭ୍ରମଃ,

ସ୍ମୃତିଭ୍ରଂଶାଦ୍‌ ବୁଦ୍ଧନାଶୋ, ବୁଦ୍ଧିନାଶାତ୍‌ ପ୍ରଣଶ୍ୟତି ।’’

 

ଅର୍ଥାତ୍‌ ମନ ମଧ୍ୟରେ ବିଷୟବାସନା ପ୍ରବେଶ କଲେ ତତ୍‌ ପ୍ରତି ଆସକ୍ତି ଜନ୍ମେ, ତତ୍‌ପରେ ବିଷୟ ପ୍ରାପ୍ତିପାଇଁ ଇଚ୍ଛା ଅତି ବଳବତୀ ହୁଏ । ଅଭିଳାଷ ସଫଳ ନ ହେଲେ କ୍ରୋଧର ଉଦ୍ରେକ ହୁଏ । କ୍ରୋଧଦ୍ୱାରା ମୋହ ଉପସ୍ଥିତ ହୋଇ ସ୍ମୃତି ଶକ୍ତିକୁ ବିନାଶ କରେ । ସ୍ମୃତି ଲୋପ ହେବାରୁ ବୁଦ୍ଧି ଅର୍ଥାତ୍‌ ଚେତନା ନଷ୍ଟ ହୁଏ । ପରିଶେଷରେ ବିନାଶ ଉପସ୍ଥିତ ହୁଏ । ବିଷୟର ପରିଣାମ କିପରି କଦର୍ଯ୍ୟ ତାହା ସହଜରେ ଅନୁମେୟ । ମନୁଷ୍ୟ ବିଷୟ ପ୍ରାପ୍ତିରେ ଅତ୍ୟନ୍ତ ଆତୁର ହୋଇ ଦସ୍ୟୁବୃତ୍ତି, ବହୁପରିବାରର ଉଚ୍ଛେଦ ସାଧନ ଓ ପ୍ରବଞ୍ଚନା ପ୍ରଭୃତି ଅତ୍ୟନ୍ତ ନୀଚ ବ୍ୟବସାୟ ଅବଲମ୍ୱନ କରିବାକୁ ଲବମାତ୍ର କୁଣ୍ଠିତ ହେଉ ନାହିଁ । ଫଳତଃ ବହୁ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହେଉଅଛି । କେହି ଅବା ଆପଣାର ସ୍ୱଜନ ପ୍ରଭୃତିଙ୍କୁ ଛାଡ଼ି ଯାବଜ୍ଜୀବନ ନିର୍ବାସିତ ହେଉଅଛି, କେହି ଅବା ନିଜର ଦୁର୍ଲ୍ଲଭ ଜୀବନକୁ ବିସର୍ଜ୍ଜନ କରୁଅଛି ଇତ୍ୟାଦି । ବିଷୟ ରିପୁମାନଙ୍କର ଲୀଳାସ୍ଥଳୀ । ସେମାନେ ବିଷୟ ସାହାଯ୍ୟରେ ମନୁଷ୍ୟକୁ ଅନୁକ୍ଷଣ ଲକ୍ଷ୍ୟଚ୍ୟୁତ କରୁଅଛନ୍ତି । ବିଷୟ ପରି ମାରାତ୍ମକ ପଦାର୍ଥ ଆଉ ଦ୍ୱିତୀୟ ନାହିଁ । ଏହାବୋଲି ଯେ ବିଷୟ ଭୋଗ କରିବା ଉଚିତ ନୁହେ, ତାହା ମୁଁ କହୁନାହିଁ । ଅତି ପ୍ରାଚୀନ କାଳରୁ ବିଷୟ ପ୍ରତି ଆଦର ପରିଲକ୍ଷିତ ହେଉଅଛି । ସୂର୍ଯ୍ୟବଂଶ ନୃପତିମାନଙ୍କର ବିବରଣ ପାଠ କଲେ ଦେଖାଯାଏ ସେମାନେ ରାଜର୍ଷି, ସେମାନଙ୍କର ତୁଲ୍ୟ ସାଧୁ ନରପତି ଜଗତରେ ଅତି ବିରଳ । ତଥାପି ସେମାନେ ବିଷୟଭୋଗ କରୁଥିଲେ । ରଘୁବଂଶରୁ ଜଣାଯାଏ ସେମାନଙ୍କର ବିଧି–‘‘ଯୌବନେ ବିଷୟୈଷିଣାଂ’’ ଅର୍ଥାତ୍‌ ଯୌବନ ସମୟରେ ସେମାନେ ବିଷୟ ପ୍ରତି ଆକୃଷ୍ଟ ହେଉଥିଲେ । କିନ୍ତୁ ସେମାନଙ୍କ ବିଷୟ ଭୋଗରେ କିଛି ବୈଚିତ୍ର୍ୟ ବିଦ୍ୟମାନ ଅଛି । ସେମାନଙ୍କର ବିଷୟ ଭୋଗ ପାଖେ ପାଖେ ଏ ଉକ୍ତି ମଧ୍ୟ ଅଛି; ‘‘ବାର୍ଦ୍ଧକ୍ୟେ ମୁନିବୃତ୍ତୀନାଂ’’ ଅର୍ଥାତ୍‌ ବୃଦ୍ଧ ବୟସରେ ଗୃହ ପରିତ୍ୟାଗ କରି ବିଜନ ବନରେ ଋଷିଜୀବନ ଅବଲମ୍ୱନ କରୁଥିଲେ । ଏଥିରୁ ଅନୁମିତ ହୁଏ, ସେମାନଙ୍କର ବିଷୟ ଭୋଗ ଅତି ସୀମାବଦ୍ଧ । ସେମାନେ ବିଷୟ ପ୍ରତି ଅତି ଆସକ୍ତ ନ ଥିଲେ । ମନୁଷ୍ୟ ଯେଉଁ ଜିନିସରେ ଅତ୍ୟନ୍ତ ଆସକ୍ତ ହୁଏ ତାହାକୁ ନିଜେ ନିଜେ ବିସର୍ଜନ କରିବା ନିତାନ୍ତ ଅସମ୍ଭବ । ଯେବେ ଅକସ୍ମାତ୍‌ ସେହି ପ୍ରିୟ ବସ୍ତୁକୁ କେହି ଆତ୍ମସାତ୍‌ କରିବାକୁ ଯତ୍ନ କରେ, ତାହା ପ୍ରତି କିପରି କ୍ରୋଧର ଉଦ୍ରେକ ହୁଏ, ତଦ୍ଦ୍ୱାରା ଲୋକ କେଉଁ କ୍ଷେତ୍ରରେ ଉପସ୍ଥିତ ହୁଏ, ତତ୍‌କାଳୀନ ଅବସ୍ଥା ପ୍ରାୟ ସମସ୍ତେ ଅନୁଭବ କରୁଅଛନ୍ତି । ମାତ୍ର ସୂର୍ଯ୍ୟବଂଶ ରାଜାମାନେ ସେପରି ତନ୍ମୟ ହୋଇ ବିଷୟ ଭୋଗୁ ନ ଥିଲେ । ଭୋଗ ଦୁଇ ପ୍ରକାର । ପ୍ରଥମ–ଭୋଗ୍ୟ ବସ୍ତୁ ସଙ୍ଗେ ନିଜର ଜୀବନକୁ ସର୍ବତୋଭାବରେ ମିଳାଇ ଆତ୍ମଜ୍ଞାନହୀନ ହୋଇ ତାହାକୁ ଭୋଗ କରିବା । ଦ୍ୱିତୀୟ–ତାହାର ଠିକ୍‌ ବିପରୀତ । ଭୋଗ୍ୟ ବସ୍ତୁରୁ ପୃଥକ୍‌ ଭାବରେ ରହି ବିବେକକୁ ଅଗ୍ରସର କରି ତାହାକୁ ଭୋଗ କରିବା । ଉଲ୍ଲିଖିତ ନୃପତିଗଣ ଶେଷୋକ୍ତ ନିୟମରେ ବିଷୟ ଭୋଗୁଥିଲେ । ସେମାନେ ବିଷୟଠାରୁ ପୃଥକ୍‌ ଭାବରେ ଥିବାରୁ ସମୟରେ ତାହାକୁ ବିସର୍ଜନ କରି ଅନ୍ୟତ୍ର ଚାଲି ଯାଉଥିଲେ । ଇଦାନୀନ୍ତନ ବିଷୟ ଭୋଗ ପ୍ରଥମ ପ୍ରକାରର ଅନ୍ତର୍ଗତ । ଆମ୍ଭେମାନେ ବିଷୟ ସଙ୍ଗେ ସର୍ବତୋଭାବରେ ବିଜଡ଼ିତ । ବିଷୟରୁ କଣିକାଏ ଗଲେ ନିଜ ଶରୀରରୁ ରକ୍ତବିନ୍ଦୁ ଗଲା ପରି ବୋଧ ହେଉଅଛି । ସେହି ହେତୁରୁ ଶତ ଶତ ରୁଗ୍‌ଣ, ଅନ୍ଧ, ଦୀନହୀନ ଲୋକ ଦ୍ୱାରଦେଶରେ ମର୍ମ୍ମଭେଦୀ ଚିତ୍‌କାର କଲେ ମଧ୍ୟ ହୃଦୟ ତରଳୁନାହିଁ । କିଏ ସାହସ କରି ସ୍ୱହସ୍ତରେ ନିଜର ଦେହକୁ କାଟି ରକ୍ତବିନ୍ଦୁ ଭୂମିରେ ପକାଇବ ? ଆମ୍ଭମାନଙ୍କ ତୁଲ୍ୟ ଭୋଗିର ପରିଣାମ ବିନାଶ ଏହା ନିଶ୍ଚିତ । ମଧୁପ ବିକଚ ପଦ୍ମଫୁଲର ସୌରଭରେ ଆକୃଷ୍ଟ ହୋଇ ତହିଁରେ ପ୍ରବେଶ କରେ, କିନ୍ତୁ ସେ ତନ୍ମଧ୍ୟସ୍ଥ ମଧୁ ଲୋଭରେ ଏପରି ଭ୍ରାନ୍ତ ହୁଏ ଯେ, ସମ୍ପୂର୍ଣ୍ଣ ଜ୍ଞାନହୀନ ହୋଇ ଖାଉଁ ଖାଉଁ ଶେଷରେ କମଳ ମୁଦ୍ରିତ ହୁଏ । ମଧୁପ ମକରନ୍ଦ ଭୋଗର ଉଚିତ ଶାସ୍ତି ଭୋଗ କରେ । ଆମ୍ଭମାନଙ୍କର ପରିଣାମ ଠିକ୍‌ ସେହିପରି । ଦିନେ କୁସୁମ ମୁଦ୍ରିତ ହେବ, ବିଷୟ ଭୋଗ ସମାପ୍ତ ହେବ । ସେତେବେଳେ ସାହାଯ୍ୟ ଲୋଡ଼ିଲେ ସବୁ ଯତ୍ନ ବିଫଳ ହେବ । ଚତୁର୍ଦ୍ଦିଗରେ ଦେଖିବ, କେବଳ ସେହି ମୁଦ୍ରିତ ପୁଷ୍ପ ପାଖୁଡ଼ା ବିଦ୍ୟମାନ । ଉଦ୍ଧାର ଲାଭର ଉପାୟାନ୍ତର ନ ଦେଖି କେବଳ ହାହାକାର କରିବାକୁ ହେବ । ଶେଷରେ ଦୁର୍ଲ୍ଲଭ ମାନବ ଜନ୍ମ ବିଫଳ ହେଲା ବୋଲି ଭାବି ଗଭୀର ଅନୁତାପ କରିବ ସନ୍ଦେହ ନାହିଁ ।

 

ବିଷୟ ପ୍ରତି କାହିକିଁ ଉତ୍ତରୋତ୍ତର ମମତା ବଢ଼ୁ ଅଛି ଏବଂ ତାହାର ଅସାରତା ବୁଝିଲେ ସୁଦ୍ଧା ଲାଳସା କମୁନାହିଁ, ତାହାର କାରଣ ନିର୍ଣ୍ଣୟ କଲେ ଆମ୍ଭେମାନେ ଦେଖୁଅଛୁଁ ଯେ, ସଂସାର ସଙ୍ଗେ ବିଷୟର ସମ୍ୱନ୍ଧ ଅତି ଘନିଷ୍ଠ । ସଂସାର ସଙ୍ଗେ ସମ୍ୱନ୍ଧ ଯେତେ ଯେତେ ଦୃଢ଼ୀଭୂତ ହେଉଥାଏ, ବିଷୟ ପ୍ରତି ମମତା ସେହି ପରିମାଣରେ ବଢ଼ୁଥାଏ । ସଂସାର ସମ୍ୱନ୍ଧ ଶିଥିଳ ହେଲେ ବିଷୟଲାଳସା ନିଜେ ନିଜେ କମିଯିବ ସନ୍ଦେହ ନାହିଁ । ବର୍ତ୍ତମାନ ସଂସାର ସମ୍ୱନ୍ଧରେ କିଛି ଆଲୋଚନା କରାଯାଉ । ସମ୍ପ୍ରତି ସର୍ବତ୍ର ସଂସାର ପ୍ରତି ଅତୀବ ଆସକ୍ତି ପରିଲକ୍ଷିତ ହେଉଅଛି । ସଂସାର ଯାତ୍ରା ନିର୍ବିଘ୍ନରେ ଚଳାଇବାପାଇଁ ଲୋକେ ନାନାପ୍ରକାର ଉପାୟ ଅବଲମ୍ୱନ କଲେହେଁ ସର୍ବଦା ଅତୃପ୍ତ । ଲୋକେ ବହୁ ଅର୍ଥ ଉପାର୍ଜନ କରି ତ୍ରିତଳ ଚତୁସ୍ତଳ ପାସାଦରେ ବହୁ ଆମୋଦ ଭୋଗ କଲେ ମଧ୍ୟ ସାଂସାରିକ ଅଭାବ ପୁରୁନାହିଁ ବୋଲି ନିରନ୍ତର କରୁଣୋକ୍ତି ପ୍ରକାଶ କରୁଅଛନ୍ତି । ସେ ସଂସାରର ପ୍ରକୃତ ଅର୍ଥ କଣ ? କାହାପାଇଁ ମାନବ ଅନୁକ୍ଷଣ ଚିନ୍ତାକୁଳ ? ଆମ୍ଭେମାନେ ବ୍ୟାକରଣ ନିୟମାନୁସାରେ ଦେଖୁଅଛୁଁ ସଂସାର ସୃ ଧାତୁରୁ ଉତ୍ପନ୍ନ । ସୃ ଧାତୁର ଅର୍ଥ ଚାଲିବା; ଯେ ଦିବାରାତ୍ର ସମ୍ପୂର୍ଣ୍ଣ ବେଗରେ ଚାଲୁଅଛି, ତାହାକୁ ସଂସାର କହନ୍ତି । ସଂସାର କେତେବେଳେ ସ୍ଥିର ନୁହେ । ଅତି କ୍ଷିପ୍ରଗତିରେ ଅହର୍ନିଶ ଚାଲୁଅଛି । ମାନବ ସେହି ଗତିଶୀଳ ବସ୍ତୁକୁ ଅବଲମ୍ୱନ କରି ନିଜେ ଦୃଢ଼ୀଭୂତ ହେବାକୁ ସତତ ପ୍ରାଣପଣେ ଯତ୍ନ କରୁଅଛି । କି ଭ୍ରାନ୍ତ ବୁଦ୍ଧି ! କେହି କେବେ ଧାଉଁଥିବା ବାଷ୍ପୀୟ ଶକଟକୁ ଧରି ସ୍ଥିର ହୋଇ ରହି ପାରେ କି ? ବର୍ତ୍ତମାନ ସଂସାର କହିଲେ ସମସ୍ତେ ବୁଝନ୍ତି ଯେ, ସ୍ତ୍ରୀ ପୁତ୍ର ପ୍ରଭୃତି ନେଇ ଯେଉଁ ଗୃହଧର୍ମ୍ମ କରାଯାଏ, ତାହାର ନାମ ସଂସାର । ଯଥାର୍ଥରେ ଗୃହସ୍ଥାଶ୍ରମକୁ ସଂସାର କହନ୍ତି । କେହି କେହି କେବଳ ସ୍ତ୍ରୀକୁ ମଧ୍ୟ ସଂସାର କହନ୍ତି । ସ୍ତ୍ରୀ ବିୟୋଗ ହେଲେ ଲୋକେ କହନ୍ତି ଯେ, ଅମୁକ ଲୋକର ସଂସାର ସରିଗଲା ଅର୍ଥାତ୍‌ ଗୃହସ୍ଥାଶ୍ରମ ଭାଙ୍ଗିଗଲା । ସଂସାର ଶବ୍ଦ ଏହିପରି ଭାବରେ ପ୍ରଯୁକ୍ତ ହେଲେ ମଧ୍ୟ ଗୃହଧର୍ମ୍ମ ହିଁ ସଂସାର ନାମରେ ଖ୍ୟାତ । ଲୋକେ କେବଳ ସ୍ତ୍ରୀ, ପୁତ୍ର ପ୍ରଭୃତିଙ୍କ ପାଇଁ ମନୁଷ୍ୟତ୍ୱରେ ଜଳାଞ୍ଜଳି ଦେଇ ଅବାଟରେ ଚାଲିବାକୁ ଅହରହ ପ୍ରବୃତ୍ତ ହେଉଅଛନ୍ତି । ତାହା ବିଷମ ଭ୍ରମ । ଯେଉଁ ସ୍ତ୍ରୀ ପୁତ୍ର ପ୍ରଭୃତିଙ୍କୁ ନିଜର ବୋଲି ଭାବି ଲୋକେ ନିଜର ଜୀବନକୁ ସେମାନଙ୍କପାଇଁ ଉତ୍ସର୍ଗ କରୁଅଛନ୍ତି, ସେମାନେ କି ଯଥାର୍ଥରେ ଆପଣାର ? ସେମାନେ କି ମନୁଷ୍ୟକୁ ପ୍ରକୃତ ଶାନ୍ତି ଦେବାକୁ ସମର୍ଥ ? କାହିଁ ତାହା ତ ଦେଖାଯାଉନାହିଁ । ଯେବେ ସେମାନେ ନିଜର ହୋଇଥାନ୍ତେ ଓ ସେମାନଙ୍କଠାରେ ପୂର୍ଣ୍ଣ କ୍ଷମତା ଖଟୁଥାନ୍ତା, ତେବେ ପୁତ୍ରକୁ ନିଜ ଇଚ୍ଛାନୁରୂପ ପ୍ରସ୍ତୁତ କରି ହୁଅନ୍ତା ନାହିଁ କାହିଁକି ? ସେମାନଙ୍କୁ ଅକାଳମୃତ୍ୟୁ ଓ ବ୍ୟାଧି ପ୍ରଭୃତିରୁ ରକ୍ଷା କରି ପାରନ୍ତେ ନାହିଁ କାହିଁକି ? ସ୍ତ୍ରୀର ଯୌବନକୁ ଶାଶ୍ୱତଭାବରେ ରଖି ହେଉନାହିଁ କାହିଁକି ? ଏଥିରୁ ଜଣାଯାଉଅଛି, ସମସ୍ତେ ଏକ ଅଦୃଶ କ୍ଷମତାର ବଶୀଭୂତ । କାହା ସଙ୍ଗେ କାହାର କିଛିମାତ୍ର ସମ୍ୱନ୍ଧ ନାହିଁ । ଏପରି କି ନିଜ ଦେହରେ ମଧ୍ୟ ଆମ୍ଭମାନଙ୍କର କିଛି କ୍ଷମତା ନାହିଁ । ଦେହ ଯେବେ ନିଜର ହୋଇଥାନ୍ତା, ତେବେ ତାହାକୁ ଆଧି ବ୍ୟାଧି ପ୍ରଭୃତିରୁ ଦୂରରେ ରଖି ପାରନ୍ତେ ନାହିଁ କାହିଁକି ? ସବୁ ଭିନ୍ନ ଭିନ୍ନ ପଦାର୍ଥ । ସମସ୍ତେ ଭିନ୍ନ ଭିନ୍ନ ପଥରେ ଏକ ଅଜ୍ଞାତ କ୍ଷେତ୍ରକୁ ସମ୍ପୂର୍ଣ୍ଣବେଗରେ ଚାଲୁଅଛନ୍ତି । କେହି କାହାକୁ ଅପେକ୍ଷା କରୁ ନାହିଁ ଓ କରିବ ନାହିଁ । କେତେବେଳେ ଫେରି ଦୁଃଖ କିମ୍ୱା ସହାନୁଭୂତି ପ୍ରକାଶ କରିବ ନାହିଁ । ତୃଷାର୍ତ୍ତ ମାନବ ଜଳଭ୍ରମରେ ମରୀଚିକା ପଛରେ ଏକ ନିଃଶ୍ୱାସରେ ଧାଉଁଅଛି ସତ୍ୟ, ମାତ୍ର ମରୀଚିକା କଦାପି ହସ୍ତଗତ ହେବ ନାହିଁ କି ପିପାସା ଶାନ୍ତି ହେବ ନାହିଁ । ଧାଇଁ ଧାଇଁ କଣ୍ଠ ତାଳୁ ଶୁଷ୍କ ହେବ । ପରିଣାମରେ ବିନାଶ ଅନିବାର୍ଯ୍ୟ । ସଂସାରର ଏହି ରହସ୍ୟକୁ ହୃଦୟଙ୍ଗମ କରି ପରମହଂସ ଶଙ୍କର କହିଅଛନ୍ତି, ‘‘ସଂସାରୋଽୟମତୀବ ବିଚିତ୍ରଃ’’ ଏହି ସଂସାର ଅତି ବିଚିତ୍ର । ସଂସାରଲୀଳା ଉତ୍ତମରୂପେ ବୁଝିବା ଅତି ଅସାଧ୍ୟ । ସଂସାରର ପ୍ରତ୍ୟେକ ବସ୍ତୁକୁ ପୃଥକ୍‌ ବୋଲି ମନେ କରି ଅନାସକ୍ତ ଭାବରେ ସ୍ୱକର୍ତ୍ତବ୍ୟ ପାଳନ କରିବା ମାନବ ସମାଜର ଅବଶ୍ୟ ଉଚିତ ।

 

ଲୋକେ ସଂସାରରେ ବହୁ ଯନ୍ତ୍ରଣା ଭୋଗି ଭୋଗି ହତାଶ ହୋଇ ପ୍ରକାଶ କରନ୍ତି, ସଂସାର କେବଳ ଦୁଃଖ ଓ ଅଶାନ୍ତିର ଭଣ୍ଡାର । ସେଥିରେ ସୁଖର ଚିହ୍ନମାତ୍ର ନାହିଁ । ଯାହା ଅଛି ସେ କେବଳ ସୁଖାଭାସ ମାତ୍ର । କବି ମଧ୍ୟ ଗାଇଅଛନ୍ତି–

 

 

‘‘ଏ ସଂସାରେ ନାହିଁ ସୁଖ ଶାନ୍ତି,

ଅହଙ୍କାର ଦ୍ୱେଷ ରୋଷ ଲୋଭ ମୋହ ଅସନ୍ତୋଷ,

ଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି;

ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି ।’’

 

ସୁତରାଂ ଏଠାରୁ ଚଞ୍ଚଳ ଚାଲି ଯିବା ଭଲ, ରହିବା କେବଳ ଦୁଷ୍କୃତର ଫଳ । ଯେଉଁ ଲୋକେ ଏପରି ମତ ପ୍ରକାଶ କରନ୍ତି ସେମାନେ ସମ୍ପୂର୍ଣ୍ଣ ଭ୍ରମାଧୀନ । ସେମାନେ ଯେବେ ଉଚିତନିୟମରେ ନିଜର କର୍ତ୍ତବ୍ୟ ପାଳନ କରିବେ ଓ କବିଙ୍କର ଲେଖାନୁସାରେ ଦୁଷ୍ଟ ରିପୁକୁଳକୁ ବଶୀଭୂତ କରିବେ, ତେବେ ବୁଝିବେ ସଂସାରରେ ସୁଖ ଅଛି କି ନାହିଁ । ବିଧାତା ପ୍ରତି ସ୍ଥାନରେ ପରସ୍ପର ବିରୋଧୀ ଜିନିସମାନ ରଖିଅଛନ୍ତି । ଅନ୍ନ ଜଳ ପ୍ରଭୃତିରେ ଜୀବନ ରଖିବାର କ୍ଷମତା ଅଛି ଓ ଜୀବନ ନାଶ କରିବାର ଶକ୍ତି ମଧ୍ୟ ଅଛି । ନିର୍ଜନ ଅରଣ୍ୟରେ ଶାନ୍ତି ଓ ଅଶାନ୍ତି ଦୁଇ ଜିନିସ ଅଛି । ସେହିପରି ସଂସାରରେ ମଧ୍ୟ ସୁଖ ଓ ଦୁଃଖ ଦୁଇ ନିହିତ ଅଛି, ଭୋଗ କରିବା ପାତ୍ର ଆବଶ୍ୟକ । କେବଳ ହାହାକାର କରି ବ୍ୟାକୁଳ ହେଲେ ଚଳିବ ନାହିଁ । ସଂସାରରେ ସୁଖପ୍ରାପ୍ତି ଅତି କଷ୍ଟସାଧ୍ୟ । ଯେ କୌଣସି ସ୍ଥାନରେ କିମ୍ୱା ଯେ କୌଣସି ଭାବରେ ସୁଖ ମିଳି ପାରେ ନାହିଁ । ଦୁଃଖ ଭାଗ ଅଧିକ ଓ ସୁଲଭ ଦେଖି ଲୋକେ ମନେ କରନ୍ତି ସଂସାର କେବଳ ଦୁଃଖର ନିଳୟ ଅଟେ, ମାତ୍ର ତାହା ନୁହେ । ନିର୍ଜନ ବନରୁ ଶାନ୍ତିଟିକୁ ବାଛି ନେବାପାଇଁ ଯେପରି କଠୋର ସାଧନା ଆବଶ୍ୟକ, ସେହିପରି ସଂସାରରୁ ସୁଖ ଗ୍ରହଣ କରିବାକୁ ସାଧନାର ପ୍ରୟୋଜନ । ଗୁଡ଼ିଏ ଚିନିକୁ ନିତାନ୍ତ କ୍ଷୁଦ୍ର ବାଲିରେ ମିଶାଇ ତଳେ ପକାଇ ଦେଲେ କିଛିକ୍ଷଣ ପରେ ଦେଖାଯାଏ ଯେ, ପିମ୍ପୁଡ଼ିମାନେ ସେଥିରୁ ଚିନି ତକ ବାଛି ନେଇ ବାଲିକୁ ପୃଥକ୍‌ କରି ଦିଅନ୍ତି । ସେହିପରି ସଂସାରରେ ଦୁଃଖ ମିଶା ସୁଖ ମଧ୍ୟରୁ ମନୁଷ୍ୟ ସାଧନାଦ୍ୱାରା ଦୁଃଖକୁ ପୃଥକ୍‌ କରି ସୁଖକୁ ବାଛି ନେବା ଉଚିତ । ସେ ଶକ୍ତି ଲାଭ କରିବାପାଇଁ ଗୋଟିଏ ପନ୍ଥା ଅଛି । ସେ ପନ୍ଥାକୁ ଛାଡ଼ିଲେ ପଥିକ କେତେବେଳେ ସୁଖ ପାଇ ପାରିବ ନାହିଁ । ଯାହାକୁ ସୁଖ ବୋଲି ଭାବି ତହିଁରେ ଆସକ୍ତ ହେବ, ତାହାକୁ ପରିଣାମରେ ବୁଝିବ, ସେ ବହୁ-ଭୂଷଣ-ବିମଣ୍ଡିତ ଘୋର ଦୁଃଖ । କେବଳ ଜଗଦୀଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ସୁଖଲାଭର ପ୍ରକୃତ ପନ୍ଥା । ସଂସାରକୁ ପୃଥକ୍‌ ଜିନିସ ବୋଲି ଭାବି ତାହା ପାଇଁ ଯେଉଁ କର୍ମମାନ କରାଯାଉଅଛି, ତାହା ସବୁ ଜଗଦୀଶ୍ୱରଙ୍କଠାରେ ସମର୍ପଣ କରିବା ଉଚିତ । କାରଣ ସେହି ଜଗଦୀଶ୍ୱର ଜଗତର ମୂଳ ହେତୁ । ତାଙ୍କରି ଦ୍ୱାରା ଜୀବର ଜୀବତ୍ୱ ଓ ମାନବର ମାନବତ୍ୱ ରହିଅଛି । ଯେଉଁ ଦିନ ସେହି ଦିବ୍ୟ ତେଜ ଶରୀରରୁ ଅନ୍ତର୍ହିତ ହେବ, ସେହି ଦିନ ସମସ୍ତ ଧରଣୀର ଧୂଳିରେ ମିଶିଯିବେ ସନ୍ଦେହ ନାହିଁ । ସୁତରାଂ ସେହି ମୂଳ ଜିନିସକୁ ଦୃଢ଼ରୂପେ ଧରିବା ସୁଖଲାଭର ପ୍ରକୃତ ପନ୍ଥା । ତାହା ହେଲେ ଦୁଃଖ ନିଜେ ନିଜେ ପୃଥକ୍‌ ହୋଇଯିବ । ଭଗବାନ୍‌ ଶ୍ରୀକୃଷ୍ଣ ଏହି ମର୍ମ୍ମରେ ପ୍ରଚାର କରିଅଛନ୍ତି ।

 

‘‘ଯତ୍‌ କରୋଷି ଯଦଶ୍ନାସି ଯତ୍‌ ଜୁହୋଷି ଦଦାସି ଯତ୍‌,

ଯତ୍‌ ତପସ୍ୟସି କୌନ୍ତେୟ ତତ୍‌ କୁରୁଷ୍ୱ ମଦର୍ପଣଂ ।’’

 

ଅର୍ଥାତ୍‌ ହେ ଅର୍ଜୁନ ତୁମ୍ଭେ ତପସ୍ୟା, ଦାନ, ହୋମ, ଭୋଜନ ପ୍ରଭୃତି ଯେଉଁ କର୍ମ କରୁଅଛ, ତାହା ସମସ୍ତ ଆମ୍ଭଠାରେ ଅର୍ପଣ କର । ମନୁଷ୍ୟର ନିଜର କିଛି କର୍ତ୍ତୃତ୍ୱ ନାହିଁ । ସେ ଗୋଟିଏ ଯନ୍ତ୍ର ମାତ୍ର । ଯନ୍ତ୍ରୀ ଉପସ୍ଥିତ ନ ରହିଲେ କଦାପି ଯନ୍ତ୍ର ଚଳିବ ନାହିଁ । ଜୀବମାତ୍ରେ ଟ୍ରେନର ଇଞ୍ଜିନ୍‌ ସଦୃଶ । ଚାଳକ ଅଭାବରେ ଇଞ୍ଜିନ୍‌ ପଡ଼ି ପଡ଼ି ନଷ୍ଟ ହେବ । ଯେଉଁ ଦିନ ମାନବ ନିଜର କର୍ତ୍ତୃତ୍ୱାଭିମାନ ବର୍ଜନ କରି ପ୍ରକୃତ କର୍ତ୍ତାଙ୍କୁ ଚିହ୍ନିବ ଓ ସଂସାର ଗ୍ରହଣ ତାଙ୍କରି କରୁଣା ବୋଲି ସ୍ଥିର କରି ଏକନିଷ୍ଠଭାବରେ ସମସ୍ତ ସାଂସାରିକ କର୍ମ୍ମ ତାଙ୍କଠାରେ ସମର୍ପଣ କରିବ, ସେହି ଦିନ ତାହାର ସଂସାର ଅପୂର୍ବ ସୁଖର ବାସଭୂମି ହେବ ସନ୍ଦେହ ନାହିଁ । କେହି ଯେବେ ପ୍ରକୃତ ପଥରେ ଚାଲିବାକୁ କଷ୍ଟ ଅନୁଭବ କରି ସଂସାର ଯନ୍ତ୍ରଣାକୁ ଡରି ଆତ୍ମହତ୍ୟା କରେ, ତେବେ ସେ ଭାବିବା ଉଚିତ ନୁହେ ଯେ ସଂସାର ଜଞ୍ଜାଳରୁ ମୁକ୍ତି ଲାଭ କଲା । ସେ ଅତିଦୃଢ଼ଭାବରେ ସଂସାର-ସୂତ୍ରରେ ଆବଦ୍ଧ ହେଲା-। ସେ ପୁନରପି ମାୟା ଚକ୍ରରେ ଘୂରି ସଂସାରକୁ ଫେରିଆସି ପୁନରପି ଦହଗଞ୍ଜ ହେବ । ସେମାନଙ୍କପାଇ ପରମହଂସ ଶଙ୍କର କହିଅଛନ୍ତି–

 

‘‘ଯାବଦ୍‌ଜନନଂ ତାବନ୍‌ ମରଣଂ,

ତାବତ୍‌ ଜନନୀ ଜଠରେ ଶୟନଂ ।’’

 

ଜନ୍ମହେଲେ ମରଣ ନିଶ୍ଚିତ ଓ ପୁନରପି ଜନ୍ମ ମଧ୍ୟ ନିଶ୍ଚିତ । ଯେବେ ମାୟାଜାଲକୁ ଅତିକ୍ରମ କରିବାକୁ ଅଭିଳାଷ ହୁଏ, ତେବେ ପୂର୍ବୋକ୍ତ ପଥରେ ଚାଲି ସଂସାରରୁ ସୁଖ ଅର୍ଜନ କରିବାକୁ ହେବ । ମାନବ ଯେତେ ଦିନ ସଂସାରରୁ ସୁଖ ଅର୍ଜିବାର କ୍ଷମତା ପାଇନାହିଁ, ସେତେ ଦିନ ସେ ମାୟାଜାଲର ଛିଦ୍ରକୁ କଦାପି ଠିକ କରି ପାରିବ ନାହିଁ । ଛିଦ୍ର ନ ପାଇବା ପର୍ଯ୍ୟନ୍ତ ସେହି ଜାଲ ମଧ୍ୟରେ ଘୂରୁଥିବ ସନ୍ଦେହ ନାହିଁ ।

 

ଅତି ପ୍ରାଚୀନକାଳରୁ ମହାତ୍ମାମାନେ ସଂସାରକୁ ସମୁଦ୍ର ସଙ୍ଗେ ତୁଳନା କରି ଅଛନ୍ତି । ଯଥାର୍ଥରେ ସଂସାର ସମୁଦ୍ର ପରି ଅତି ଭୀଷଣ । ଲୋକ ଅନନ୍ତ ଜଳଧିର ବିବରଣ ନ ଜାଣି ଓ ପୋତ ଚାଳନାର କ୍ଷମତା ଉତ୍ତମ ଆୟତ୍ତ ନ କରି ହଠାତ୍‌ ତହିଁରେ ପ୍ରବେଶ କଲେ ଯେପରି ମରଣ ନିଶ୍ଚିତ, ସେହିପରି ପୂର୍ବରୁ ନାନାବିଧ କୌଶଳ ଶିକ୍ଷା ନ କରି ସଂସାରରେ ସହସା ପ୍ରବେଶ କଲେ ଆପଦ ଅନିବାର୍ଯ୍ୟ । ସଂସାରରେ ପ୍ରବେଶ କରିବାପାଇଁ ତଦ୍‌ବିଷୟକ ବହୁଶିକ୍ଷା ଆବଶ୍ୟକ । କେବଳ କେତେ ଗୁଡ଼ିଏ ବୈଷୟିକ ଜ୍ଞାନ ଉପାର୍ଜନ କରି ସଂସାରରେ ପ୍ରବେଶ କରିବା ଅବିବେକିତାର ଲକ୍ଷଣ । ସଂସାରରେ ପ୍ରବେଶ କରିବା ଆଗରୁ ତାହାକୁ ରୀତିମତ କଳିବା ଉଚିତ । ତହିଁରେ କେଉଁ କେଉଁ ଆପଦ୍‌ସଙ୍କୁଳ ଓ କେଉଁ ପଥ କଣ୍ଟକମୟ ଓ ଅତି ଦୁଃଖପ୍ରଦ, ତାହା ସବୁ ଜାଣିବା ଆବଶ୍ୟକ । ସର୍ବାଦୌ ବ୍ରହ୍ମଚର୍ଯ୍ୟଦ୍ୱାରା ମନକୁ ଉତ୍ତମ ସଂଯତ କରିବା ବିଧେୟ । ତାହା ନ କରି ହଠାତ୍‌ ସଂସାର ମଧ୍ୟରେ ପଶିଗଲେ ନିତ୍ୟ ଦୁଃଖ ଶୋକ ଭୋଗି ଭୋଗି ହାହାକାର କରୁଥିବ ଓ ପଦେ ପଦେ ବିପନ୍ନ ହୋଇ ଜନ୍ମକୁ ଅସାର ବୋଲି ସ୍ଥିର କରି ବିଧାତାଙ୍କର ନିର୍ଦୋଷ ସୃଷ୍ଟିରେ ଦୋଷାରୋପ କରିବାକୁ ବାଧ୍ୟ ହେବ । ସଂସାରରେ ପଶିବାର ପଥ ଅତି ଦୁର୍ଗମ, ଲୋକେ ତାକୁ ଯେପରି ସୁଗମ ବୋଲି ମନେ କରି ସହଜରେ ପଶିଯାଉ ଅଛନ୍ତି, ତାହାର ଫଳରେ ଅହରହ ବହୁ ଯାତନା ଭୋଗ କରି ହତାଶ ହୃଦୟରେ ବ୍ୟାକୁଳ ହେଉଅଛନ୍ତି । ସଂସାରକୁ ଅତି କ୍ଳେଶଦ ମନେ କରି କେହି କେହି ଭାବନ୍ତି, ସଂସାରରେ ପଶିବା ଅପେକ୍ଷା ତାହାକୁ ପରିତ୍ୟାଗ କରି ବନରେ ବାସ କରିବା ସର୍ବଥା ଶ୍ରେୟସ୍କର । ଗୋଳମାଳକୁ ଗଲେ ବୁଦ୍ଧ ବାଉଳା ହୋଇଯିବ । କିନ୍ତୁ ମହାତ୍ମାମାନେ କହିଅଛନ୍ତି ସଂସାର ସବୁ ପ୍ରକାର ଶିକ୍ଷାର ସ୍ଥଳ ଅଟେ । ତାହା କଦାପି ବର୍ଜ୍ଜନୀୟ ନୁହେ । ସଂସାର କେବଳ ପିଶାଚ, ଭୂତ, ପ୍ରେତ ପ୍ରଭୃତିଙ୍କର ବାସ ଭୂମି ନୁହେ । ସର୍ବତ୍ର ସର୍ବବ୍ୟାପୀ ଜଗଦୀଶ୍ୱର ବିଦ୍ୟମାନ ଅଛନ୍ତି । କେବଳ ବନକୁ ଗଲେ ଯେ ଶାନ୍ତି ଲାଭ ହେବ ତାହା କଦାପି ନୁହେ । ସଂସାର ପରିତ୍ୟାଗ କଲେହେଁ ଶରୀରସ୍ଥ ରିପୁବର୍ଗଙ୍କୁ ଛାଡ଼ିବା ସହଜ ନୁହେ । ଶରୀରରେ ରିପୁମାନଙ୍କର ଆଧିପତ୍ୟ ଥିବା ପର୍ଯ୍ୟନ୍ତ ମନୁଷ୍ୟ କୁତ୍ରାପି ଶାନ୍ତି ପାଇ ନ ପାରେ । ସର୍ବାଦୌ ରିପୁମାନଙ୍କୁ ଦମନ କରିବା ଉଚିତ । ରିପୁମାନେ ବଶୀଭୂତ ହେଲେ ମନୁଷ୍ୟ ସଂସାରରେ ମଧ୍ୟ ନିର୍ମଳ ଆନନ୍ଦ ଉପଭୋଗ କରିବେ, ଏହା ନିଃସନ୍ଦେହ । ଭଗବାନ୍‌ ଶ୍ରୀକୃଷ୍ଣ ଏହି ମର୍ମ୍ମରେ କହିଅଛନ୍ତି ।

 

 

‘‘ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନଃ,

କାମଃ କ୍ରୋଧ ସ୍ତଥା ଲୋଭ ସ୍ତସ୍ମାଦେତତ୍ତ୍ରୟଂ ତ୍ୟଜେତ୍‌’’

 

ଅର୍ଥାତ୍‌ କାମ କ୍ରୋଧ ଓ ଲୋଭ ଏହି ତିନି ପ୍ରବଳ ରିପୁ ନିଜର ଅନିଷ୍ଟକାରୀ ଓ ନରକର ଦ୍ୱାର । ପ୍ରଥମତଃ ଏମାନଙ୍କୁ ଦମନ କରିବା ଉଚିତ । ଆହୁରି ମଧ୍ୟ ଲୋକେ ଭାବନ୍ତି ସଂସାର ସମ୍ୱନ୍ଧ କେବଳ ଇହଲୋକ ପାଇଁ । ପରଲୋକରେ ତାହା ନିଶ୍ଚୟ ବିଚ୍ୟୁତ ହେବ । କାରଣ ସ୍ତ୍ରୀ ପୁତ୍ର ପ୍ରଭୃତି ସମସ୍ତେ ଭିନ୍ନ ଭିନ୍ନ ପଥରେ ଚାଲୁଅଛନ୍ତି । ସୁତରାଂ ଭିନ୍ନ ଭିନ୍ନ ସ୍ଥାନରେ ପହଞ୍ଚିବା ସ୍ୱାଭାବିକ । ସୁତରାଂ ମୃତ୍ୟୁ ପରେ କାହା ସଙ୍ଗେ କାହାର ମେଳ ହେବା ସମ୍ଭବ ନୁହେ । ଏପରି ସ୍ଥଳେ ଅନିତ୍ୟ ସମ୍ୱନ୍ଧ କଦାପି ବାଞ୍ଛନୀୟ ନୁହେ । ଏପରି କଳ୍ପନା ସମ୍ପୂର୍ଣ୍ଣ ଅସଙ୍ଗତ । ଆମ୍ଭେମାନେ ପ୍ରତ୍ୟହ ଦେଖୁଅଛୁଁ, ଆକାଶରେ ବଶିଷ୍ଠ ତାରା ପାଖେ ପାଖେ ଅରୁନ୍ଧତୀ ବିଦ୍ୟମାନ । ପୁରାଣରେ ପଢ଼ୁଅଛୁଁ, ସତ୍ୟବାନ୍‌, ସାବିତ୍ରୀ ଓ ଅଜ, ଇନ୍ଦୁମତୀ ସମ୍ୱନ୍ଧ କେତେବେଳେ ପୃଥକ୍‌ ହୋଇନାହିଁ । ସେମାନେ ସଂସାର ସମ୍ୱନ୍ଧ ଦୃଢ଼ୀଭୂତ କଲେ କିପରି ? ମନୁଷ୍ୟ ନିଜର ସଂସାର ସମ୍ୱନ୍ଧ ସାଧନାଦ୍ୱାରା ଦୃଢ଼ୀଭୂତ କରିପାରେ । ଯେବେ ଗୃହରେ ସ୍ତ୍ରୀ ସତୀତ୍ୱ ପାଳନ କରି ସର୍ବଦା ସ୍ୱାମୀର ଅନୁବର୍ତ୍ତିନୀ ହୁଏ, ପୁତ୍ର ସୁପୁତ୍ରର ଗୁଣରାଶି ଅର୍ଜନ କରି ପିତା ମାତାଙ୍କର ଆଜ୍ଞାବହ ହୁଏ ଓ ପିତା ମଧ୍ୟ ସଂସାରିକ ସମସ୍ତ କର୍ମ୍ମ ଜଗଦୀଶ୍ୱରଙ୍କଠାରେ ସମର୍ପଣ କରି ଭକ୍ତପରାୟଣ ହୁଅନ୍ତି, ତେବେ ସଂସାର ସମ୍ୱନ୍ଧ କେତେବେଳେ ବିଚ୍ୟୁତ ହେବ ନାହିଁ । ବିଧାତା ମନୁଷ୍ୟକୁ ଅଦ୍ଭୁତ କ୍ଷମତା ଦେଇଅଛନ୍ତି । କେହି ସେ-ଶକ୍ତିକୁ ବ୍ୟବହାର କରି ପ୍ରକୃତ ମନୁଷ୍ୟ ହେଉଅଛି, କେହି ସେ-ଶକ୍ତିର ଅଙ୍କୁରକୁ ନାଶ କରି ରୂପାନ୍ତର ଧାରଣ କରୁଅଛି । ଏହା ବୋଲି ସଂସାରକୁ ଘୃଣା କରିବା କଦାପି ଉଚିତ ନୁହେ ।

 

ଆମ୍ଭେମାନେ ପ୍ରାଚୀନ ମନୀଷୀମାନଙ୍କର ପ୍ରଚାରିତ ବିବରଣକୁ ଆଲୋଚନା କରି ବୁଝି ପାରୁଅଛୁଁ ଓ ଅନୁଭବ ମଧ୍ୟ କରୁଅଛୁଁ ଯେ ସଂସାର ବାଷ୍ପୀୟଶକଟଠାରୁ ଦ୍ରୁତତର ବେଗରେ ଅବିଶ୍ରାନ୍ତ ଭାବରେ ପରିବର୍ତ୍ତନକୁ ଧାଇଁଅଛି । ସେ କାହାରିକୁ ଅପେକ୍ଷା କରୁ ନାହିଁ କିମ୍ୱା ସହାନୁଭୂତି ଦେଖାଉ ନାହିଁ । ବିଷୟ ସେହି ଚଳିଷ୍ଣୁ ସଂସାର ସଙ୍ଗେ ଅତି ଦୃଢ଼ଭାବରେ ଆବଦ୍ଧ । ଯେଉଁ ବସ୍ତୁ କୌଣସି ଚଳିଷ୍ଣୁ ପଦାର୍ଥ ସଙ୍ଗେ ବନ୍ଧା ହେବ, ସେ ମଧ୍ୟ ତଦନୁରୂପ ବେଗରେ ଚଳିବ ସନ୍ଦେହ ନାହିଁ-। ଏପରି ସ୍ଥଳେ ବିଷୟ ଓ ସଂସାର ଦୁହେଁ ଯାକ ଚଞ୍ଚଳ ଏହା ନିଶ୍ଚିତ । ମାନବ ଏହି ଦୁଇ ଚଞ୍ଚଳ ପଦାର୍ଥକୁ ଦୃଢ଼ରୂପେ ଧରି ମନେ କରୁଅଛି ମୁଁ ଅତି ଅଟଳ । ମୋତେ ଆନ୍ଦୋଳିତ କରିବାକୁ ସ୍ୱୟଂ ବିଧାତା ମଧ୍ୟ ପରାଙ୍ମୁଖ ହେବେ । କି ବିଷମ ଭ୍ରମ ! କି ଅବିବେକିତା ! ଯେ ନିତ୍ୟ ଅବିଶ୍ରାନ୍ତଭାବରେ ଚାଲୁଅଛି ତାହାକୁ ଅବଲମ୍ୱନ କରି କେହି କେବେ ଆନନ୍ଦାନୁଭବ କରିପାରେ ? ନିଶ୍ଚଳଭାବରେ ଧରଣୀରେ ଦଣ୍ଡାୟମାନ ହୋଇପାରେ ? ବିଷୟସାହାଯ୍ୟ, ଯୋଗ୍ୟପୁତ୍ରମାନଙ୍କର ସାହାଯ୍ୟ କିମ୍ୱା ପ୍ରବଳ-ବନ୍ଧୁଗଣଙ୍କର ସାହାଯ୍ୟ କୌଣସି କାର୍ଯ୍ୟରେ ଲୋଡ଼ା ହେବ ନାହିଁ । ସମସ୍ତେ ଜାଣନ୍ତି କୌରବ ପକ୍ଷକୁ ଭୀଷ୍ମ, ଦ୍ରୋଣ ପ୍ରଭୃତି ମହାରଥିବର୍ଗ ଓ ସସାଗରା ଧରାର ବିଷୟ ସକଳ ଯତ୍ପରୋନାସ୍ତି ସାହାଯ୍ୟ କରିଥିଲେ । ଫଳତଃ କୁରୁବଂଶ ନିର୍ମୂଳ ହେଲା । କେହି ରଖିବାକୁ ସମର୍ଥ ହେଲେ ନାହିଁ । ହେ ମାନବ ! ଅତିବେଗରେ ଚାଲୁଥିବା ସେ ବିଷୟ ଓ ସଂସାର ସଙ୍ଗେ ବନ୍ଧା ହୋଇ ଅପ୍ରାକୃତିକଭାବରେ ଧାଇଁ ଧାଇଁ ବେଦମ୍‌ ହେବ, ପରିଶେଷରେ ଯେଉଁ ସ୍ଥାନରେ ପହଞ୍ଚିବ, ସେ ସ୍ଥାନ କେବଳ ଦୁଃଖ, ଶୋକ ଓ ରୋଗ ପ୍ରଭୃତିର ଭଣ୍ଡାର । ସେଠାରେ ସୁଖର ଚିହ୍ନ ନାହିଁ, ଆନନ୍ଦର ସମ୍ୱନ୍ଧ ନାହିଁ । ଯେବେ ବିମଳ ଆନନ୍ଦ ଭୋଗ କରିବାକୁ ଅଭିଳାଷ ହୁଏ, ତେବେ ବାଲ୍ୟକାଳରୁ ଚଳିଷ୍ଣୁ ପଦାର୍ଥ ପ୍ରତି ଆସ୍ଥା କମ୍‌ କରି ନିଶ୍ଚଳବସ୍ତୁକୁ ଅବଲମ୍ୱନ କର । ତେବେ ଧରଣୀପୃଷ୍ଠରେ ସ୍ଥିରଭାବରେ ଠିଆ ହୋଇ ନିଜର କର୍ତ୍ତବ୍ୟ କରି ପାରିବ । ଜଗତରେ ନିଶ୍ଚଳବସ୍ତୁ କିଏ ତାହା ଜାଣିବା ଉଚିତ । ଜଗତ୍‌ ସଙ୍ଗେ ସମ୍ୱଦ୍ଧ ପ୍ରତି ପଦାର୍ଥ ଚଞ୍ଚଳ । ଯେ ଜଗତରୁ ବହିର୍ଭୁତ ସେହି କେବଳ ନିଶ୍ଚଳ । ଯେ ଜଗତର ଈଶ୍ୱର, ଯେ ବାଜୀକର ସଦୃଶ ଲୀଳା ଦେଖାଇବାପାଇଁ ଜଗତକୁ ଅନୁକ୍ଷଣ କ୍ଷିପ୍ରଗତିରେ ଦଉଡ଼ାଇ ରୂପାନ୍ତରିତ କରୁଅଛନ୍ତି, ସେହି ନିତ୍ୟ ନିଶ୍ଚଳ । ହେ ମାନବ ! ତାଙ୍କୁ ଅବଲମ୍ୱନ କର ତେବେ ସ୍ଥିର ହେବ । ଏଣେ ଚଳିଷ୍ଣୁ ପଦାର୍ଥକୁ ଦୃଢ଼ଭାବରେ ହାତରେ ଧରି ନିଶ୍ଚଳ ପଦାର୍ଥକୁ ଅନ୍ୟ ହାତ ବଢ଼ାଇଲେ କଦାପି ଧରି ପାରିବ ନାହିଁ । କାରଣ ତୁମ୍ଭେ ମଧ୍ୟ ସେ ପଦାର୍ଥ ସଙ୍ଗେ ଧାଇଁ ଧାଇଁ ଦୁଃଖମୟ କ୍ଷେତ୍ରକୁ ଚାଲୁଥିବ । ସୁତରାଂ ନିତ୍ୟ ଆନନ୍ଦମୟ ଧାମରେ ବିଦ୍ୟମାନ ସେହି ନିଶ୍ଚଳ ପଦାର୍ଥ ବହୁଦୂରରେ ରହିଯିବ । ଚଳିଷ୍ଣୁ ପଦାର୍ଥରୁ ହାତକୁ ସମ୍ପୂର୍ଣ୍ଣଭାବରେ କାଢ଼ିନିଅ, ଦୁଇ ହାତକୁ ନିଶ୍ଚଳ ପଦାର୍ଥ ଆଡ଼କୁ ପ୍ରସାରିତ କର, ତେବେ ସହଜରେ କାମନା ପୂର୍ଣ୍ଣ ହେବ । ଏପରି ସ୍ଥଳେ ମନେ ହୋଇପାରେ ସମସ୍ତେ ଯେବେ ଏପରି ହେବେ, ତେବେ ବିଧାତାଙ୍କର ସୃଷ୍ଟି ରକ୍ଷା ହେବ କିପରି ? ଆମ୍ଭେମାନେ କହୁଁ ସୂର୍ଯ୍ୟବଂଶୀୟ ରାଜାମାନେ ଓ ରାଜର୍ଷି ଜନକ ପ୍ରଭୃତି ଅନେକ ରାଜପୁରୁଷ ଯଥାସମୟରେ ବିଷୟ ଭୋଗ କରୁଥିଲେ ଓ ସଂସାର ସଙ୍ଗେ ସମ୍ୱଦ୍ଧ ହୋଇ ପୁତ୍ତ୍ର କନ୍ୟା ଉତ୍ପାଦନ କରୁଥିଲେ, ତଥାପି ନିଶ୍ଚଳ ପଦାର୍ଥକୁ ଦୃଢ଼ରୂପେ ଧରିଥିଲେ । ସୁତରାଂ ସେମାନେ ଆମ୍ଭମାନଙ୍କପାଇଁ ଉଦାହରଣ ପୁରୁଷ ହୋଇଅଛନ୍ତି । ସେମାନଙ୍କ ସଦୃଶ ନିର୍ମ୍ମମ ଓ ଅନାସକ୍ତଭାବରେ ବିଷୟ ଓ ସଂସାରକୁ ଭୋଗ କରିବା ଉଚିତ । ସେହି ମର୍ମ୍ମରେ ଭଗବାନ୍‌ ଶ୍ରୀକୃଷ୍ଣ ପ୍ରଚାର କରିଅଛନ୍ତି, ‘‘ଅନାସକ୍ତଃ କାର୍ଯ୍ୟଂ କର୍ମ୍ମ ସମାଚର’’ ଅର୍ଥାତ୍‌ ଆସକ୍ତି ନ ରଖି କର୍ତ୍ତବ୍ୟ ପ୍ରତିପାଳନ କର । ସଂସାରୀ ହୁଅ, ବିଷୟ ଭୋଗ କର କିଛି କ୍ଷତି ନାହିଁ । ସଂସାର ଧର୍ମ୍ମ ଅତି ଉଚ୍ଚ । ଗୃହସ୍ଥାଶ୍ରମଠାରୁ ଶ୍ରେଷ୍ଠ ଆଶ୍ରମ ଆଉ ନାହିଁ । ନିଷ୍କାମ ଓ ନିର୍ମ୍ମମଭାବରେ ସବୁ ଭୋଗ କର । ଯେପରି ସମୟରେ ସବୁ ପରିତ୍ୟାଗ କଲେ କିମ୍ୱା ଦୈବାତ୍‌ କିଛି ବିଘ୍ନ ଉପସ୍ଥିତ ହେଲେ ମନରେ ଲବମାତ୍ର ଦୁଃଖ ଓ ଶୋକର ସଞ୍ଚାର ନ ହୁଏ । ସଂସାରର ସବୁ କାର୍ଯ୍ୟ କର, ମାତ୍ର ମନକୁ ସଂସାରର ଈଶ୍ୱରଙ୍କ ଉପରେ ରଖିଥାଅ । ସଂସାର ଓ ବିଷୟ ଅତି ଅନିତ୍ୟ । ତାହାକୁ ଅବଲମ୍ୱନ କରି, କେବେହେଁ ମାନବ ଜନ୍ମ ସଫଳ କରି ହେବନାହିଁ । ସେହି ଏକମାତ୍ର ନିଶ୍ଚଳ ପଦାର୍ଥକୁ ଏକନିଷ୍ଠ ଭାବରେ ଅବଲମ୍ୱନ କର, ତାହାହେଲେ କୃତାର୍ଥ ହେବ, ଧନ୍ୟ ହେବ ଓ ଦୁର୍ଲ୍ଲଭ ମାନବଜନ୍ମ ସାର୍ଥକ ହେବ । ‘ଆସିଛ ଏକା, ଯିବ ଏକା, ଏକା ହରିନାମ ପଥକୁ ସଖା’’ ଏହି ପ୍ରବାଦକୁ ଉତ୍ତମରୂପେ ସ୍ମରଣ ରଖ, ତେବେ ସଂସାର ଓ ବିଷୟ ପ୍ରତି ମମତା ଧୀରେ ଧୀରେ କମିଯିବ ସନ୍ଦେହ ନାହିଁ ।

Image

 

ସଧର୍ମ୍ମ ଓ ପରଧର୍ମ୍ମ

 

ଆମ୍ଭେମାନେ ଭଗବଦ୍‌ଗୀତାରେ ସ୍ୱଧର୍ମ୍ମ ଓ ପରଧର୍ମ୍ମର ବିବରଣ ପାଠ କରୁଅଛୁଁ । ଏହିପରି ଦୁଇ ଗୋଟି ପୃଥକ୍‌ ଧର୍ମ୍ମର ବିଷୟ ପାଠ କରି ମନରେ ବଡ଼ ସନ୍ଦେହ ଜନ୍ମୁଅଛି । ଭଗବାନ୍‌ ଶ୍ରୀକୃଷ୍ଣ ସ୍ୱୟଂ ପରମାତ୍ମା, ସେ ମଧ୍ୟ ପ୍ରକାଶ କରିଅଛନ୍ତି- ‘‘ନ ମେ ଦ୍ୱେଷ୍ୟୋଽସ୍ତି ନ ପ୍ରିୟଃ’ ଅର୍ଥାତ୍‌ ଜଗତରେ ମୋହର କେହି ଶତ୍ରୁ ନାହିଁ କିମ୍ୱା କେହି ମିତ୍ର ନାହିଁ । ମୋ ପାଖରେ ସମସ୍ତେ ସମାନ । ଏପରି ସ୍ଥଳେ ସେ ଧର୍ମ୍ମକୁ ସ୍ୱ ଓ ପର ଭେଦରେ ଦ୍ୱିଧା ବିଭକ୍ତ କଲେ କାହିଁକି ? ଏହାର ପ୍ରକୃତ ଅର୍ଥ ଜାଣିବା ନିତାନ୍ତ ଆବଶ୍ୟକ । ମୋର ମନରେ ବହୁଦିନଁ ସନ୍ଦେହ ଚାଲିଅଛି; ମୁଁ କେବଳ ନିଃସନ୍ଦେହ ହେବାପାଇଁ ମୋର ମତ ସାଧାରଣଙ୍କ ବିଚାର ଉପରେ ଉପସ୍ଥାପିତ କଲି । ପ୍ରଥମତଃ ଧର୍ମ୍ମର ଅର୍ଥ ନିରୂପଣ କରାଯାଉ । ‘ଧ୍ରୀୟତେ ଅନେନ’ ଇତି ଧର୍ମ୍ମ । ଅର୍ଥାତ୍‌ ଯେ ମାନବ କିମ୍ୱା ପଶୁ ସମାଜକୁ ଧାରଣ କରିଅଛି, ତାହାର ନାମ ଧର୍ମ୍ମ । ତାହାକୁ ଆହୁରି ବିଶଦ କଲେ କୁହାଯାଇପାରେ, ଯାହାଦ୍ୱାରା ସମାଜର ଅଭ୍ୟୁଦୟ ସାଧିତ ହୁଏ, ତାହାକୁ ଧର୍ମ୍ମ ବୋଲାଯାଏ । ବିଧାତା ପ୍ରତି ସମାଜର ଉତ୍ତରୋତ୍ତର ଉନ୍ନତି ପାଇଁ ଗୋଟିଏ ବିଧି ନିର୍ଣ୍ଣୟ କରିଅଛନ୍ତି । ଯେଉଁ ସମାଜ ପାଇଁ ଯେଉଁ ବିଧି ନିରୂପିତ ହୋଇଅଛି, ତାହା ସେହି ସମାଜର ସ୍ୱବିଧି ଅର୍ଥାତ୍‌ ସ୍ୱଧର୍ମ୍ମ । ତାହାର ବିରୋଧୀ ବିଧିକୁ ପରଧର୍ମ୍ମ ବୋଲାଯାଏ । ପରମହଂସ ଶଙ୍କରାଚାର୍ଯ୍ୟ ସ୍ୱଧର୍ମ୍ମର ଅର୍ଥ ଆତ୍ମଧର୍ମ୍ମ ଓ ପରଧର୍ମ୍ମର ଅର୍ଥ ଇନ୍ଦ୍ରିୟଧର୍ମ୍ମ ବୋଲି ପ୍ରକାଶ କରିଅଛନ୍ତି । ମାନବ ଯେବେ ଆତ୍ମଧର୍ମ୍ମକୁ ପରିତ୍ୟାଗ କରି ଇନ୍ଦ୍ରିୟଧର୍ମ୍ମକୁ ଅବଲମ୍ୱନ କରେ, ତେବେ ତାହାର ଅଧୋଗତି ଅନିବାର୍ଯ୍ୟ । ସ୍ୱଧର୍ମ୍ମ-ବର୍ଜନ ନିତାନ୍ତ ଦୂଷଣୀୟ ଅଟେ । ମାନବ-ଶରୀରରେ ଜୀବ ଓ ଇନ୍ଦ୍ରିୟମାନଙ୍କ ମଧ୍ୟରେ ଅହରହ ପ୍ରତିଦ୍ୱନ୍ଦ୍ୱିତା ଚାଲିଅଛି । ଇନ୍ଦ୍ରିୟଦଳ ଅତି ଅଧିକ । ସୁତରାଂ ସେମାନେ ଜୀବକୁ ପରାସ୍ତ କରି ନିଜର ବିଧିକୁ ପ୍ରବଳତର କରିବାପାଇଁ ନିରନ୍ତର ବ୍ୟସ୍ତ । ଅତଏବ ଜ୍ଞାନ ଓ ବିବେକ ପ୍ରଭୃତି ଜୀବର ଦଳ ଇନ୍ଦ୍ରିୟମାନଙ୍କର କାମ କ୍ରୋଧ ପ୍ରଭୃତି ବହୁସଂଖ୍ୟକ ଦଳ ନିକଟରେ ପଶ୍ଚାତ୍‌ପଦ ହେଉଅଛନ୍ତି । ମାନବ ଅଗତ୍ୟା ସେମାନଙ୍କ ପ୍ରରୋଚନାରେ ଭୁଲି ଆତ୍ମଧର୍ମ୍ମକୁ ଦୋଷଯୁକ୍ତ ମନେକରି ଅନୁକ୍ଷଣ ପରଧର୍ମ୍ମ ଆଶ୍ରୟ କରିବାକୁ ବାଧ୍ୟ ହେଉଅଛି । ଫଳତଃ ମନୁଷ୍ୟ ନାନାବିଧ ରୋଗ-ପୀଡ଼ିତ ଓ ଅକାଳ ଜରାଗ୍ରସ୍ତ ହୋଇ ନିରନ୍ତର ହାହାକାର କରୁଅଛି । ସେହି ହେତୁରୁ ଗୀତାରେ ଲେଖାଅଛି ‘‘ଶ୍ରେୟାନ୍‌ ସ୍ୱଧର୍ମ୍ମୋ ବିଗୁଣଃ ପରଧର୍ମ୍ମାତ୍‌ ସ୍ୱନୁଷ୍ଠିତାତ୍‌’’ ଅର୍ଥାତ୍‌ ପରଧର୍ମ୍ମ ଉତ୍ତମ ଶ୍ରୀସମ୍ପନ୍ନ ହେଲେହେଁ ତାହାଠାରୁ ଦୋଷଯୁକ୍ତ ସ୍ୱଧର୍ମ୍ମ ଉତ୍କୃଷ୍ଟତର । ମନରେ ଏପରି ପ୍ରଶ୍ନ ଉଦିତ ହୋଇ ପାରେ, କାହିଁକି ଜୀବ ଓ ଇନ୍ଦ୍ରିୟମାନଙ୍କ ମଧ୍ୟରେ ଅହରହ କଳହ ଚାଲିଅଛି ? ତାହା ହୋଇ ନ ଥିଲେ କି କ୍ଷତି ହୁଅନ୍ତା ? ତାହାର ଉତ୍ତର ଏହି ଯେ, ଜୀବ ପରମାତ୍ମାଙ୍କଠାରେ ଲୀନ ହେବାପାଇଁ ସର୍ବଦା ବ୍ୟାକୁଳ । ଆଉ ଯେପରି କୌଣସି ପ୍ରତିକୃତି ମଧ୍ୟରେ ଆବଦ୍ଧ ନ ରହେ ସେହି ତାହାର ନିତ୍ୟ ଅଭିପ୍ରାୟ । ଆମ୍ଭେମାନେ ଦେଖୁଅଛୁଁ, ଅନନ୍ତ ମହାକାଶରେ କେହି କାଚର ବାଡ଼ ଦେଇ, କେହି ଅବା ଇଟା ପଥର ଓ ମାଟିର ବାଡ଼ ଦେଇ, କେହି ଅବା ପତ୍ର ଓ କୁଟା ପ୍ରଭୃତିର ବାଡ଼ ଦେଇ ଗୋଟିଏ ଗୋଟିଏ ଗୃହ ନିର୍ମାଣ କରୁଅଛି । ମାତ୍ର ସେ-ଗୃହର ଅଭ୍ୟନ୍ତରଟି ଆବଦ୍ଧ ଆକାଶ ବ୍ୟତୀତ ଅନ୍ୟ କିଛି ନୁହେ । ଯେବେ ସେହି ବାଡ଼ଗୁଡ଼ିକ ଭାଙ୍ଗି ଦିଆଯାଏ, ତେବେ ସେହି ଆବଦ୍ଧ ଆକାଶ ମହାକାଶରେ ମିଶି ଏକାକାର ହେବ ସନ୍ଦେହ ନାହିଁ । ସେହିପରି ଅନନ୍ତ ପରମାତ୍ମା ନିଜର କୌଶଳ ପ୍ରଚାର କରିବା ପାଇଁ ମାନବ ଶରୀର ଓ ପଶୁ ଉଦ୍ଭିଦ ଶରୀରରୂପ ବାଡ଼ ଦେଇ ଆବଦ୍ଧ ଆତ୍ମା ନିର୍ମାଣ କରିଅଛନ୍ତି । ସେହି ଆବଦ୍ଧ ଆତ୍ମାଙ୍କୁ ଜୀବ ବୋଲାଯାଏ । ଜୀବ ବାଡ଼ ମଧ୍ୟରେ ରହିବାକୁ ଇଚ୍ଛା କରନ୍ତି ନାହିଁ । ଅନନ୍ତ ପରମାତ୍ମାଙ୍କ ସଙ୍ଗେ ଲୀନ ହେବା ତାହାଙ୍କର ଏକାନ୍ତ ଅଭିପ୍ରାୟ । ସେହି ଉଦ୍ଦେଶ୍ୟ ସଫଳ ହେବାପାଇଁ ପରମାତ୍ମା ଗୋଟିଏ ବିଧି ସୃଷ୍ଟି କରିଅଛନ୍ତି । ସେହି ବିଧିକୁ ସ୍ୱଧର୍ମ ବା ଆତ୍ମଧର୍ମ୍ମ ବୋଲାଯାଏ । କେବଳ ଆତ୍ମଧର୍ମ୍ମ ସୃଷ୍ଟ ହୋଇଥିଲେ ଜୀବ ଜଗତ୍‌ ଅଚିରେ ଲୀନ ହୁଅନ୍ତା । ଯେପରି ମହାକାଶରୁ ସମସ୍ତ ବାଡ଼ ଏକାବେଳକେ ଭାଙ୍ଗି ଅନ୍ୟ ବାଡ଼ ନ ଦେଲେ ପୃଥିବୀ ଗୃହ-ଶୂନ୍ୟ ହୁଅନ୍ତା, ସେହିପରି ସମସ୍ତ ଜୀବାତ୍ମାଙ୍କୁ ପରମାତ୍ମାରେ ଲୀନ କରି ଅନ୍ୟ ଆକୃତି ନ ଦେଲେ ଜଗତ୍‌ ଜୀବ-ଶୂନ୍ୟ ହୁଅନ୍ତା । ସୁତରାଂ ବାଜୀକରର ଖେଳ ଅସମ୍ପୂର୍ଣ୍ଣ ରହନ୍ତା । ସେହି ହେତୁରୁ ବିଶ୍ୱବିଧାତା ସ୍ୱଧର୍ମ ସଙ୍ଗେ ପ୍ରତିଯୋଗିତା ପାଇଁ ଇନ୍ଦ୍ରିୟ ଧର୍ମ୍ମ ସୃଷ୍ଟି କରିଅଛନ୍ତି । ଯେଉଁ ମାନବ ସମସ୍ତ କଳହକୁ ଅତିକ୍ରମ କରି କେବଳ ସ୍ୱଧର୍ମକୁ ଆଶ୍ରୟ କରୁଅଛନ୍ତି, ତାହାଙ୍କ ଶରୀରସ୍ଥ ଜୀବ ପରମାତ୍ମାଙ୍କ ସଙ୍ଗେ ଲୀନ ହେଉଅଛନ୍ତି ଓ ଯେ ଭ୍ରମରେ ପଡ଼ି ପରଧର୍ମ୍ମକୁ ଆଶ୍ରୟ କରୁଅଛି, ତାହାର ଶରୀରସ୍ଥ ଜୀବ ଭିନ୍ନ ଭିନ୍ନ ବାଡ଼ ଭିତର ଦେଇ ଜଗତରେ କ୍ରୀଡ଼ା କରୁଅଛି । ଏହିପରି ଜଗତରେ ଅହର୍ନିଶ ଖେଳ ଚାଲିଅଛି ।

 

କେବଳ ମାନବଜୀବନ ଉଲ୍ଲିଖିତ ଦୁଇ ଧର୍ମ୍ମର ମିଳନଭୂମି ଅଟେ । ସେଥିପାଇଁ ମାନବସୃଷ୍ଟି ଜଗତରେ ଶ୍ରେଷ୍ଠତମ ବୋଲି ପରିଗଣିତ ହେଉଅଛି । ପ୍ରତିଯୋଗିତା ସତ୍ତ୍ୱେ ଯେଉଁ ବ୍ୟକ୍ତି ସ୍ୱଧର୍ମ୍ମକୁ ଅବଲମ୍ୱନ କରି ନିଜର ଉନ୍ନତି ପଥ ନିଜେ ପ୍ରସ୍ତୁତ କରନ୍ତି, ସେହି କେବଳ ଜୀବ ଜଗତରେ ଉଚ୍ଚତମ ସୋପାନରେ ଅଧିରୂଢ଼ । ଯେଉଁ ଜୀବ ସ୍ୱଭାବତଃ ନିକୃଷ୍ଟ କ୍ଷେତ୍ରରେ ବିଦ୍ୟମାନ, ସେମାନଙ୍କୁ ନାନାପ୍ରକାର ଗୋଳମାଳରେ ନିକ୍ଷେପ କରି ବିଚଳିତ କରିବା ଦୟାମୟ ସୃଷ୍ଟକର୍ତ୍ତାଙ୍କର ନିୟମ ନୁହେ । ସେମାନଙ୍କୁ ସରଳଭାବରେ କାର୍ଯ୍ୟ କରାଇ ଉତ୍କୃଷ୍ଟ କ୍ଷେତ୍ରକୁ ଆଣିବା ତାହାଙ୍କର ନିତ୍ୟ ଅଭିପ୍ରାୟ । ସେଥିପାଇଁ ପଶୁ ଓ ଉଦ୍ଭିଦ ସମାଜରେ ସ୍ୱଧର୍ମ୍ମ ଓ ପରଧର୍ମ୍ମର ପ୍ରତିଯୋଗିତା ଦେଖାଯାଏ ନାହିଁ । ସ୍ୱଭାବତଃ ଉତ୍କୃଷ୍ଟ ବସ୍ତୁକୁ ପରୀକ୍ଷାଦ୍ୱାରା ତାହାର ଉତ୍କର୍ଷ ପ୍ରକାଶ କରିବା ପ୍ରକୃତିର ନିୟମ । ଆମ୍ଭେମାନେ ଜାଣୁଁ ଯେ, ଖନିଜ ପଦାର୍ଥ ମଧ୍ୟରେ କନକ ଅତି ଉତ୍କୃଷ୍ଟ ଧାତୁ । ତଥାପି ତାହାକୁ ଜ୍ୱଳନ୍ତଅଗ୍ନିରେ ପୋଡ଼ି ପରୀକ୍ଷା ନ କଲେ ତାହାର ଉତ୍କର୍ଷ ନିରୂପଣ କରି ହୁଏ ନାହିଁ-। ସେହିପରି ମାନବ ଜାତି ଶ୍ରେଷ୍ଠ ସତ୍ୟ, ମାତ୍ର ସେମାନେ ପରୀକ୍ଷାରେ କୃତକାର୍ଯ୍ୟ ନ ହେଲେ ପ୍ରକୃତ ପ୍ରଧାନ ବୋଲି କୁହା ଯିବେ ନାହିଁ । ସେହି ପରୀକ୍ଷାପାଇଁ ବିଧାତା ଦୁଇ ଧର୍ମ୍ମର ସୃଷ୍ଟି କରିଅଛନ୍ତି । ମନୁଷ୍ୟ-ଶରୀରରେ ଇନ୍ଦ୍ରିୟମାନେ ଅତି ନିକୃଷ୍ଟ କ୍ଷେତ୍ରରେ ବିଦ୍ୟମାନ । ଯାହା ନିଜର, ତାହାର ନାମ ଆତ୍ମା । ମନୁଷ୍ୟ ନିଜର ବିଧିକୁ ଲଙ୍ଘନ କରି ସର୍ବଦା ନିକୃଷ୍ଟ ପଦାର୍ଥରେ ମତ୍ତ ହେବା ଅତି ନିନ୍ଦନୀୟ ଅଟେ । ଇନ୍ଦ୍ରିୟମାନଙ୍କର ନିକୃଷ୍ଟତା ପ୍ରଚାର କରିବାପାଇଁ ଭଗବାନ୍‌ ଶ୍ରୀକୃଷ୍ଣ କହିଅଛନ୍ତି,–

 

‘‘ଇନ୍ଦ୍ରିୟାଣି ପରାଣ୍ୟାହୁଃ, ଇନ୍ଦ୍ରିୟେଭ୍ୟଃ ପରଂ ମନଃ,

ମନସସ୍ତୁ ପରା ବୁଦ୍ଧିଃ ଯୋ ବୁଦ୍ଧେଃ ପରତସ୍ତୁସଃ ।’’

 

ଅର୍ଥାତ୍‌ ମନୁଷ୍ୟ-ଶରୀରେ ଇନ୍ଦ୍ରିୟମାନେ ଉତ୍କୃଷ୍ଟ, ଇନ୍ଦ୍ରିୟମାନଙ୍କ ଅପେକ୍ଷା ମନ ଶ୍ରେଷ୍ଠ, ମନ ଅପେକ୍ଷା ବୁଦ୍ଧି ଉତ୍କୃଷ୍ଟ ଓ ବୁଦ୍ଧି ଅପେକ୍ଷା ଆତ୍ମା ଉତ୍କୃଷ୍ଟ । ମନୁଷ୍ୟର ଯାହା ନିଜର ଜିନିସ, ତାହା ଅତି ଉଚ୍ଚ ସୋପାନରେ ବିରାଜିତ । ମନୁଷ୍ୟ ସେହି ଆତ୍ମବିଧିକୁ ଲଙ୍ଘନ କଲେ କେଉଁ ନିମ୍ନସ୍ତରରେ ପଡ଼ିବ, ତାହା ସହଜରେ ଅନୁମେୟ । ଯାହାକୁ ମନୁଷ୍ୟତ୍ୱ କୁହାଯାଏ, ତାହାର ଅପର ନାମ ଇନ୍ଦ୍ରିୟନିଗ୍ରହ । ମାରାତ୍ମକ ପଦାର୍ଥମାନଙ୍କୁ ଆଦର କରି ଗୃହରେ ସ୍ଥାନ ଦେଲେ ଓ ସେମାନଙ୍କୁ ଏକାନ୍ତ ବିଶ୍ୱାସ କଲେ ମନୁଷ୍ୟ କେବେହେଁ ଶାନ୍ତି ଲାଭ କରି ନ ପାରେ । କେହି ଯେବେ ବିଷାକ୍ତ ସର୍ପକୁ ଜାଣୁ ଜାଣୁ ହାତରେ ଧରେ, ସେ କେତେବେଳେ ଆନନ୍ଦାନୁଭବ କରିବ ନାହିଁ । ଇନ୍ଦ୍ରିୟମାନେ ସମସ୍ତ ହିଂସ୍ର ପଶୁଠାରୁ ଆହୁରି ମାରାତ୍ମକ । ଜଗତରେ ଯେତେ ଦୁର୍ଘଟନା ଘଟିଅଛି ଓ ଘଟୁଅଛି, ସେ ସମସ୍ତର ମୂଳ ଇନ୍ଦ୍ରିୟକୁଳ । ସେଥିପାଇଁ ପରମବୈରୀ ଇନ୍ଦ୍ରିୟମାନଙ୍କୁ ଦମନ କରିବା ଓ ସେମାନଙ୍କର ବିଧିକୁ ଯତ୍ପରୋନାସ୍ତି ଲଙ୍ଘନ କରିବା ସର୍ବାଦୌ ବିଧେୟ । ନଚେତ୍‌ ମନୁଷ୍ୟତ୍ୱ ପଶୁତ୍ୱରେ ପର୍ଯ୍ୟବସିତ ହେବ । ମନୁଷ୍ୟ ପକ୍ଷେ ଯାହା ପରଧର୍ମ୍ମ, ତାହା ପଶୁ ସମାଜର ସ୍ୱଧର୍ମ । ଜ୍ଞାନୀବ୍ୟକ୍ତି ଯେଉଁ ହିଂସା, ଦ୍ୱେଷ ଓ କର୍କଶତା ପ୍ରଭୃତିକୁ ପରଧର୍ମ୍ମ ବୋଲି ପ୍ରଚାର କରି ସେଥିରୁ ବହୁଦୂରରେ ରହିବାକୁ ପ୍ରାଣପଣେ ଯତ୍ନ କରୁଅଛନ୍ତି, ପଶୁମାନେ ନିଜର ଉଦର ପୂରଣ ପାଇଁ ପ୍ରତ୍ୟହ ତାହା ସବୁ ପ୍ରତିପାଳନ କରୁଅଛନ୍ତି । ଯେଉଁ ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ବହୁତ ପଛରେ ରଖି ଜ୍ଞାନ, ବିବେକ ପ୍ରଭୃତି ଆତ୍ମଦଳର ସାହାଯ୍ୟରେ ଭୋଗ୍ୟ ବସ୍ତୁମାନ ଉପଭୋଗ କରନ୍ତି ସେମାନେ ପ୍ରଜ୍ଞାବାନ୍‌ । ସେହିମାନେ ପ୍ରକୃତ ମହାତ୍ମା ନାମରେ ପରିଚିତ । ଜ୍ଞାନୀ ମହାତ୍ମାମାନଙ୍କ ସଙ୍ଗେ ଆମ୍ଭମାନଙ୍କର ଆହାରାଦି ଅନେକ ବିଷୟରେ ମେଳ ଅଛି ସତ୍ୟ, ମାତ୍ର ଗୋଟିଏ ବିଷୟରେ ଆମ୍ଭେମାନେ ସେମାନଙ୍କ ଠାରୁ ବହୁତ ପଛରେ ଅଛୁଁ । ସେ ବିଷୟଟି କେବଳ ଇନ୍ଦ୍ରିୟନିଗ୍ରହ । ଆମ୍ଭେମାନେ ଇନ୍ଦ୍ରିୟମାନଙ୍କର ଅଜ୍ଞାବହ, ସେମାନେ ଇନ୍ଦ୍ରିୟମାନଙ୍କର ପ୍ରଭୁ ଅଟନ୍ତି । ସେହି ମର୍ମ୍ମରେ ଭଗବାନ୍‌ ଶ୍ରୀକୃଷ୍ଣ ପ୍ରଚାର କରିଅଛନ୍ତି ‘‘ନିଗୃହୀତାନି ସର୍ବଶଃ, ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା’’ ଅର୍ଥାତ୍‌ ଯେଉଁମାନେ ବିଷୟ ଭୋଗରୁ ଇନ୍ଦ୍ରିୟମାନଙ୍କୁ ବଳାତ୍‌କାରରେ ନିରୋଧ କରି ଆତ୍ମଦଳକୁ ଅଗ୍ରସର କରୁଅଛନ୍ତି, ସେମାନଙ୍କର ପ୍ରଜ୍ଞା ଉତ୍ତମ ପ୍ରତିଷ୍ଠା ଲାଭ କରିଅଛି । ଅତଏବ ଯାହା ନିଜର ବସ୍ତୁ, ତାହାକୁ ଅନାଦର କରି ସ୍ୱଭାବତଃ ନିକୃଷ୍ଟ ମାରାତ୍ମକ ପଦାର୍ଥର ସେବା କରିବା ଅତି ଅବିବେକିତା ଅଟେ । ରାଜା ମନୁଷ୍ୟ ସମାଜରେ ଉଚ୍ଚ ସ୍ଥାନରେ ବିଦ୍ୟମାନ । ସେ ଯଦି ନିଜର ସମ୍ମାନ ପ୍ରତି ଦୃଷ୍ଟି ନ ରଖି ସାଧାରଣଭାବରେ ପ୍ରତ୍ୟହ ବୁଲି ବୁଲି ଯେ କୌଣସି ପ୍ରଜା ସଙ୍ଗେ ଯେ କୌଣସି ସ୍ଥାନରେ ନାନାପ୍ରକାର କ୍ରୀଡ଼ା କରନ୍ତି, ସେ ରାଜାଙ୍କୁ ଲୋକେ ଘୃଣା କରିବାକୁ ବାଧ୍ୟ ହେବେ ଓ ପାଗଳ ରାଜା ବୋଲି ସର୍ବତ୍ର ପ୍ରଚାର କରିବେ । ତାହା ଯେପରି ରାଜାଙ୍କ ପକ୍ଷେ ନିତାନ୍ତ ଘୃଣ୍ୟ, ସେହିପରି ମାନବ ଜାତି ପକ୍ଷେ ଇନ୍ଦ୍ରିୟମାନଙ୍କର ସେବା କରିବା ଅର୍ଥାତ୍‌ ପରଧର୍ମ୍ମକୁ ଆଶ୍ରୟ କରିବା ଆତ୍ମସମ୍ମାନନାଶକ ଓ ଅତି ଦୂଷଣୀୟ ଅଟେ । ସେହିହେତୁରୁ ଭଗବାନ୍‌ ଶ୍ରୀକୃଷ୍ଣ କହିଅଛନ୍ତି, ‘‘ସ୍ୱଧର୍ମ୍ମେ ନିଧନଂ ଶ୍ରେୟଃ, ପରଧର୍ମ୍ମୋ ଭୟାବହଃ’’ ଅର୍ଥାତ୍‌ ସ୍ୱଧର୍ମ୍ମକୁ ଅବଲମ୍ୱନ କରି ମାନବଲୀଳା ସାଙ୍ଗହେଲେ ମଧ୍ୟ ତାହା ଶ୍ରେୟସ୍କର, ମାତ୍ର ପରଧର୍ମ୍ମ ଅତି ଭୟଙ୍କର ପଦାର୍ଥ, ତାହାକୁ ଆଶ୍ରୟ କରିବା କଦାପି ଉଚିତ ନୁହେ ।

 

ଯେପରି ମନୁଷ୍ୟ-ଶରୀରରେ ସ୍ୱଧର୍ମ ଓ ପରଧର୍ମ୍ମର ପ୍ରତିଦ୍ୱନ୍ଦ୍ୱିତା ସଂଘଟିତ ହେଉଅଛି, ସେହିପରି ମାନବ-ସମାଜରେ ମଧ୍ୟ ଉକ୍ତ ଦୁଇଧର୍ମ୍ମର କ୍ରିୟା ପରିଦୃଷ୍ଟ ହେଉଅଛି । ତାହାର କାରଣ ଏହି ଯେ ମନୁଷ୍ୟ ପ୍ରକୃତିର ଅଧୀନ । ସମସ୍ତଙ୍କର ପ୍ରକୃତି କେତେବେଳେ ସମାନ ନୁହେ । ସୁତରାଂ କର୍ମ୍ମ ମଧ୍ୟ ସମାନ ହୋଇ ନ ପାରେ । ଯେହେତୁ ମନୁଷ୍ୟ ନିଜର ପ୍ରକୃତିଦ୍ୱାରା ପରିଚାଳିତ ହୋଇ ନାନାବିଧ କର୍ମ୍ମରେ ପ୍ରବୃତ୍ତ ହେଉଅଛି । ସେହି ମର୍ମ୍ମରେ ଗୀତାରେ ଲେଖା ଅଛି, ‘‘ପ୍ରକୃତ୍ୟୈବଚ କର୍ମ୍ମାଣି କ୍ରିୟମାଣାନି ସର୍ବଶଃ’’ ଅର୍ଥାତ୍‌ ପ୍ରକୃତି ସକଳ ପ୍ରକାର କର୍ମ୍ମର ହେତୁ ଅଟେ । ମନୁଷ୍ୟ ପ୍ରକୃତିଦ୍ୱାରା କାର୍ଯ୍ୟରେ ଲିପ୍ତ ହୋଇ ନିଜକୁ ଅର୍ଥାତ୍‌ ଆତ୍ମାକୁ କର୍ତ୍ତା ବୋଲି ମନେ କରୁଅଛି । ତାହା ନିତାନ୍ତ ଭ୍ରମାତ୍ମକ । ଆତ୍ମା ଶରୀରରେ ସର୍ବଦା ନିର୍ବିକାର । ସେ କୌଣସି କର୍ମ୍ମରେ ପ୍ରବୃତ୍ତ ହୁଅନ୍ତି ନାହିଁ । ସେହି ମର୍ମ୍ମରେ ଭଗବାନ୍‌ ଶ୍ରୀକୃଷ୍ଣ ପ୍ରଚାର କରିଅଛନ୍ତି ‘‘ନାଦତ୍ତେ କସ୍ୟଚିତ୍‌ ପାପଂ ନଚୈବ ସ୍ୱକୃତଂ ବିଭୁଃ’’ ଅର୍ଥାତ୍‌ ପରମାତ୍ମା କାହାରି ପାପ ଅଥବା ପୁଣ୍ୟ ଗ୍ରହଣ କରନ୍ତି ନାହିଁ । ମନୁଷ୍ୟ ଭ୍ରମରେ ପଡ଼ି ପ୍ରକାଶ କରୁଅଛି, ଜଗଦୀଶ୍ୱରଙ୍କର ଅଂଶ ଆମ୍ଭମାନଙ୍କ ଶରୀରରେ ବିଦ୍ୟମାନ ରହି ଆମ୍ଭମାନଙ୍କୁ ଯେଉଁ ଯେଉଁ କର୍ମ୍ମରେ ଲଗାଉ ଅଛନ୍ତି, ଆମ୍ଭେମାନେ ସେହି ସେହି କର୍ମ୍ମ କରିବାକୁ ବାଧ୍ୟ ହେଉଅଛୁଁ । କର୍ମ୍ମରେ ଯଦି ଦୋଷାଦୋଷ କିଛି ହୁଏ, ତାହା ପରମାତ୍ମାଙ୍କର । ଏପରି ମତ କେବଳ ମନ ବୋଧ କଥା । ପକ୍ଷାନ୍ତରେ ପୂର୍ଣ୍ଣ ଦୁର୍ବଳତା । ଆମ୍ଭେମାନେ ନିଜର ପ୍ରକୃତିକୁ ସଂଯତ କରି ନ ପାରି ନାନାପ୍ରକାର କର୍ମ୍ମରେ ପ୍ରବୃତ୍ତ ହୋଇ ପରମାତ୍ମାଙ୍କଠାରେ ସବୁ ଦୋଷ ଅଜାଡ଼ି ଦେଇ ସନ୍ତୁଷ୍ଟ ହେଉଅଛୁଁ । ପ୍ରକୃତିର ଅପର ନାମ ସ୍ୱଭାବ । ସ୍ୱଭାବକୁ କର୍ତ୍ତା ବୋଲି ସ୍ଥିର କରି ନୀତିକର୍ତ୍ତାମାନେ କହିଅଛନ୍ତି ‘‘ଅତୀତ୍ୟ ହି ଗୁଣାନ୍‌ ସର୍ବାନ୍‌ ସ୍ୱଭାବୋ ମୂର୍ଦ୍ଧ୍ନି ବର୍ତ୍ତତେ’’ ଅର୍ଥାତ୍‌ ସ୍ୱଭାବ ସକଳ ଗୁଣ ଅପେକ୍ଷା ଶ୍ରେଷ୍ଠ ସ୍ଥାନ ଅଧିକାର କରିଅଛି । ସ୍ୱଭାବକୁ ନିର୍ମଳ କରିବା ପ୍ରତି ମହାତ୍ମାଙ୍କର ଅଭିମତ । କାରଣ ଯେ କର୍ମ୍ମର ପ୍ରବର୍ତ୍ତକ, ସେ ଯେବେ ଦୋଷଯୁକ୍ତ ହୁଏ, ତେବେ ମନୁଷ୍ୟ ସର୍ବଦା ଦୁଷଣୀୟ କର୍ମ୍ମ କରିବାକୁ ବାଧ୍ୟ ହେବ । ସ୍ୱଭାବର ପ୍ରଭେଦ ଯୋଗୁଁ ସମାଜରେ ନାନାପ୍ରକାର ଶ୍ରେଣୀଭାଗ ସଂଘଟିତ ହୋଇଅଛି । ଯେବେ ସର୍ବାଦୌ ସମସ୍ତେ ଏକପ୍ରକୃତିକ ହୋଇଥାନ୍ତେ, ତେବେ ସମାଜ ଏକ ଶ୍ରେଣୀ ମନୁଷ୍ୟରେ ପୂର୍ଣ୍ଣ ହୋଇଥାନ୍ତା । ମାତ୍ର ତାହା ହୋଇନାହିଁ । କାହିଁକି ସମସ୍ତଙ୍କର ସ୍ୱଭାବ ଏକପ୍ରକାର ହେଲାନାହିଁ, ତାହାର କାରଣ ନିର୍ଣ୍ଣୟ କରିବା ସହଜ ନୁହେ । ତଥାପି ଏତିକି ମାତ୍ର କୁହାଯାଇପାରେ, ସମସ୍ତେ ଯେବେ ଏକ ପ୍ରକାରରେ ଚଳନ୍ତେ ତେବେ ସୃଷ୍ଟିର ବୈଚିତ୍ର୍ୟ ଅନୁଭୂତ ହୁଅନ୍ତା ନାହିଁ । ଯେବେ କୌଣସି ବାଜୀକର ଗୋଟିଏ ମାତ୍ର ଖେଳ ପୁନଃ ପୁନଃ ଦେଖାଏ, ତେବେ ଦର୍ଶକମଣ୍ଡଳୀ ସେ ବାଜୀକରକୁ ପ୍ରଶଂସା କରିବେ ନାହିଁ ଓ ତାହାର ଖେଳ ଦେଖିବାକୁ ପ୍ରବୃତ୍ତ ହେବେ ନାହିଁ । ସେଥିପାଇଁ ଭିନ୍ନ ଭିନ୍ନ ଖେଳ ଆବଶ୍ୟକ ହୁଏ । ସେହିହେତୁରୁ ସମ୍ଭବତଃ ସ୍ୱଭାବର ପ୍ରଭେଦ ପରିଦୃଷ୍ଟ ହେଉଅଛି । ଅତଏବ କର୍ମ୍ମର ପ୍ରଭେଦ ବଶତଃ ସମାଜରେ ବ୍ରାହ୍ମଣ କ୍ଷତ୍ରିୟ ପ୍ରଭୃତି ଭିନ୍ନ ଭିନ୍ନ ଶ୍ରେଣୀର ସୃଷ୍ଟି ହୋଇଅଛି । ସେମାନଙ୍କର କର୍ମ ସ୍ୱଭାବ-ସମ୍ଭୂତ ଗୁଣମାନଙ୍କଦ୍ୱାରା ପୃଥକ୍‌ ହୋଇଅଛି । ଏପରି ଶ୍ରେଣୀ ଭାଗ ଯେ କେବଳ ହିନ୍ଦୁ ସମ୍ପ୍ରଦାୟରେ ଅଛି, ତାହାନୁହେ । ପ୍ରତି ସମ୍ପ୍ରଦାୟରେ ତାହା ଦେଖାଯାଏ । କୌଣସି ସମ୍ପ୍ରଦାୟରେ ମନୁଷ୍ୟମାନଙ୍କ ପ୍ରକୃତି ସମାନ ନୁହେ । ସମସ୍ତଙ୍କର କର୍ମ୍ମ ନିଶ୍ଚୟ ପୃଥକ୍‌ । ପ୍ରକୃତିର ବଶବର୍ତ୍ତୀ ହୋଇ କେହି ସର୍ବଦା ଆଧ୍ୟାତ୍ମିକ କର୍ମ୍ମରେ ପ୍ରବୃତ୍ତ ହେଉଅଛି, କେହି ଅବା ଦୃଷ୍ଟମାନଙ୍କୁ ଦମନ କରି ଓ ନିଜର ଶକ୍ତି ପ୍ରୟୋଗଦ୍ୱାରା ବହୁତ ଲୋକଙ୍କ ବଶୀଭୂତ କରି ପ୍ରଧାନ ହେବାକୁ ଚେଷ୍ଟା କରୁଅଛି, କେହି ଅବା କୃଷି ବ୍ୟବସାୟ ପ୍ରଭୃତି ଦ୍ୱାରା ବହୁ ଧନ ଅର୍ଜନ କରି ନାନାବିଧ ଆମୋଦ ପ୍ରମୋଦରେ ମତ୍ତ ହେଉଅଛି, କେହି ଅବା ଉକ୍ତ କର୍ମ୍ମମାନଙ୍କୁ କଷ୍ଟସାଧ୍ୟ ମନେ କରି ମନୁଷ୍ୟମାନଙ୍କୁ ସେବା କରି କାଳାତିପାତ କରୁଅଛି । ଲୋକେ ଏହିପରି ପୃଥକ୍‌ ପୃଥକ୍‌ କର୍ମ୍ମରେ ପ୍ରବୃତ୍ତ ହୋଇ ଭିନ୍ନ ଭିନ୍ନ ଶ୍ରେଣୀରେ ରହିବାକୁ ବାଧ୍ୟ ହୋଇଅଛନ୍ତି । ଯାହାର ପ୍ରକୃତି ମୂଳରୁ ଯେପରି କର୍ମ୍ମରେ ପ୍ରବୃତ୍ତ ହୋଇଅଛି, ସେହି ତାହାର ସ୍ୱଧର୍ମ ଅର୍ଥାତ୍‌ ନିଜ ଶ୍ରେଣୀର ନିୟମ । ଭିନ୍ନ ଭିନ୍ନ ବିଭାଗର କର୍ମ ପରସ୍ପର ପ୍ରତି ପରଧର୍ମ ବୋଲି କଥିତ ହୁଏ । କେହି ଯେବେ ମନେ କରନ୍ତି, କୌଣସି ଲୋକର ପ୍ରକୃତି କେବଳ ଅସତ୍‌ କର୍ମରେ ଲିପ୍ତ ହେଲେ ତେବେ କଣ କୁହାଯିବ ଯେ, ସେହି ଦୂଷଣୀୟ କର୍ମ ତାହାର ସ୍ୱଧର୍ମ ? ତାହା ନୁହେ । ମନୁଷ୍ୟ ଜାତିର ସ୍ୱଧର୍ମ ଅସତ୍‌ ନୁହେ । ଅସତ୍‌ କେବଳ ଇନ୍ଦ୍ରିୟଧର୍ମ, ଯାହାକି ପରଧର୍ମ ବୋଲି ପରିଚିତ । ମନୁଷ୍ୟର ପ୍ରକୃତି ନିର୍ମଳ ହେଲେ କଦାପି କାହାକୁ ଅସତ୍‌ କାର୍ଯ୍ୟରେ ପ୍ରବର୍ତ୍ତାଇ ନ ପାରେ । ମନୁଷ୍ୟ କେବଳ ଇନ୍ଦ୍ରିୟ ସେବକ ହୋଇ କୁକର୍ମରେ ପ୍ରବୃତ୍ତ ହେଉଅଛି । ତାହା ମାନବ ଜାତିର ସ୍ୱଧର୍ମ ନୁହେ, ନିତ୍ୟ ପରଧର୍ମ । ସେହିହେତୁରୁ ଭଗବାନ୍‌ ଶ୍ରୀକୃଷ୍ଣ ବ୍ରାହ୍ମଣ, କ୍ଷତ୍ରିୟ ପ୍ରଭୃତି ଶ୍ରେଣୀ ଭାଗ କରି ପ୍ରତିଭାଗରେ ଭିନ୍ନ ଭିନ୍ନ କର୍ମ ନିରୂପଣ କରିଅଛନ୍ତି । ସେଥିରେ ତାଙ୍କର କିଛି ମାତ୍ର ଭେଦ ଜ୍ଞାନ ନାହିଁ । ମାନବ କେବଳ ପ୍ରକୃତିର ବଶୀଭୂତ ହୋଇ ଭିନ୍ନ ଭିନ୍ନ ଶ୍ରେଣୀରେ ରହିବାକୁ ବାଧ୍ୟ ହୋଇଅଛି । ସୁତରାଂ ପ୍ରତି ଭାଗର ଅଭ୍ୟୁଦୟ ପାଇଁ ଦୟାମୟ ସୃଷ୍ଟିକର୍ତ୍ତା ଭିନ୍ନ ଭିନ୍ନ ନିୟମ ନିର୍ଣ୍ଣୟ କରିଅଛନ୍ତି । ମନୁଷ୍ୟ ନିଜ ଶ୍ରେଣୀର ନିୟମ ପାଳନ କଲେ ନିଶ୍ଚୟ ଉଦ୍ଦେଶ୍ୟ ସଫଳ ହେବ । ସେଥିରେ ସନ୍ଦେହ କରି ପରଧର୍ମ ଅର୍ଥାତ୍‌ ଭିନ୍ନ ଶ୍ରେଣୀର ନିୟମ ପାଳନ କରିବା ଅନାବଶ୍ୟକ । ଉଚ୍ଚଶ୍ରେଣୀର ବ୍ୟକ୍ତି ଯେବେ ସ୍ୱଧର୍ମକୁ ଛାଡ଼ି ନିମ୍ନଶ୍ରେଣୀର ନିୟମ ପାଳନ କରନ୍ତି, ତେବେ ତଦ୍ଦ୍ୱାରା ତାଙ୍କର ମନୋରଥ ପୂର୍ଣ୍ଣ ହୁଏନାହିଁ । ପରିଶେଷରେ ତାହାଙ୍କୁ ସ୍ୱବିଧି ପାଳନ କରିବାକୁ ହୁଏ । ପରଶୁରାମ ବ୍ରାହ୍ମଣ ସନ୍ତାନ ହୋଇ କ୍ଷତ୍ରିୟ ବିଧି ପାଳନ କରିଥିଲେ । ମାତ୍ର ସେ ସେଥିରେ ବିଫଳ ହୋଇ ଭଗବାନ୍‌ ଶ୍ରୀରାମଚନ୍ଦ୍ରଙ୍କ କୃପାରୁ ସ୍ୱଧର୍ମ ପାଳନ କରିବାକୁ ବାଧ୍ୟ ହେଲେ । ଅସ୍ତ୍ରଗୁରୁ ଦ୍ରୋଣ ମଧ୍ୟ କ୍ଷତ୍ରିୟବିଧିଦ୍ୱାରା କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । ସ୍ୱଧର୍ମ୍ମ ପରିତ୍ୟାଗ ଯେ ବହୁବିଘ୍ନଜନକ, ଏଥିରେ ସନ୍ଦେହ ନାହିଁ । ନିମ୍ନଶ୍ରେଣୀର ଲୋକ ଯେବେ ଉଚ୍ଚଶ୍ରେଣୀର ବିଧି ପାଳନ କରନ୍ତି, ତେବେ ତାଙ୍କୁ ବହୁ କଠୋର ସାଧନା କରିବାକୁ ହୁଏ । ଯାହା କି ଅତି ଅସାଧାରଣ । ସୁତରାଂ ତାହା ମଧ୍ୟ ସମସ୍ତଙ୍କ ପକ୍ଷେ ସୁବିଧାଜନକ ନୁହେ । ଆମ୍ଭେମାନେ ଶୂଦ୍ରମୁନି ଶମ୍ଭୂକଙ୍କର ବିବରଣ ପଢ଼ି ବୁଝୁ ଅଛୁଁ ଯେ ସେ ପରଧର୍ମ ପାଳନ କରି ବହୁ କଠୋର ସାଧନାଦ୍ୱାରା ପୂର୍ଣ୍ଣମନୋରଥ ହୋଇଥିଲେ । ବିଶ୍ୱାମିତ୍ର ବ୍ରହ୍ମର୍ଷି ହେବାପାଇଁ ଯେଉଁ ସାଧନା କରିଥିଲେ ତାହା ବର୍ଣ୍ଣନାତୀତ । ମାତ୍ର ସ୍ୱଧର୍ମ ପାଳନ କରି ଜନକ ରାଜା ପ୍ରଭୃତି ଗୃହରେ ରହି ମଧ୍ୟ ମନୁଷ୍ୟ ଜୀବନ ସଫଳ କରିଅଛନ୍ତି । ସ୍ୱଧର୍ମ୍ମ ପାଳନ ସର୍ବଥା ବାଞ୍ଛନୀୟ ଏହା ନିଃସନ୍ଦେହ-। ସେହିହେତୁରୁ ଗୀତାରେ ଲେଖାଅଛି, ଉତ୍ତମ ଅନୁଷ୍ଠିତ ପରଧର୍ମଠାରୁ ସ୍ୱଧର୍ମ ଉତ୍କୃଷ୍ଟତର । ସ୍ୱଧର୍ମ୍ମ ପାଳନ କରି ସିଦ୍ଧିଲାଭ କରିବା ସୁଗମ ଅଟେ । ଅତଏବ ସ୍ୱଧର୍ମକୁ ଦୋଷଯୁକ୍ତ ଭାବି ତାହା ପରିତ୍ୟାଗ କରିବା ନିତାନ୍ତ ଅନ୍ୟାୟ । ସ୍ୱଧର୍ମକୁ ଅପର ସମ୍ପ୍ରଦାୟ ଦୋଷଯୁକ୍ତ ବୋଲି ଘୃଣା କଲେ ମଧ୍ୟ ତାହା କଦାପି ପରିତ୍ୟାଜ୍ୟ ନୁହେ । ଏତିକି ମନେ ରଖିବା ଉଚିତ ଯେ, ଅନାସକ୍ତଭାବରେ ସ୍ୱଧର୍ମ ପାଳନ କରିବ । ଆସକ୍ତି ଅବନତିର ଲକ୍ଷଣ ।

 

ପଶୁଗଣ ନିଜର ବିଧି ପାଳନ କରି ଶେଷରେ କୃତକାର୍ଯ୍ୟ ହେଉଅଛନ୍ତି । ଆମ୍ଭେମାନେ ପୁରାଣରେ ଗଜ କୁମ୍ଭୀର ବିବରଣ ପଢ଼ି ବୁଝୁ ଅଛୁଁ ଯେ, କୁମ୍ଭୀର ଗଜ ସଙ୍ଗେ ବିଶ୍ୱାସଘାତକତା କରି ତାହାକୁ ବଧ କରିବାକୁ କୌଶଳ ରଚନା କଲା, ମାତ୍ର ପରିଣାମରେ ପରମପଦ ଲାଭ କଲା । ତାହାର କାରଣ ସେ ସ୍ୱଧର୍ମ ପାଳନ କରିଥିଲା । ପଶୁଗଣ ଆହାର ସଂଗ୍ରହ ପାଇଁ ଯେ କୌଣସି କୌଶଳ ରଚନା କରି ପାରନ୍ତି ତାହା ଦୂଷଣୀୟ ନୁହେ । ମାତ୍ର ହିଂସ୍ର ପଶୁ ଯଦି ଅହିଂସା ପ୍ରକାଶ କରେ କିମ୍ବା ଉଦ୍ଭିଦ୍‌ଭୋଜୀ ପଶୁ ଜୀବହିଂସା କରେ, ତେବେ ପରଧର୍ମ୍ମ ଗ୍ରହଣ କରି ଅନିଷ୍ଟରେ ପଡ଼ିବେ ସନ୍ଦେହ ନାହିଁ । ହିଂସ୍ର ପଶୁ ଋଷି-ସଙ୍ଗ-ପ୍ରଭାବରେ ଅହିଂସା ପ୍ରକାଶ କରୁଥିଲେ, ତଥାପି ଦୋଷୀ ହୋଇ ନାହାନ୍ତି । ତାହାର କାରଣ ତପସ୍ୱୀମାନଙ୍କର ତପଃ ପ୍ରଭାବରେ ସେମାନେ ଏପରି ଏକ ଦିବ୍ୟ ଶକ୍ତି ଲାଭ କରୁଥିଲେ ଯେ, ହିଂସା ପ୍ରତି ସେମାନଙ୍କର ସ୍ୱତଃ ଘୃଣା ଜନ୍ମୁ ଥିଲା । ଫଳତଃ ସେମାନେ ପଶୁ ହୋଇ ମଧ୍ୟ ମନୁଷ୍ୟଭାବ ପାଉଥିଲେ । ସୁତରାଂ ମନୁଷ୍ୟର ଯାହା କରଣୀୟ, ତାହା କରିବାକୁ ବାଧ୍ୟ ହେଉଥିଲେ । ତଦ୍ଦ୍ୱାରା ସେମାନେ ଉଚ୍ଚ ସୋପାନକୁ ଯାଉଥିଲେ । ସ୍ୱଧର୍ମ ପାଳନ କରି ଜନ୍ମ ସଫଳ କରିବା ସର୍ବଥା ବାଞ୍ଛନୀୟ । ପରଧର୍ମ୍ମ ପନ୍ଥା ଅତି ଜଟିଳ । ଇନ୍ଦ୍ରିୟମାନଙ୍କର ପ୍ରରୋଚନାରେ କିମ୍ବା ଅନ୍ୟ ସମ୍ପ୍ରଦାୟର ଯୁକ୍ତି ବଳରେ ଭୁଲି ସ୍ୱଧର୍ମ ପରିତ୍ୟାଗ କରିବା କଦାପି ମନୁଷ୍ୟତ୍ୱ ନୁହେ । ତାହା କେବଳ ବହୁଦର୍ଶିତାର ଛଳନା ମାତ୍ର । ମାନବର ସ୍ୱଧର୍ମ ଓ ସାମାଜିକ ସ୍ୱଧର୍ମ୍ମ କେବେହେଁ ଦୂଷଣୀୟ ନୁହେ । ସୁତରାଂ ଅନାଦରଯୋଗ୍ୟ ହୋଇ ନ ପାରେ । ତାହାକୁ ନିଷ୍କାମ ଓ ନିର୍ମମ ଭାବରେ ପାଳନ କଲେ ଅଭ୍ୟୁଦୟ ସୁନିଶ୍ଚିତ ।

Image

 

ପ୍ରବୃତ୍ତି ଓ ନିବୃତ୍ତି

 

ଉପରିଲିଖିତ ଦୁଇଟି ଶବ୍ଦକୁ ଆମ୍ଭେମାନେ ବହୁ ପୁସ୍ତକରେ ପଢ଼ୁ ଅଛୁଁ । ସେହି ଶବ୍ଦ ଦୁଇଟିର ପ୍ରକୃତ ଅର୍ଥ କଣ, ସେଥି ମଧ୍ୟରୁ କେଉଁଟି ହିତକର ଓ କେଉଁଟି ଅହିତକର ଇତ୍ୟାଦି ବିଷୟ ଜାଣିବା ନିତାନ୍ତ ଆବଶ୍ୟକ । ମନୀଷିଗଣ ପ୍ରକାଶ କରିଅଛନ୍ତି ପ୍ରବୃତ୍ତିର ଅର୍ଥ ବନ୍ଧନ ଓ ନିବୃତ୍ତିର ଅର୍ଥ ମୁକ୍ତି, ଅର୍ଥାତ୍ ମନୁଷ୍ୟ ପ୍ରବୃତ୍ତିର ଅଧୀନ ହେଲେ ଯଥାସମୟରେ ନାନାବିଧ ମୂର୍ତ୍ତି ଧାରଣ କରି ଏହି ଜଗତରେ ଅଭିନୟ କରୁଥିବ । ମାତ୍ର ନିବୃତ୍ତିପରାୟଣ ହେଲେ ପୁନରପ ଶରୀର ବନ୍ଧନ ରହିବ ନାହିଁ । ଇହକାଳ ଓ ପରକାଳର ସୁଖ ବାଞ୍ଛା କରି ଯେଉଁ କର୍ମ୍ମ କରାଯାଏ, ତାହା ପ୍ରବୃତ୍ତି ମୂଳକ, କିନ୍ତୁ ଜ୍ଞାନ ଓ ବୈରାଗ୍ୟ ପ୍ରଭୃତିର ସାହାଯ୍ୟରେ ଯେଉଁ କର୍ମ୍ମ କରାଯାଏ, ତାହା ନିବୃତ୍ତିମୂଳକ-। ସମ୍ପ୍ରତି ଅଧିକାଂଶ ମନୁଷ୍ୟ ପରଲୋକ ଅର୍ଥାତ୍ ଦେହାନ୍ତର ଗ୍ରହଣ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶ୍ୱାସ ହୀନ ହେବାରୁ ପ୍ରବୃତ୍ତି ଓ ନିବୃତ୍ତିର ଯଥାର୍ଥ ମର୍ମ୍ମ ବୁଝିବାକୁ ପ୍ରୟାସୀ ହୁଅନ୍ତି ନାହିଁ । କାର୍ଯ୍ୟରେ ମିଥ୍ୟା ଜ୍ଞାନ ହେଲେ କାରଣ ପ୍ରତି କଦାପି ମନୋଯୋଗ ଆକୃଷ୍ଟ ହୁଏ ନାହିଁ । ଆମ୍ଭମାନଙ୍କର ନିତ୍ୟ ଶୁଭାକାଂକ୍ଷୀ ତପୋଧନଗଣ ଦିବ୍ୟ ଦୃଷ୍ଟିରେ ଭାବି-ବଂଶଧରଙ୍କର ଜ୍ଞାନ-ବିପର୍ଯ୍ୟୟ ଅନୁଭବ କରି ପରଲୋକ ସମ୍ବନ୍ଧରେ ବହୁ ତଥ୍ୟ ପ୍ରକାଶ କରିଅଛନ୍ତି । ମହର୍ଷି କପିଳ କହନ୍ତି ଯେଉଁ ପ୍ରମାଣ ପ୍ରତ୍ୟକ୍ଷ ନୁହେ କିମ୍ବା ଅନାୟାସରେ ଅନୁଭୂତ ହୁଏ ନାହିଁ, ତାହା ଜାଣିବାପାଇଁ ଆପ୍ତ ବଚନକୁ ଅନୁସରଣ କରିବା ଉଚିତ । ଯେଉଁ ବ୍ୟକ୍ତିଙ୍କର ଭ୍ରମ, ପ୍ରମାଦ, ଇନ୍ଦ୍ରିୟ ଦୋଷ, ଦ୍ୱେଷ ଓ କପଟ ପ୍ରଭୃତି ନାହିଁ, ତାହାଙ୍କୁ ଆପ୍ତ ବୋଲାଯାଏ । ତାହାଙ୍କର ବଚନହିଁ ଆପ୍ତ ବଚନ । ସେହି ସଦୁକ୍ତିକୁ ସ୍ୱାର୍ଥାନ୍ଧ ଗୃହୀ ଲୋକଙ୍କର ବଚନ ତୁଲ୍ୟ ହେୟ ଜ୍ଞାନ କରିବା ସୁବୁଦ୍ଧି ଲୋକର କାର୍ଯ୍ୟ ନୁହେ । ଯମ ନଚିକେତାଙ୍କୁ ପରଲୋକ ସମ୍ବନ୍ଧରେ କହି ଅଛନ୍ତି,

 

‘‘ନ ସାମ୍ପରାୟଃ ପ୍ରତିଭାତି ବାଳଂ,

ପ୍ରମାଦ୍ୟନ୍ତଂ ବିତ୍ତମୋହେନ ମୂଢ଼ଂ;

ଅୟଂ ଲୋକେ ନାସ୍ତି ପର ଇତି ମାନୀ,

ପୁନଃ ପୁନଃ ବଶମାପଦ୍ୟତେ ମେ ।’’

ଅର୍ଥାତ୍ ଲୋକେ ସାଂସାରିକ ଭୋଗ ବିଳାସରେ ବିମୁଗ୍ଧ ହୋଇ, ଇହଲୋକ ବ୍ୟତୀତ ପରଲୋକର ସତ୍ତା ସ୍ୱୀକାର କରନ୍ତି ନାହିଁ । ସୁତରାଂ ବାରମ୍ବାର ଆମ୍ଭର ବଶ୍ୟତା ସ୍ୱୀକାର କରନ୍ତି । ସାଙ୍ଖ୍ୟକାର ଭଗବାନ୍ କପିଳ କହି ଅଛନ୍ତି;

‘‘ଉପାତ୍ତ ମୁପାତ୍ତଂ ଷାଟ୍ କୌଷିକଂ ଶରୀରଂ

ଗୃହ୍ନାତି, ହାୟଂ ହାୟଂ ଚୋପାଦତ୍ତେ ।’’

ଅର୍ଥାତ୍ ମୁକ୍ତିଲାଭ ନ ହେବା ପର୍ଯ୍ୟନ୍ତ ଚର୍ମ୍ମରକ୍ତ ପ୍ରଭୃତିରେ ଗଠିତ ସ୍ଥୂଳ ଶରୀରାଭ୍ୟନ୍ତରସ୍ଥ ସୂକ୍ଷ୍ମଶରୀର ଇହଲୋକରୁ ପରଲୋକ ଓ ପରଲୋକରୁ ଇହଲୋକକୁ ଗମନାଗମନ କରୁଥାଏ । ସ୍ମୃତିର ମତ–

‘‘ଯୋନିମନ୍ୟେ ପ୍ରପଦ୍ୟନ୍ତେ; ଶରୀରତ୍ୱାୟ ଦେହିନଃ,

ସ୍ଥାଣୁ ମନ୍ୟେଽନୁ ସଂଯନ୍ତି ଯଥାକର୍ମ୍ମ ଯଥାଶ୍ରୁତଂ ।’’

 

ଅର୍ଥାତ୍ ଜୀବମାନେ ନିଜ ନିଜ ଜ୍ଞାନ ଓ କର୍ମ୍ମ ଅନୁସାରେ ପୃଥକ୍ ପୃଥକ୍ ଶରୀର ଧାରଣ କରିବାକୁ ବାଧ୍ୟ ହୁଅନ୍ତି । ଉଲ୍ଲିଖିତ ଆପ୍ତ ବଚନମାନଙ୍କରୁ ସହଜରେ ବୁଝାଯାଉଅଛି ଯେ ପରଲୋକରେ ଅବିଶ୍ୱାସ କରିବା ଭ୍ରାନ୍ତି ବ୍ୟତୀତ ଅନ୍ୟ କିଛି ନୁହେ । ଯେଉଁ ଚତୁର ବ୍ୟକ୍ତି ଦେହାନ୍ତର ଗ୍ରହଣରେ ଭୀତ ହୁଅନ୍ତି ସେ କଦାପି ପ୍ରବୃତ୍ତିର ବଶୀଭୂତ ହେବାକୁ ଇଚ୍ଛା କରନ୍ତି ନାହିଁ । ପ୍ରବୃତ୍ତିକୁ ଅନୁସରଣ କରିବା ଅବିବେକିତାର ଲକ୍ଷଣ ସନ୍ଦେହ ନାହିଁ । ସେହି ହେତୁରୁ ବୁଦ୍ଧଦେବ ପ୍ରଚାର କରିଅଛନ୍ତି ‘‘କାମନାର ବିନାଶରେ ଦୁଃଖର ବିନାଶ ।’’ ଯଥାର୍ଥରେ ପ୍ରବୃତ୍ତି ଅଥବା କାମନା ସର୍ବବିଧ ଦୁଃଖର କାରଣ ଅର୍ଥାତ୍ ବନ୍ଧନର ହେତୁ ଅଟେ ।

 

ଭଗବାନ୍ ଶ୍ରୀକୃଷ୍ଣ ପ୍ରଚାର କରିଅଛନ୍ତି ‘‘ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରାସୁରାଃ ।’’ ଅର୍ଥାତ୍ ଯେଉଁ ଲୋକ ପ୍ରବୃତ୍ତି ଓ ନିବୃତ୍ତିର ପ୍ରକୃତ ତତ୍ତ୍ୱ ନ ବୁଝି ସ୍ୱେଚ୍ଛାଚାରୀ ହୁଏ, ସେ ଅସୁରପ୍ରକୃତିକ ଅଟେ । ଅସୁର–ସ୍ୱଭାବ ଲୋକମାନଙ୍କର ପରିଣାମ କଦାପି ସୁଖକର ନୁହେ । ସେମାନେ ଇହସର୍ବସ୍ୱ ହୋଇ ଦୁର୍ଲ୍ଲଭ ମାନବ ଜନ୍ମରେ ଜଳାଞ୍ଜଳି ଦିଅନ୍ତି । ଆପ୍ତ ବଚନରେ ଅନୁକ୍ଷଣ ସନ୍ଦେହାକୁଳ ହୋଇ ମନୁଷ୍ୟତ୍ୱର ଉଚ୍ଛେଦ ସାଧନ କରନ୍ତି । ସୁତରାଂ ସେମାନେ କ୍ରମେ କ୍ରମେ ଅଧୋଗତ ହୋଇ ତିର୍ଯ୍ୟକ୍‌ଶରୀର ଗ୍ରହଣ କରନ୍ତି । ମନୁଷ୍ୟ ଜାଗ୍ରତ୍ ଚୈତନ୍ୟ ଲାଭ କରି ନିରନ୍ତର ସୁପ୍ତ ହେବା ଅତୀବ ପରିତାପର ବିଷୟ ସନ୍ଦେହ ନାହିଁ । ମନୁଷ୍ୟ ସୃଷ୍ଟିକୁ ସତର୍କ କରିବାପାଇଁ ଭଗବାନ୍ ଶ୍ରୀକୃଷ୍ଣ କହି ଅଛନ୍ତି–

 

‘‘ଆସୁରଂ ଭାବମାପନ୍ନା ମୂଢ଼ା ଜନ୍ମନି ଜନ୍ମନି,

ମାମପ୍ରାପ୍ୟେବ କୌନ୍ତେୟ ତତୋ ଯାନ୍ତ୍ୟଧମାଂ ଗତିଂ ।’’

 

ଅର୍ଥାତ୍ ଅସୁରପ୍ରକୃତିକ ମୂଢ଼ ଲୋକମାନେ ଜନ୍ମେ ଜନ୍ମେ ଶରୀର-ବଦ୍ଧ ହୋଇ ନିକୃଷ୍ଟ ଜୀବ ଜଗତରେ ସ୍ଥାନ ପାଆନ୍ତି । ଉକ୍ତ ଉକ୍ତି ଗୁଡ଼ିକରୁ ଜଣାଯାଉଅଛି ପ୍ରବୃତ୍ତିର ପରିଣାମ କେତେବେଳେ ସୁଖପ୍ରଦ ନୁହେ ।

 

ଲୋକେ ଜଗତରେ ଦିବା ନିଶି ଦୁଇଟି ପଥରେ ଗତି କରୁଅଛନ୍ତି । ସେହି ଦୁଇ ପଥର ନାନାପ୍ରକାର ନାମ ଅଛି, ଯଥା–ପ୍ରବୃତ୍ତି ପଥ, ନିବୃତ୍ତି ପଥ; ବନ୍ଧନ ପଥ, ମୁକ୍ତି ପଥ, ପ୍ରେୟଃ ପଥ, ଶ୍ରେୟଃ ପଥ ଓ ଆପତ୍ ପଥ, ସମ୍ପତ୍ ପଥ ।’’ ନୀତି ଶାସ୍ତ୍ରକାରମାନେ ଦୁଇଟି ପଥର ପରିଚୟ ଦେବାପାଇଁ କହିଅଛନ୍ତି–

 

ଆପଦାଂ କଥିତଃ ପନ୍ଥା ଇନ୍ଦ୍ରିୟାଣାମସଂଯମଃ,

ତଚ୍ଛୟଃ ସମ୍ପଦାଂ ମାର୍ଗଃ ଯେନେଷ୍ଟଂ ତେନ ଗମ୍ୟତାଂ ।’’

 

ଅର୍ଥାତ୍ ମନୁଷ୍ୟ ଇନ୍ଦ୍ରିୟାଧୀନ ହୋଇ ଯେଉଁ ପଥରେ ଯାତ୍ରାକରେ ତାହର ନାମ ଆପତ୍ ପଥ । ସଂଯତ ବ୍ୟକ୍ତିଙ୍କର ଗନ୍ତବ୍ୟ ପଥ ସମ୍ପତ୍ ନାମରେ କଥିତ ହୁଏ । ଏହି ଦୁଇ ପଥ ମଧ୍ୟରୁ ଯାହାର ଯେଉଁ ବାଟରେ ଇଚ୍ଛା ସେହି ବାଟରେ ଚାଲ । ବିଧାତା ନିଜ ସୃଷ୍ଟିର ବୈଚିତ୍ର୍ୟ ପ୍ରକାଶ କରିବା ନିମିତ୍ତ ମନୁଷ୍ୟ ନିର୍ମାଣ ସଙ୍ଗେ ସଙ୍ଗେ ଦୁଇଟି ବାଟ ମଧ୍ୟ ପ୍ରସ୍ତୁତ କରି ରଖି ଅଛନ୍ତି । ବର୍ତ୍ତମାନ ପ୍ରତ୍ୟେକ ମାନବର କର୍ତ୍ତବ୍ୟ ଯେ ନିଜର ଅନ୍ତରସ୍ଥ ଜ୍ଞାନ ଓ ବୈରାଗ୍ୟ ପ୍ରଭୃତିଙ୍କର ଆଜ୍ଞା ମାନି ଗନ୍ତବ୍ୟ ପଥ ବାଛି ନେବା ଆବଶ୍ୟକ । ଚିକିତ୍ସାଶାସ୍ତ୍ରର ମତରେ ଯେଉଁ ପଦାର୍ଥ ପ୍ରଥମତଃ ମିଷ୍ଟ ତାହାର ପରିଣାମ ମିଷ୍ଟ ନୁହେ । ମିଷ୍ଟ ପଦାର୍ଥ ବହୁବିଧ ରୋଗର ଭଣ୍ଡାର ଅଟେ । ଯାହା ପ୍ରଥମତଃ ତିକ୍ତ, ତାହାର ପରିଣାମ ମିଷ୍ଟ । ସୁତରାଂ ରସନେନ୍ଦ୍ରିୟର ବଶବର୍ତ୍ତୀ ହୋଇ ପରିଣାମ ସୁଖପ୍ରଦ ପଦାର୍ଥକୁ ବର୍ଜ୍ଜନ କରିବା ଅବିବେଚକର କାର୍ଯ୍ୟ ଅଟେ । ପ୍ରବୃତ୍ତି ପଥର ଅପର ନାମ ବନ୍ଧନ ପଥ, ପ୍ରେୟଃ ପଥ ଓ ଆପତ୍ ପଥ । ଅନ୍ୟ ଗୁଡ଼ିକ ନିବୃତ୍ତି ପଥର ନାମ ଅଟେ । ପ୍ରଥମୋକ୍ତ ପଥଟି ଯାତ୍ରୀମାନଙ୍କର ଗମନାଗମନରେ ପ୍ରଥମତଃ ସୁଖକର ସତ୍ୟ, ମାତ୍ର ପରିଣାମ ଘୋରଦୁଃଖଜନକ । ମନୁଷ୍ୟ ବିକାରଗ୍ରସ୍ତ ଓ ଭ୍ରମାଧୀନ ନ ହେଲେ କଦାପି ପ୍ରେୟଃ ପଥରେ ଯାତ୍ରା କରିବାକୁ ଇଚ୍ଛା କରେ ନାହିଁ । ଲୋକମାନଙ୍କର ଅକସ୍ମାତ୍ ଉପସ୍ଥିତ ବିକାର ନାଶ କରିବା ପାଇଁ ପ୍ରାଚୀନ ମହାତ୍ମାଗଣ ବହୁ ଅନୁଭୂତ ସତ୍ୟ ପ୍ରକାଶ କରିଅଛନ୍ତି । ସେ ଗୁଡ଼ିକୁ ଅସତ୍ୟ ମନେ କରି ନିଜ ଇଚ୍ଛାରେ ପରିଣାମ ସୁଖପ୍ରଦ ବାଟ ଚିହ୍ନିବାପାଇଁ ଆସ୍ପର୍ଦ୍ଧା କରିବା କଦାପି ଶୁଭ ଲକ୍ଷଣ ନୁହେ । ନୂତନ ପଥିକ ଦୁଇଟି ବାଟ ଦେଖିଲେ ସନ୍ଦେହ ମୋଚନ ପାଇଁ ଜାଣିଥିବା ବ୍ୟକ୍ତିଙ୍କୁ ପଚାରନ୍ତି । ସେ ଯଦି ତାଙ୍କର କଥାକୁ ଅସତ୍ୟ ମନେ କରି ଅନ୍ୟ ପଥରେ ଚାଲନ୍ତି ସେ ନିରୂପିତ ସ୍ଥାନରେ କେଭେଁ ପହଞ୍ଚି ପାରିବେ ନାହିଁ-। ସେହି ହେତୁରୁ କବି ଗାଇଅଛନ୍ତି । ‘‘ପ୍ରେୟ ପଥ ତେଜି ଶ୍ରେୟର ପଥ ଆଶ୍ରୟ କର’’ । ଶାସ୍ତ୍ରର ମତ ‘‘ଶ୍ରେୟାଂସି ବହୁବିଘ୍ନାନି’’ । ଅର୍ଥାତ୍ କୌଣସି ମଙ୍ଗଳ କାର୍ଯ୍ୟରେ ବ୍ରତୀ ହେଲେ ସମୟରେ ବହୁ ବିଘ୍ନ ଉପସ୍ଥିତ ହୁଏ । ବିଘ୍ନ ଦେଖି କାତର ହେବା ମନୁଷ୍ୟତ୍ୱ ନୁହେ । ତପସ୍ୱୀମାନଙ୍କର ତପସ୍ୟାରେ ଦେବରାଜ ଇନ୍ଦ୍ର ବହୁ ବିଘ୍ନ ଉପସ୍ଥାପିତ କରି ଅଛନ୍ତି ସତ୍ୟ, ମାତ୍ର ସେମାନେ ଅତି କଷ୍ଟରେ ତାହା ସବୁ ଲଙ୍ଘନ କରି ସ୍ୱପଥରେ ଗତି କରିଥିବାରୁ ଯେଉଁ ପରମାର୍ଥ ଅର୍ଜନ କରି ଅଛନ୍ତି, ତାହା ଅକ୍ଷୟ ଓ ଅବ୍ୟୟ ।

 

ପ୍ରବୃତ୍ତି-ବର୍ଜନ ଅନାୟାସ-ସାଧ୍ୟ ନୁହେ । ସେଥିପାଇଁ କଠୋର ସାଧନାର ପ୍ରୟୋଜନ । ଶାସ୍ତ୍ରକାରମାନେ କହିଅଛନ୍ତି ବାସନା ମୂଳକ ଚିତ୍ତ ପ୍ରବୃତ୍ତିର ପରମବନ୍ଧୁ ଓ ନିବୃତ୍ତିର ପ୍ରଧାନ ଅନ୍ତରାୟ । ସର୍ବାଦୌ ଚିତ୍ତକୁ ପରିବର୍ତ୍ତନ ନ କଲେ କେହି ମନୁଷ୍ୟ କଦାପି ନିବୃତ୍ତି ଅବଲମ୍ବନ କରି ପାରିବେ ନାହିଁ । ନିବୃତ୍ତିର ବଶୀଭୂତ ହୋଇ ଯେ କୌଣସି କାର୍ଯ୍ୟ କଲେ ମଧ୍ୟ ପରିଣାମ ନିଶ୍ଚୟ ଉନ୍ନତି-ଜନକ । ଆମ୍ଭେମାନେ ଗୀତାରେ ପାନ କରୁଅଛୁଁ ଯେ ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ କରିବା ନିମିତ୍ତ ପୁନଃ ପୁନଃ ପ୍ରବର୍ତ୍ତାଇ ଅଛନ୍ତି ସତ୍ୟ, ମାତ୍ର ତାହାର ମୂଳରେ ନିବୃତ୍ତି ସମ୍ପୂର୍ଣ୍ଣ ମାତ୍ରାରେ ବିରାଜମାନ ଅଛି । ନିମ୍ନଲିଖିତ ଉକ୍ତିରୁ ତାହା ସହଜରେ ବୁଝାଯିବ ।

 

‘‘ସୁଖଦୁଃଖେ ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ,

ତତୋ ଯୁଦ୍ଧାୟ ଯୁଜ୍ୟସ୍ୱ ନୈବ ପାପ ମବାପ୍ସ୍ୟସି ।’’

 

ଅର୍ଥାତ୍ ହେ ଅର୍ଜୁନ ଲାଭ କ୍ଷତି ଜୟ ପରାଜୟ ଓ ସୁଖ ଦୁଃଖ ସମସ୍ତଙ୍କୁ ସମାନ ମନେ କରି ଯୁଦ୍ଧ କାର୍ଯ୍ୟରେ ପ୍ରବୃତ୍ତ ହୁଅ ତେବେ ତୁମ୍ଭଙ୍କୁ ପାପ ସ୍ପର୍ଶ କରିବ ନାହିଁ । ନିବୃତ୍ତିମୂଳକ କର୍ମ୍ମ ପ୍ରକୃତ କର୍ମ ନାମରେ ଅଭିହିତ । ତଦ୍ଦ୍ୱାରା ମନୁଷ୍ୟ କ୍ରମଶଃ ଉନ୍ନତତର ସୋପାନରେ ଅଧିରୂଢ଼ ହୁଏ-। ଲୋକ କି ଉପାୟରେ ନିବୃତ୍ତି ପରାୟଣ ହେବ, ଶାସ୍ତ୍ରକାରମାନେ ତାହାର ମୀସାଂସା କରି ଅଛନ୍ତି-। ସେମାନେ କହନ୍ତି ଅହଂଜ୍ଞାନ ପରମ ଅବିଦ୍ୟା । ତାହା ବାସନା ମୂଳକ ଚିତ୍ତର ଧର୍ମ୍ମ । ଯେଉଁ ମୂଢ଼ଲୋକ ଅହଂଭାବଦ୍ୱାରା ନିବୃତ୍ତିକୁ ଅନୁସନ୍ଧାନ କରେ ତାହାର କାର୍ଯ୍ୟ ଉନ୍ନତ୍ତ ଲୋକର କାର୍ଯ୍ୟ ତୁଲ୍ୟ ଅଟେ । ସୁତରାଂ ନିବୃତ୍ତିନିଷ୍ଠ ହେବାପାଇଁ ବାଞ୍ଛା କଲେ ଅହଂ ଜ୍ଞାନ ଅର୍ଥାତ୍ ମୁଁ, ମୋର ଏପରି ଭାବ ସର୍ବାଦୌ ପରିତ୍ୟାଗ କରିବାକୁ ହେବ । ଯେତେଦିନ ମନ କଳୁଷିତ ଓ ଚଞ୍ଚଳ ଥିବ, ସେତେଦିନ ମନୁଷ୍ୟ କେବେହେଁ ଅବିଦ୍ୟାରୁ ମୁକ୍ତ ହୋଇ ପାରିବ ନାହିଁ । ସେହିହେତୁରୁ ବୃହସ୍ପତି ନିଜପୁତ୍ର କଚଙ୍କୁ ଉପଦେଶ ଦେବାବେଳେ କହି ଅଛନ୍ତି ହେ ବତ୍ସ ! ତୁମ୍ଭେ ସାଧନା ଦ୍ୱାରା ବାସନାମୂଳକ ଚିତ୍ତକୁ ତ୍ୟାଗ କଲେ ସର୍ବତ୍ୟାଗୀ ହେବ ଓ ଅନର୍ଥ ରୂପ ଜଳଜନ୍ତୁର ଆସ୍ପଦ ଭବସିନ୍ଧୁକୁ ନିରୁଦ୍ବେଗରେ ଉତ୍ତୀର୍ଣ୍ଣ ହୋଇ ପାରିବ ।

 

ବର୍ତ୍ତମାନ ମନରେ ଉଦୟ ହୋଇପାରେ କି ଉପାୟରେ ଚିତ୍ତକୁ ତ୍ୟାଗ କରାଯିବ । ତତ୍‌ ସମ୍ବନ୍ଧରେ ବିଶ୍ୱହିତୈଷୀ ଶାସ୍ତ୍ରକାରମାନେ ଯଥେଷ୍ଟ ଆଲୋଚନା କରିଅଛନ୍ତି । ସେମାନେ କହନ୍ତି ଅହଂଭାବ ଅର୍ଥାତ୍ ଅଜ୍ଞାନ ଚିତ୍ତର ବୀଜ । ମନରୂପ ବୃକ୍ଷ ତହିଁରୁ ଉତ୍ପନ୍ନ ହୋଇ ଇନ୍ଦ୍ରିୟମାନଙ୍କୁ ଶାଖା ସଦୃଶ ଇତସ୍ତତଃ ପ୍ରସାରିତ କରିଅଛି । ଏହି ସଂସାର ସେହି ବୃକ୍ଷର ସୁରଭି ପୁଷ୍ପ, ତେଣୁ ମନୋହର । ମନୁଷ୍ୟ ସାଧନା ପ୍ରଭାବରେ ଅଜ୍ଞାନକୁ ବିନାଶ କଲେ ଅନ୍ୟ ସମସ୍ତ ନିଜେ ନିଜେ ଶୀର୍ଣ୍ଣ ହେବେ ସନ୍ଦେହ ନାହିଁ । ଅଜ୍ଞାନ ନାଶ କରିବାପାଇଁ ସର୍ବଦା ବୈରାଗ୍ୟଶୀଳ ଓ ସଂଯତମନା ହୋଇ ବିଦ୍ୟାଲୋଚନା କରିବା ଉଚିତ । ଅବିଦ୍ୟାଚର୍ଚ୍ଚାରେ ଅନୁକ୍ଷଣ ଲିପ୍ତ ରହିଲେ ଉଦ୍ଦେଶ୍ୟ ସଫଳ ହେବ ନାହିଁ । ସେହି ହେତୁରୁ ଆଚାର୍ଯ୍ୟ ଶଙ୍କର କହି ଅଛନ୍ତି;

 

‘‘କସ୍ୟ ତ୍ୱଂ ବା କୁତ ଆୟାତଃ,

ତତ୍ତ୍ୱଂ ଚିନ୍ତୟ ତଦିଦଂ ଭ୍ରାତଃ ।’’

 

ଅର୍ଥାତ୍ ହେ ଭାଇମାନେ ! ତୁମ୍ଭେମାନେ କିଏ, କେଉଁଠାରୁ ଆସିଅଛ, ଏହି ତତ୍ତ୍ୱ ଅନୁକ୍ଷଣ ଚିନ୍ତା କର । ମୁଁ, ମୋର ଏହି ଅହଂଭାବ ରୂପିଣୀ ମାୟା ତ୍ୟାଗ କରି ଅନାସକ୍ତ ଭାବରେ ସ୍ୱକର୍ତ୍ତବ୍ୟ ପାଳନ କଲେ ଦିନେ କଳୁଷିତ ଚିତ୍ତ ନିଶ୍ଚୟ ନିର୍ମଳ ହେବ । ତେଣୁ ପ୍ରବୃତ୍ତି ନିଜେ ନିଜେ ପରାଙ୍‌ମୁଖୀ ହେବ । ସେହି ଅବସ୍ଥାରେ ନିବୃତ୍ତିଶୀଳ ବ୍ୟକ୍ତି ଏହି ଜଗତକୁ ଦେଖି ଯେଉଁ ଦିବ୍ୟ ଭାବରେ ବିହ୍ୱଳ ହେବେ, ତାହା ବର୍ଣ୍ଣନାତୀତ ।

Image

 

ତପସ୍ୟା

 

ଜଗତରେ ପ୍ରତିଜୀବ କର୍ମ୍ମର ବଶୀଭୂତ । କୌଣସି ଜୀବ କର୍ମ୍ମ ପରିତ୍ୟାଗ କରି କ୍ଷଣେମାତ୍ର ରହି ନ ପାରେ । ମନୁଷ୍ୟେତର ଜୀବମାନେ ନିତ୍ୟ ବହିର୍ଦୃଷ୍ଟିଶୀଳ । ସୁତରାଂ ସେମାନେ କେବଳ ଆହାର ସଂସ୍ଥାନ ପ୍ରଭୃତି ବହିଃ କର୍ମ୍ମରେ ଅନୁକ୍ଷଣ ବ୍ୟସ୍ତ । ମାତ୍ର ମାନବ ସୃଷ୍ଟି କେବଳ ବହିର୍ଦୃଷ୍ଟିରେ ପରିତୁଷ୍ଟ ନୁହେ । ସେ ଅଭ୍ୟନ୍ତର ପ୍ରଦେଶକୁ ନିରୀକ୍ଷଣ କରିବାର କ୍ଷମତା ଲାଭ କରିଅଛି । ତେଣୁ ମାନବ ଉଭୟ ଦୃଷ୍ଟିରେ କର୍ମ୍ମ କରିବାକୁ ଅଧିକାରୀ । ଉଭୟ କର୍ମ ପରସ୍ପର ଘନିଷ୍ଠଭାବରେ ସଂବଦ୍ଧ । ଯେପରି ବ୍ୟଞ୍ଜନବର୍ଣ୍ଣ ସ୍ୱରବର୍ଣ୍ଣର ସାହାଯ୍ୟ ବିନା ଉଚ୍ଚାରିତ ହୋଇ ପାରେ ନାହିଁ, ସେହିପରି ବହିର୍ଦୃଷ୍ଟି ବିନା ଅନ୍ତର୍ଦୃଷ୍ଟି ସମ୍ପୂର୍ଣ୍ଣ ଅସମ୍ଭବ । କାରଣ ଯେ କୌଣସି କର୍ମ୍ମ ସାଧନ ପାଇଁ ପାଞ୍ଚଗୋଟି ପଦାର୍ଥ ବିଶେଷ ଆବଶ୍ୟକ । ତନ୍ମଧ୍ୟରେ ଶରୀର ପ୍ରଥମ । ଶାସ୍ତ୍ରର ମତ–

 

‘‘ଶରୀର ବାଙ୍‌ମନୋଭିର୍ଯତ୍ କର୍ମ୍ମ ପ୍ରାରଭତେ ନରଃ;

ନ୍ୟାଯ୍ୟଂ ବା ବିପରୀତଂ ବା ପଞ୍ଚୈତେ ତସ୍ୟ ହେତବଃ ।

ଅଧିଷ୍ଠାନଂ ତଥା କର୍ତ୍ତା କରଣଂ ଚ ପୃଥଗ୍‌ବିଧଂ;

ବିବିଧାଶ୍ଚ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମଂ ।’’

 

ଅର୍ଥାତ୍ ଶରୀର, ଅହଙ୍କାର; ଇନ୍ଦ୍ରିୟଗଣ, ନାନାବିଧ ଚେଷ୍ଟା ଓ ଦୈବର ଅଧୀନ ହୋଇ ମନୁଷ୍ୟ ନ୍ୟାଯ୍ୟ ବା ଅନ୍ୟାଯ୍ୟ କର୍ମ୍ମ କରୁଅଛି । ଉଲ୍ଲିଖିତ ଉଦାହରଣରୁ ଆମ୍ଭେମାନେ ଦେଖୁଅଛୁଁ ଶରୀରରକ୍ଷା ଅତ୍ୟନ୍ତ ପ୍ରୟୋଜନୀୟ । ନଚେତ୍ ଶରୀର ଅଭାବରେ କୌଣସି କର୍ମ୍ମ କରି ହେବ ନାହିଁ-। ସେହି ମର୍ମ୍ମରେ ମହାଦେବ ପାର୍ବତୀଙ୍କୁ କହି ଅଛନ୍ତି ‘‘ଶରୀର ମାଦ୍ୟଂ ଖଳୁ ଧର୍ମ ସାଧନଂ’’ । ବହିଃକର୍ମ୍ମ ଶରୀରରକ୍ଷାର ପ୍ରଥମ କାରଣ । ଏହା ବୋଲି କେବଳ ଏହି କର୍ମ୍ମ ମାନବ ଜାତି ପକ୍ଷରେ ପ୍ରଶଂସାର୍ହ ନୁହେ । ତାହାହେଲେ ପଶୁ ଓ ମନୁଷ୍ୟ ମଧ୍ୟରେ କୌଣସି ପ୍ରଭେଦ ରହିବ ନାହିଁ । ଉଭୟବିଧ କର୍ମ୍ମ ମନୁଷ୍ୟର ସର୍ବଥା ବାଞ୍ଛନୀୟ । କର୍ମ୍ମର ଦୁଇ ପ୍ରକାର କ୍ଷମତା ଅଛି । ଏକପ୍ରକାର କର୍ମ ଅଛି, ଯାହା ମନକୁ ଏପରି କଳୁଷିତ କରିଦିଏ ଯେ ତହିଁରେ ମନୁଷ୍ୟତ୍ୱ ଆଦୌ ପ୍ରତିଫଳିତ ହୋଇପାରେ ନାହିଁ । ଅନ୍ୟବିଧ କର୍ମ୍ମ ହୃଦୟକୁ ସର୍ବତୋଭାବରେ ନିର୍ମଳ କରିଦିଏ । ତେଣୁ ପ୍ରଥମ ପ୍ରକାର କର୍ମ୍ମ ପରିତ୍ୟାଜ୍ୟ ବୋଲି ଶାସ୍ତ୍ରକାରମାନେ ମତ ପ୍ରକାଶ କରିଅଛନ୍ତି । ଦ୍ୱିତୀୟଶ୍ରେଣୀ କର୍ମ୍ମ କଦାପି ବର୍ଜ୍ଜନୀୟ ନୁହେ । କେଉଁ କର୍ମ୍ମ ଦ୍ୱିତୀୟ ଶ୍ରେଣୀର ଅନ୍ତର୍ଗତ ତାହା ଜାଣିବାପାଇଁ ଭଗବାନ୍ ଶ୍ରୀକୃଷ୍ଣ ବିଶଦଭାବରେ ବ୍ୟବସ୍ଥା କରିଅଛନ୍ତି । ଯଥା –‘‘ଯଜ୍ଞୋ ଦାନଂ ତପ ଶ୍ଚୈବ ପାବନାନି ମନୀଷିଣାଂ ।’’ ଅର୍ଥାତ୍ ଯଜ୍ଞ, ଦାନ ଓ ତପସ୍ୟା ମନୀଷିଗଣଙ୍କର ହୃଦୟକୁ ପବିତ୍ର କରେ । ସ୍ଥୂଳବୁଦ୍ଧି ବିଷୟୀ ଲୋକ ଯଜ୍ଞ ଓ ଦାନ ପ୍ରଭୃତି ବହୁ ବ୍ୟୟ ସାଧ୍ୟ ଓ ତପସ୍ୟାରୂପ ବହୁକଷ୍ଟସାଧ୍ୟ କର୍ମ୍ମରେ କେବେହେଁ ପ୍ରବୃତ୍ତ ହେବାକୁ ଚେଷ୍ଟା କରନ୍ତି ନାହିଁ । ତେଣୁ ଭଗବାନ୍ ଶ୍ରୀକୃଷ୍ଣ ମନୀଷୀ ଶବ୍ଦଟି ପ୍ରୟୋଗ କରି ଅଛନ୍ତି । ମାନବ ଜାତି ମନୀଷୀ ହେବା ନିତାନ୍ତ ଆବଶ୍ୟକ । ନଚେତ୍ ପଶୁ ତୁଲ୍ୟ ଜଗତରେ ବିଚରଣ କରି ଅତିକଷ୍ଟରେ ଲବ୍ଧ ମନୁଷ୍ୟ ଜନ୍ମ ବିଫଳ କରିବାକୁ ହେବ ।

 

ଶାସ୍ତ୍ରକାରମାନେ ତପଃସାଧନ ପାଇଁ ଯେଉଁ ପଦ୍ଧତି ପ୍ରକାଶ କରିଅଛନ୍ତି, ତହିଁରୁ କିଛି ଆଲୋଚନା କରିବା ଉଚିତ । ଯଜ୍ଞ ଓ ଦାନ ଏହି ଦୁଇ କର୍ମ୍ମ ତପସ୍ୟାର ଅନ୍ତର୍ଗତ । ଯାହାଙ୍କର ହୃଦୟ ତପସ୍ୟାନଳରେ ସମୁଜ୍ଜ୍ୱଳ, ସେ ଯଥାବିଧି ଯଜ୍ଞ ଓ ଦାନ ପ୍ରଭୃତି କର୍ମ୍ମାନୁଷ୍ଠାନରେ କୁଣ୍ଠିତ ହୁଅନ୍ତି ନାହିଁ । ତେଣୁ ଆମ୍ଭମାନଙ୍କର ଅଭିପ୍ରେତ ପ୍ରବନ୍ଧ ମଧ୍ୟରେ ଉକ୍ତ ଉଭୟ କର୍ମ୍ମର ପୃଥକ୍ ଆଲୋଚନା ଆବଶ୍ୟକ ବୋଧ ହେଉନାହିଁ । ତପସ୍ୟା ସାଧନ ପାଇଁ ଶରୀର, ବାକ୍ୟ ଓ ମନ ଏହି ତିନିଗୋଟି ଉପାଦାନ ବିଶେଷଭାବରେ ଲୋଡ଼ା । ଏଥି ମଧ୍ୟରୁ କେହି ଗୋଟିଏ ଯଦି ବିପଥଗାମୀ ହୁଏ ତେବେ ଉଲ୍ଲଖିତ କର୍ମ୍ମ ଆଦୌ ସିଦ୍ଧିଲାଭ କରେ ନାହିଁ । ସୁତରାଂ ପ୍ରତ୍ୟେକର କଲ୍ୟାଣପାଇଁ ପୃଥକ୍ ପୃଥକ୍ ତପସ୍ୟାର ବ୍ୟବସ୍ଥା ହୋଇଅଛି । ସେହି ବିଧି ପ୍ରତିପାଳନରେ ସନ୍ଦେହାକୁଳ ହେବା ସୁବୁଦ୍ଧି ଲୋକର କାର୍ଯ୍ୟ ନୁହେ । ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସର୍ବତ୍ର ଜଣାଇ ଅଛନ୍ତି, ସଂଶୟ ସମସ୍ତ ଅନିଷ୍ଟର ମୂଳ । ଯେହେତୁ ‘‘ସଂଶୟାତ୍ମା ବିନଶ୍ୟତି ।’’ ସଂଶୟର ଉତ୍ପତ୍ତି ସ୍ଥଳ ଅଜ୍ଞାନ । ଅଜ୍ଞାନାଚ୍ଛନ୍ନ ହେବା ମାନବ ପକ୍ଷରେ କେବେହେଁ ପ୍ରଶଂସନୀୟ ନୁହେ ।

 

ଶାସ୍ତ୍ରକାରମାନେ ଶରୀର ପ୍ରଭୃତିର ମଙ୍ଗଳ ସମ୍ପାଦନ ପାଇଁ ଯେଉଁ ଯେଉଁ ତପସ୍ୟାର ବ୍ୟବସ୍ଥା କରିଅଛନ୍ତି ତାହା ନିମ୍ନରେ ବିବୃତ ହେଲା । ତନ୍ମଧ୍ୟରେ ଶରୀର-ତପସ୍ୟା ପ୍ରଥମ ସ୍ଥାନ ପାଇଅଛି । କାରଣ ଶରୀରକୁ ନୀରୋଗ ଓ ସବଳ ନ ରଖିଲେ ମନୁଷ୍ୟ ପ୍ରଫୁଲ୍ଲଭାବରେ କୌଣସି କାର୍ଯ୍ୟ କରିବାକୁ ସମର୍ଥ ହୁଏ ନାହିଁ । ସେଥିପାଇଁ ଶରୀର-ତପସ୍ୟା ପ୍ରଥମେ ଜାଣିବା ଉଚିତ । ‘‘ଦେବ ଦ୍ୱିଜ ଗୁରୁ ପ୍ରାଜ୍ଞ ପୂଜନଂ ଶୌଚମାର୍ଜବଂ । ବ୍ରହ୍ମଚର୍ଯ୍ୟମହିଁସା ଚ ଶାରୀରଂ ତପ ଉଚ୍ୟତେ ।’’ ଅର୍ଥାତ୍ ଦେବତା, ବ୍ରାହ୍ମଣ, ଗୁରୁ ଓ ଜ୍ଞାନୀ ବ୍ୟକ୍ତିମାନଙ୍କୁ ପୂଜା କରିବା ସର୍ବଦା ଶୁଚି ରହିବା, ସରଳ ବ୍ୟବହାର କରିବା, ବ୍ରହ୍ମଚର୍ଯ୍ୟ ଓ ଅହିଂସା ଅବଲମ୍ବନ ଶରୀର-ତପସ୍ୟା ନାମରେ ଅଭିହିତ ହୋଇଅଛି । ଉକ୍ତ ନିୟମ ଗୁଡ଼ିକ ପାଳନ କଲେ ଶରୀର ନିରାପଦ ହେବ ସନ୍ଦେହ ନାହିଁ । ଦ୍ୱିତୀୟରେ ବଚନ-ତପସ୍ୟାର ବ୍ୟବସ୍ଥା ହୋଇଅଛି । କାରଣ ବାକ୍ୟ ସଂଯତ ନ ହେଲେ ବୁଦ୍ଧି ଅନିର୍ମ୍ମଳ ହୁଏ । ବୁଦ୍ଧିର ଅସ୍ୱଚ୍ଛତା ତପସ୍ୟା ସିଦ୍ଧିରେ ପଦେ ପଦେ ପ୍ରତିବନ୍ଧକ ଜନ୍ମାଏ । ଶରୀର ମଧ୍ୟରେ ବୁଦ୍ଧିର କ୍ଷମତା ଅତି ଅଧିକ । ପରମାତ୍ମାଙ୍କର ରଥସ୍ୱରୂପ ଶରୀର ବୁଦ୍ଧିରୂପ ସାରଥିଦ୍ୱାରା ନିତ୍ୟ ସଂସାରକ୍ଷେତ୍ରରେ ଚଳୁଅଛି । ସାରଥି ଅସତ୍ ହେଲେ ରଥ ଯଥା–ନିୟମରେ ଚଳିପାରେ ନାହିଁ । ତେଣୁ ବାକ୍ୟକୁ ନିୟମାଧୀନ ରଖିବା ପାଇଁ ତତ୍‌ସମ୍ବନ୍ଧୀ ତପସ୍ୟା ପାଳନ ଅତି ଆବଶ୍ୟକ ।

 

‘‘ଅନୁଦ୍ବେଗକରଂ ବାକ୍ୟଂ, ସତ୍ୟଂ ପ୍ରିୟ ହିତଂ ଚ ଯତ୍ ।

ସ୍ୱାଧ୍ୟାୟାଭ୍ୟସନଂ ଚୈବ ବାଙ୍ମୟଂ ତପ ଉଚ୍ୟତେ ।’’

 

ଅର୍ଥାତ୍ ଯେଉଁ ବାକ୍ୟ ଉଦ୍ବେଗ କାରକ ନୁହେ ଓ ସତ୍ୟ, ପ୍ରୀତିକର ଏବଂ ହିତକର ଅଟେ ତାହା ଯଥାର୍ଥ ବାକ୍ୟ ନାମରେ ପରିଚିତ । ସେଥି ସଙ୍ଗେ ନିତ୍ୟ ଶାସ୍ତ୍ରାଭ୍ୟାସ ମଧ୍ୟ କର୍ତ୍ତବ୍ୟ । ତୃତୀୟରେ ମାନସ-ତପସ୍ୟାର ବ୍ୟବସ୍ଥା ହୋଇଅଛି । ବିଧାତା ମନ ସଙ୍ଗରେ ମଧ୍ୟ ଶରୀର ଓ ବୁଦ୍ଧିର ସମ୍ବନ୍ଧ ଘନିଷ୍ଠ ରଖିଅଛନ୍ତି । ମନକୁ ଅବିକୃତ କରିବା ପାଇଁ ତତ୍‌ ସମ୍ବନ୍ଧୀ ତପସ୍ୟା ପାଳନ ଅତୀବ ଆବଶ୍ୟକ ।

 

‘‘ମନଃପ୍ରସାଦଃ ସୌମ୍ୟତ୍ୱଂ, ମୌନମାତ୍ମବିନିଗ୍ରହଃ,

ଭାବସଂଶୁଦ୍ଧିରିତ୍ୟେତତ୍, ତପୋ ମାନସମୁଚ୍ୟତେ ।’’

 

ଅର୍ଥାତ୍ ମନର ପ୍ରସନ୍ନତା, ସ୍ୱଚ୍ଛତା, ମୌନ, ଆତ୍ମସଂଯମ ଓ ଭାବର ସଂଶୁଦ୍ଧି ମାନବ–ତପସ୍ୟାନାମରେ କଥିତ ହୋଇଅଛି । ଯେଉଁ ବ୍ୟକ୍ତି ଉଲ୍ଲିଖିତ ନିୟମଗୁଡ଼ିକ ପାଳନ କରିବାପାଇଁ ଦୃଢ଼ସଂକଳ୍ପ ହୋଇ କ୍ରମେ ଅଭ୍ୟାସର ବଶବର୍ତ୍ତୀ ହେବେ, ସେ ଦିନେ ଅମୃତଫଳ ଲାଭ କରିବେ ଏହା କହିବା ପୁନରୁକ୍ତି ମାତ୍ର । ଯେହେତୁ ଶାସ୍ତ୍ରର ମତ ‘‘ନହି କଲ୍ୟାଣକୃତ୍ କଶ୍ଚିତ୍ ଦୁର୍ଗତିଂ ତାତ ଗଚ୍ଛତି’’ । ଅର୍ଥାତ୍ କଲ୍ୟାଣକର କାର୍ଯ୍ୟରେ ପ୍ରବୃତ୍ତ ବ୍ୟକ୍ତି କେତେବେଳେ ଦୁର୍ଗତିରେ ପଡ଼ିବେ ନାହିଁ ।

 

ସତ୍ତ୍ୱ, ରଜ ଓ ତମ ଏହି ଗୁଣତ୍ରୟ ଜଗତରେ ସମସ୍ତ କର୍ମ୍ମର ପ୍ରଧାନ ହେତୁ । ଶାସ୍ତ୍ରର ମତ–

 

‘‘ପ୍ରକୃତ୍ୟା କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ’’

 

ଅର୍ଥାତ୍ ଉକ୍ତ ତିନିଗୁଣ ଦ୍ୱାରା ସର୍ବବିଧ କର୍ମ୍ମ ସାଧିତ ହେଉଅଛି । ମାତ୍ର ଅହଙ୍କାର ବିମୂଢ଼ ମନୁଷ୍ୟ ଉକ୍ତ ଗୁଣମାନଙ୍କ କର୍ତ୍ତୃକ କର୍ମ୍ମରେ ପ୍ରବୃତ୍ତ ହେଲେହେଁ ମୁଁ କରୁଅଛି ବୋଲି ମନେକରେ । ତାହା ପରମାର୍ଥ ଦୃଷ୍ଟିରେ ସତ୍ୟ ନୁହେ । ତପସ୍ୟା କର୍ମ୍ମରେ ମଧ୍ୟ ଉକ୍ତ ତିନିଗୁଣଙ୍କର ସମ୍ପୂର୍ଣ୍ଣ କର୍ତ୍ତୃତ୍ୱ ରହିଅଛି । ତନ୍ମଧ୍ୟରେ କେଉଁ ଗୁଣାବଲମ୍ବୀ ତପସ୍ୟା କିପରି ଫଳ ପ୍ରଦାନକରେ ତାହା ଜାଣିବା ବାଞ୍ଛନୀୟ । ଭଗବାନ୍ ଶ୍ରୀକୃଷ୍ଣ କର୍ମ୍ମର ପଥ ନିଷ୍କଣ୍ଟକ କରିବାପାଇଁ ତ୍ରିବିଧ ତପସ୍ୟା ବିଶଦଭାବରେ ଜଣାଇ ଅଛନ୍ତି । ସେ ଗୁଡ଼ିକ ଧୀର ଚିତ୍ତରେ ଆଲୋଚନା କଲେ ସମସ୍ତ ସଂଶୟ ଦୂରୀଭୂତ ହେବ ।

 

‘‘ଶ୍ରଦ୍ଧୟା ପରୟା ତପ୍ତଂ ତପସ୍ତତ୍ ତ୍ରିବିଧଂ ନରୈଃ ।

ଅଫଳାକାଂ କ୍ଷିଭିର୍ଯୁକ୍ତୈଃ ସାତ୍ତ୍ୱିକଂ ପରିଚକ୍ଷତେ ।।’’

 

ଅର୍ଥାତ୍ ଅତ୍ୟନ୍ତ ଶ୍ରଦ୍ଧାର ସହିତ ଜିତେନ୍ଦ୍ରିୟ ଓ ନିଷ୍କାମ ଭାବରେ ପୂର୍ବୋକ୍ତ ଶାରୀରିକ, ବାଚନିକ ଓ ମାନସିକ ତପସ୍ୟା ସାଧନ କରିବାର ନାମ ସାତ୍ତ୍ୱିକ ତପସ୍ୟା ।

 

‘‘ସତ୍‌କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍ ।

କ୍ରୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁଚଂ ।।’’

 

ଅର୍ଥାତ୍ ଲୋକମାନଙ୍କଠାରୁ ସତ୍‌କାର, ସମ୍ମାନ ଓ ସମାଦର ପାଇବାପାଇଁ ଅହଙ୍କାର ଆଶ୍ରୟ କରି ଯେଉଁ ତପସ୍ୟା କରା ଯାଏ, ତାହା ରାଜସ ତପସ୍ୟା । ତାହା ନଶ୍ୱର ଓ ଅନିଶ୍ଚିତ ।

 

‘‘ମୂଢ଼ ଗ୍ରାହେଣାତ୍ମନୋ ଯତ୍ ପୀଡ଼ୟା କ୍ରିୟତେ ତପଃ,

ପରସୋତ୍ସାଦନାର୍ଥଂ ବା ତତ୍ ତାମସମୁଦାହୃତଂ ।’’

 

ଅର୍ଥାତ୍ ପରର ଅନିଷ୍ଟସାଧନ ପାଇଁ ଅବିବେକିଭାବରେ ନିଜକୁ ଅତ୍ୟନ୍ତ ପୀଡ଼ା ଦେଇ ଯେଉଁ ତପସ୍ୟା କରାଯାଏ, ତାହା ତାମସ ତପସ୍ୟା । ଏହି ଉତ୍କଳଭୂମିରେ ଅଦ୍ୟାବଧି ଗୋଟିଏ ପ୍ରବାଦ ପ୍ରଚଳିତ ଅଛି ଯେ ‘‘ପରର ପାଞ୍ଚଇ ଯେ ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’’ । ଏହି ଉକ୍ତିରୁ କୃତବିଦ୍ୟ ବ୍ୟକ୍ତିମାତ୍ରେ ବୁଝିପାରିବେ ଯେ ରାଜସ ଓ ତାମସ ତପସ୍ୟା କିପରି ନୀଚକର୍ମ । ତାହାର ଫଳ ଅତ୍ୟନ୍ତ ଅମଙ୍ଗଳକର, ଏହା ନିଃସନ୍ଦେହ । ମନୁଷ୍ୟ ସମାଜକୁ ସତର୍କ କରିବା ପାଇଁ ଭଗବାନ୍ ଶ୍ରୀକୃଷ୍ଣ ଜଣାଇ ଅଛନ୍ତି–

 

‘‘ରଜସସ୍ତୁ ଫଳଂ ଦୁଃଖମଜ୍ଞାନଂ ତମସଃ ଫଳଂ ।’’

 

ଅର୍ଥାତ୍ ରାଜସ ତପସ୍ୟାର ଫଳ ନିତାନ୍ତ ଦୁଃଖଜନକ ଓ ତାମସ ତପସ୍ୟାର ଫଳ ନିବିଡ଼ଅଜ୍ଞାନ । ଅଜ୍ଞାନର ପରିଣାମ ପରମଯନ୍ତ୍ରଣା-ଦାୟକ ଏହା କହିବା ଦ୍ୱିରୁକ୍ତିମାତ୍ର । ପରିଶେଷରେ ଆମ୍ଭେମାନେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁଁ ଯେ ସତ୍ତ୍ୱମୂଳକ ତପସ୍ୟା ମାନବଜାତିର ଅବଶ୍ୟ ସାଧନୀୟ । ଉକ୍ତ ତପସ୍ୟା କିଞ୍ଚନ୍ମାତ୍ର ସାଧନକରି ଦୈବାତ୍ ଭ୍ରଷ୍ଟ ହେଲେ ମଧ୍ୟ ସେଥିରେ ସୁଫଳ ଅଛି । ଶାସ୍ତ୍ରର ମତ–

 

‘‘ସ୍ୱଳ୍ପମପ୍ୟସ୍ୟ ଧର୍ମ୍ମସ୍ୟ ତ୍ରାୟତେ ମହତୋ ଭୟାତ୍’’

 

ଅର୍ଥାତ୍ ଏହି ଧର୍ମ୍ମର ଅଳ୍ପପରିମାଣ ମଧ୍ୟ ମହାଭୟରୁ ପରିତ୍ରାଣ କରେ । କିନ୍ତୁ ମନୁଷ୍ୟ ଏତିକିମାତ୍ର ସାବଧାନ ହେବା ଉଚିତ ଯେ ସାତ୍ତ୍ୱିକ ତପରୁ ସ୍ଖଳିତ ହୋଇ ଯେପରି ଅନ୍ୟ ଦ୍ୱିବିଧ ତପସ୍ୟା ଅବଲମ୍ବନ ନ କରେ । ସମସ୍ତେ ଜାଣନ୍ତି, ନାନାବିଧ କୁପଥ୍ୟ ସେବନ କଲେ ଅଳ୍ପମାତ୍ର ଔଷଧର ଶକ୍ତି ହ୍ରାସ ହୋଇଯାଏ, ତେଣୁ ତାହା ଫଳପ୍ରଦ ହୁଏ ନାହିଁ । ସେହିପରି ରାଜସ ଓ ତାମସ ତପସ୍ୟାର ପ୍ରଭାବରେ ଶରୀର ଏବଂ ମନ ପ୍ରଭୃତିଙ୍କୁ ନିତ୍ୟ କଳୁଷିତ ରଖିଲେ ଅଳ୍ପମାତ୍ର ସାତ୍ତ୍ୱିକ ତପସ୍ୟାର କ୍ଷମତା ନଷ୍ଟ ହୁଏ ।

 

ଶାସ୍ତ୍ରକାରମାନେ ଆଶ୍ରମାନୁସାରେ ମଧ୍ୟ ତପସ୍ୟା ବିଭାଗ କରିଅଛନ୍ତି । ଏହି ପ୍ରବନ୍ଧରେ ବ୍ରହ୍ମଚର୍ଯ୍ୟ ଓ ଗୃହସ୍ଥାଶ୍ରମର ତପସ୍ୟାବିଧି ଆଲୋଚନା କରାଯାଉ । ଆଧୁନିକ ପ୍ରାୟ ସମସ୍ତ ମନୁଷ୍ୟ ଉକ୍ତ ଦୁଇ ଆଶ୍ରମରେ ନିଜ ନିଜ ଆୟୁଃ କାଳ ଯାପନ କରୁଅଛନ୍ତି । ପରବର୍ତ୍ତୀ ଦୁଇ ଆଶ୍ରମର ତପୋବିଧି ଆବଶ୍ୟକ ହେଲେ ଅନ୍ୟ ଗୋଟିଏ ପ୍ରବନ୍ଧରେ ଆଲୋଚନା କରାଯିବ । ବ୍ରହ୍ମଚର୍ଯ୍ୟାଶ୍ରମର ତପସ୍ୟା-ନିୟମ ନିମ୍ନରେ ନିବୃତ ହେଲା ।

 

ବ୍ରହ୍ମଚାରୀ ଗୁରୁକୁଳେ ବସନ୍ ଦାନ୍ତୋ ଗୁରୋର୍ହିତଂ

ଆଚରନ୍ ଦାସବନ୍‌ନୀଚୋ ଗୁରୌ ସୁଦୃଢ଼ସୌହୃଦଃ ।।

ସାୟଂ ପ୍ରାତରୂପାସୀତ ଗୁର୍ବଗ୍ନ୍ୟର୍କସ୍ତରୋତ୍ତମାନ୍

ସାନ୍ଧ୍ୟେ ଉଭେ ଚ ଯତବାଗ୍ ଜପନ୍ ବ୍ରହ୍ମ ସନାତନଂ ।।

ଛନ୍ଦାଂସ୍ୟଧୀୟୀତ ଗୁରୋରାହୂତଶ୍ଚେତ୍ ସୁଯନ୍ମିତଃ

ଉପକ୍ରମେଽବସାନେ ଚ ଚରଣୌ ଶିରସା ନମେତ୍ ।।

ମେଖଳାଜିନବାସାଂସି ଜଟାଦଣ୍ଡକମଣ୍ଡଳୂନ୍

ବିଦ୍ଭୃୟାଦୁପବୀତଂ ଚ ଦର୍ଭପାଣି ର୍ଯଥୋଦିତଂ ।।

ସୁଶୀଳୋ ମିତଭୁଗ୍ ଦକ୍ଷଃ ଶ୍ରଦ୍ଧଧାନୋ ଜିତେନ୍ଦ୍ରିୟଃ

ଯାବଦର୍ଥଂ ବ୍ୟବହରେତ୍ ସ୍ତ୍ରୀଷୁ ସ୍ତ୍ରୀନିର୍ଜିତେଷୁ ଚ ।।

ବର୍ଜୟେତ୍ ପ୍ରମଦା ଗାଥାମଗୃହସ୍ଥୋ ବୃହଦ୍‌ବ୍ରତଃ ।।

 

ଅର୍ଥାତ୍ ବ୍ରହ୍ମଚାରୀ ଇନ୍ଦ୍ରିୟଦମନପୂର୍ବକ ଗୁରୁଙ୍କ ପ୍ରତି ଭକ୍ତିମାନ୍ ହୋଇ ଦାସତୁଲ୍ୟ ଅତିନମ୍ରଭାବରେ ଗୁରୁଙ୍କର ହିତାଚରଣ କରି ତାଙ୍କ ଆଶ୍ରମରେ ବାସ କରିବେ । ଉଭୟ ସନ୍ଧ୍ୟାରେ ବାକ୍ୟ ସଂଯତ କରି ଜଗଦୀଶ୍ୱରଙ୍କର ସ୍ତୁତି ପାଠପୂର୍ବକ ଗୁରୁ, ଅଗ୍ନି, ସୂର୍ଯ୍ୟ ପ୍ରଭୃତି ପ୍ରଧାନ ଦେବଗଣଙ୍କୁ ଉପାସନା କରିବେ । ଗୁରୁ ଆହ୍ୱାନ କଲେ ସଂଯତ ହୋଇ ତାହାଙ୍କଠାରୁ ଶାସ୍ତ୍ର ଅଧ୍ୟୟନ କରିବେ ଓ ଆରମ୍ଭ ଏବଂ ଶେଷରେ ଗୁରୁଙ୍କ ଚରଣରେ ମସ୍ତକ ଲଗାଇ ପ୍ରଣାମ କରିବେ । କୁଶ ହସ୍ତରେ ରଖି ଗୁରୁଙ୍କର ଆଦେଶାନୁସାରେ ମେଖଳା, ଅଜିନ, ବସ୍ତ୍ର, ଜଟା, ଦଣ୍ଡ, କମଣ୍ଡଳୁ ପ୍ରଭୃତି ଧାରଣ କରିବେ । ସୁଶୀଳ, ପରିମିତାହାରୀ, କାର୍ଯ୍ୟନିପୁଣ, ଶ୍ରଦ୍ଧାବାନ୍, ଜିତେନ୍ଦ୍ରିୟ ହୋଇ ସ୍ତ୍ରୀ ମାନଙ୍କ ସହିତ ଓ ସ୍ତ୍ରୀ-ଆସକ୍ତ ପୁରୁଷମାନଙ୍କ ସହିତ ପ୍ରୟୋଜନାନୁସାରେ ବ୍ୟବହାର କରିବେ । ଅତି ମିଳା ମିଶା କରିବେ ନାହିଁ । ଗୃହସ୍ଥ ଭିନ୍ନ ବ୍ରହ୍ମଚାରୀ ବ୍ୟକ୍ତି ସ୍ତ୍ରୀମାନଙ୍କ ସହିତ କଥୋପକଥନ ପରିତ୍ୟାଗ କରିବେ । ଉଲ୍ଲିଖିତ କଲ୍ୟାଣକର ବିଧି ଗୁଡ଼ିକ କର୍ତ୍ତବ୍ୟ ମନେ କରି ଯେଉଁ ବ୍ରହ୍ମଚାରୀ ନିରହଙ୍କାରଭାବରେ କାୟମନୋବାକ୍ୟରେ ତାହାକୁ ପ୍ରତିପାଳନ କରିବେ, ତାହାଙ୍କୁ ସାତ୍ତ୍ୱିକ ତପସ୍ୱୀ ବୋଲାଯିବ । ଯେଉଁ ବହ୍ମଚାରୀ ହୃଦୟରେ କପଟ ପୋଷଣ କରି ଲୋକ ସମାଜରୁ ସମ୍ମାନ ଲାଭ କରିବା ଉଦ୍ଦେଶ୍ୟରେ ଉକ୍ତ ନିୟମ ଗୁଡ଼ିକ ଅଂଶତଃ ପାଳନ କରିବେ ତାହାଙ୍କୁ ରାଜସ ତପସ୍ୱୀ କୁହାଯିବ । ଯେଉଁ ବ୍ରହ୍ମଚାରୀ କାୟ କ୍ଳେଶ ଭୟରେ ଉକ୍ତ ନିୟମ ଗୁଡ଼ିକ ଅସାର ମନେ କରି ସ୍ୱେଚ୍ଛାଚାରୀ ଓ ଗୁରୁଙ୍କର ଦୁଃଖଦାୟକ ହେବେ, ତାହାକୁ ତାମସ ତପସ୍ୱୀ କୁହାଯିବ । ବର୍ତ୍ତମାନ ଗୃହସ୍ଥାଶ୍ରମର ତପୋବିଧି ସଂକ୍ଷେପରେ ଆଲୋଚନା କରାଯାଉଅଛି ।

 

ଶ୍ରଦ୍ଦଧାନୋ ଯଥାକାଳ ମୁପଶାନ୍ତ ଜନାବୃତଃ ।

ତତ୍‌ ସଙ୍ଗାତ୍ ଶନକୈଃ ସଙ୍ଗମାତ୍ସଜାୟାତ୍ମଜାଦିଷୁ

ବିମୁଞ୍ଚେନ୍ ମୁଚ୍ୟମାନେଷୁ ସ୍ୱୟଂ ସ୍ୱପ୍ନବଦୁତ୍ଥିତଃ ।।

ମୃଗୋଷ୍ଟ୍ରାଖରମର୍କାଖୁସରୀସୁପ୍‌ଖଗମକ୍ଷିକାଃ

ଆତ୍ମନଃ ପୁତ୍ରବତ୍ ପଶ୍ୟେତ୍ ତୈରେଷାମନ୍ତରଂ କିୟତ୍ ।।

ତ୍ରିବର୍ଗଂ ନାତିକୃଚ୍ଛ୍ରେଣ ଭଜେତ ଗୃହମେଧ୍ୟପି ।

ଯଥାଦେଶଂ ଯଥାକାଳଂ ଯାବଦ୍ଦୈବୋପପାଦିତଂ ।।

ଅଶ୍ୱାଘାନ୍ତେଽବସାୟିଭ୍ୟଃ କାମାନ୍ ସଂବିଭଜେଦ୍ ଯଥା ।

ଅପ୍ୟେକାମାତ୍ମନୋଦାରାଂ ନୃଣାଂ ସତ୍ତ୍ୱଗ୍ରହୋ ଯତଃ ।।

 

ଅର୍ଥାତ୍ ଗୃହୀବ୍ୟକ୍ତି ଶ୍ରଦ୍ଧାଶୀଳ ହୋଇ ପବିତ୍ର-ହୃଦୟ ସାଧୁଜନଙ୍କ ସହବାସରେ ନିଜର ହୃଦୟ ନିର୍ମଳ କରି ସ୍ୱପ୍ନଦୃଷ୍ଟ ସ୍ତ୍ରୀ, ପୁତ୍ତ୍ର ପ୍ରଭୃତିଙ୍କୁ ଯେପରି ଜାଗ୍ରତ ଅବସ୍ଥାରେ ପରିତ୍ୟାଗ କରାଯାଏ ସେହିପରି ନିଜର ଦେହ ଓ ଅପତ୍ୟ ପ୍ରଭୃତିଙ୍କଠାରେ କ୍ରମେ କ୍ରମେ ମମତା ବର୍ଜନ କରିବେ । ଗୃହରେ ଉପସ୍ଥିତ ମୃଗ, ଓଟ, ଗଧ, ମାଙ୍କଡ଼, ମୂଷିକ, ସରୀସୃପ, ପକ୍ଷୀ ଓ ମୂଷିକା ପ୍ରଭୃତିଙ୍କୁ ନିଜ ପୁତ୍ତପରି ମଣିବେ । କାରଣ ନିଜର ପୁତ୍ତ ଓ ସେମାନଙ୍କ ମଧ୍ୟରେ କିଛିମାତ୍ର ପ୍ରଭେଦ ନାହିଁ । ଗୃହୀ ଅତିକଷ୍ଟ ନ କରି ଧର୍ମ୍ମ, ଅର୍ଥ, ଓ କାମ ଏହି ତିନିବର୍ଗ ଦେଶ, କାଳ ଓ ଦୈବାନୁସାରେ ଯେତିକି ଲବ୍ଧ ହେବ, ସେତିକିମାତ୍ର ଅନାସକ୍ତ ଭାବରେ ସେବା କରିବେ । ଗୃହାଗତ ଆଚାଣ୍ଡାଳ ସମସ୍ତଙ୍କୁ ଯଥାଯୋଗ୍ୟ ଦ୍ରବ୍ୟାଦି ଦାନ କରିବେ । ଯେଉଁ ପତ୍ନୀଠାରେ ଗୃହୀ ପୁରୁଷଙ୍କର ମମତା ଅଧିକ ଦେଖାଯାଏ, ତାହାକୁ ମଧ୍ୟ ଆବଶ୍ୟକ ହେଲେ ଅତିଥି ସେବାରେ ନିଯୁକ୍ତ କରିବେ । ଯେଉଁ ଗୃହସ୍ଥ ଉକ୍ତ ବିଧି ଗୁଡ଼ିକ ପୁର୍ବବତ୍ କର୍ତ୍ତବ୍ୟ ବୋଲି ନିଷ୍କପଟ ମନରେ ପାଳନ କରିବେ, ସେ ସାତ୍ତ୍ୱିକ ତପସ୍ୱୀ । ଯେଉଁ ଗୃହୀ ସମ୍ମାନ ଓ ଉପାଧି ଲାଭ ଉଦ୍ଦେଶ୍ୟରେ ଭିତରେ କଷ୍ଟ ଅନୁଭବ କରି ଉକ୍ତ ବିଧି ଅଂଶତଃ ପାଳନ କରିବାକୁ ଯତ୍ନଶୀଳ ହେବେ, ସେ ରାଜସ ତପସ୍ୱୀ । ଯେଉଁ ଗୃହୀ ସ୍ୱେଚ୍ଛାଚାରୀ, ବିଳାସ ପରାୟଣ ଓ ଅତ୍ୟନ୍ତ କଠୋର ସ୍ୱଭାବ, ସେ ତାମସ ତପସ୍ୱୀ । ସେହିପରି ବ୍ରାହ୍ମଣ, କ୍ଷତ୍ତ୍ରିୟ ପ୍ରଭୃତି ଭିନ୍ନ ଭିନ୍ନ ବର୍ଣ୍ଣର ମଧ୍ୟ ପୃଥକ୍ ପୃଥକ୍ ତପୋବିଧି ବ୍ୟବସ୍ଥା କରାହୋଇଅଛି-। ଏ ସମ୍ବନ୍ଧରେ ପୂର୍ବେ ଅନ୍ୟ ଗୋଟିଏ ପ୍ରବନ୍ଧରେ କେତେକ ଆଲୋଚନା କରାଯାଇଅଛି । ସୁତରାଂ ଏଠାରେ ପୁନରୁକ୍ତି ଅନାବଶ୍ୟକ ।

 

ଜଗତରେ ପ୍ରତ୍ୟେକ ଜୀବ କର୍ମ୍ମାଧୀନ । କେହି ନିଷ୍କର୍ମ୍ମା ହୋଇ କ୍ଷଣେମାତ୍ର ରହିପାରିବେ ନାହିଁ । ତପସ୍ୟା, ଦାନ ଓ ଯଜ୍ଞ ଏହି ତିନିଗୋଟି ସାତ୍ତ୍ୱିକ କର୍ମ୍ମ ବ୍ୟତୀତ ଅନ୍ୟ କିଛି ନୁହେ । ହେ ମାନବ ତୁମ୍ଭେମାନେ ସାତ୍ତ୍ୱିକ କର୍ମ୍ମରେ ସମ୍ପୂର୍ଣ୍ଣ ଅଧିକାର ଅର୍ଜନ କରି ଏହି ଜଗତକୁ ଆସିଅଛ । ଏଠାରେ ଯଦି ଭ୍ରମରେ ପଡ଼ି ନିଜର ଅଧିକାରକୁ କାର୍ଯ୍ୟରେ ନ ଲଗାଅ, ତେବେ ତାହା ନିତାନ୍ତ ପରିତାପର ବିଷୟ । ପରିଶେଷରେ ଏହି ମହାଜନୋକ୍ତି ନିମ୍ନରେ ଉଦ୍ଧାର କରି ପ୍ରବନ୍ଧର ଉପସଂହାର କଲି ।

 

ଆରାଧିତୋ ଯଦି ହରିସ୍ତପସା ତତଃ କିଂ

ନାରାଧିତୋ ଯଦି ହରିସ୍ତପସା ତତଃ କିଂ ।।

 

ଅନ୍ତର୍ବହିର୍ଯଦି ହରିସ୍ତପସା ତତଃ କିଂ ।

ନାନ୍ତର୍ବହିର୍ଯଦି ହରିସ୍ତପସା ତତଃ କିଂ ।।

 

ହେ ମାନବ ଯଦି ନିଜର ଅଭ୍ୟୁଦୟ ବାଞ୍ଛା କର, ତେବେ ହୃଦୟରେ ଓ ବାହାରେ ଜଗଦୀଶ୍ୱରଙ୍କର ଅସ୍ତିତ୍ୱ ଅନୁଭବ କର ଓ ତାହାଙ୍କର ଶ୍ରୀଚରଣ କମଳରେ ନିଜର ସମସ୍ତ କର୍ମ୍ମ ଉତ୍ସର୍ଗ କରି ତାହାଙ୍କୁ କାୟମନୋବାକ୍ୟରେ ଅନୁକ୍ଷଣ ସେବା କର । ଅନ୍ୟଥା ଅଧୋଗତି ଅନିବାର୍ଯ୍ୟ ।

Image

 

ବିଶ୍ୱରୂପ

 

ଆମ୍ଭେମାନେ ବିଶ୍ୱରୂପ ଶବ୍ଦଟି ବହୁ ଗ୍ରନ୍ଥରେ ପାଠ କରୁଅଛୁଁ । ସେ ଶବ୍ଦଟି ମଧ୍ୟ କର୍ଣ୍ଣକୁ ବଡ଼ ମଧୁର ଶୁଣା ଯାଉଅଛି । ତାହା କି ମୂର୍ତ୍ତି, ତାହାକୁ ଅର୍ଜୁନ ମହାଭାରତ ସମର ସମୟରେ କିପରି ଦେଖିଲେ, ତାହାକୁ ଦେଖିଲେ କି ଫଳ ଲାଭ ହୁଏ, ମାନବ ଜାତି ତାହା ଦେଖି ପାରନ୍ତି କି ନାହିଁ, ଇତ୍ୟାଦି ପ୍ରଶ୍ନ ମନୁଷ୍ୟ ମନରେ ଉଦିତ ହେବା ସମ୍ପୂର୍ଣ୍ଣ ସମ୍ଭବ । ବର୍ତ୍ତମାନ ତତ୍‌ସମ୍ବନ୍ଧରେ କିଛି ଆଲୋଚନା କରାଯାଉ । ଆମ୍ଭେମାନେ ବିଶ୍ୱରୂପ ଏହି ପଦଟିକୁ ସ୍ଥୂଳଭାବରେ ଅର୍ଥ କଲେ ଦେଖୁଅଛୁଁ ଯେ, ବିଶ୍ୱର ଅର୍ଥ ସଂସାର ଓ ରୂପର ଅର୍ଥ ମୂର୍ତ୍ତି, ଅର୍ଥାତ୍ ସମଗ୍ର ସଂସାର ଯେପରି ଗୋଟିଏ ମୂର୍ତ୍ତି ଧାରଣ କରିଅଛି । ଗୀତା ପାଠ କଲେ ଦେଖାଯାଏ, ସେ ମୂର୍ତ୍ତିରେ ଶୁକ୍ଳ କୃଷ୍ଣ ପ୍ରଭୃତି ସବୁ ପ୍ରକାର ବର୍ଣ୍ଣ ବିଦ୍ୟମାନ, ତହିଁରେ ଦେବ, ମାନବ ଓ ଅନ୍ୟାନ୍ୟ ଜୀବ ପ୍ରଭୃତି ସମସ୍ତେ ବିରାଜିତ ଓ ଅସଂଖ୍ୟ ମୁଖ, ଅସଂଖ୍ୟ ନେତ୍ର, ଅସଂଖ୍ୟ ବାହୁ, ଅସଂଖ୍ୟ ଉଦର, ଅସଂଖ୍ୟ ପାଦ, ବହୁବିଧ ଅଦ୍ଭୁତ ଜିନିସ, ନାନାପ୍ରକାର ଭୂଷଣ ଓ ଅସ୍ତ୍ରଶସ୍ତ୍ରାଦି ପରିଦୁଷ୍ଟ ହୁଏ । ସେ ମୂର୍ତ୍ତିର ତେଜ ସହସ୍ର ଭାସ୍କର କିରଣର ସମଷ୍ଟିସଙ୍ଗେ ସମାନ । ତହିଁରେ ସମସ୍ତ ଜଗତ୍ ବିଭିନ୍ନ ଭାବରେ ଅବସ୍ଥିତ । ତନ୍ମଧ୍ୟରେ କେଉଁ ସ୍ଥାନରେ ତପୋଧନଗଣ ତପସ୍ୟା-ନିରକ, କେଉଁ ସ୍ଥାନରେ ଭୟଙ୍କର କଳହର ଉଦ୍ଦାମ ବେଗ ପ୍ରକାଶିତ, କେଉଁ ସ୍ଥାନରେ ପର୍ବତମାନେ ସମୁନ୍ନତ ଭାବରେ ଦଣ୍ଡାୟମାନ, କେଉଁ ସ୍ଥାନରେ ନଦୀ ନିକର ତରଙ୍ଗାୟିତ ହୋଇ ନିତ୍ୟ କଳକଳନାଦପୂର୍ବକ ସାଗରାଭିମୁଖରେ ବହମାନ, କେଉଁଠାରେ ଦେବତା, ଗନ୍ଧର୍ବ, ମାନବ ଓ ଅନ୍ୟାନ୍ୟ ଜଙ୍ଗମଗଣ ନିଜ ନିଜ କାର୍ଯ୍ୟରେ ଲିପ୍ତ, ଶିଶୁଗଣ କ୍ରୀଡ଼ାବ୍ୟସ୍ତ, କେଉଁଠାରେ ଜନନୀମାନେ ଶିଶୁ ସନ୍ତାନକୁ ଅଙ୍କରେ ଧାରଣ କରି ଆନନ୍ଦରେ ଉନ୍ମତ୍ତା, କେଉଁଠାରେ ନାନାବିଧ ପୈଶାଚିକକାଣ୍ଡର ଭୀଷଣ ଦୃଶ୍ୟ ସଂଘଟିତ ଓ କେଉଁଠାରେ ଭକ୍ତଗଣ ପବିତ୍ରଭାବରେ ସ୍ତବପାଠରେ ନିରତ, ଇତ୍ୟାଦି । ଅର୍ଜ୍ଜୁନ ଏହି ମୂର୍ତ୍ତି ଦେଖିଥିଲେ । ସେ କାହିଁକି ଏପରି ମୂର୍ତ୍ତି ଦର୍ଶନ କଲେ, କିମ୍ବା ନିଜର କର୍ମ ଦ୍ୱାରା ସେ ମୂର୍ତ୍ତି ଦେଖା ଯାଇପାରେ, ତାହା ନିରୂପଣ କରିବାପାଇଁ ଶାସ୍ତ୍ରକୁ ଅନୁସରଣ କରିବା ଉଚିତ । ଆମ୍ଭେମାନେ ଏ କ୍ଷେତ୍ରରେ ନିତାନ୍ତ ଶିଶୁ । ଶିଶୁ ଯେପରି ତାହାର ସନ୍ଦେହ ମୋଚନ ପାଇଁ ଜାଣିଥିବା ବ୍ୟକ୍ତିଙ୍କୁ ବାବମ୍ବାର ପ୍ରଶ୍ନ କରେ, ସେହିପରି ଆମ୍ଭେମାନେ ମୀମାଂସକମାନଙ୍କୁ ମନର କଥା ପଚାରିବାକୁ ବାଧ୍ୟ-। ସେମାନଙ୍କ ଅଭାବରେ ତତ୍‌ପ୍ରକାଶିତ ବଚନକୁ ନିଶ୍ଚୟ ଆଲୋଚନା କରିବୁଁ । ଆମ୍ଭେମାନେ ଅର୍ଜୁନଙ୍କର ବିବରଣ ଚର୍ଚ୍ଚା କଲେ ଦେଖୁଅଛୁଁ, ସେ ପ୍ରଥମେ ଆତ୍ମୀୟ ସ୍ୱଜନ ଓ ଗୁରୁ ପ୍ରଭୃତିଙ୍କୁ ବିପକ୍ଷ ଦଳ ଦେଖି ଅତ୍ୟନ୍ତ ମୋହଗ୍ରସ୍ତ ହେଲେ । ତାହାଙ୍କର ମନ ଅତି ଦୁର୍ବଳ ହୋଇ ପଡ଼ିଲା । ଇନ୍ଦ୍ରିୟମାନେ ତାହାଙ୍କୁ ବିପଥକୁ ଆକର୍ଷଣ କଲେ । ହାତରୁ ଧନୁଶର ଖସି ପଡ଼ିଲା ଓ ଦେହରେ କମ୍ପ ଜନ୍ମିଲା । ସେହି ସମୟରେ ଶ୍ରୀକୃଷ୍ଣଙ୍କ ତୁଲ୍ୟ ସାଧୁ ଉପଦେଶକ ଉପସ୍ଥିତ ନ ଥିଲେ ଅର୍ଜୁନ ନିଶ୍ଚୟ ପଥଭ୍ରାନ୍ତ ହୋଇଥାନ୍ତେ । ଶେଷରେ ନିତାନ୍ତ ଅପଦାର୍ଥ ଓ ନିର୍ବୀର୍ଯ୍ୟ ବୋଲି ଜଗତରେ ପ୍ରଚାରିତ ହୋଇଥାନ୍ତେ, କିନ୍ତୁ ତାହା ହୋଇନାହିଁ । ଭଗବାନ୍ ଶ୍ରୀକୃଷ୍ଣ ବହୁ ଉପଦେଶଦ୍ୱାରା ତାହାଙ୍କର ମନର ଗତି ପରିବର୍ତ୍ତନ କଲେ । ଶ୍ରୀକୃଷ୍ଣ ସ୍ୱୟଂ ବିଶ୍ୱରୂପର ପ୍ରକାଶକ । ସେ ଅର୍ଜୁନଙ୍କୁ ପ୍ରଥମତଃ ଉପଦେଶ ନ ଦେଇ ସହସା ବିଶ୍ୱରୂପ ଦେଖାଇ ଥିଲେ ତ କିଛି କ୍ଷତି ହୋଇ ନ ଥାନ୍ତା, କିନ୍ତୁ ତାହା କରି ନାହାନ୍ତି କାହିଁକି ? ତାହାଙ୍କୁ ବହୁ ସୋପାନ ଅତିକ୍ରମ କରାଇ ଉକ୍ତ ରୂପ ଦେଖାଇବାର ହେତୁ କଣ ? ଏଥିରେ ନିଶ୍ଚୟ କିଛି ଅର୍ଥ ଅଛି । ଆମ୍ଭେମାନେ କହୁଁ, ମାନବ ସମାଜକୁ ପଥ ଦେଖାଇବାପାଇଁ ଭଗବାନ୍ ଶ୍ରୀକୃଷ୍ଣ ଉଲ୍ଲିଖିତ ପ୍ରଣାଳୀ ରଚନା କରିଅଛନ୍ତି । ଯାହାହେଉ ତତ୍‌ପ୍ରଦତ୍ତ ଉପଦେଶାବଳୀକୁ ସର୍ବଦା ଆଲୋଚନା କରିବା ବାଞ୍ଛନୀୟ । ତାହା ହେଲେ ନିଜ ନିଜ ପଥ ପ୍ରସ୍ତୁତ କରିବା ପାଇଁ ଯଥେଷ୍ଟ ସାହାଯ୍ୟ ମିଳିବ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରଥମେ କହିଲେ ଶରୀରର ପରିଚାଳକ ଆତ୍ମା ଶାଶ୍ୱତ ଓ ଅବଧ୍ୟ । କିନ୍ତୁ ମୃତ୍ତିକା ପ୍ରଭୃତିରେ ନିର୍ମ୍ମିତ ଶରୀରଟି ନଶ୍ୱର ଓ ବାଧ୍ୟ । ଯୁଦ୍ଧ ତୁମ୍ଭର ସ୍ୱଧର୍ମ, ତୁମ୍ଭେ ନିଜ ଧର୍ମ ପାଳନ କରି ସେମାନଙ୍କର ବିନାଶଶୀଳ ଶରୀରକୁ ବିନାଶ କଲେ ତୁମ୍ଭର ପରମ ପଦ ଲାଭ ହେବ । ଅନ୍ୟଥା ସ୍ୱଧର୍ମ-ଚ୍ୟୁତି-ଦୋଷରେ ତୁମ୍ଭେ ଅଧୋଗତ ହେବ । ବର୍ତ୍ତମାନ ତୁମ୍ଭେ ମୋହଗ୍ରସ୍ତ ହୋଇ ଶତ୍ରୁମାନଙ୍କୁ ବିନାଶ ନ କଲେ ମଧ୍ୟ ଦିନେ ସେମାନଙ୍କର ଶରୀର ଭବଧାମରୁ ଯାତ୍ରା କରିବ । ତେବେ ତୁମ୍ଭେ ସ୍ୱକର୍ତ୍ତବ୍ୟ ପାଳନରେ ତ୍ରୁଟି କରୁଅଛ କାହିଁକି ? ସେମାନେ ଯଦି ତୁମ୍ଭର ଅନିଷ୍ଟକାରୀ ହୋଇ ନ ଥାନ୍ତେ, ତେବେ ସେମାନଙ୍କୁ ମାରିବା ଅବଶ୍ୟ ଦୂଷଣୀୟ ହୁଅନ୍ତା । କିନ୍ତୁ ତାହା ନୁହେ । ଯେବେ କୌଣସି ହିଂସ୍ର ଜନ୍ତୁ ମନୁଷ୍ୟକୁ ଆକ୍ରମଣ କରେ, ସେହି ମନୁଷ୍ୟ ଯେବେ ତାହାକୁ ପ୍ରତିରୋଧ କରିବାକୁ ସମ୍ପୂର୍ଣ୍ଣ ଉପଯୁକ୍ତ ହୋଇଥାଏ, ସେ କିଛି ପ୍ରତୀକାର ନ କରି ସ୍ୱଇଚ୍ଛାରେ ନିଜ ଶରୀର ବିସର୍ଜନ କଲେ, ତାହାକୁ ଅତି ପାଷଣ୍ଡ ବୋଲି କୁହାଯିବ । ଶକ୍ତି ସତ୍ତ୍ୱେ ଶରୀର ପ୍ରତି ଅବହେଳା ପ୍ରଦର୍ଶନ ଘୋର ଅନ୍ୟାୟ । ତୁମ୍ଭେ କୌଣସି ପ୍ରତୀକାର ନ କଲେ ତୁମ୍ଭର ଶରୀର ରକ୍ଷା ସମ୍ୟକ୍ ଅସମ୍ଭବ । ସେମାନଙ୍କୁ ଦମନ କରିବା ତୁମ୍ଭର ଅବଶ୍ୟ କର୍ତ୍ତବ୍ୟ । ଅର୍ଜୁନ କିଞ୍ଚିତ୍ ପ୍ରକୃତିସ୍ଥ ହେବାରୁ ଶ୍ରୀକୃଷ୍ଣ ଧୀରେ ଧୀରେ କର୍ମ, ଜ୍ଞାନ ଓ ଧ୍ୟାନ ପ୍ରଭୃତି ବିଷୟରେ ବହୁ ସାରଗର୍ଭ ବଚନ ପ୍ରକାଶ କଲେ । ମନୁଷ୍ୟଗଣ ଯେପରି କର୍ମ କରୁଅଛନ୍ତି, ଜଗଦୀଶ୍ୱର ମଧ୍ୟ ସେହିପରି ଅନୁକ୍ଷଣ କର୍ମରେ ଲିପ୍ତ ରହିଅଛନ୍ତି । ସେ କର୍ମ ପରିତ୍ୟାଗ କଲେ ସମସ୍ତ ଜଗତରୁ କର୍ମ ଲୁପ୍ତ ହେବ । ପ୍ରକୃତିରେ କିଛିମାତ୍ର ଲୀଳା ପରିଦୃଷ୍ଟ ହେବନାହିଁ । କିନ୍ତୁ ଦୁଇକର୍ମ ମଧ୍ୟରେ ବହୁ ପ୍ରଭେଦ ଦେଖାଯାଏ । ବିଧାତା ପ୍ରତ୍ୟହ କୋଟି କୋଟି ଜୀବ ସୃଷ୍ଟି କରି ସେମାନଙ୍କଦ୍ୱାରା ନାନାପ୍ରକାର ଲୀଳା ପ୍ରକାଶ କରୁଅଛନ୍ତି, ମାତ୍ର କିଛିଦିନ ପରେ ନିଜେ ସମସ୍ତ ଲୀଳାରେ ବିଘ୍ନ ଜାତ କରୁଅଛନ୍ତି । ସେଥିରେ ତାଙ୍କର ଆନନ୍ଦ ନାହିଁ କିମ୍ବା ଦୁଃଖ ନାହିଁ । ସେ ସର୍ବଦା ନିର୍ବିକାରଭାବରେ କାର୍ଯ୍ୟରେ ଲାଗିଅଛନ୍ତି । ମନୁଷ୍ୟ ଜାତିର କର୍ମ ଠିକ୍ ସେହିପରି ହେବା ବାଞ୍ଛନୀୟ । ଜୟ, ପରାଜୟ ଶତ୍ରୁ, ମିତ୍ର ପ୍ରଭୃତି ସମସ୍ତଙ୍କୁ ସମାନ ମନେ କରି ସ୍ୱଧର୍ମ ପାଳନ କଲେ କଦାପି ଦୋଷ ସ୍ପର୍ଶ କରିବ ନାହିଁ । କର୍ମୀ ମନୁଷ୍ୟ ତ୍ୟାଗୀ ହେବା ଆବଶ୍ୟକ । ତ୍ୟାଗରେ ପ୍ରକୃତ ଆନନ୍ଦର ନିବାସ, ଆସକ୍ତିରେ ଆନନ୍ଦର ଆଭାସ ମାତ୍ର ଅଛି, ତାହାର ପରିଣାମ ଘୋର ଯନ୍ତ୍ରଣା ପୂର୍ଣ୍ଣ । କେବଳ ତ୍ୟାଗଦ୍ୱାରା ଅମୃତ ଲାଭ ହୁଏ, ଅନ୍ୟ କାହିଁରେ ପ୍ରକୃତ ଶାନ୍ତି ନାହିଁ । ଆମ୍ଭେମାନେ ଅନୁଭବ କରୁଅଛୁଁ, କୌଣସି ପ୍ରିୟଜନ ବିୟୋଗ ଜନିତ ଦୁଃଖ ସମୟରେ ଯେବେ ମନେ କରୁଁ, ସଂସାର କେବଳ ଇନ୍ଦ୍ରଜାଲ ରଙ୍ଗାଳୟ ଅଟେ, ସ୍ତ୍ରୀ ପୁତ୍ର ପ୍ରଭୃତି ସମସ୍ତେ ଦିନେ ନିଜ ନିଜ ମମତା ପରିତ୍ୟାଗ କରି ସ୍ୱଧାମକୁ ଯାତ୍ରା କରିବେ; ତେବେ ଅକସ୍ମାତ୍ ମନରେ ଶାନ୍ତି ଉପସ୍ଥିତ ହୁଏ । କେବଳ ତ୍ୟାଗର ଚିନ୍ତାରେ ମନୁଷ୍ୟ କ୍ଷଣିକ ଶାନ୍ତି ଅନୁଭବ କରୁଅଛି । ପ୍ରକୃତ ତ୍ୟାଗଧର୍ମ୍ମ ପ୍ରତିପାଳନ କଲେ କି ଶାନ୍ତି ନ ମିଳିବ ? ମନେ ହୋଇପାରେ, ଘର ପ୍ରଭୃତି ସମସ୍ତ ପରିତ୍ୟାଗ କରିବାକୁ ତ୍ୟାଗଧର୍ମ୍ମ ବୋଲାଯାଏ । କିନ୍ତୁ ତାହା ନୁହେ, ନିଷ୍କାମ ଓ ନିର୍ମମ ଭାବରେ ସ୍ୱକର୍ତ୍ତବ୍ୟ ପାଳନ କରିବାକୁ ତ୍ୟାଗଧର୍ମ୍ମ କୁହାଯାଏ । ଦାରପରିଗ୍ରହ ନ କରି ସନ୍ନ୍ୟାସୀ ବେଶ ସାଜିବାକୁ ତ୍ୟାଗ ବୋଲାଯାଇ ନ ପାରେ । ଗୃହୀବ୍ୟକ୍ତି ଯତ୍ନ କଲେ ତ୍ୟାଗୀ ହୋଇ ପାରନ୍ତି । ପ୍ରକୃତ ତ୍ୟାଗଧର୍ମ୍ମ ପାଳନ କଲେ ମନୁଷ୍ୟର ଜ୍ଞାନୋଦୟ ହୁଏ । ଜ୍ଞାନୀ ମାନବ ଅତି ବିନୟୀ ହୁଅନ୍ତି ଓ ସ୍ଥାବର ଜଙ୍ଗମ ପ୍ରଭୃତି ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରି ବିଶ୍ୱ-ବିଧାତାଙ୍କର ସ୍ନେହଆକର୍ଷଣ କରନ୍ତି । ଆମ୍ଭେମାନେ ଦେଖୁଅଛୁଁ, କେତେଗୁଡ଼ିଏ ପୁତ୍ର ମଧ୍ୟରେ ଯେ ଉପଯୁକ୍ତ ପଥରେ ଚାଲି ଅନୁକ୍ଷଣ ପିତା ମାତାଙ୍କର ଆଜ୍ଞା ପାଳନ କରୁଅଛି, ତାହା ପ୍ରତି ପିତାମାତାଙ୍କର ସ୍ନେହ କିଛି ଅଧିକ । ଅବାଧ୍ୟ କୁପୁତ୍ରଠାରେ ଯେ ପିତାମାତାଙ୍କର ଆଦୌ ସ୍ନେହ ନାହିଁ ତାହା ନୁହେ । ସୁପୁତ୍ର ଠାରେ ସ୍ୱଭାବତଃ କିଛି ଅଧିକ ହୋଇ ଉଠେ । ଜଗଦୀଶ୍ୱର ସେହି ନିୟମରେ ସ୍ନେହ ଓ କରୁଣା ଦାନ କରନ୍ତି । ସେଥିପାଇଁ ଗୀତାରେ ଲେଖାଅଛି ‘‘ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହଂ ।’’ ଯେଉଁଲୋକ ଆମ୍ଭଙ୍କୁ ଯେପରି ସେବା କରନ୍ତି, ଆମ୍ଭେ ମଧ୍ୟ ତାଙ୍କୁ ତଦନୁରୂପ ସ୍ନେହ ପ୍ରକାଶ କରୁଁ । ଏତଦ୍ଦ୍ୱାରା ଲୋକେ ମନେ କରିପାରନ୍ତି, ଜଗଦୀଶ୍ୱର ଭେଦବୁଦ୍ଧି ସମ୍ପନ୍ନ, ମାତ୍ର ତାହା ନୁହେ । ମନୁଷ୍ୟ ଜ୍ଞାନର ପ୍ରକୃତ ଅଧିକାରୀ ହୋଇ ସ୍ୱଧର୍ମ୍ମକୁ ବର୍ଜନ କରି ସ୍ୱେଚ୍ଛାଚାରିତା ପ୍ରକାଶ କଲେ ବିଧାତାଙ୍କର ସ୍ନେହଭାଜନ ହେବାକୁ ସମ୍ପୂର୍ଣ୍ଣ ଅଯୋଗ୍ୟ ହୁଏ । କିନ୍ତୁ କରୁଣାମୟ ଈଶ୍ୱର ଇହଲୋକରେ କୌଣସି ଦଣ୍ଡବିଧାନ ନ କରି ପରିବର୍ତ୍ତନ ପାଇଁ ଅପେକ୍ଷା କରନ୍ତି । ଆମରଣ କିଛି ପରିବର୍ତ୍ତନ ନ ହେଲେ ପରେ ଯାହା ହେଉ । ଜ୍ଞାନୀ ବ୍ୟକ୍ତି ଅତି ସାବଧାନ ଭାବରେ ଜଗତର ପ୍ରତି କାର୍ଯ୍ୟ ସମ୍ପାଦନ କରନ୍ତି । କେବଳ ଜ୍ଞାନଦ୍ୱାରା ସମସ୍ତ ଉଦ୍ଦେଶ୍ୟ ଅଚିରେ ସିଦ୍ଧ ହୁଏନାହିଁ । ଧ୍ୟାନ ନିତାନ୍ତ ଆବଶ୍ୟକ । ଶାସ୍ତ୍ରର ମତ ‘‘ଜ୍ଞାନାତ୍ ଧ୍ୟାନଂ ବିଶିଷ୍ୟତେ ।’’ ଅର୍ଥାତ୍ ଜ୍ଞାନ ଅପେକ୍ଷା ଧ୍ୟାନ ମହତ୍ତର । ଆମ୍ଭେମାନେ ବୁଦ୍ଧଦେବଙ୍କର ଜୀବନ ଚରିତ ଆଲୋଚନା କଲେ ଦେଖୁଅଛୁଁ, ସେ ଛଅ ବର୍ଷ ନିର୍ଜନ ଭୂମିରେ ବସି ଏକାଗ୍ରଭାବରେ ସମାଧିମଗ୍ନ ହୋଇଥିଲେ । ତତ୍ପରେ ବୁଦ୍ଧତ୍ୱ ଲାଭ କଲେ । ଧ୍ୟାନର ଅର୍ଥ ଚିନ୍ତା କରିବା । ଯେ କୌଣସି ସ୍ଥାନରେ କିମ୍ବା ଯେ କୌଣସି ଭାବରେ ଚିନ୍ତା କଲେ ଚଳିବ ନାହିଁ । ବିରଳରେ ବସି ପ୍ରଥମତଃ ମନକୁ ବଶୀଭୂତ କରି ଗଭୀର ଚିନ୍ତା କଲେ ଉଦ୍ଦେଶ୍ୟ ସିଦ୍ଧ ହେବ । ସେହି ଚିନ୍ତାର ନାମ ଧ୍ୟାନ । ଧ୍ୟାନପରେ ମାନବ ସିଦ୍ଧି ଲାଭ କଲେ ସମଗ୍ର ଜଗତକୁ ଈଶ୍ୱରମୟ ଦେଖନ୍ତି । ଜଳ, ସ୍ଥଳ, ଆକାଶ ପ୍ରଭୃତି ସର୍ବତ୍ର ଜଗଦୀଶ୍ୱରଙ୍କର ପ୍ରକାଶ ବୁଝି ପାରନ୍ତି । ଏହି ଭାବକୁ ବିଧାତାଙ୍କର ବିଭୂତି ନିରୂପଣ ବୋଲାଯାଏ । ସେହିହେତୁରୁ ଗୀତାରେ ବିଭୂତିଯୋଗ ବର୍ଣ୍ଣିତ ଅଛି । ତତ୍‌ପରେ ଭକ୍ତ ଦିବ୍ୟ ଚକ୍ଷୁ ଲାଭ କରନ୍ତି । ସେହି ଚକ୍ଷୁରେ ଜଗତକୁ ଦେଖିଲେ ଜଗତ୍‌କର୍ତ୍ତାଙ୍କ ସଙ୍ଗେ ଜଗତର କି ସମ୍ବନ୍ଧ, ତାହା ଅତି ଅଦ୍ଭୁତ ଭାବରେ ଅନୁଭୂତ ହୁଏ ଓ ବିଶ୍ୱରୂପ ଶବ୍ଦର ପ୍ରକୃତ ଅର୍ଥ ନିରୂପଣ କରି ହୁଏ । ସାଧକ ବ୍ୟକ୍ତି ବିଶ୍ୱରୂପ ଶବ୍ଦର ଏହି ଅର୍ଥ ପ୍ରକାଶ କରନ୍ତି ଯେ, ବିଶ୍ୱବିଧାତା ସାଂସାରିକ ସମସ୍ତ ଲୀଳାର ସମଷ୍ଟି ରୂପେ ପ୍ରକାଶିତ ହୁଅନ୍ତି । ତାହାକୁ ଆହୁରି ବିଶଦ କରି କୁହାଯାଇ ପାରେ, କର୍ତ୍ତା କର୍ମର ମିଳନଭୂମି ଅଟନ୍ତି । ମାନବ ସାଧନାଦ୍ୱାରା ଦିବ୍ୟ ଚକ୍ଷୁ ଲାଭ କଲେ ଦିନେ ବିଶ୍ୱରୂପ ଦେଖିବାକୁ ସମର୍ଥ ହେବେ ସନ୍ଦେହ ନାହିଁ । ସାଧାରଣ ନେତ୍ରରେ ଦେଖିଲେ ଜଗତ୍ କେବଳ ସ୍ଥୂଳଭାବରେ ପ୍ରକଟିତ ହୁଏ, ମାତ୍ର ତାହାର ସୂକ୍ଷ୍ମ ଲୀଳା ଅପ୍ରକଟ ଅବସ୍ଥାରେ ରହେ ।

 

ବିଶ୍ୱରୂପ ଦର୍ଶନରେ ମାନବ ଜାତିର ପୂର୍ଣ୍ଣ ଅଧିକାର ଅଛି । ପ୍ରତି ମାନବ ସଂସାର ସମ୍ବନ୍ଧରେ ମୋହଗ୍ରସ୍ତ ହେବା ସ୍ୱାଭାବିକ । କିନ୍ତୁ ସେ ମୋହ ଅପସୃତ କରିବାପାଇଁ ସଦୁପଦେଶକଙ୍କୁ ଅନୁସରଣ କରିବା ଉଚିତ । ବର୍ତ୍ତମାନ କ୍ଷେତ୍ରରେ ସଦ୍‌ଗୁରୁଲାଭ ଅତି ଦୁର୍ଲ୍ଲଭ । ସୁତରାଂ ଆମ୍ଭେମାନେ ଶାସ୍ତ୍ରୀୟ ମତକୁ ଅବଲମ୍ବନ କରି ନିଜେ ନିଜେ ସାଧନାରେ ପ୍ରବୃତ୍ତ ହେବା ବାଞ୍ଛନୀୟ । ନତେତ୍ ମାନବ ଜନ୍ମ ସମ୍ପୂର୍ଣ୍ଣ ବିଫଳ ହେବ । ଆମ୍ଭେମାନେ ଅର୍ଜୁନଙ୍କ କାର୍ଯ୍ୟରୁ ବୁଝୁଅଛୁଁ, ସେ ବିଶ୍ୱରୂପ ଦର୍ଶନ କରି ଅତି ତ୍ରସ୍ତ ହୋଇ ବହୁ ସ୍ତବ ପାଠ କରିଥିଲେ । ତଦ୍ଦ୍ୱାରା ମନେ ହୋଇପାରେ ଭୟଜନକ ମୂର୍ତ୍ତି ଦେଖିବାକୁ ସାଧନା କରିବା ନିତାନ୍ତ ଅମନୁଷ୍ୟତାର ଲକ୍ଷଣ । ହଠାତ୍ ଏପରି କଳ୍ପନାରେ ଉପସ୍ଥିତ ନ ହୋଇ ତାହାର କାରଣ ଅନୁସନ୍ଧାନ କରିବା ଉଚିତ । ଆମ୍ଭେମାନେ ଦେଖୁଅଛୁଁ, ବିଦ୍ୟାଳୟରେ କେତେକ ଛାତ୍ର ଗୁରୁପଦିଷ୍ଟ ପ୍ରଣାଳୀରେ ଚଳି ସ୍ୱକର୍ତ୍ତବ୍ୟ ସାଙ୍ଗ କରି ଗୁରୁଙ୍କ ସମ୍ମୁଖରେ ଉପସ୍ଥିତ ହୋଇଅଛନ୍ତି ଓ ଅନ୍ୟ କେତେଜଣ ନିଜର କର୍ତ୍ତବ୍ୟ ପାଳନ ନ କରି ହଠାତ୍ ଗୁରୁଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ପ୍ରଥମୋକ୍ତ ଛାତ୍ରମାନେ ଗୁରୁଙ୍କୁ ଦେଖି ପରମ ଆନନ୍ଦ ପ୍ରକାଶ କରିବେ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ର ଗୁରୁଙ୍କୁ ଯମର ଅବତାର ବୋଲି ଭାବି ଅତି ଭୀତ ଓ ସଂକୁଚିତ ହେବେ । ଏହା ବୋଲି କି କୁହାଯାଇ ପାରେ ଯେ, ଗୁରୁମୂର୍ତ୍ତି ପ୍ରକୃତ ଭୟର କ୍ଷେତ୍ର ଅଟେ ? ତାହା କଦାପି ନୁହେ । ଅର୍ଜୁନ ଗୁରୁପଦିଷ୍ଟ ପ୍ରଣାଳୀରେ ସମ୍ପୂର୍ଣ୍ଣ ସିଦ୍ଧି ଲାଭ ନ କରି ଭଗବାନ୍ ଶ୍ରୀକୃଷ୍ଣଙ୍କ କରୁଣାରୁ ଦିବ୍ୟଚକ୍ଷୁ ପାଇ ସହସା ବିଶ୍ୱରୂପ ଦର୍ଶନ କଲେ । ସୁତରାଂ ଭୀତ ଉପସ୍ଥିତ ହେଲା । ଯେଉଁ ମାନବ ଉଲ୍ଲିଖିତ ପ୍ରଣାଳୀରେ ସ୍ୱକର୍ତ୍ତବ୍ୟକୁ ଯଥାବିଧି ପ୍ରତିପାଳନ କରି ଦିବ୍ୟ ଚକ୍ଷୁ ଅର୍ଜନ କରିବେ, ସେ ସେହି ମୂର୍ତ୍ତିକୁ ଦେଖିଲା କ୍ଷଣି ପରମ ପରିତୁଷ୍ଟ ହେବେ ସନ୍ଦେହ ନାହିଁ । ସେ ମୂର୍ତ୍ତିରେ ଭୟର କାରଣ ଲବମାତ୍ର ନାହିଁ, ତାହା ଅଭୟର ଆଧାର ।

 

ବିଶ୍ୱରୂପ ଦର୍ଶନରେ ମାନବ ଜାତିର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ପ୍ରକାଶିତ ହେଲା । ସେ ମୂର୍ତ୍ତି ଦର୍ଶନ କଲେ କି ଫଳ ଲାଭ ହେବ, ତତ୍‌ସମ୍ବନ୍ଧରେ କିଛି ଆଲୋଚନା କରାଯାଉ । ରାଜା କିମ୍ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗେ ସାକ୍ଷାତ୍ କରିବାକୁ ଇଚ୍ଛା ହେଲେ ପ୍ରଥମତଃ ଅନେକ ସାଧନା କରିବାକୁ ହୁଏ । ଇଚ୍ଛାମାତ୍ରେ ଦର୍ଶନ ଲାଭ ହୁଏନାହିଁ । ପ୍ରଥମେ ରାଜା ପ୍ରଭୃତିଙ୍କର ପ୍ରିୟ ବ୍ୟକ୍ତିଙ୍କୁ ଅନୁସରଣ କରାଯାଏ କିମ୍ବା ତାଙ୍କ ବଚନ ମାନି ଚଳିବାକୁ ହୁଏ । ସେହିପରି ଜଗଦୀଶ୍ୱରଙ୍କୁ ସାକ୍ଷାତରେ ମନର ଭାବ ଜଣାଇବାକୁ ଇଚ୍ଛା କଲେ ପ୍ରଥମେ ବହୁ ସାଧନା ଆବଶ୍ୟକ ହୁଏ । ଯେଉଁମାନେ ଜଗତ୍ ପ୍ରଭୁଙ୍କର ପ୍ରିୟବ୍ୟକ୍ତି ସେମାନଙ୍କୁ ପରିତ୍ୟାଗ କଲେ କିମ୍ବା ସେମାନଙ୍କ ବଚନକୁ ଅସାର ବୋଲି ମନେ କଲେ କଦାପି ଉଦ୍ଦେଶ୍ୟ ସିଦ୍ଧ ହେବ ନାହିଁ । ମନୁଷ୍ୟ ଜାତି ନିଜର କର୍ମଦ୍ୱାରା ବହୁତ ସୋପାନ ଅତିକ୍ରମ କରି ଜଗଦୀଶ୍ୱରଙ୍କ ନିକଟବର୍ତ୍ତୀ ସୋପାନରେ ପହଞ୍ଚିଅଛି । ଅତି ନିକଟରେ ରହି ଯେବେ ଆମ୍ଭେମାନେ ନିଜର ଉଦ୍ଦେଶ୍ୟ ପୂରଣ କରି ନ ପାରୁଁ, ତେବେ ଅତି ଅଧମ ବୋଲି କଥିତ ହେବୁଁ । ବିଶ୍ୱରୂପ ଦର୍ଶନ ମନୁଷ୍ୟତ୍ୱ ବିକାଶର ଚରମ ସୀମା । ତଦ୍ଦ୍ୱାରା ମନୁଷ୍ୟଜନ୍ମ ପୂର୍ଣ୍ଣ ସାର୍ଥକ ହୁଏ, ମାୟା ଓ ମୋହ ବହୁଦୂରବର୍ତ୍ତୀ ହେବାରୁ ମରଶରୀର ଅମରତ୍ୱ ଲାଭ କରେ, ଜୀବନ ଧନ୍ୟ ହୁଏ, ପୃଥିବୀ ଅଳଂକୃତା ହୁଏ, ପିତୃମାତୃକୁଳ ସୁପବିତ୍ର ହୁଏ, ପୃଥିବୀ ଇତିହାସ ଉତ୍ତମ ଉପକରଣର ଭଣ୍ଡାର ହୁଏ, ପରିଶେଷରେ ମାନବ ଅମୃତରେ ଲୀନ ହୁଏ । ପୂର୍ବେ ତପସ୍ୱୀମାନେ ବିଶ୍ୱଲୀଳା ବୁଝିଥିବାରୁ ବୃକ୍ଷରୁ ପତ୍ରଟିଏ ଭାଙ୍ଗିବାକୁ କଷ୍ଟ ଅନୁଭବ କରୁଥିଲେ । ସ୍ନାନସମୟରେ ପ୍ରଥମତଃ ମନ୍ତ୍ରୋଚ୍ଚାରଣଦ୍ୱାରା ଜଳକୁ ପରିତୁଷ୍ଟ କରୁଥିଲେ । ତପୋବନରେ ଅହିଂସା ପ୍ରଚାର କରି ଶ୍ୱାପଦମାନଙ୍କୁ ମଧ୍ୟ ଅହିଂସ୍ର କରୁଥିଲେ । ସେମାନେ ବୁଝିଥିଲେ, ସଂସାରରେ ଯେ କୌଣସି ସ୍ଥାନରେ ସ୍ୱେଚ୍ଛାଚାରିତା ପ୍ରକାଶ କଲେ ଜଗଦୀଶ୍ୱରଙ୍କ ଶରୀରରେ ବାଧା ଲାଗିବ, କାରଣ ଈଶ୍ୱର ଅଖିଳ ଜଗତର ସମଷ୍ଟି । କିନ୍ତୁ ଆମ୍ଭେମାନେ ବର୍ତ୍ତମାନ ଖାଇବା ପାଇଁ କିମ୍ବା ଆମୋଦ ଭୋଗପାଇଁ ବହୁ ଜୀବର ପ୍ରାଣନାଶ କରୁଅଛୁଁ । ମନୁଷ୍ୟ ହୋଇ ମନୁଷ୍ୟର ସର୍ବନାଶ କରିବାକୁ ଲବମାତ୍ର କୁଣ୍ଠିତ ହେଉନାହୁଁ । ଏହା କିପରି ନୀତି-ବିରୁଦ୍ଧ, ତାହା ସହଜରେ ଅନୁମେୟ ।

ବିଶ୍ୱରୂପରୁ ମାନବ ସହଜରେ ହୃଦୟଙ୍ଗମ କରିପାରେ ଯେ, ରାଜା, ପ୍ରଜା ଓ ଧନୀ ଦରିଦ୍ର ପ୍ରଭୃତି ପାର୍ଥିବ ସମ୍ବନ୍ଧ ଅତି ନଶ୍ୱର । ସମସ୍ତେ ଏକ ମାନବ ଜାତି । ତାରତମ୍ୟ କେବଳ ବିକୃତଦୃଷ୍ଟି ଦ୍ୱାରା ସାଧିତ ହେଉଅଛି । ନାଟକ ଅଭିନୟରେ ଆମ୍ଭେମାନେ ଦେଖୁଅଛୁଁ, କେହି ରାଜପରିଚ୍ଛଦ ପରିଧାନ କରି କେହି ଅବା ଦ୍ୱାରୀ ବେଶ ଧରି ଦର୍ଶକ ସମ୍ମୁଖରେ ନିଜ ନିଜ କର୍ତ୍ତବ୍ୟ ପାଳନ କଲେ । ଦ୍ୱାରୀ ରାଜାଙ୍କ ପ୍ରତି ଉଚିତ ସମ୍ମାନ ପ୍ରକାଶ କଲା ଓ ରାଜା ମଧ୍ୟ ଦ୍ୱାରୀ ପ୍ରତି ତଦ୍‌ଯୋଗ୍ୟ ବ୍ୟବହାର ଦେଖାଇଲେ । ମାତ୍ର କାର୍ଯ୍ୟ ଶେଷରେ ବେଶଭବନକୁ ଫେରିଲେ ସମସ୍ତେ ନିଜର ସ୍ୱାଭାବିକ ରୂପ ଧାରଣ କରିବେ । ସେତେବେଳେ ଦେଖିବ, ଦ୍ୱାରୀରୂପ ମିଥ୍ୟା, ରାଜାରୂପ ମଧ୍ୟ ମିଥ୍ୟା । ଦୁହେଁ ମାନବ ଜାତି । ସେହିପରି ବିଶ୍ୱରୂପକୁ ଚିନ୍ତାକଲେ ମନରୁ ଭେଦଜ୍ଞାନ ତିରୋହିତ ହୁଏ ।

‘‘ବିଦ୍ୟାବିନୟସମ୍ପନ୍ନେ ବ୍ରାହ୍ମଣେ ଗବି ହସ୍ତିନି;

ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ।’’

ଏହି ଆର୍ଷବଚନ ସମ୍ପୂର୍ଣ୍ଣ ସଫଳ ହୁଏ । ବିଶ୍ୱରୂପ ଦର୍ଶନପାଇଁ ମାନବ ଏକାନ୍ତ ଶ୍ରଦ୍ଧାନ୍ୱିତ ହେବା ଆବଶ୍ୟକ । କୌଣସି କାର୍ଯ୍ୟରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ନ ଥିଲେ କେବଳ ବହିଃସ୍ଥ କାର୍ଯ୍ୟଦ୍ୱାରା ଉଦ୍ଦେଶ୍ୟ ସଫଳ ହୁଏ ନାହିଁ । ଏକାନ୍ତ ଶ୍ରଦ୍ଧା ଭକ୍ତିର ରୂପାନ୍ତର ମାତ୍ର । ପ୍ରଥମତଃ ହୃଦୟରେ ଶ୍ରଦ୍ଧା ପୋଷଣ କରି କର୍ମ୍ମରେ ପ୍ରବୃତ୍ତ ହେବା ଉଚିତ । ଆମ୍ଭେମାନେ ଦେଖୁଅଛୁଁ, ମନରେ ସ୍ନେହର ସଞ୍ଚାର ହେଲେ ମାନବ ବିନୟୀ ଓ ନିରହଙ୍କାର ହୁଏ । ମନୁଷ୍ୟ ପିତୃସ୍ଥାନ ପାଇବା ପର୍ଯ୍ୟନ୍ତ ସମସ୍ତଙ୍କ ଅପେକ୍ଷା ଉଚ୍ଚତମ ସୋପାନରେ ରହିବାକୁ ଇଚ୍ଛା କରୁଥାଏ । ମାତ୍ର ଗୋଟିଏ ପୁତ୍ର ଲାଭ କଲେ ମନେ କରେ, ପୁତ୍ରଟି ମୋ ଅପେକ୍ଷା ଅଧିକ ଗୁଣବିଶିଷ୍ଟ ଓ ଯଶସ୍ୱୀ ହେବ କି । ସେତେବେଳେ ସେ କ୍ଷୁଦ୍ର ହେବାପାଇଁ ସ୍ୱଭାବତଃ ଇଚ୍ଛା କରେ ଓ ପ୍ରକୃତ ମନୁଷ୍ୟଭାବ ଗ୍ରହଣ କରେ । ତାହାର ପରିବର୍ତ୍ତନର କାରଣ ପୁତ୍ର-ସ୍ନେହ । ଶ୍ରଦ୍ଧା ମନୁଷ୍ୟକୁ ସ୍ୱକ୍ଷେତ୍ରକୁ ଆନୟନ କରେ । ସେହି ଶ୍ରଦ୍ଧାର ମାତ୍ରା ଅଧିକ ହେଲେ ଲୋକ କି କାର୍ଯ୍ୟ କରି ନ ପାରେ ? ବିଶ୍ୱରୂପଦର୍ଶନର ଅପର ନାମ ସାର୍ବଭୌତିକ ପ୍ରେମ ଅର୍ଜନ । ଉକ୍ତ ରୂପ ଦର୍ଶନ କଲେ ଦର୍ଶକର ନିଜ ପର ଜ୍ଞାନ ରହେ ନାହି । ଜନ୍ମ ଓ ମରଣକୁ ଜୀବ ଜଗତର ଦୈନିକ କର୍ମ୍ମ ବୋଲି ଭାବି ସେଥିରେ ଆନନ୍ଦିତ ଓ ଦୁଃଖିତ ହୁଏ ନାହିଁ । ଦୃଷ୍ଟି ଉପରୁ ଇନ୍ଦ୍ରଜାଲରୂପ ଯବନିକା ଅପସାରିତ ହୁଏ । ମାନବ ଯଥାର୍ଥ ମନୁଷ୍ୟତ୍ୱ ଲାଭ କରେ ।

ସମ୍ପ୍ରତି କେହି କେହି ଏ ସମସ୍ତକୁ ଅନ୍ଧବିଶ୍ୱାସ ବୋଲି ମନେ କରିପାରନ୍ତି । ମାତ୍ର ଆମ୍ଭେମାନେ କହୁଁ, ଯେଉଁ ଲୋକର ମସ୍ତଷ୍କ ରୋଗ-ପ୍ରଭାବରେ ସମ୍ପୂର୍ଣ୍ଣ ଦୂଷିତ ହୁଏ, ଉପକାରପାଇଁ ତାହାକୁ ଉତ୍ତମ ଉପଦେଶ ଦେଲେ ମଧ୍ୟ ସେ ତାହା ଶୁଶେ ନାହିଁ ଓ ଉପଦେଶକ ପ୍ରତି କଠୋର ବ୍ୟବହାର କରିବାରେ ଲବମାତ୍ର କୁଣ୍ଠିତ ହୁଏନାହିଁ । ଏହା ବୋଲି କି ଉପଦେଶକୁ ଅସାର ବୋଲି କଳ୍ପନା କରି ଅନ୍ୟତ୍ର ପ୍ରକାଶ କରିବ ନାହିଁ ? ତାହା କଦାପି ନୁହେ । ଆମ୍ଭେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ବିକାରଗ୍ରସ୍ତ ହୋଇଅଛୁଁ । ସୁତରାଂ ଉତ୍ତମ ଉପଦେଶ ବାଣୀ ଆମ୍ଭମାନଙ୍କ ଶ୍ରବଣରେ ବିଷ ଢାଳୁଅଛି-। ଦୃଷ୍ଟିହୀନ ମନୁଷ୍ୟକୁ କେହି ଚକ୍ଷୁଷ୍ମାନ୍ ବ୍ୟକ୍ତି ଯେବେ କହନ୍ତି, ନୀଳବର୍ଣ୍ଣ ମହାସିନ୍ଧୁ ଅହର୍ନିଶ ତରଙ୍ଗାକୁଳ ହୋଇ ପ୍ରକୃତିର ଅପୂର୍ବ ବୈଚିତ୍ର୍ୟ ପ୍ରକାଶ କରୁଅଛି । ପୂର୍ଣ୍ଣ ଶରଦିନ୍ଦୁ ସୁନିର୍ମଳ ଗଗନରେ ଉଦିତ ହୋଇ ସ୍ନିଗ୍‌ଧ ସୁଶୀତଳ କୌମୁଦୀରେ ପୃଥିବୀକୁ ପରିତୃପ୍ତ କରୁଅଛି । ଜୀବକୁଳ ବହୁବିଧ ମୂର୍ତ୍ତି ଧାରଣ କରି ଓ କୁସୁମସମୂହ ନାନାବର୍ଣ୍ଣରେ ରଞ୍ଜିତ ହୋଇ ଜଗଦୀଶ୍ୱରଙ୍କର ଅଦ୍‌ଭୁତ କଳ୍ପନାକୁ ପ୍ରଚାର କରୁଅଛନ୍ତି । ମାତ୍ର ସେ ଅନ୍ଧ ପରୀକ୍ଷା କରିବାକୁ ଅସମର୍ଥ ହୋଇ ଯେବେ ସମସ୍ତଙ୍କୁ ଅସତ୍ୟ ବୋଲି ମନେ କରେ, ତେବେ କି ପ୍ରକୃତିର ଲୀଳା ଅସତ୍ୟ ବୋଲି କୁହାଯିବ ? କଦାପି ସମ୍ଭବ ନୁହେ । ସେହିପରି ଆମ୍ଭେମାନେ ଜ୍ଞାନ-ନେତ୍ର-ହୀନ ହୋଇ ଜ୍ଞାନୀମାନଙ୍କର ବଚନକୁ ଯେବେ ଅସାର ବୋଲି ମନେ କରୁଁ, ତାହା ଦୂରଦୃଷ୍ଟ ବୋଲି କୁହାଯିବ । ଆମ୍ଭମାନଙ୍କ ସନ୍ଦେହ ଦ୍ୱାରା ଆର୍ଷବଚନ ଅସତ୍ୟ ବୋଲି ପ୍ରମାଣିତ ହୋଇ ନ ପାରେ । ବିଶ୍ୱରୂପ ଦର୍ଶନ ଅର୍ଥାତ୍ ସାର୍ବଭୌତିକ ପ୍ରେମ ଅର୍ଜନପାଇଁ ଉଲ୍ଲିଖିତ ପ୍ରଣାଳୀରେ କାର୍ଯ୍ୟ କରିବା ମାନବ-ସମାଜର ଅବଶ୍ୟ ବିଧେୟ । ସେଥିରେ ସନ୍ଦିଗ୍‌ଧ ହେବା ମାନବତ୍ୱ ନୁହେ । ପ୍ରାଚୀନ ନୀତିଜ୍ଞଗଣ ପ୍ରଚାର କରିଅଛନ୍ତି, ‘‘ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକଂ’’ ଗୀତାରେ ମଧ୍ୟ ପ୍ରକାଶିତ ହୋଇଅଛି–

‘‘ସର୍ବଭୂତେଷୁ ଯେନୈକଂ ଭାବମବ୍ୟୟମୀକ୍ଷତେ,

ଅବିଭକ୍ତଂ ବିଭକ୍ତେଷୁ ତଜ୍‌ଜ୍ଞାନଂ ବିଦ୍ଧି ସାତ୍ତ୍ୱିକଂ ।’’

 

ଅର୍ଥାତ୍ ଯେଉଁ ବ୍ୟକ୍ତି ସମସ୍ତ ଜୀବ ମଧ୍ୟରେ ଏକ ପରମାତ୍ମାଙ୍କର ଆବିର୍ଭାବ ଦେଖି ସମଦର୍ଶୀ ହୁଅନ୍ତି, ତାହାଙ୍କର ଜ୍ଞାନକୁ ସାତ୍ତ୍ୱିକ ଜ୍ଞାନ ବୋଲାଯାଏ । ହେ ମାନବ ! ସେହି ସାତ୍ତ୍ୱିକ ଜ୍ଞାନ ଅର୍ଜନ କର, ଧନ୍ୟ ହୁଅ, ଐହିକ ଓ ପାରତ୍ରିକ ମଙ୍ଗଳର ପନ୍ଥା ନିଷ୍କଣ୍ଟକ କର । ଜଗତରେ ସର୍ବ ଜୀବ ତୁମ୍ଭର ପରମ ବନ୍ଧୁ ହେବେ । ତୁମ୍ଭେ ଅହରହ ଅସଂଖ୍ୟ ମିତ୍ରପରିବେଷ୍ଟିତ ହୋଇ ଆନନ୍ଦରେ କାଳାତିପାତ କରିବ ସନ୍ଦେହ ନାହିଁ । ଐହିକ ସୁଖ ଅତି ନଶ୍ୱର, ଚିରବସ୍ତୁପାଇଁ ଚେଷ୍ଟିତ ହୁଅ ।

Image

 

ଇନ୍ଦ୍ରିୟ ଓ ମନ

 

ମନୁଷ୍ୟତ୍ୱ ଲାଭ କରିବାପାଇଁ ମନ ଓ ଇନ୍ଦ୍ରିୟ ସଂଯମ ଏକାନ୍ତ ଆବଶ୍ୟକ, ଏହା ଆମ୍ଭେମାନେ ସମସ୍ତ ଶାସ୍ତ୍ରରୁ ପାଠ କରୁଅଛୁଁ । ମନ ଓ ଇନ୍ଦ୍ରିୟ କି ବସ୍ତୁ, ଶରୀରରେ ସେମାନଙ୍କର କିପରି କର୍ତ୍ତୃତ୍ୱ ଅଛି, ସେମାନଙ୍କର ପରସ୍ପର ମଧ୍ୟରେ କି ସମ୍ବନ୍ଧ ବିଦ୍ୟମାନ ଓ ମନର ସ୍ଥାନ କେଉଁଠାରେ, ଇତ୍ୟାଦି ବିଷୟ ସମସ୍ତେ ଜାଣିବା ସମ୍ଭବ ନୁହେ । ସୁତରାଂ ତତ୍‌ସମ୍ବନ୍ଧରେ କିଛି ଆଲୋଚନା କରାଯାଉ । ପ୍ରାଚୀନ ଦର୍ଶନକାରମାନେ କହନ୍ତି, ଶରୀରରେ ଇନ୍ଦ୍ରିୟ ତେରଗୋଟି । ଦଶଗୋଟି ବହିରିନ୍ଦ୍ରିୟ ଓ ତିନିଗୋଟି ଅନ୍ତରିନ୍ଦ୍ରିୟ । ବହିରିନ୍ଦ୍ରିୟ ଦୁଇଭାଗରେ ବିଭକ୍ତ । ଯଥା, ଜ୍ଞାନେନ୍ଦ୍ରିୟ ଓ କର୍ମ୍ମେନ୍ଦ୍ରିୟ । ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା ଓ ତ୍ୱକ୍, ଏହି ପାଞ୍ଚଗୋଟି ଜ୍ଞାନେନ୍ଦ୍ରିୟ । ଏ ଗୁଡ଼ିକ ଶରୀରରେ ଉପଯୁକ୍ତ-ସ୍ଥାନରେ ରହି ପ୍ରାକୃତିକ ଜ୍ଞାନ ଜନ୍ମାଉଅଛନ୍ତି । ବାକ୍, ହସ୍ତ, ପାଦ, ପାୟୁ ଓ ଉପସ୍ଥ ଏହି ପାଞ୍ଚଗୋଟି କର୍ମ୍ମେନ୍ଦ୍ରିୟ । ଏ ଗୁଡ଼ିକ ମଧ୍ୟ ନିଜ ନିଜସ୍ଥାନରେ ରହି ନାନାପ୍ରକାର କର୍ମ୍ମ ସମ୍ପାଦନ କରୁଅଛନ୍ତି । ସାଂଖ୍ୟ ମତରେ ଜ୍ଞାନ ଓ କର୍ମ୍ମ ଦୁଇଟି ମାତ୍ର ପ୍ରତି ମନୁଷ୍ୟର ପ୍ରୟୋଜନୀୟ ବସ୍ତୁ । ସୁତରାଂ ଦୁଇ ଜାତି ଇନ୍ଦ୍ରିୟ ସୃଷ୍ଟି ହୋଇଅଛି । ମନ, ବୁଦ୍ଧି ଓ ଅହଂଙ୍କାର ଏହି ତିନିଗୋଟି ଅନ୍ତରିନ୍ଦ୍ରିୟ । ଶାସ୍ତ୍ରକାରମାନେ କହନ୍ତି, ବୁଦ୍ଧି ଓ ଅହଙ୍କାର ମନର ଅବସ୍ଥାନ୍ତର ମାତ୍ର । ସୁତରାଂ କେବଳ ମନକୁ ଅନ୍ତରିନ୍ଦ୍ରିୟ ବୋଲି କହିଲେ କିଛିମାତ୍ର ଅସଙ୍ଗତ ହେବନାହିଁ । ସେହିହେତୁରୁ କେତେକ ଶାସ୍ତ୍ରକାରଙ୍କ ମତରେ ଇନ୍ଦ୍ରିୟ ଏଗାର ଗୋଟି । ଯାହାହେଉ ଶରୀରରେ ମନର ଆଧିପତ୍ୟ ଅତି ଅଧିକ, ଏହା ସମସ୍ତଙ୍କର ଅଭିମତ । ଅତଏବ ମନ ବିଷୟରେ କିଛି ଆଲୋଚନା କରିବା ଉଚିତ । ମହର୍ଷି କପିଳ କହନ୍ତି, ମନ ଗୋଟିଏ ଇନ୍ଦ୍ରିୟ । ଅନ୍ୟ କେତେକ ଶାସ୍ତ୍ରକାର ମନକୁ ଇନ୍ଦ୍ରିୟ ବୋଲି ସ୍ୱୀକାର କରନ୍ତି ନାହିଁ । ସେମାନେ କହନ୍ତି, ମନ ଓ ଆତ୍ମା ମଧ୍ୟରେ କିଛି ପ୍ରଭେଦ ନାହିଁ । ମନ ବିଶେଷ ବିଶେଷ ଶକ୍ତି ଅନୁସାରେ ଭିନ୍ନ ଭିନ୍ନ ନାମ ଗ୍ରହଣ କରେ । କର୍ତ୍ତୃତ୍ୱାଦି ଶକ୍ତିଦ୍ୱାରା ମନର ନାମ ବୁଦ୍ଧି ଓ ଜ୍ଞାନଶକ୍ତିଦ୍ୱାରା ତାହାର ନାମ ଆତ୍ମା ହୁଏ । ଏହା ସର୍ବଶାସ୍ତ୍ରର ମତ ନୁହେ । ବୌଦ୍ଧଦର୍ଶନକାରମାନେ କହନ୍ତି, ମନ ଆତ୍ମା ନୁହେ । ମନ ଜଡ଼ ପଦାର୍ଥ ଓ ଆତ୍ମାର ଅଧୀନ । ବିଜ୍ଞାନନାମକ ଏକ ଜଗଦ୍‌ବ୍ୟାପୀ ପଦାର୍ଥ ଅଛି, ତାହାର ନାମ ଆତ୍ମା । ସେ ମନ ପ୍ରଭୃତି ଇନ୍ଦ୍ରିୟମାନଙ୍କର ପରିଚାଳକ । ମହର୍ଷି କପିଳ କହନ୍ତି, ଆତ୍ମା ଚୈତନ୍ୟରୂପୀ ଓ ମନ ଜଡ଼ରୂପୀ । ଆତ୍ମା ଦିବ୍ୟତେଜୋମୟ ଓ ଜଡ଼ରୂପୀମନ ନିତ୍ୟ ଅପ୍ରକାଶ । ଆତ୍ମା ମନ ସଙ୍ଗେ ସଂଯୁକ୍ତ ହେଲେ ତାହାର ପ୍ରକାଶ ଅଧିକତର ହୁଏ । ଯେପରି ସୂର୍ଯ୍ୟକିରଣ ସ୍ୱଚ୍ଛ କାଚରେ ସଂଯୁକ୍ତ ହେଲେ ଅତି ତୀବ୍ର ଓ ଅତି ଉଜ୍ଜ୍ୱଳ ହୁଏ, ସେହିପରି ମନଃ-ସଂଯୁକ୍ତ ଆତ୍ମାର ପ୍ରକାଶ ଅତି ଅଧିକ ଦେଖାଯାଏ । ମନ ମଳିନ ହେଲେ ଅର୍ଥାତ୍ ଆତ୍ମପ୍ରକାଶର ପ୍ରତିବିମ୍ବଗ୍ରହଣରେ ଅକ୍ଷମ ହେଲେ ଆତ୍ମାର ପ୍ରକାଶ ଅତି ଅଳ୍ପ ହୁଏ ସତ୍ୟ, କିନ୍ତୁ ଆତ୍ମାର କାର୍ଯ୍ୟ ସମ୍ପୂର୍ଣ୍ଣ ଲୁପ୍ତ ହୁଏ ନାହିଁ । ସେହି ହେତୁରୁ ମନୁଷ୍ୟ ମୂର୍ଚ୍ଛିତ ହେଲେ ମନ ଅନିର୍ମ୍ମଳ ଓ ବିଷୟଗ୍ରହଣରେ ସମ୍ପୂର୍ଣ୍ଣ ଅକ୍ଷମ ହୁଏ ସତ୍ୟ, ମାତ୍ର ଆତ୍ମସତ୍ତା ବିଦ୍ୟମାନ ଥାଏ । ସୁତରାଂ ମୂର୍ଚ୍ଛାଭଙ୍ଗ ପରେ ମନୁଷ୍ୟ ବୁଝି ପାରେ ଯେ, ମୁଁ ଅଜ୍ଞାନ ହୋଇଥିଲି, କିଛି ଜାଣି ପାରି ନାହିଁ । ଏପରି ଅନୁଭବର ହେତୁ ଏହି, ସେତେବେଳେ ମନ ତମସାଚ୍ଛନ୍ନ ହୋଇ ସ୍ୱୀୟ କାର୍ଯ୍ୟରେ ଅକ୍ଷମ ଥିଲା, ଏହା ଆତ୍ମା ନିଜେ ଦେଖୁଥିଲେ । ଏକମାତ୍ର ମନର ସାହାଯ୍ୟରେ ଆତ୍ମା ସବ୍ୟାପାର ଓ ମନର ଅଭାବରେ ଆତ୍ମା ନିର୍ବ୍ୟାପାର, ଏହି ଉକ୍ତି ମହର୍ଷି ସାଙ୍ଖ୍ୟକାର ପୁନଃ ପୁନଃ କହିଅଛନ୍ତି । ସାଙ୍ଖ୍ୟ ମତରେ ମନ ନଶ୍ୱର ଓ ସାବୟବ । ମନ ମୂଳ ପ୍ରକୃତିରୁ ଉତ୍ପନ୍ନ ହୋଇ ପ୍ରତି ଦେହରେ ବିରାଜିତ ଅଛି । ସେ ନଶ୍ୱର ହେଲେ ମଧ୍ୟ ସ୍ଥଳ ଶରୀର ପରି ଅଶୁବିଧ୍ୱଂସୀ ନୁହେ । ତତ୍ତ୍ୱଜ୍ଞାନ ନ ହେବା ପର୍ଯ୍ୟନ୍ତ ସ୍ଥୂଳ ଦେହ ନଷ୍ଟ ହେଲେହେଁ ମନର ବିନାଶ ହୁଏ ନାହିଁ । ନୈୟାୟିକମାନେ କହନ୍ତି, ମନ ନିତ୍ୟ ଓ ନିରବୟବ । ସୁତରାଂ ତାହାର କ୍ଷୟ ଓ ବୃଦ୍ଧି ନାହିଁ । ମନ ବାୟବୀୟ ପରମାଣୁ ତୁଲ୍ୟ ଅତି ସୂକ୍ଷ୍ମ ବସ୍ତୁ । ସୁତରାଂ ସେ ଯେଉଁ ପଦାର୍ଥରେ ସଂଯୁକ୍ତ ହୁଏ ସେଥିରେ ସମ୍ପୂର୍ଣ୍ଣ ନିମଗ୍ନ ହୋଇଯାଏ । ଅନ୍ୟ ପଦାର୍ଥ ଗ୍ରହଣରେ ତାହାର ଶକ୍ତି ରହେ ନାହିଁ । ମାତ୍ର ସାଙ୍ଖ୍ୟର ମତ ତାହା ନୁହେ । ସାଙ୍ଖ୍ୟ କହନ୍ତି, ମନ ସୂକ୍ଷ୍ମ ସତ୍ୟ, କିନ୍ତୁ ପରମାଣୁ ପରି ନୁହେ । ଇନ୍ଦ୍ରିୟ-ଅଗୋଚର ହେଲେ ମଧ୍ୟ ମନ ପରମାଣୁ ପରି ଅତି ସୂକ୍ଷ୍ମ ଓ ନିରବୟବ ହେବ, ଏହାର କୌଣସି କାରଣ ନାହିଁ । ନୈୟାୟିକମାନେ କେବଳ ଯୁକ୍ତିରେ ନିର୍ଭର କରନ୍ତି, ଯୁକ୍ତି ସର୍ବତ୍ର ସତ୍ୟ ପ୍ରଦର୍ଶନ କରିବାକୁ ସମର୍ଥ ହୁଏ ନାହିଁ । ସୁତରାଂ ଆପ୍ତ ବଚନ ଯଥାର୍ଥ ପ୍ରମାଣ ମଧ୍ୟରେ ଗ୍ରହଣୀୟ । ଯୁକ୍ତି ଆପ୍ତ ବଚନର ସାହାଯ୍ୟକାରୀ ମାତ୍ର । ବେଦ ମତରେ ମନର ଅବୟବ ଅଛି । ସୁତରାଂ ସାଙ୍ଖ୍ୟ ତାହା ସ୍ୱୀକାର କରନ୍ତି । ମନ ସାବୟବ ହୋଇ ନ ଥିଲେ ତାହାର କ୍ଷୟ, ବୃଦ୍ଧି ସାଧିତ ହୁଅନ୍ତା ନାହିଁ । ଉପନିଷଦରେ ବର୍ଣ୍ଣିତ ମହର୍ଷି ଉଦ୍ଦାଳକଙ୍କର ଉପାଖ୍ୟାନ ପାଠ କଲେ ମନର କ୍ଷୟ ଓ ବୃଦ୍ଧି ସହଜରେ ବୁଝି ହେବ । ଉକ୍ତ ମହର୍ଷି ତାହାଙ୍କର ପୁତ୍ରଙ୍କୁ ବ୍ରହ୍ମବିଦ୍ୟା ଶିକ୍ଷା ଦେବା ସମୟରେ ଦିନେ କହିଲେ, ‘‘ଅନ୍ନମୟଂହି ସୌମ୍ୟ ମନଃ ।’’ ଅର୍ଥାତ୍ ମନ ଖାଦ୍ୟଦ୍ରବ୍ୟର ପରିଣାମ ବିଶେଷ ଅଟେ । ତଦୀୟ ପୁତ୍ର ଶ୍ୱେତକେତୁ ତାହାର ମର୍ମ୍ମ ବୁଝିବାକୁ ଅକ୍ଷମ ହେବାରୁ ମହର୍ଷି ତାହାଙ୍କୁ ପଞ୍ଚଦଶ ଦିବସ ସମ୍ପୂର୍ଣ୍ଣ ନିରାହାର ରଖି ଷୋଡ଼ଶ ଦିବସରେ ପୂର୍ବରୁ ଅଧୀତ ସମସ୍ତ ବେଦ ପରୀକ୍ଷା କଲେ । ପୁତ୍ର ଉତ୍ତର ଦେବାକୁ ଅସମର୍ଥ ହେବାରୁ ୠଷି କହିଲେ, ଅନାହାର ବଶତଃ ଇନ୍ଦ୍ରିୟ ଓ ମନ ଅତି କ୍ଷୀଣ ହୋଇ ନିର୍ବାଣପ୍ରାୟ ହୋଇଅଛି । ସୁତରାଂ ସ୍ମରଣ ହେଉ ନାହିଁ । ତତ୍ପରେ ୠଷିପୁତ୍ର ଆହାର କରି ସବଳ ହେବାରୁ ସମସ୍ତ ପାଠ ସ୍ମୃତିପଥାରୂଢ଼ ହେଲା । ଏତଦ୍ଦ୍ୱାରା ଉତ୍ତମ ହୃଦୟଙ୍ଗମ ହେଉଅଛି ଯେ, ମନର କ୍ଷୟ ଓ ବୃଦ୍ଧି ଅଛି ।

 

ଲୋକେ ମନେ କରି ପାରନ୍ତି, ମନ ଦେହ ପରି ଆଶୁ ନଷ୍ଟ ହୁଏ ନାହିଁ, ତେବେ ଦେହର ବିନାଶ ପରେ ମନ କେଉଁ ସ୍ଥାନରେ ରହେ ? ଏହାର ଉତ୍ତରରେ ସାଙ୍ଖ୍ୟାଦି ସମସ୍ତ ଆସ୍ତିକ ଶାସ୍ତ୍ର କହନ୍ତି, ସ୍ଥୂଳ ଶରୀରର ଅଭ୍ୟନ୍ତରରେ ଗୋଟିଏ ସୂକ୍ଷ୍ମ ଶରୀର ଅଛି । ସେହି ସୂକ୍ଷ୍ମ ଶରୀର ପ୍ରାଣ, ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କର ସମଷ୍ଟି । ସୁତରାଂ ତାହା ଅତି ସୂକ୍ଷ୍ମ, ଅତଏବ ବାୟୁ ପରି ଅଦାହ୍ୟ, ଅଚ୍ଛେଦ୍ୟ ଇତ୍ୟାଦି । ବେଦାନ୍ତ ସୂକ୍ଷ୍ମ ଶରୀରକୁ ଜୀବ ବୋଲି କହନ୍ତି । ଲୋକର ମୁକ୍ତି ନ ହେବା ପର୍ଯ୍ୟନ୍ତ ସେହି ସୂକ୍ଷ୍ମ ଶରୀର ପୁନଃ ପୁନଃ ସ୍ଥୂଳ ଶରୀରକୁ ଆଶ୍ରୟ କରେ । ସୂକ୍ଷ୍ମ ଶରୀରର ସତ୍ୟତା ସମ୍ବନ୍ଧରେ ‘‘ପରକାର ପ୍ରବେଶନ’’ ନାମକ ଯୋଗ–ସାଧକମାନଙ୍କର କାର୍ଯ୍ୟକଳାପ ଦୃଢ଼ ପ୍ରମାଣ ଅଟେ । ପୂର୍ବେ ଯୋଗୀମାନେ ନିଜର ସୂକ୍ଷ୍ମଶରୀରକୁ ଏପରି ଆୟତ୍ତ କରିଥିଲେ ଯେ, ସ୍ଥୂଳ ଶରୀରକୁ ବାହାରେ ରଖି ଇଚ୍ଛାମତ ବିଚରଣ ଓ ପର ଶରୀରରେ ପ୍ରବେଶ କରି ପାରୁଥିଲେ । ବର୍ତ୍ତମାନ ଉକ୍ତ ଯୋଗ ବିଲୁପ୍ତ ହୋଇଅଛି । ସାଙ୍ଖ୍ୟ ମତରେ ‘‘ସକ୍ରିୟତ୍ୱାଦ୍‌ଗତିଶ୍ରୁତେଃ’’ ଅର୍ଥାତ୍ ମନ ନିତ୍ୟ କ୍ରିୟାନ୍ୱିତ ଓ ଗତିଶକ୍ତିସମ୍ପନ୍ନ । ଶରୀର-ବିଦ୍ୟା-ବିଶାରଦ ମହର୍ଷି ଚରକ କହନ୍ତି, ଇନ୍ଦ୍ରିୟ ଓ ମନ ଆତ୍ମା ସଙ୍ଗେ ସଂଯୁକ୍ତ ହେଲେ ଆତ୍ମାର ଚୈତନ୍ୟ ଗୁଣ ଜନ୍ମେ । ମନ ସମୁଦାୟ ଶରୀରକ୍ରିୟାର ଉତ୍ତେଜକ । ମନରେ ତାଡ଼ିତ ଶକ୍ତି ଅଛି । ତାହାର ନାମ ସଂସ୍କାର । ସେହି ଶକ୍ତିଦ୍ୱାରା ଶରୀରରେ ବେଗ ଓ ସ୍ପନ୍ଦନ ପ୍ରଭୃତି କାର୍ଯ୍ୟ ନିତ୍ୟ ଲାଗିଅଛି ।

 

ମହର୍ଷି କପିଜ କହନ୍ତି, ମନ ଗୋଟିଏ ଇନ୍ଦ୍ରିୟ । ଅନେକ ମନୀଷୀ ମନକୁ ଇନ୍ଦ୍ରିୟ ବୋଲି ସ୍ୱୀକାର କରି ନାହାନ୍ତି । ସୁତରାଂ ସାଙ୍ଖ୍ୟାଚାର୍ଯ୍ୟମାନେ ସେମାନଙ୍କର ମତକୁ ଖଣ୍ଡନ କରି କହିଅଛନ୍ତି, ଶବ୍ଦ, ରୂପ, ରସ ପ୍ରଭୃତି ବାହ୍ୟ ବସ୍ତୁର ଧର୍ମ୍ମଗୁଡ଼ିକ ଯେପରି ବହିରିନ୍ଦ୍ରୟମାନେ ଗ୍ରହଣ କରନ୍ତି, ସେହିପରି ସୁଖ, ଦୁଃଖ ଓ ଯତ୍ନ ପ୍ରଭୃତି ଆନ୍ତର ଧର୍ମ୍ମଗୁଡ଼ିକୁ ମନ ଗ୍ରହଣ କରେ । ଯଥାର୍ଥରେ ମନ ସୁଖ, ଦୁଃଖ ବୁଝିବାପାଇଁ ଏକମାତ୍ର କାରଣ ଅଟେ । ମନରେ ଇନ୍ଦ୍ରିୟ ଲକ୍ଷଣ ପୂର୍ଣ୍ଣଭାବରେ ବିରାଜିତ । ସୁତରାଂ ମନ ଅନ୍ତରିନ୍ଦ୍ରିୟ ବ୍ୟତୀତ ଅନ୍ୟ କିଛି ନୁହେ । ଏପରି ସ୍ଥଳେ ଲୋକେ ପ୍ରଶ୍ନ କରିପାରନ୍ତି, ମନ କେଉଁ ଶ୍ରେଣୀର ଇନ୍ଦ୍ରିୟ ? ଏହାର ଉତ୍ତରରେ ମହର୍ଷି ସାଙ୍ଖ୍ୟକାର କହିଅଛନ୍ତି, ‘‘ଉଭୟାତ୍ମକଂ ମନଃ’’ ଅର୍ଥାତ୍ ମନ କର୍ମ୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟ ଦୁଇଟିର ଅନ୍ତର୍ଗତ । ଇନ୍ଦ୍ରିୟମାନଙ୍କର ନେତା ମନ ଯେତେବେଳେ ଯେଉଁ ଇନ୍ଦ୍ରିୟରେ ସଂଯୁକ୍ତ ହୁଏ, ସେତେବେଳେ ସେହି ଇନ୍ଦ୍ରିୟ ବୋଲି ଗଣ୍ୟ ହୁଏ । ଯେ କୌଣସି ଇନ୍ଦ୍ରିୟ ମନକୁ ଛାଡ଼ି ସ୍ୱ ସ୍ୱ କର୍ମ୍ମରେ ଲାଗିଲେ ମଧ୍ୟ ତଦ୍ଦ୍ୱାରା କୌଣସି ଜ୍ଞାନଲାଭ ହୁଏ ନାହିଁ କିମ୍ବା କୌଣସି କର୍ମ୍ମ ଉପଯୁକ୍ତ ଭାବରେ ହୁଏ ନାହିଁ । ସେହି ହେତୁରୁ ସାଙ୍ଖ୍ୟାଚାର୍ଯ୍ୟମାନେ ଇନ୍ଦ୍ରିୟଲବ୍ଧ ଜ୍ଞାନକୁ ଦୁଇଭାଗରେ ବିଭାଗ କରିଅଛନ୍ତି । ପ୍ରଥମ ଭାଗର ନାମ ନିର୍ବିକଳ୍ପ ଓ ଦ୍ୱିତୀୟ ଭାଗର ନାମ ଅନୁଭବ ଓ ବୋଧ ଇତ୍ୟାଦି । ପ୍ରଥମ ଭାଗର ଅର୍ଥ ଇନ୍ଦ୍ରିୟମାନେ ମନକୁ ଛାଡ଼ି ନିଜେ ନିଜେ ବସ୍ତୁଗ୍ରହଣ କରିଅଛନ୍ତି । ସୁତରାଂ କୌଣସି ତତ୍ତ୍ୱ ନିରୂପିତ ହୋଇ ପାରି ନାହିଁ । ଦ୍ୱିତୀୟ ଭାଗର ଅର୍ଥ ମନ ଇନ୍ଦ୍ରିୟଲବ୍ଧ ବସ୍ତୁରୁ ଭଲ ମନ୍ଦ ବିବେଚନା କରିଅଛି । ସୁତରାଂ ମନୁଷ୍ୟ ପ୍ରକୃତଭାବରେ ପଦାର୍ଥକୁ ଅନୁଭବ କରିଅଛି ଓ ଜ୍ଞାନ ସମ୍ପୂର୍ଣ୍ଣ ହୋଇଅଛି । ଅନ୍ତରିନ୍ଦ୍ରିୟ ଓ ବହିରିନ୍ଦ୍ରିୟ ମଧ୍ୟରେ ବହୁ ପ୍ରଭେଦ ପରିଲକ୍ଷିତ ହୁଏ । ଦୁଇ ଇନ୍ଦ୍ରିୟର ସମ୍ବନ୍ଧ ସ୍ୱର ଓ ବ୍ୟଞ୍ଜନବର୍ଣ୍ଣ ପରି ଅଟେ । ଅନ୍ତରିନ୍ଦ୍ରିୟ ସାହାଯ୍ୟ ବିନା ବହିରିନ୍ଦ୍ରିୟ ନିଜକାର୍ଯ୍ୟ ସୁଚାରୁରୂପେ କରିପାରେ ନାହିଁ । ମାତ୍ର ବହିରିନ୍ଦ୍ରିୟର ବିନାସାହାଯ୍ୟରେ ଅନ୍ତରିନ୍ଦ୍ରିୟ ବସ୍ତୁଗ୍ରହଣ କରିପାରେ । ସାଙ୍ଖ୍ୟ କାରିକାରେ ଲେଖାଅଛି, ‘‘ସାମ୍ପ୍ରତକାଳଂ ବାହ୍ୟଂ ତ୍ରିକାଳମାଭ୍ୟନ୍ତରଂ କରଣଂ’’ ଅର୍ଥାତ୍ ବହିରିନ୍ଦ୍ରିୟ ଉପସ୍ଥିତ ବସ୍ତୁ ଗ୍ରହଣ କରେ, କିନ୍ତୁ ଅନ୍ତରିନ୍ଦ୍ରିୟ ତିନି କାଳର ବିଷୟ ନିରୂପଣ କରିପାରେ । ଉଦାହରଣ ସ୍ୱରୂପ କୁହାଯାଇ ପାରେ ଯେ, ‘‘ପରଶୁରାମ କ୍ଷତ୍ରିୟ ହନନ କରିଥିଲେ’’ ଇତ୍ୟାଦି ଭାବ ମନ ସ୍ଥିର କରି ନ ଦେଲେ ବାଗିନ୍ଦ୍ରିୟ କଦାପି ପ୍ରକାଶ କରିବାକୁ ସମର୍ଥ ହୁଅନ୍ତା ନାହିଁ । ବହିରିନ୍ଦ୍ରିୟମାନଙ୍କର ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅଧିକାର ଅଛି । ତାହା କଦାପି ପରିବର୍ତ୍ତିତ ହୋଇ ନ ପାରେ । ମାତ୍ର ସକଳ ଇନ୍ଦ୍ରିୟ ଉପରେ ମନର ଅଧିକାର ଅଛି । ସୁତରାଂ ମନ ସକଳ ବିଷୟ ଗ୍ରହଣ କରି ପାରେ । ସେହିହେତୁରୁ ମହର୍ଷି ଚରକ କହିଅଛନ୍ତି, ମନ ଇନ୍ଦ୍ରିୟମାନଙ୍କର ପ୍ରେରୟିତା ଅଟେ । ଭଗବାନ୍ ଶ୍ରୀକୃଷ୍ଣ ପ୍ରଚାର କରିଅଛନ୍ତି, ‘‘ଇନ୍ଦ୍ରିୟାଣାଂ ମନଶ୍ଚାସ୍ମି’’ ଅର୍ଥାତ୍ ଜଗଦୀଶ୍ୱର ଇନ୍ଦ୍ରିୟମାନଙ୍କ ମଧ୍ୟରେ ମନରୂପେ ଶରୀରରେ ବିରାଜିତ ରହିଅଛନ୍ତି । ସୁତରାଂ ପ୍ରତିପନ୍ନ ହୁଏ, ମନ ଗୋଟିଏ ଇନ୍ଦ୍ରିୟ ଏଥିରେ କିଛି ସନ୍ଦେହ ନାହିଁ ।

 

ଲୋକେ ମନେ କରି ପାରନ୍ତି ଯେ, ଇନ୍ଦ୍ରିୟମାନଙ୍କର ଯେପରି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଅଛି, ସେହିପରି ମନର ସ୍ଥାନ ଶରୀରର କେଉଁ ବିଭାଗରେ, ତାହା ଜାଣିବା ଆବଶ୍ୟକ । ସେ ସମ୍ବନ୍ଧରେ ପ୍ରାଚୀନ ମନୀଷିଗଣ ତତ୍ତ୍ୱ ନିରୂପଣ କରିଅଛନ୍ତି । କିନ୍ତୁ ସମସ୍ତଙ୍କର ମତ ସମାନ ନୁହେ । ନୈୟାୟିକମାନେ କହନ୍ତି, ଜ୍ଞାନେନ୍ଦ୍ରିୟର ସ୍ଥାନ ମସ୍ତକ, ସୁତରାଂ ମନର ସ୍ଥାନ ମସ୍ତକ ଅଟେ । ଯେହେତୁ ମନ ସମଗ୍ର ଜ୍ଞାନର ଦ୍ୱାର ଅଟେ । ମହର୍ଷି ପତଞ୍ଜଳ କହନ୍ତି, ମନର ସ୍ଥାନ ନାଭିରେ ଅର୍ଥାତ୍ ହୃଦ୍‌ପଦ୍ମରେ । ସାଙ୍ଖ୍ୟାଚାର୍ଯ୍ୟମାନେ କହନ୍ତି, ‘‘ଭ୍ରୂମଧ୍ୟେ ଚ ମନଃ ସ୍ଥାନଂ’’ ଅର୍ଥାତ୍ ଭ୍ରୂଯୁଗଳର ମଧ୍ୟ ଭାଗରେ ମନର ସ୍ଥାନ । ତନ୍ତ୍ର ମଧ୍ୟ କହୁଅଛି, ଭ୍ରୂଦ୍ୱୟର ମଧ୍ୟଭାଗ ମନର ସ୍ଥାନ ଅଟେ । ଏହି ଉକ୍ତିମାନଙ୍କଦ୍ୱାରା ମସ୍ତକର ଏକ ଅଂଶ ମନର ସ୍ଥାନ ବୋଲି ଜଣାଯାଉଅଛି । ମାତ୍ର ଅନ୍ୟ କେତେକ ମନୀଷୀ ପ୍ରକାଶ କରିଅଛନ୍ତି, ଶରୀରସ୍ଥ ଇଡ଼ା ପ୍ରଭୃତି ପ୍ରଧାନ ନାଡ଼ିରୁ କେତେଗୁଡ଼ିଏ ସ୍ନେହମୟ ସୂକ୍ଷ୍ମ ତନ୍ତୁ ବାହାରି ବ୍ରହ୍ମରନ୍ଧ୍ରର ନିମ୍ନ ଭାବରେ ସ୍ଥଗିତ ହୋଇଅଛି । ସେହି ସ୍ଥାନଟି ଗ୍ରନ୍ଥଳ ଅଟେ । ସେହି ଗ୍ରନ୍ଥିଳ ଅଂଶଟି ମସ୍ତିଷ୍କରେ ବୁଡ଼ି ରହିଅଛି । ସେହି ଗ୍ରନ୍ଥିର ବୃନ୍ତ ଭାଗର ନାମ ଆଜ୍ଞାଚକ୍ର । ମନ ସେହି ଆଜ୍ଞାଚକ୍ରରେ ବାସକରି ସ୍ୱୀୟ କାର୍ଯ୍ୟ ସମ୍ପାଦନ କରୁଅଛି । ଉଲ୍ଲିଖିତ ପ୍ରମାଣମାନଙ୍କରୁ ପ୍ରତିଯତ୍ନ ହେଉଅଛି, ମସ୍ତକ ମନର ସ୍ଥାନ ଅଟେ ।

 

ମନ ନିର୍ମାଣ କ୍ରିୟାରେ ମଧ୍ୟ ସାହାଯ୍ୟ କରେ । ମନୁଷ୍ୟ ମନ ମଧ୍ୟରେ ଏପରି ଏକ ଦୃଶ୍ୟ ନିର୍ମାଣ କରେ ଯେ, ତାହା ବାହାରେ ପ୍ରକାଶ କରିବାପାଇଁ ବହୁ ଅର୍ଥ ଓ ବହୁ ଲୋକର ପ୍ରୟୋଜନ ହୁଏ । ଆମ୍ଭେମାନେ ଯେଉଁ ଅଟ୍ଟାଳିକାଦି ଦୃଶ୍ୟରାଜି ଦେଖୁଅଛୁଁ, ତାହା ସର୍ବାଦୌ ମନ ମଧ୍ୟରେ ନିର୍ମ୍ମିତ ହୋଇ ପରେ ବାହାରେ ପ୍ରକାଶିତ ହୋଇଅଛି । ମନର ଏହି ଅଧିକାରକୁ ପ୍ରମାଣ କରିବାପାଇଁ ମହର୍ଷି ବ୍ୟାସଦେବ କହିଅଛନ୍ତି, ‘‘ମନସାର୍ଥାନ ବିନିଶ୍ଚିତ୍ୟ ପାଶ୍ଚାତ୍ ପ୍ରାପ୍ନୋତି କର୍ମ୍ମଣା-।’’ ଅର୍ଥାତ୍ ପ୍ରଥମେ ମନ ମଧ୍ୟରେ ମୂର୍ତ୍ତି ଅଙ୍କିତ ହୋଇ ପରେ ତାହା ବାହାରେ କର୍ମ୍ମରେ ପରିଣତ ହୁଏ । ଯଥାର୍ଥରେ ମନ ମଧ୍ୟରେ ଯାହା ନିର୍ମିତ ହୋଇ ନ ପାରେ, ତାହା ବାହାରେ କଦାପି ଦେଖାଯିବ ନାହିଁ । ଉଲ୍ଲିଖିତ ଉକ୍ତିମାନଙ୍କରୁ ଆମ୍ଭେମାନେ ବୁଝିପାରୁଅଛୁଁ ଶରୀର ମଧ୍ୟରେ ମନର କ୍ଷମତା ଅତି ଅଧିକ । ସର୍ବତ୍ର ତାହାର ଅଧିକାର ଅଛି । ଆତ୍ମା ଉପରେ ମଧ୍ୟ ମନର କର୍ତ୍ତୃତ୍ୱ ଅଳ୍ପ ନୁହେ । ସେହିହେତୁରୁ ମହର୍ଷି ଚରକ କହିଅଛନ୍ତି, ମନ ଆତ୍ମାର ଚୈତନ୍ୟଦାତା ଅଟେ । ମନର ଗତି ପରି ଚଞ୍ଚଳ ଗତି ଅନ୍ୟ କାହାର ଦେଖାଯାଏ ନାହିଁ । ମନ ସମସ୍ତ ଇନ୍ଦ୍ରିୟର ଅଧ୍ୟକ୍ଷ, ତାହାକୁ ଅଭ୍ୟାସଦ୍ୱାରା ବଶୀଭୂତ କରି ପାରିଲେ ସମସ୍ତେ ଶାସିତ ହେବେ, ଏହା ନିଃସନ୍ଦେହ ଅଟେ । ସେହି କାରଣରୁ ଶାସ୍ତ୍ରକାରମାନେ ପୁନଃ ପୁନଃ କହିଅଛନ୍ତି, ସର୍ବାଦୌ ମନଃ ସଂଯମ ଅତି ଆବଶ୍ୟକ । ଯେଉଁ ବ୍ୟକ୍ତି ସାଧନାଦ୍ୱାରା ମନକୁ ତ୍ୟାଗ କରି ପାରିବେ; ସେ ସଂସାରରେ ସମ୍ବଦ୍ଧ ହେଲେ ମଧ୍ୟ ସର୍ବତ୍ୟାଗୀ ବୋଲି କଥିତ ହେବେ । ଯେହେତୁ ବାସନାମୂଳକ ମନ ସମସ୍ତ ଅନିଷ୍ଟର ହେତୁ ଅଟେ । ଶୈଶବରୁ ମନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାପାଇଁ ଶିକ୍ଷାକରିବା ଓ ପରେ ସେହି ଶିକ୍ଷାନୁରୂପ କାର୍ଯ୍ୟ କରିବା ପ୍ରତ୍ୟେକ ମାନବର ପ୍ରଧାନ କର୍ତ୍ତବ୍ୟ, ଏହା କହିବା ବାହୁଲ୍ୟ ମାତ୍ର ।

Image